ଭୁବନେଶ୍ବର: ରାଜ୍ୟରେ ପ୍ରତିଦିନ ସଡ଼କ ଦୁର୍ଘଟଣାରେ ଏକାଧିକ ଲୋକଙ୍କର ମୃତ୍ୟୁ ହେଉଛି। ହେଲେ ସରକାର ଏହାର ପ୍ରତିକାର ପାଇଁ ଯାହା ଆବଶ୍ୟକ ତାହା କରିପାରୁନାହାନ୍ତି। ରାସ୍ତା ଡିଜାଇନ୍ରେ ବ୍ୟାପକ ତ୍ରୁଟି ପାଇଁ ସଡ଼କ ଦୁର୍ଘଟଣା ହେଉଥିବା ଜାଣୁଥିଲେ ବି ଏହାକୁ ସଜଡ଼ାଯାଉନି। ଫଳରେ ପ୍ରତିଦିନ ଅକାଳରେ ଗୋଟିଏ ପରେ ଗୋଟିଏ ମୁଣ୍ଡ ଗଡ଼ି ଚାଲିଛି। ରାଜ୍ୟ ସରକାରଙ୍କ ତଥ୍ୟ କହୁଛି ଗତ ୧୦ବର୍ଷରେ ରାଜ୍ୟରେ ପ୍ରାୟ ୫୦ହଜାର ଲୋକଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବାବେଳେ ଗତ ୫ବର୍ଷ ମଧ୍ୟରେ ୨୦୧୯ରେ ୫୩୩୩ଜଣ, ୨୦୨୦ରେ କରୋନା ଯୋଗୁ ଲକ୍ଡାଉନ୍ ସତ୍ତ୍ବେ ୪୭୩୮ଜଣ, ୨୦୨୧ରେ ୫୦୮୧ଜଣ, ୨୦୨୨ରେ ୫୪୬୭ଜଣ ଏବଂ ୨୦୨୩ରେ ଜାନୁଆରିରୁ ସେପ୍ଟେମ୍ବର ମଧ୍ୟରେ ୪୧୭୮ଜଣଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି।
୨୦୨୩ରେ ଏପ୍ରିଲ ୧ରୁ ୭ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପାଳିତ ଶୂନ ମୃତ୍ୟୁ ସପ୍ତାହରେ ୭୦ ଜଣଙ୍କର, ୨୦୨୩ ଡିସେମ୍ବର ୧ରୁ ୭ ତାରିଖ ପର୍ଯ୍ୟନ୍ତ ପାଳିତ ଶୂନ ମୃତ୍ୟୁ ସପ୍ତାହରେ ୮୧ ଜଣଙ୍କର ସଡ଼କ ଦୁର୍ଘଟଣାରେ ଜୀବନ ଯାଇଥିଲା। ଆଶ୍ଚର୍ଯ୍ୟର ବିଷୟ ଯେତେବେଳେ ରାଜ୍ୟ ସରକାର ନିଷ୍ପତ୍ତି ନେଉଛନ୍ତି ଯେ ସଡ଼କ ଦୁର୍ଘଟଣାରେ କେହି ମରିବେନି ଏବଂ ଏଥିପାଇଁ ବହୁ କସରତ କରୁଛନ୍ତି ସେତେବେଳେ ହିଁ ଅଧିକ ଜୀବନ ଯାଉଛି। ଅପରପକ୍ଷେ ଚଳିତବର୍ଷ ଜାନୁଆରି ୧ରୁ ଆରମ୍ଭ ହୋଇଥିବା ସଡ଼କ ସୁରକ୍ଷା ସପ୍ତାହ ପାଳନ ସମୟରେ ୧୦ରୁ ଅଧିକ ଲୋକଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହେଲାଣି।
ସୁପ୍ରିମକୋର୍ଟ ସଡ଼କ ସୁରକ୍ଷା କମିଟି ତାଙ୍କ ସମୀକ୍ଷା ସମୟରେ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଥିଲେ ଯେ ରାଜ୍ୟରେ ସଡ଼କ ଦୁର୍ଘଟଣା ଏବଂ ଦୁର୍ଘଟଣାଜନିତ ମୃତ୍ୟୁ କମାଇବାକୁ ଦୀର୍ଘସ୍ଥାୟୀ ଯୋଜନା କରାଯିବା ଦରକାର। ରାସ୍ତାର ଡିଜାଇନ୍ ବଦଳାଇବା ଉଚିତ୍। କିନ୍ତୁ ବିଡ଼ମ୍ବନାର ବିଷୟ ଦୀର୍ଘସ୍ଥାୟୀ ଯୋଜନା ଅଧିକାଂଶ ଜନଗହଳି ରାସ୍ତାରେ ନାହିଁ। ଯେଉଁଠି ବ୍ଲାକସ୍ପଟ୍ ଘୋଷଣା ହେଉଛି ସେଠାରେ ରାସ୍ତାର ଡିଜାଇନ୍ କିଛି ବଦଳୁଛି। ହେଲେ ଗାଡ଼ି ଯେକୌଣସି ରାସ୍ତାରେ ଚାଲିଲେ ବି ଯେପରି ଦୁର୍ଘଟଣା ହେବନି କି ଦୁର୍ଘଟଣା ହେଲେ ମୃତାହତ ବେଶୀ ହେବନି ସେନେଇ କିଛି ଯୋଜନା ପୂର୍ତ୍ତ କି ପରିବହନ ବିଭାଗର ନାହିଁ। ରାଜ୍ୟରେ ୪୫୧୦କିମିର ଜାତୀୟ ରାଜପଥ ଥିବାବେଳେ ଏଥିରୁ ୧୬୯୫କିମି ରାଜ୍ୟ ସରକାରଙ୍କ ପୂର୍ତ୍ତ ବିଭାଗ ଅଧୀନରେ ଅଛି। ଅଧିକାଂଶ ଜାତୀୟ ରାଜପଥ ଓ ରାଜ୍ୟ ରାଜପଥ ଦୁଇ ଥାକିଆ ହୋଇଥିଲେ ବି ଏଥିରେ ଡିଭାଇଡର୍ ନାହିଁ। ସଡ଼କ ଦୁର୍ଘଟଣାର ଏହା ବଡ଼ କାରଣ ପାଲଟିଛି। ଉଦାହରଣ ସ୍ବରୂପ କଟକ-ପାରାଦୀପ, ପିପିଲି-କୋଣାର୍କ, ଆଠଗଡ଼-ସମ୍ବଲପୁର, ଜଗତପୁର-ଚାନ୍ଦବାଲି ରାସ୍ତା। ଡିଭାଇଡର ନଥିବାରୁ ଶୀତ ଦିନେ କୁହୁଡ଼ି ଯୋଗୁ ଅଧିକାଂଶ ଦୁର୍ଘଟଣା ଘଟୁଛି। ନଚେତ୍ ରାତିରେ/ ଭୋର୍ ସମୟରେ ଗାଡ଼ିର ଲାଇଟ୍ ଯୋଗୁ ଗାଡ଼ି ଗାଡ଼ି ମଧ୍ୟରେ ବ୍ୟବଧାନ ଜଣାପଡ଼ୁନଥିବାରୁ ଦୁର୍ଘଟଣା ଘଟୁଛି। ଦୁର୍ଘଟଣା ଘଟିଲେ ରାଜ୍ୟ ସରକାର ମଦୁଆ ଡ୍ରାଇଭର, ବିନା ହେଲମେଟ୍, ରଙ୍ଗରୁଟ୍ ଆଦି କାରଣ ଦର୍ଶାଉଥିଲେ ବି ବିନା ଡିଭାଇଡରରେ ରାସ୍ତା କି ରାସ୍ତା ଡିଜାଇନରେ ତ୍ରୁଟି ଦର୍ଶାଉନାହାନ୍ତି। ଶୀତ ଦିନେ (ଡିସେମ୍ବର ଓ ଜାନୁଆରିରେ) ୨୦୧୯ରେ ୧୦୦୮ଜଣ, ୨୦୨୦ରେ ୧୧୦୦ଜଣ, ୨୦୨୧ରେ ୧୦୩୧ଜଣ, ୨୦୨୨ରେ ୯୯୧ ଜଣଙ୍କର ଦୁର୍ଘଟଣାରେ ମୃତ୍ୟୁ ଘଟିଛି।
ରାସ୍ତାରେ ଡିଭାଇଡର ନଥିବାରୁ ବଡ଼ ଦୁର୍ଘଟଣା ଘଟୁଛି
ସଡ଼କ ଦୁର୍ଘଟଣା କମାଇବାକୁ ଦୀର୍ଘସ୍ଥାୟୀ ଯୋଜନା ହୋଇପାରୁନି
ରାସ୍ତାରେ କ୍ରାସ୍ ବ୍ୟାରିଅର, ଷ୍ଟ୍ରିଟଲାଇଟ୍ ଲାଗୁନି, ବାଲି ସଫା ହେଉନି
ଏକାଧିକ ମଲେ ମିଳୁଛି ସହାୟତା, ଜଣେ ମଲେ ମିଳୁନି
