ରାଜ୍ୟ ସ୍ପେଶାଲ ରିପୋର୍ଟ

ଶିମିଳିପାଳ ବନରକ୍ଷୀଙ୍କ ମୃତ୍ୟୁ ଘଟଣା; ବନରକ୍ଷୀଙ୍କ ବଳିଦାନ ଚିରଋଣୀ କରି ରଖିବ: କେନ୍ଦ୍ର ମନ୍ତ୍ରୀ

କଳାବାଡ଼ିଆ/ବାରିପଦା: ଶିମିଳିପାଳ ଅଭୟାରଣ୍ୟରେ ଶିକାରୀଙ୍କ ଗୁଳିରେ ବନରକ୍ଷୀ (ଫରେଷ୍ଟ ଗାର୍ଡ) ବିମଳ କୁମାର ଜେନାଙ୍କ ମୃତ୍ୟୁ ଘଟଣାରେ ଦୁଇଜଣ କେନ୍ଦ୍ରମନ୍ତ୍ରୀ ଶୋକପ୍ରକାଶ କରିଛନ୍ତି। କେନ୍ଦ୍ର ଶ୍ରମ, ନିଯୁକ୍ତି, ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଭୂପେନ୍ଦର ଯାଦବ ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ କର୍ତ୍ତବ୍ୟରତ ଜଣେ ବନ କର୍ମଚାରୀଙ୍କ ବଳିଦାନ ତାଙ୍କୁ ଚିରଋଣୀ କରି ରଖିବ ବୋଲି ଟୁଇଟ୍‌ କରିଛନ୍ତି। ସେହିପରି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଶୋକ ପ୍ରକାଶ କରିଛନ୍ତି।

ଅନ୍ୟପକ୍ଷରେ, ଘଟଣାର ୨୪ ଘଣ୍ଟା ନବିତୁଣୁ ତଦନ୍ତକାରୀ ଟିମ୍‌କୁ ସଫଳତା ମିଳିଛି । ଆଜି ଅଭିଯୁକ୍ତ ସମ୍ପୃକ୍ତ ବାଙ୍ଗିରିପୋଷି ବ୍ଲକ୍‌ ବଡ଼ଗାଁ ପଞ୍ଚାୟତର ଚନ୍ଦନ ଦେଓଗାମ (୧୮), ରାମ ପିଙ୍ଗୁଆ (୩୫) ଓ ଲକ୍ଷ୍ମଣ ପିଙ୍ଗୁଆ (୩୦)ଙ୍କୁ ଉଠାଇ ଆଣିଛି ସ୍ପେସାଲ୍‌ ସ୍କ୍ବାଡ୍‌। ରାମ ପିଙ୍ଗୁଆଙ୍କ ନିକଟରୁ ଏକ ଦେଶୀ ବନ୍ଧୁକ ଓ ସମ୍ବର ସିଙ୍ଗ ମଧ୍ୟ ଜବତ ହୋଇଛି। ସ୍ପେସାଲ୍‌ ସ୍କ୍ବାଡ୍‌ର ଅଧିକାରୀଙ୍କ କହିବା ଅନୁଯାୟୀ; ଗୁଳିମାଡ଼ ଘଟଣାରେ ଧରାପଡ଼ିଥିବା ୩ ଅଭିଯୁକ୍ତଙ୍କ ସହ ବଡ଼ଗାଁ ପଞ୍ଚାୟତ ରହଣୀ ସାହିର ଆଉ ୫ ଜଣଙ୍କ ସମ୍ପୃକ୍ତି ରହିଛି। ଯେଉଁମାନେ ଏବେ ବି ଶିମିଳିପାଳ ଅଭୟାରଣ୍ୟ ଭିତରେ ଲୁଚି ରହିଛନ୍ତି। ସେମାନଙ୍କୁ ଧରିବା ପାଇଁ ବାଙ୍ଗିରିପୋଷି ଥାନା ଅଧିକାରୀ କମଳାକାନ୍ତ ଦାସ ଓ ଟିମ୍‌ ଏବଂ ସ୍ପେସାଲ୍‌ ସ୍କ୍ବାଡ୍‌ ପକ୍ଷରୁ ଜଙ୍ଗଲରେ ସର୍ଚ୍ଚ ଅପରେସନ୍‌ ଜାରି ରହିଛି।

