ରାଜ୍ୟ ସ୍ପେଶାଲ ରିପୋର୍ଟ

ସୁନ୍ଦରଗଡ଼ରେ ନିର୍ମାଣ ଶ୍ରମିକଙ୍କୁ ଧୋକା: ଅଟକିଛି ୨୧.୮୨ କୋଟି ସହାୟତା

ରାଉରକେଲା: ଆଦିବାସୀ ଅଧ୍ୟୁଷିତ ଶିଳ୍ପ କାରଖାନା ଓ ଖଣି ପୂର୍ଣ୍ଣ ସୁନ୍ଦରଗଡ଼ ଜିଲ୍ଲାରେ ପଞ୍ଜିକୃତ ନିର୍ମାଣ ଶ୍ରମିକଙ୍କୁ‌ ପ୍ରତାରଣା। ପଞ୍ଜିକରଣ ତାଲିକା ଲମ୍ବୁଛି, ହେଲେ ସହାୟତା ତାଲିକା କମୁଛି। ଆବେଦନକାରୀ ମାସ ମାସ ଧରି ଜିଲ୍ଲା ଶ୍ରମ କାର୍ଯ୍ୟାଳୟକୁ ଦୌଡୁଛନ୍ତି, କିନ୍ତୁ ଏମାନଙ୍କୁ ସହାୟତା ମିଳୁନି। ୧୦ କି ୨୦ ଜଣ ନୁହେଁ, ୪ ୦ ୪୧ ଶ୍ରମିକଙ୍କୁ ସହାୟତା ବାବଦରେ ମୋଟ୍‌ ୨୧ କୋଟି ୮୨ ଲକ୍ଷ ୬୮ ହଜାର ଟଙ୍କା ମିଳିନି। ଏଥି ମଧ୍ୟରେ ଅଛି ୧୩୯୧ ଜଣଙ୍କୁ ଶିକ୍ଷା ସହାୟତା ବାବଦରେ ମିଳିବାକୁ ଥିବା ୯୪ ଲକ୍ଷ ୫୭ ହଜାର ୮୦୦ ଟଙ୍କା, ବିବାହ ସହାୟତା ବାବଦରେ ୫୮୫ ଜଣଙ୍କୁ ୨ କୋଟି ୬୪ ଲକ୍ଷ ୯୦ ହଜାର, ୧୩୪ ଜଣଙ୍କୁ ପ୍ରସୂତିକାଳୀନ ସହାୟତା ବାବଦରେ ୧୩ ଲକ୍ଷ ୩୬ ହଜାର, ଅନ୍ତିମସତ୍କାର କର୍ମ ବାବଦରେ ୯୮୦ ଜଣଙ୍କୁ ମିଳିବାକୁ ଥିବା ୪୮ ଲକ୍ଷ ୮୪ ହଜାର ଟଙ୍କା। ସେମିତି ୯୫୧ ଜଣଙ୍କ ମୃତ୍ୟୁକାଳୀନ ସହାୟତା ବାବଦରେ ପ୍ରାପ୍ୟ ୧୭ କୋଟି ୬୧ ଲକ୍ଷ ପଡ଼ିଛି। ଏହା କେବେ ମିଳିବ ବିଭାଗୀୟ ଅଧିକାରୀଙ୍କ ପାଖରେ କିଛି ଉତ୍ତର ନାହିଁ।

ଜିଲ୍ଲାରେ ପଞ୍ଜିକୃତ ଶ୍ରମିକ ୨.୫ ଲକ୍ଷରୁ ଅଧିକ
ଉପକୃତ ହେଉଛନ୍ତି ମାତ୍ର ୧୮୦୦ ନିର୍ମାଣ ଶ୍ରମିକ

ଏଥି ସକାଶେ ନିର୍ମାଣ ଶ୍ରମିକ ସଙ୍ଗଠନଗୁଡ଼ିକ ବାରମ୍ବାର ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରୁଛନ୍ତି। ହେଲେ କିଛି ଫଳ ମିଳୁନାହିଁ। ୨୦୨୨-୨୩ ଆର୍ଥିକ ବର୍ଷରେ ସୁନ୍ଦରଗଡ଼ରେ ମାତ୍ର ୧୮୨୮ ଜଣଙ୍କୁ ଶିକ୍ଷା, ବିବାହ, ପ୍ରସୂତି, ଅନ୍ତିମସତ୍କାର କର୍ମ ଓ ମୃତ୍ୟୁକାଳୀନ ସହାୟତା ବାବଦରେ ୧୩ କୋଟି ୮୨ ଲକ୍ଷ ଟଙ୍କା ମିଳିଥିଲା। ପୂର୍ବରୁ ଆବେଦନ କରିଥିବା ୪୦୪୧ ଜଣଙ୍କୁ ୨୧ କୋଟି ୮୨ ଲକ୍ଷରୁ ଏ ଯାଏଁ ଟଙ୍କାଟିଏ ମିଳି ନାହିଁ। ଏବେ ପ୍ରତି ମାସକୁ ସହାୟତା ପାଇଁ ଶହ ଶହ ନିର୍ମାଣ ଶ୍ରମିକ ଅନ୍‌ଲାଇନ୍‌ରେ ଆବେଦନ କରୁଛନ୍ତି। କିନ୍ତୁ ସବୁକିଛି ଢ଼ିଲା ଚାଲିଛି। ଜିଲ୍ଲା ଶ୍ରମ କାର୍ଯ୍ୟାଳୟର ବିଭାଗୀୟ ଅଧିକାରୀଙ୍କ ଅବହେଳା ହେଉ ଅବା ଆବଶ୍ୟକୀୟ କାଗଜପତ୍ର ଯାଞ୍ଚ ବିଳମ୍ବରୁ ଏଭଳି ସମସ୍ୟା ଉପୁଜିଥିବା ଆବେଦନକାରୀ ନିର୍ମାଣ ଶ୍ରମିକ ଅଭିଯୋଗ କରିଛନ୍ତି। ଅନ୍ୟ ପଟେ ଜିଲ୍ଲାରେ ଏଯାଏଁ ଜିଲ୍ଲାରେ କେତେ ନିର୍ମାଣ ଶ୍ରମିକ ଆବେଦନ କରିଛନ୍ତି, କେତେ ନିର୍ମାଣ ଶ୍ରମିକଙ୍କୁ ପଞ୍ଜିକୃତ କରି ନିର୍ମାଣ ଶ୍ରମିକ କାର୍ଡ ଦିଆଯାଇଛି, ତା’ର ସଠିକ୍‌ ତଥ୍ୟ ମଧ୍ୟ ବିଭାଗ ପାଖରେ ନାହିଁ। ତେବେ ଏ ସଂକ୍ରାନ୍ତରେ ଜିଲ୍ଲା ଶ୍ରମ ଅଧିକାରୀ ଦିବ୍ୟାଜ୍ୟୋତି ନାୟକଙ୍କୁ ପଚାରିବା‌ରେ ସେ କହିଛନ୍ତି, ଅଧିକାଂଶ ପଞ୍ଜିକୃତ ଶ୍ରମିକ ପୁନଃ ନବୀକରଣ କରୁନାହାନ୍ତି। ଯାହା ଫଳରେ ଏଭଳି ସମସ୍ୟା ଉପୁଜିଛି।

ଉଲ୍ଲେଖଯୋଗ୍ୟ, ସୁନ୍ଦରଗଡ଼ ଜିଲ୍ଲାରେ ଆଜି ପର୍ଯ୍ୟନ୍ତ ପ୍ରାୟ ଅଢ଼େଇ ଲକ୍ଷରୁ ଅଧିକ ନିର୍ମାଣ ଶ୍ରମିକ ପଞ୍ଜିକରଣ କରିଛନ୍ତି। ହେଲେ ସହାୟତା ଅର୍ଥ ସେହି ଅନୁପାତରେ ଢ଼େର କମ୍। କେବଳ ଏତିକି ନୁହେଁ, ବ୍ଲକ ଅଞ୍ଚଳରେ ବିଭାଗ ପକ୍ଷରୁ କୌଣସି ସଚେନତା କାର୍ଯ୍ୟକ୍ରମ ହେଉ ନଥିବାରୁ ସରକାରଙ୍କ ପକ୍ଷରୁ ମିଳିଥିବା ବା ମିଳୁଥିବା ସହାୟତା ସଂକ୍ରାନ୍ତରେ ନିର୍ମାଣ ଶ୍ରମିକମାନେ ଜାଣିପାରୁ ନାହାନ୍ତି। ଫଳରେ ଜିଲ୍ଲାରେ ପଞ୍ଜିକରଣର ପ୍ରାୟ ୨୦ରୁ ୩୦% ପଞ୍ଜିକୃତ ଶ୍ରମିକ ହିଁ ସହାୟତା ପାଇଁ ଆବେଦନ କରୁନଥିବା ଜଣାପଡ଼ିଛି। କେବଳ ବ୍ଲକ ନୁହେଁ ସହରରେ ମଧ୍ୟ ସେହି ସମାନ ସ୍ଥିତି ଉପୁଜିଛି। ତେବେ ଆବେଦନ କରିଥିବା ୨୦-୩୦ % ଶ୍ରମିକଙ୍କର ପ୍ରାପ୍ୟ ବାବଦରେ ଥିବା ଗୁରୁତ୍ବପୂର୍ଣ୍ଣ ସମସ୍ୟାର ସମାଧାନ ହୋଇ ପାରୁ ନଥିବାବେଳେ ସବୁ ଶ୍ରମିକ ଆବେଦନ କଲେ, ସ୍ଥିତି କେମିତି ହେବ, ଅନୁମାନ କରା ଯାଇପାରେ!

ଏବେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ରାଜ୍ୟ ଶ୍ରମମନ୍ତ୍ରୀ‌ ହୋଇଛନ୍ତି। ତାଙ୍କ ଆଗରେ ଜିଲ୍ଲାରେ ଶ୍ରମିକମାନଙ୍କର ମାଳ ମାଳ ସମସ୍ୟା ରହିଛି। ଏଥିସହ ୪୦୪୧ ଆବେଦନକାରୀଙ୍କୁ ମିଳିବାକୁ ଥିବା ୨୧ କୋଟି ୮୨ ଲକ୍ଷ ୬୮ ହଜାର ଟଙ୍କା ପ୍ରଦାନରେ ଶ୍ରମମନ୍ତ୍ରୀ ଶ୍ରୀ ତୁରନ୍ତ ପଦକ୍ଷେପ ଗ୍ରହଣ କରିବେ ବୋଲି ଶ୍ରମଜୀବୀ ଆଶା ରଖିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।