କେବଳ ସେତିକି ନୁହେଁ, ରାସ୍ତା କଡ଼ରୁ ବାଲି ସଫା କରାଯାଉନାହିଁ।ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଦୁଇ ଚକିଆ ଗାଡ଼ିର ଚକ ଖସିଯାଇ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହେଉଛି। ସେହିପରି ରାସ୍ତା କଡ଼ରେ ୧୦ରୁ ୨୦ଫୁଟ ପର୍ଯ୍ୟନ୍ତ ସମାନ୍ତରାଳ ‘ୱେ ସାଇଡ୍’ ରହିବା କଥା। ଓଡ଼ିଶାର ଅଧିକାଂଶ ରାସ୍ତାରେ ଏହା ନାହିଁ। ଏପରିକି ରାସ୍ତା କଡ଼ରେ ଖାଲୁଆ ଅଞ୍ଚଳ ରହୁଥିବାରୁ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହେଉ କିମ୍ବା ଦୁର୍ଘଟଣାରୁ ବର୍ତ୍ତିବା ପାଇଁ ରାସ୍ତା କଡ଼କୁ ଗଲେ ଏହା ଗାତରେ ପଡ଼ି ଅଧିକ କ୍ଷତିଗ୍ରସ୍ତ ହେଉଛି। ଏଥିପାଇଁ ରାସ୍ତାରେ କ୍ରାସ୍ ବ୍ୟାରିଅର ଲଗାଇବାକୁ କଡ଼ା ନିର୍ଦ୍ଦେଶ ଥିଲେ ବି ପୂର୍ତ୍ତ ବିଭାଗ ଲଗାଉନି କି କେହି ତାଗିଦ୍ କରୁନାହାନ୍ତି।
ସୁପ୍ରିମକୋର୍ଟ ସଡ଼କ ସୁରକ୍ଷା କମିଟି କହିଥିଲେ, ଯେଉଁଠି ଜନବସତି ଅଞ୍ଚଳ ଥିବ କିମ୍ବା ଗ୍ରାମାଞ୍ଚଳ ରାସ୍ତା ଜାତୀୟ ରାଜପଥକୁ ସଂଯୋଗ କରୁଥିବ ସେଠାରେ ରାଜ୍ୟ ସରକାର ଷ୍ଟ୍ରିଟ ଲାଇଟ୍ ଲଗାଇବେ। ଫଳରେ ରାସ୍ତାକଡ଼ରେ ଥିବା ଲୋକ ଉପରେ ଗାଡ଼ି ଚାଳକଙ୍କ ନଜର ରହିବ। କିନ୍ତୁ ଏହା ଅଧିକ ବ୍ୟୟବହୁଳ ହେବ ବୋଲି କହି ପୂର୍ତ୍ତ ବିଭାଗ ଏଥିରୁ ଓହରି ଯାଇଛି। ଯେଉଁଥିପାଇଁ ରାତି ସମୟରେ ଗ୍ରାମାଞ୍ଚଳରେ ଅଧିକ ଦୁର୍ଘଟଣା ବୃଦ୍ଧି ପାଉଛି।
କେବଳ ସେତିକି ନୁହେଁ, ଦୁର୍ଘଟଣାଜନିତ ମୃତକଙ୍କୁ ସହାୟତା ଦେବାରେ ବି ପାତର ଅନ୍ତର କରୁଛନ୍ତି। ଯେଉଁଠି ସଡ଼କ ଦୁର୍ଘଟଣାରେ ଜଣେ କି ମରୁଛନ୍ତି ସେଠାରେ କାହାକୁ ଦୁର୍ଘଟଣାମୃତ୍ୟୁ ଜନିତ ସହାୟତା ପ୍ରଦାନ କରାଯାଉନି। ଅଥଚ ଏକାଧିକ ଲୋକଙ୍କର ଗୋଟିଏ ସ୍ଥାନରେ ଦୁର୍ଘଟଣାଜନିତ ମୃତ୍ୟୁ ହେଲେ ମୃତକଙ୍କ ପରିବାରକୁ ଏବେ ୩ଲକ୍ଷ ଟଙ୍କା ଲେଖାଏ ସହାୟତା ପ୍ରଦାନ କରାଯାଉଛି। ହିଟ୍ ଆଣ୍ଡ ରନ୍ କେସ୍ ବା ଅଜଣା ଗାଡ଼ି ଧକ୍କାରେ କାହାର ମୃତ୍ୟୁ ହେଲେ ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କା ଆର୍ଥିକ ସହାୟତା ଦେବାକୁ ନିୟମ କରାଯାଇଛି। ତେଣୁ ରାଜ୍ୟ ସରକାର ଦୁର୍ଘଟଣାରେ ମରୁଥିବା ଅନ୍ୟ କାହାକୁ ପୂର୍ବରୁ ସହାୟତା ରାଶି ଦେଉନଥିଲେ। କିନ୍ତୁ ଏବେ ଦୁର୍ଘଟଣା କରିଥିବା ଗାଡ଼ି ଧରାପଡ଼ିଲେ ବି ଅଧିକ ସହାୟତା ରାଶି ପ୍ରଦାନ କରାଯାଉଛି।