ସ୍ବାଧୀନତୋତ୍ତର ପ୍ରଥମ ବିଧାନସଭା (୧୯୫୧-୫୨) ନିର୍ବାଚନ ବେଳେ ‘ସମ୍ବଲପୁର-ରେଢ଼ାଖୋଲ’ ନାମରେ ନିର୍ବାଚନମଣ୍ଡଳୀ ଥିଲା। ନିର୍ବାଚନମଣ୍ଡଳୀ ଦ୍ବୈତ(ଯୁଗ୍ମ) ଥିଲା। ଜଣେ ସାଧାରଣବର୍ଗରୁ ଏବଂ ଅନ୍ୟଜଣେ ଅନୁସୂଚିତ ଜନଜାତି ବର୍ଗରୁ ନିର୍ବାଚିତ ହେବାର ବ୍ୟବସ୍ଥା ଥିଲା। ଏହା ୮୩୪ ବର୍ଗ ମାଇଲ କ୍ଷେତ୍ରଫଳ ବିଶିଷ୍ଟ ରେଢ଼ାଖୋଲ ସବ୍ଡିଭିଜନ ଓ ସମ୍ବଲପୁର ସବ୍ଡିଭିଜନର ଧମା, ଯୁଯୁମୁରା ଏବଂ ସମ୍ବଲପୁର ସଦର ଥାନା ଅଞ୍ଚଳକୁ ନେଇ ଗଠିତ ହୋଇଥିଲା। ମିଶ୍ରଣ ପରେ ପୂର୍ବତନ ଗଡ଼ଜାତ ରେଢ଼ାଖୋଲ ସବ୍ଡିଭିଜନ ଢେଙ୍କାନାଳ ଜିଲ୍ଲାରେ ରହି ୨୬ ଅକ୍ଟୋବର ୧୯୪୯ରେ ସମ୍ବଲପୁର ଜିଲ୍ଲା ଅଧୀନକୁ ଆସିଥିଲା। ଷ୍ଟେଟ୍ ଆସେମ୍ଲିକୁ ଏ ଅଞ୍ଚଳର ଶଶୀଭୂଷଣ ପଧାନ ରେଢ଼ାଖୋଲ-ସୋନପୁର ନିର୍ବାଚନମଣ୍ଡଳୀରୁ ବିଧାୟକ ଭାବରେ ମନୋନୀତ ହୋଇଥିଲେ। ଏହି ଗଡ଼ଜାତ ଅଞ୍ଚଳର ଲୋକେ ପୂର୍ବରୁ କେବେ ଭୋଟ୍ ଦାନ କରି ନଥିଲେ। ଏପରି ଗ୍ରାମ ଥିଲା ଯେଉଁଠି ଭୋଟର ସଂଖ୍ୟା ୨ରୁ ୩ ମଧ୍ୟରେ ଥିଲା। ତେବେ ସମ୍ବଲପୁର ସବ୍ଡିଭିଜନବାସୀ ପୂର୍ବରୁ ପ୍ରାକ୍ ସ୍ବାଧୀନତା ପ୍ରଥମ (୧୯୩୭) ଓ ଦ୍ବିତୀୟ (୧୯୪୬) ବିଧାନସଭା ସହିତ ୨ ଗୋଟି ଉପନିର୍ବାଚନରେ ଭୋଟ୍ ଦେଇ ପ୍ରାର୍ଥୀ ନିର୍ବାଚିତ କରିଥିଲେ। ଏହା ବ୍ରିଟିଶ ସରକାରଙ୍କ ପ୍ରତ୍ୟକ୍ଷ ଶାସନ ପରିଚାଳନାରେ ଥିଲା।
ଦଳଗୁଡ଼ିକ ପାଇଁ ପୃଥକ୍ ରଙ୍ଗୀନ ବାକ୍ସ
ଚୌକିଦାରୀ ଟିକସ ଓ ସାମାନ୍ୟ ଶିକ୍ଷାଗତ ଯୋଗ୍ୟତା ଥିବା ଲୋକ କେବଳ ଭୋଟ୍ ଦାନ କରୁଥିଲେ। ଭୋଟ୍ ଦାନ କାଠ ବାକ୍ସରେ ହେଉଥିଲା। ବାକ୍ସ ଉପରେ ଲାଗିଥିବା ବିଭିନ୍ନ ରଙ୍ଗ ଦେଖି ସେଥିରେ ଭୋଟ୍ ଦାନ କରୁଥିଲେ। କଂଗ୍ରେସ ପାଇଁ ହଳଦିଆ ବାକ୍ସ ଥିଲା। ଭୋଟରମାନଙ୍କୁ ଟ୍ରକ୍ ଆଦିରେ ଭୋଟ୍ କେନ୍ଦ୍ରକୁ ନେବା ଆଣିବାରେ ବାଧା ନ ଥିଲା। ଖାଦ୍ୟପେୟ ଦେଇ ଆପ୍ୟାୟିତ କରିବା ଦୋଷାବହ ନଥିଲା ଏବଂ ଏହାପାଇଁ ପ୍ରାର୍ଥୀମାନଙ୍କୁ ଅନୁମତି ମଧ୍ୟ ମିଳିଥିଲା। ସମ୍ବଲପୁର ସଦର ନିର୍ବାଚନମଣ୍ଡଳୀରୁ ୧୯୩୭ରେ ବୋଧରାମ ଦୁବେ ସାଧାରଣବର୍ଗ ପ୍ରାର୍ଥୀ ରୂପେ ଓ ନୃପଲାଲ ସିଂ ଜନଜାତି ପ୍ରାର୍ଥୀ ରୂପେ ନିର୍ବାଚିତ ହୋଇଥିବା ବେଳେ ମୁସଲମାନ ନିର୍ବାଚନମଣ୍ଡଳୀ ‘ବାଲେଶ୍ବର-ସମ୍ବଲପୁର’ରୁ ଅବୁଦୁଲ ଶୋଭନ ଖାଁ ନିର୍ବାଚିତ ହୋଇଥିଲେ। ବୋଧରାମ ଦୁବେ କଂଗ୍ରେସ ପ୍ରାର୍ଥୀ, ନୃପଲାଲ ସିଂ କନିକା ରାଜା ଶୈଳେନ୍ଦ୍ର ନାରାୟଣ ଭଞ୍ଜଦେଓଙ୍କ ୟୁନାଇଟେଡ୍ ପାର୍ଟି ପ୍ରାର୍ଥୀ ଓ ଶୋଭନ ଖାଁ ମୁସଲିମ୍ ଲିଗ୍ ଦଳରେ ଥିଲେ। ବୋଧରାମ ଦୁବେ ୨୭ ମାସ ମନ୍ତ୍ରୀ ରହି ଶିକ୍ଷା, ସ୍ବାସ୍ଥ୍ୟ, ବାଣିଜ୍ୟ, ଅବକାରୀ ଓ ସ୍ବାୟତ୍ତଶାସନ ବିଭାଗ ମନ୍ତ୍ରୀ ଥିଲେ। ୧୯୪୬ ନିର୍ବାଚନରେ ସମ୍ବଲପୁର ସଦରରୁ ପୁଣିଥରେ ବୋଧରାମ ଦୁବେ ଓ ମୋହନ ସିଂ କଂଗ୍ରେସରୁ ଜିତିଥିଲେ।
ବାଲେଶ୍ବର-ସମ୍ବଲପୁର ମୁସଲମାନ ଦ୍ବୈତ ନିର୍ବାଚନମଣ୍ଡଳୀ
ବାଲେଶ୍ବର-ସମ୍ବଲପୁର ମୁସଲମାନ ନିର୍ବାଚନମଣ୍ଡଳୀର ସମ୍ବଲପୁରର ଖାଁ ସାହେବ ମହମ୍ମଦ ଖାଁ (ମୁସଲିମ ଲିଗ୍) ଓ ବାଣିଜ୍ୟ ଓ ଶିଳ୍ପ ନିର୍ବାଚନମଣ୍ଡଳୀରୁ ଘନଶ୍ୟାମ ଦାସ ଥିରାନି (ସ୍ବାଧୀନ) ନିର୍ବାଚିତ ହୋଇଥିଲେ। ହୀରାକୁଦ ବନ୍ଧ ପ୍ରତିଷ୍ଠା ବିରୋଧରେ ବୋଧରାମ ଦୁବେ ଇସ୍ତଫା ଦେଇ ପୁଣିଥରେ ଉପନିର୍ବାଚନ ଲଢ଼ି ଜୟଯୁକ୍ତ ହେଲେ। ପରେ ପୁଣିଥରେ ପୁଲିସ ଜୁଲମର ପ୍ରତିବାଦରେ ଇସ୍ତଫା ଦେଇ କଟକରେ ସରକାରୀ ଓକିଲ ହେବାରୁ ପୁଣି ଉପନିର୍ବାଚନ ହୋଇ ଶ୍ରଦ୍ଧାକର ସୂପକାର ସ୍ବାଧୀନ ପ୍ରାର୍ଥୀ ଭାବେ କଂଗ୍ରେସ ପ୍ରାର୍ଥୀ କେନ୍ଦୁପତ୍ର ବ୍ୟବସାୟୀ ଅଣ ଓଡ଼ିଆ ଶିଓ ମଙ୍ଗଳ ଅବସ୍ତିଙ୍କୁ ପରାସ୍ତ କରି ନିର୍ବାଚିତ ହୋଇଥିଲେ। ପ୍ରଥମ ନିର୍ବାଚନରେ ‘ସମ୍ବଲପୁର-ରେଢ଼ାଖୋଲ’ ନିର୍ବାଚନମଣ୍ଡଳୀର ଭୋଟର ସଂଖ୍ୟା ଥିଲା ୨୨୪୧୧୬। ମୋଟ ୬ ଜଣ ପ୍ରାର୍ଥୀ ଥିଲେ। ସେଥିରୁ କଂଗ୍ରେସ ଓ ଗଣତନ୍ତ୍ର ପରିଷଦ ଦଳ ପାର୍ଥୀ ନିର୍ବାଚନରେ ଥିଲେ। ପ୍ରମୁଖ ପ୍ରାର୍ଥୀ ମଧ୍ୟରେ ଓକିଲ, ପୂର୍ବ ବିଧାୟକ ତଥା ହୀରାକୁଦ ବନ୍ଧ ବିରୋଧୀ ଆନ୍ଦୋଳନ କମିଟିର ସେକ୍ରେଟେରି ଶ୍ରଦ୍ଧାକର ସୂପକାର, ପୌରସଭା ଚେୟାରମାନ୍ ରତ୍ନାକର ବେହେରା, ପୌର ସଫେଇ କର୍ମଚାରୀ ଭିକାରୀ ଘାସି ଓ ସ୍ବାଧୀନତା ସଂଗ୍ରାମୀ ମିତ୍ରଭାନୁ ପ୍ରାଣିଗ୍ରାହୀ। କଂଗ୍ରେସ ଦଳର ନିର୍ବାଚନ ସଂକେତ ‘ଯୋଡ଼ି ବଳଦ’ ଓ ଗଣତନ୍ତ୍ର ପରିଷଦର ‘ଧନୁତୀର’ ସଂରକ୍ଷିତ ଦଳୀୟ ପ୍ରାର୍ଥୀଙ୍କ ଚିହ୍ନ ବୃତ୍ତ ମଧ୍ୟରେ ରହୁଥିଲା। ପ୍ରଥମ ଥର ପାଇଁ ଲୁହାବାକ୍ସ ବ୍ୟବହାର ହୋଇ ତା’ ଉପରେ ନିର୍ବାଚନ ସଂକେତ କାଗଜ ଛାପିବା ବ୍ୟବସ୍ଥା ହେଲା। ଯେତେ ପ୍ରାର୍ଥୀଙ୍କ ପାଇଁ ସେତେଟା ଭୋଟ ବାକ୍ସ।
ଶ୍ରଦ୍ଧାକର ସୂପକାର ହେଲେ ବିରୋଧୀ ଦଳ ନେତା
ଭୋଟ ପ୍ରଚାରରେ ଗଣତନ୍ତ୍ର ପରିଷଦ ଦଳ ଗ୍ରାମଫୋନ୍ ବ୍ୟବହାର କଲା। ମଫସଲ ଅଞ୍ଚଳରେ ଏଚ୍.ଏମ୍.ଭି. କମ୍ପାନିଠାରୁ ତିଆରି କରାଯାଇଥିବା ରେକର୍ଡ ବଜାଇ ମଫସଲ ଅଞ୍ଚଳରେ ଲୋକଙ୍କୁ ଆକର୍ଷିତ କରି ତା’ ପରେ ପ୍ରାର୍ଥୀଙ୍କ ପରିଚୟ ଦେଇ ନୀତି, କାର୍ଯ୍ୟକ୍ରମ, ଭୋଟରମାନଙ୍କ ଦାୟିତ୍ବ ଓ ନିର୍ବାଚନ ପ୍ରତୀକ ବାବଦରେ କର୍ମୀମାନେ ବୁଝାଉଥିଲେ। କେନ୍ଦୁପତ୍ର ବ୍ୟବସାୟୀଙ୍କ ଗାଁଗାଁରେ ପତ୍ରପେଡ଼ି, କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ସେମାନେ ଗ୍ରାମାଞ୍ଚଳରେ ଗୁମାସ୍ତା ଜରିଆରେ ପ୍ରଚାର କରି ଖର୍ଚ୍ଚ ମଧ୍ୟ କରୁଥିଲେ। ପ୍ରବଳ ଶୀତ ଓ ଜଙ୍ଗଲଭରା ଗାମାଞ୍ଚଳରେ ହିଂସ୍ରଜନ୍ତୁ ଭୟରେ ରାତିରେ ପ୍ରଚାର ସମ୍ଭବ ନଥିଲା। ସମ୍ବଲପୁର ସହରରେ ପେଟ୍ରୋମାକ୍ସ ଲାଇଟ୍ ବା ମଶାଲ ଜଳାଇ ସନ୍ଧ୍ୟାରେ ପ୍ରଚାର ଦେଖାଯାଉଥିଲା। କଂଗ୍ରେସ ଦଳ ପକ୍ଷରୁ କେତେକ ସ୍ଥାନରେ ‘ଡେଭି’ (ମଣିଷ ଲମ୍ବଠାରୁ ଦେଢ଼ଗୁଣ ଲମ୍ବ ଥିବା ଚାଦର ଯାହା ଘୋଡ଼ିହେବା ପାଇଁ ବ୍ୟବହାର ହେଉଥିଲା) ବଣ୍ଟାଯାଉଥିବା ଅଭିଯୋଗ ହୋଇଥିଲା। ହୀରାକୁଦ ବନ୍ଧ ନିର୍ମାଣ ଓ ପୂର୍ବ କୁ-ଶାସନ ଯୋଗୁ ଶିକ୍ଷିତ ଲୋକଙ୍କ ମଧ୍ୟରେ କଂଗ୍ରେସ ବିରୋଧୀ ମନୋଭାବ ପ୍ରବଳ ରହିଥିଲା। ନିର୍ବାଚନରେ ୭୫,୩୨୮ ଜଣ (୩୩.୬୧%) ଭୋଟ ଦେଲେ। ଗଣତନ୍ତ୍ର ପରିଷଦ ଦଳର ଶ୍ରଦ୍ଧାକର ସୂପକାର ୧୮,୭୧୭ ଓ ଭିକାରୀ ଘାସି ୧୮,୯୧୫ ଖଣ୍ଡ ଭୋଟ, କଂଗ୍ରେସ ପ୍ରାର୍ଥୀ ରତ୍ନାକର ବେହେରା ୧୧,୪୩୯ ଓ ଘନଶ୍ୟାମ ଗଣ୍ଡା ୧୩,୪୦୬ ଖଣ୍ଡ ଭୋଟ ପାଇଥିଲେ। ଅନ୍ୟ ସ୍ବାଧୀନ ପ୍ରାର୍ଥୀ ମିତ୍ରଭାନୁ ପାଣିଗ୍ରାହୀ ୬,୯୯୪ ଓ ପୂର୍ଣ୍ଣଗଣ୍ଡା ୫,୮୫୭ ଖଣ୍ଡ ଭୋଟ ପାଇଲେ। ଉଭୟ ଗଣତନ୍ତ୍ର ପରିଷଦ ଦଳ ପ୍ରାର୍ଥୀ ବିଜୟୀ ହେଲେ। ନିର୍ବାଚିତ ହେବା ପରେ ଶ୍ରଦ୍ଧାକର ସୂପକାର ଓଡ଼ିଶା ବିଧାନସଭାର ବିରୋଧୀ ଦଳ ନେତା ହୋଇଥିଲେ।