ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
କଟକ: ସୁପ୍ରିମକୋର୍ଟଙ୍କ ରାୟ ପରେ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପ୍ରସଂଗକୁ ନେଇ ରାଜ୍ୟ ସରକାର ୨୦୧୯ରେ ଗଠନ କରିଥିବା କମିଟିର ସ୍ଥିତିକୁ ନେଇ ପ୍ରଶ୍ନ ଉଠିଛି। ମୁଖ୍ୟ ବିଚାରପତି ଡକ୍ଟର୍ ଜଷ୍ଟିସ୍ ଏସ୍. ମୁରଲୀଧର ଓ ଜଷ୍ଟିସ୍ ଏମ୍.ଏସ୍. ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ଜନସ୍ବାର୍ଥ ମାମଲାର ଶୁଣାଣି ସମୟରେ ଆବେଦନକାରୀ ଶିବଶଙ୍କର ମହାନ୍ତି ୨୦୨୨ ଡିସେମ୍ବର ୧୪ରେ ହାଇକୋର୍ଟ ବେଞ୍ଚ ପ୍ରସଂଗରେ ସୁପ୍ରିମକୋର୍ଟ ପ୍ରଦାନ କରିଥିବା ନିର୍ଦ୍ଦେଶର କପି ଦାଖଲ କରିଥିଲେ। ଓଡ଼ିଶାର ବିଭିନ୍ନ ବାର୍ ପକ୍ଷରୁ ହାଇକୋର୍ଟ ବେଞ୍ଚ ପାଇଁ କରାଯାଉଥିବା ଦାବି ଅବାସ୍ତବ। ତିନି ମାସ ଭିତରେ ଓଡ଼ିଶାର ସବୁ ଜିଲ୍ଲାରେ ଭର୍ଚୁଆଲ ବ୍ୟବସ୍ଥାରେ ହାଇକୋର୍ଟରେ ମାମଲା ଶୁଣାଣି ପାଇଁ ପଦକ୍ଷେପ ନିଆଯାଉଥିବା ପ୍ରସଂଗରେ ଦାଖଲ ତଥ୍ୟକୁ ବିଚାରକୁ ନେଇ ଅନ୍ୟ ସ୍ଥାନରେ ବେଞ୍ଚର ଆବଶ୍ୟକତା ନାହିଁ ବୋଲି ସୁପ୍ରିମକୋର୍ଟ କହିଥିଲେ। ଅନ୍ୟପକ୍ଷରେ ବୈଷୟିକ ଜ୍ଞାନକୌଶଳର ବ୍ୟବହାର ସହିତ କେତେକ ଜିଲ୍ଲାରେ ଭର୍ଚୁଆଲ ହାଇକୋର୍ଟ ଇତିମଧ୍ୟରେ ପ୍ରତିଷ୍ଠା କରାଯାଇଛି। ସୁପ୍ରିମକୋର୍ଟଙ୍କ ରାୟ ପରେ ରାଜ୍ୟ ସରକାର ୨୦୧୯ରେ ଗଠନ କରିଥିବା କମିଟିର ସ୍ଥିତିକୁ ନେଇ ଆବେଦନକାରୀ ପ୍ରଶ୍ନ ଉଠାଇଥିଲେ। ଏହି କମିଟି ଆଗକୁ ଅଗ୍ରସର ହେବା ଉଚିତ ନୁହେଁ ବୋଲି ଆବେଦନକାରୀ ଦର୍ଶାଇଥିଲେ। ଅନ୍ୟପକ୍ଷରେ ଏହି ପ୍ରସଂଗରେ ପକ୍ଷ ରଖିବାକୁ ରାଜ୍ୟ ସରକାରଙ୍କ ତରଫରୁ ଆଜି ଅଧିକ ସମୟ ଲୋଡ଼ା ଯାଇଥିଲା। ହାଇକୋର୍ଟ ଏଥିପାଇଁ ସରକାରଙ୍କୁ ଅନୁମତି ଦେଇଛନ୍ତି। ପରବର୍ତ୍ତୀ ଶୁଣାଣି ପୂର୍ବରୁ ସରକାର ଏହି ପ୍ରସଂଗରେ ଜବାବ ରଖିବେ। ଜୁଲାଇ ୪କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି।
ମାମଲାର ବିବରଣୀରୁ ପ୍ରକାଶ ଯେ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପ୍ରସଂଗରେ ବିଭିନ୍ନ ଦିଗ ଅନୁଧ୍ୟାନ ପାଇଁ ସରକାର ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଏକ ପାଞ୍ଚଜଣିଆ କମିଟି ଗଠନ କରିଥିଲେ। ଏ ନେଇ ଗୃହ ବିଭାଗ ପକ୍ଷରୁ ୨୦୧୯ ମାର୍ଚ୍ଚ ୮ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏହି କମିଟି ପୁନର୍ଗଠନ କରି ସରକାର ୨୦୧୯ ଅଗଷ୍ଟ ୨୮ରେ ବିଜ୍ଞପ୍ତି ପ୍ରକାଶ କରିଥିଲେ। ଉନ୍ନୟନ କମିସନର୍ଙ୍କୁ କମିଟିର ଅଧ୍ୟକ୍ଷ ରଖାଯାଇଥିବା ବେଳେ ଗୃହ ବିଭାଗ ଅତିରିକ୍ତ ସଚିବଙ୍କୁ ସଦସ୍ୟ ଆବାହକ ରଖାଯାଇଥିଲା। ଏଥି ସହିତ ଗୃହ ସଚିବ, ଅର୍ଥ ସଚିବ, ରାଜସ୍ବ ସଚିବ ଓ ଆଇନ ସଚିବଙ୍କୁ ଏଥିରେ ସଦସ୍ୟ ଭାବେ ରଖାଯାଇଥିଲା। ଏପରି କମିଟିର ବୈଧତାକୁ ଚାଲେଞ୍ଜ କରି ହାଇକୋର୍ଟର ଆଇନଜୀବୀ ଶ୍ରୀ ମହାନ୍ତି ଜନସ୍ବାର୍ଥ ମାମଲା ଦାୟର କରିଥିଲେ। ଆବେଦନରେ ଦର୍ଶାଯାଇଥିଲା ଯେ ହାଇକୋର୍ଟ ବେଞ୍ଚ ପ୍ରସଂଗରେ କମିଟି ଗଠନ କରିବାର କ୍ଷମତା ରାଜ୍ୟ ସରକାରଙ୍କ ନାହିଁ। ଓଡ଼ିଶା ହାଇକୋର୍ଟ ଅର୍ଡର୍, ୧୯୪୮ର ଧାରା ୧୦ ଅନୁସାରେ ଏହି ପ୍ରସଂଗରେ ରାଜ୍ୟ ସରକାର କୌଣସି ନିଷ୍ପତ୍ତି ନେଇ ପାରିବେ ନାହିଁ। ସେହିଭଳି ଭାବେ ବି.ଏସ୍. ତ୍ରିପାଠୀ ବନାମ୍ ରାଜ୍ୟ ସରକାର ମାମଲାରେ ୧୯୯୧ ନଭେମ୍ବର ୧୩ରେ ହାଇକୋର୍ଟ ପ୍ରଦାନ କରିଥିବା ରାୟରେ ସ୍ପଷ୍ଟ କରାଯାଇଥିଲା ଯେ ହାଇକୋର୍ଟ ବେଞ୍ଚ ପ୍ରସଂଗରେ ରାଜ୍ୟ ବିଧାନସଭାର କୌଣସି ଆଇନ ପ୍ରଣୟନ କରିବାର କ୍ଷମତା ନାହିଁ। ଏଥିସହିତ ପୂର୍ବରୁ ମଧ୍ୟ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ସଂପର୍କିତ ସରକାରଙ୍କ ପ୍ରସ୍ତାବକୁ ହାଇକୋର୍ଟ ଫୁଲ୍ ବେଞ୍ଚ ଅଗ୍ରାହ୍ୟ କରିଥିଲା। ସେତେବେଳେ ଜଷ୍ଟିସ୍ ଏ.କେ. ଗାଙ୍ଗୁଲି ମୁଖ୍ୟ ବିଚାରପତି ଥିଲେ।
ଆବେଦନକାରୀ ଦର୍ଶାଇଥିଲେ ଯେ ୨୦୦୮ ମାର୍ଚ୍ଚ ୧୧ରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପ୍ରସଂଗକୁ ନେଇ ସରକାର ଜଷ୍ଟିସ୍ ସି.ଆର୍.ପାଲ୍ କମିସନ୍ ବସାଇଥିଲେ। ୨୦୧୪ ମେ ୩୧ରେ କମିସନ୍ ରାଜ୍ୟ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ। ଏହି କମିସନ୍ ପାଇଁ ସରକାରଙ୍କ ତହବିଲରୁ ୧ କୋଟି ୫୨ ଲକ୍ଷ ୪୮ ହଜାର ଟଙ୍କା ଖର୍ଚ୍ଚ ହୋଇଥିଲା। କିନ୍ତୁ ଜଷ୍ଟିସ୍ ସି.ଆର୍.ପାଲ୍ କମିସନ୍ଙ୍କ ରିପୋର୍ଟ ଉପରେ ପଦକ୍ଷେପ ଗ୍ରହଣ ନ କରି ସରକାର ୨୦୧୯ରେ ବରିଷ୍ଠ ଅଧିକାରୀଙ୍କୁ ନେଇ ଏକ କମିଟି ଗଠନ କରିବା ଗ୍ରହଣୀୟ ନୁହେଁ। ଏପରି କମିଟି ସଂପର୍କିତ ବିଜ୍ଞପ୍ତି ଆଇନ ଅନୁସାରେ ଗ୍ରହଣୀୟ ହୋଇ ନଥିବା ବେଳେ ଏହାକୁ ରଦ୍ଦ କରାଯାଉ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ୨୦୧୯ ଡିସେମ୍ବର ୨ରେ ହାଇକୋର୍ଟ ମାମଲାକୁ ବିଚାର ପାଇଁ ଗ୍ରହଣ କରି ନୋଟିସ୍ ଜାରି କରିଥିଲେ। ପରବର୍ତ୍ତୀ ସମୟରେ ୨୦୧୯ ମାର୍ଚ୍ଚ ୮ ଓ ୨୦୧୯ ଅଗଷ୍ଟ ୨୮ର ବିଜ୍ଞପ୍ତିରେ ପ୍ରଦାନ କରାଯାଇଥିବା ଦାୟିତ୍ବ ଆଧାରରେ କମିଟିର କଣ କାର୍ଯ୍ୟ କରିବାର ସୁଯୋଗ ରହିଛି ସେ ନେଇ ଜବାବରେ ସ୍ପଷ୍ଟ କରିବାକୁ ସରକାରଙ୍କୁ ପୂର୍ବରୁ ହାଇକୋର୍ଟ କହିଥିଲେ। ମାମଲା ବିଚାରାଧୀନ ଥିବା ବେଳେ ସମ୍ବଲପୁର ଘଟଣାକୁ ନେଇ ସୁପ୍ରିମକୋର୍ଟ ହାଇକୋର୍ଟ ବେଞ୍ଚ ପ୍ରସଂଗରେ ୨୦୨୨ ଡିସେମ୍ବର ୧୪ରେ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ ଦେଇଥିଲେ।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l