ସେହିପରି ବନ ବିଭାଗର ଉଚ୍ଚପଦସ୍ଥ ଅଧିକାରୀମାନେ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଥିବା ବେଳେ ପିଠାବଟା ଦକ୍ଷିଣ ବନ୍ୟପ୍ରାଣୀ ରେଞ୍ଜ ବନପାଳ ଜୟନ୍ତ କୁମାର ଧଳ ବାଙ୍ଗିରିପୋଷି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅନ୍ୟପଟେ ବିମଳଙ୍କ ମୃତ୍ୟୁକୁ ନେଇ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି।
ଉଲ୍ଲେଖଥାଉକି ଗତକାଲି ସନ୍ଧ୍ୟାରେ ବନରକ୍ଷୀ ବିମଳ, ସୁରକ୍ଷା ବାହିନୀ ସଦସ୍ୟ ରୁବେନ ସୋରେନ ଓ ବୁଦ୍ଧିଆ ମାରାଣ୍ଡି ସୋରିଷପାଳ ପଞ୍ଚାୟତ କଳସୀଡ଼ୁବା ଅଞ୍ଚଳରେ ପାଟ୍ରୋଲିଂ କରୁଥିଲେ। ଏହିସମୟରେ ୮ରୁ ୧୦ ଜଣ ବନ୍ଧୁକଧାରୀ ଶିକାରୀ ୩ଟି କୁଟୁରା ଓ ୨ଟି ବାର୍‌ହା ଶିକାର କରି ଫେରୁଥିଲେ। ଏତିକିବେଳେ ସେମାନଙ୍କ ବ‌ାଟ ଓଗାଳିଥିଲେ ବିମଳ। ସେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇବାକୁ ପ୍ରୟାସ କରିବାରୁ ଶିକାରୀମାନେ ତାଙ୍କ ଉପରକୁ ଗୁଳି ଚଳାଇଥିଲେ। ଗୋଟିଏ ଗୁଳି ବିମଳଙ୍କ ବାମପଟ ଛାତିରେ ବାଜିଥିଲା। ଫଳରେ, ସେ ସେଠାରେ ଟଳି ପଡ଼ିଥିଲେ।

ମୃତ ବନରକ୍ଷୀ ପତ୍ନୀଙ୍କ ପ୍ରଶ୍ନ; ଠେଙ୍ଗାରେ କ’ଣ ବନ୍ଧୁକଧାରୀ ଶିକାରୀଙ୍କ ସାମ୍ନା କରିପାରିବେ?

ବାରିପଦା: ଶିକାରୀ ବନ୍ଧୁକ ଧରୁଛନ୍ତି, ବନ କର୍ମଚାରୀମାନେ କଣ ଠେଙ୍ଗାରେ ସେମାନଙ୍କ ମୁକାବିଲା କରିପାରିବେ? କାନ୍ଦିକାନ୍ଦି ଏହିଭଳି ପ୍ରଶ୍ନ କରିଛନ୍ତି ମୃତ ବନରକ୍ଷୀ ବିମଳକୁମାର ଜେନାଙ୍କ ପତ୍ନୀ ଦୀପିକା ସ୍ବାଇଁ। ବିମଳଙ୍କ ସହ ପତ୍ନୀ ଦୀପିକା ସ୍ବାଇଁ ମଧ୍ୟ ବନ ବିଭାଗରେ ଚାକିରି କରନ୍ତି। ତାଙ୍କ କହିବା କଥା, ଗତକାଲି ଅପରାହ୍ନ ୫ଟା ବେଳେ ଜଙ୍ଗଲରେ ପାଟ୍ରୋଲିଂ କରୁଥିବାବେଳେ ବିମଳ ତାଙ୍କୁ ଫୋନ୍‌ କରିଥି‌ଲେ। ସେ ଶିକାରୀଙ୍କ ଟାର୍ଗେଟ୍‌ରେ ଥିବାନେଇ କର୍ତ୍ତୃପକ୍ଷଙ୍କୁ ଜଣାଇବାକୁ କହିଥିଲେ। ଏହିସମୟରେ ଶିକାରୀମାନେ ବିମଳଙ୍କ ଉପରକୁ ଗୁଳିମାଡ଼ କରିବାରୁ ଘଟଣାସ୍ଥଳରେ ସେ ଟଳିପଡ଼ିଥିଲେ। ଜଙ୍ଗଲରେ ନେଟ୍‌ୱାର୍କ ନଥିବାରୁ ଫୋନ୍‌ କଟିଗଲା ବୋଲି ଭାବିଥିଲେ ଦୀପିକା।

ସେ ସଙ୍ଗେସଙ୍ଗେ ସ୍ବାମୀ ବିମଳ ବିପଦରେ ଥିବା କଥା ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ। ତେବେ, ରାତି ୧୧ଟାରେ ମୃତଦେହ ବାରିପଦା ପିଆର୍‌ଏମ୍‌ ମେଡିକାଲ୍‌କୁ ଅଣାଯିବା ପରେ ପତ୍ନୀ ଓ ପରିବାର ଲୋକ ବିମଳ ଏ ଦୁନିଆରେ ନଥିବା ଜାଣବାକୁ ପାଇଥିଲେ। ସ୍ବାମୀଙ୍କ ମୃତ୍ୟୁପରେ ଭାଙ୍ଗି ପଡ଼ିଛନ୍ତି ଦୀପିକା। ଭବିଷ୍ୟତରେ ଶିକାରୀ ଗୁଳିରେ ବିମଳଙ୍କ ପରି ଆଉ କାହାର ଜୀବନ ଯେମିତି ନଯାଉ, ସେଥିପାଇଁ ନିୟମରେ ପରିବର୍ତ୍ତନ ଆସୁ ବୋଲି ଗଣମାଧ୍ୟମ ପ୍ରତିନିଧିଙ୍କ ଜରିଆରେ ରାଜ୍ୟ ସରକାରଙ୍କଠାରେ ଗୁହାରି କରିଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।