ରାଜ୍ୟ

ଶିଖରଚଣ୍ଡୀ ପାହାଡ଼ର ଜୈବ ବିବିଧତା ନଷ୍ଟ ପ୍ରସଙ୍ଗ: ୧୦ ହଜାର ଗଛ ଲଗାଇବ ଓଏଫ୍‌ଡିସି

ଚନ୍ଦ୍ରଶେଖରପୁର: ଶିଖରଚଣ୍ଡୀ ପାହାଡ଼ର ଜୈବ ବିବିଧତା ନଷ୍ଟ ପ୍ରସଙ୍ଗକୁ ନେଇ ବିବାଦ ଥମିବାର ନାଁ ନେଉନି। ଗୋଟିଏ ପଟେ ନ୍ୟାସନାଲ ଗ୍ରିନ୍‌ ଟ୍ରିବ୍ୟୁନାଲ୍‌(ଏନ୍‌ଜିଟି)ରେ ମାମଲାର ଶୁଣାଣି ଜାରି ରହିଥିବା ବେଳେ ଅନ୍ୟପଟେ ମା’ ଶିଖରଚଣ୍ଡୀ ଆଞ୍ଚଳିକ ସୁରକ୍ଷା ସମିତି ପକ୍ଷରୁ ହାଇକୋର୍ଟରେ ବି ମାମଲା କରାଯାଇଛି। ଏଥିସହ ଆସନ୍ତା ୨୨ ତାରିଖ ସକାଳ ୧୦ଟାରେ ଏଠାରେ ସମୂହ ବୃକ୍ଷରୋପଣ ସହ ସହିଦ ସ୍ମୃତିସ୍ତମ୍ଭର ଶିଳାନ୍ୟାସ କରିବାକୁ ନିଷ୍ପତ୍ତି ନିଆଯାଇଛି। କୌଣସି ବି ପରିସ୍ଥିତିରେ ଶିଖରଚଣ୍ତୀ ପାହାଡ଼ ଉପରେ ପାନୀୟ ଜଳ ସଂରକ୍ଷଣ ପ୍ରକଳ୍ପ କରିବାକୁ ଦିଆଯିବ ନାହିଁ ବୋଲି ସମିତିର ସଦସ୍ୟମାନେ ଚେତାବନୀ ଦେଇଛନ୍ତି। ସେପଟେ ନଷ୍ଟ ହୋଇଥିବା ୭.୫ ଏକର ପାହାଡ଼ରେ ବୃକ୍ଷରୋପଣ ଦିଗରେ ଓଡ଼ିଶା ବନ ଉନ୍ନୟନ ନିଗମ(ଓଏଫ୍‌ଡିସି) ପଦକ୍ଷେପ ନେଇଛି। ଭୁବନେଶ୍ବର ମହାନଗର ନିଗମ(ବିଏମ୍‌ସି) ