ବେତନଟୀ ସଦର: ମୟୂରଭଂଜ ଜିଲ୍ଲା ବେତନଟୀ ବ୍ଲକ ଅଧୀନ ବୈଶିଙ୍ଗା ଉପକଣ୍ଠ କେନ୍ଦୁଆ ଗ୍ରାମର ଜନୈକ ବ୍ୟକ୍ତିଙ୍କୁ ଟଙ୍କା ରୋଜଗାରର ଲାଳଶା ଦେଇ ସୁଦୂର ସିକନ୍ଦରାବାଦର ଏକ ଘରୋଇ କମ୍ପାନିକୁ ନେଇଯାଇଥିବା ବେଳେ ସେଠାରୁ ନିଖୋଜ ପରେ ଏବେ ୨ କନ୍ୟା ସନ୍ତାନର ମା’ ତଥା ଅସହାୟ ସ୍ତ୍ରୀ ସ୍ବାମୀକୁ ଫେରାଇ ଅଣିବାକୁ ଆକୁଳ ନିବେଦନ କରିଛନ୍ତି। ମାତ୍ର କ୍ଷୋଭର ବିଷୟ ହେଲା ଯେ, ଅଭିଯୋଗ ପରେ ଶୁଣୁନାହାନ୍ତି ପ୍ରଶାସନିକ ଅଧିକାରୀ।
ସୂଚନା ମୁତାବକ କେନ୍ଦୁଆ ଗ୍ରାମର ଭୁଣ୍ଡା ଟୁଡୁଙ୍କ ପୁଅ ତ୍ରିବାନ ଟୁଡୁ (୩୪) ଚାଷବାସ ସହିତ ଦିନମଜୁରିଆ ଭାବେ କାମକରି ନିଜର ସ୍ତ୍ରୀ ଓ ୨ ଛୁଆଙ୍କୁ ନେଇ ତାଙ୍କ ପରିବାରର ଗୁଜୁରାଣ ମେଣ୍ଟାଉଥିଲେ। ଆଜକୁ ପ୍ରାୟ ୪ମାସ ପୂର୍ବରୁ ଅଧିକ ରୋଜଗାରର ଲାଳଶା ଦେଖାଇ ସ୍ଥାନୀୟ ମହୋନପୁର ଗ୍ରାମର ମଙ୍ଗଲ ସିଂ ଆସି ତ୍ରିବାନକୁ ବୁଝେଇଶୁଝେଇ ଅନ୍ୟ ଏକ ଦଲାଲ ମାଧ୍ୟମରେ ସୁଦୂର ସିକନ୍ଦରାବାଦକୁ କାମ କରିବାକୁ ନେଇଯାଇଥିଲା ଓ ତ୍ରିବାନର ସ୍ତ୍ରୀକୁ ମଙ୍ଗଲ କହିଥିଲା କି ସେଠାରେ ପୂର୍ବରୁ ତାଙ୍କ ଗ୍ରାମର ବୁଧିଆ ସିଂର ପୁଅ ହାତୀରାମ ମଧ୍ୟ କାମକରୁଛି ଓ ତ୍ରିବାନ ମଧ୍ୟ ସେଠାରେ ରହି କାମ ତାଙ୍କ ସହିତ ଭଲରେ ରହି କାମ କରୁଛି। ହେଲେ ତ୍ରିବାନର ସ୍ତ୍ରୀ ପାଙ୍ଗି କହିବା ମୁତାବକ ଏହାରି ଭିତରେ ଚାରି ମାସ ବିତିଯାଇଥିଲେ ବି ସେ ତାଙ୍କ ସ୍ୱାମୀଙ୍କ ସହିତ ନା ଫୋନ ମାଧ୍ୟମରେ କଥା ହୋଇ ପାରିଛି, ନା ଅନ୍ୟ କୌଣସି ଉପାୟରେ ଯୋଗାଯୋଗ କରି ପାରିଛି। ଏମିତିକି ସ୍ୱାମୀ ଯିବାଦିନ ଠାରୁ ସ୍ୱାମୀଙ୍କ ଠାରୁ ପରିବାର ପୋଷଣ ପାଇଁ କିଛି ଟଙ୍କା ବି ଆସିନି ତାଙ୍କ ପାଖକୁ।
ତେବେ ଦୀର୍ଘଦିନ ଧରି ସ୍ବାମୀଙ୍କ ସହିତ ଯୋଗାଯୋଗ ନହୋଇପାରିବାରୁ ଅସହାୟ ସ୍ତ୍ରୀ ପାଙ୍ଗି ଜାଣିବାକୁ ପାଇଥିଲା କି ମଙ୍ଗଳ ତାଙ୍କ ଘର ମୋହନପୁରରେ ଅଛି ବୋଲି। ତେଣୁ ସେ ଅନ୍ୟ ଉପାୟ ନପାଇ ମଙ୍ଗଳକୁ ଯାଇ ଘରେ ଯୋଗାଯୋଗ କରିଥିଲା। ତେବେ ମଙ୍ଗଳ କହିଥିଲା ବିଗତ ୧୫ଦିନ ପୂର୍ବରୁ ସେଠାରେ ପୂର୍ବରୁ କାମ କରୁଥିବା ତାଙ୍କ ଗ୍ରାମର ହାତୀରାମ ସହିତ ତ୍ରିବାନ କମ୍ପାନିରୁ ସବୁ ଦରମାପତ୍ର ନେଇ ଘରକୁ ଫେରିବା ପାଇଁ ଏକତ୍ର ରେଳ ଟିକେଟ କାଟିଥିଲେ ଓ ସାଙ୍ଗ ହୋଇ ବାହାରିଥିଲେ। ହେଲେ ହାତୀରାମ ୧୦ଦିନ ପୂର୍ବରୁ ଘରେ ପହଞ୍ଚି ସାରିଥିବାବେଳେ ତ୍ରିବାନର ଏଯାବତ କିଛି ପତ୍ତା ମିଳୁନି। ପରେ ପାଙ୍ଗି ମୋହନପୁର ଯାଇ ହାତୀରାମକୁ ସାକ୍ଷାତ କରି ନିଜ ସ୍ୱାମୀ ସମ୍ବନ୍ଧରେ ତଥ୍ୟ ସଂଗ୍ରହ କରିବାକୁ ଯାଇଥିଲେ ବି ହାତୀରାମର ଦେଖା ମିଳୁନି।
ପାଙ୍ଗିଙ୍କ କହିବା ମୁତାବକ ସେ ଜାଣିଶୁଣି ଏଣେତେଣେ ଲୁଚି ବୁଲୁଛି, ଯୋଉଁଥିପାଇଁ ତା ଉପରେ ତାଙ୍କର ସନ୍ଦେହ ଘନୀଭୂତ ହୋଉଛି। ପରେ ସବୁଆଡୁ ନିରାଶ ହୋଇ ପାଙ୍ଗି ଗତ ମାସ ୨୯ତାରିଖରେ ବୈଶିଙ୍ଗା ଥାନାରେ ସ୍ୱାମୀଙ୍କ ନିଖୋଜ ନେଇ ଏକ ଲିଖିତ ଅଭିଯୋଗ ଦେବା ସହିତ ତ୍ରିବାନକୁ ଖୋଜି ଆଣିବାକୁ ପ୍ରଶାସନ ଆଗରେ ନେହୁରା ହୋଇଥିଲା। ହେଲେ ପ୍ରଶାସନନିକ ସ୍ତରରେ ଆଜି ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ କରାଯାଇ ନାହିଁ ବୋଲି କହିଛନ୍ତି ପାଙ୍ଗି। ବେଳେବେଳେ ପାଙ୍ଗି ନିଖୋଜ ସ୍ବାମୀଙ୍କର କୌଣସି ଖୋଜଖବର ନପାଇ ଭାଙ୍ଗି ନିରାଶ ହୋଇ ସ୍ୱାମୀଙ୍କ ଜୀବିତ ନେଇ ମଧ୍ୟ ସନ୍ଦେହ ପ୍ରକଟ କରିଛନ୍ତି। ଗୋଟିଏପଟେ ଦୁଇଝିଅଙ୍କୁ ପାଠପଢାଇ ମଣିଷ କରିବାର ଭାର ଏକାକି ଉଠାଉଛନ୍ତି। ଅନ୍ୟପଟେ ସ୍ୱାମୀକୁ ଖୋଜି ଆଣିବା ପାଇଁ ଦୁଆର ଦୁଆର ବୁଲି ଗୁହାରି କରୁଛନ୍ତି। ପରିବାରର ଲାଳନ ପାଳନ ସହିତ ପିଲାମାନଙ୍କୁ ଏକ ଉନ୍ନତ ଭବିଷ୍ୟତ ଦେବାପାଇଁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇ ନିଖୋଜ ଥିବା ତ୍ରିବାନ ଭଳି ରାଜ୍ୟର ବହୁ ଦାଦନ ପରିବାରର ସମସ୍ୟା କାହିଁରେ କେତେ, ଯୋଉଁଥିପାଇଁ ରାଜ୍ୟରେ ଦାଦନ ଦୁଃଖ ଦିନକୁଦିନ ବଢିଚାଲିଥିବା ବେଳେ ଏଦିଗରେ ସରକାର ଦୃଷ୍ଟି ଦେବାକୁ ଦାବୀ କରିଛନ୍ତି ଅଞ୍ଚଳବାସୀ ।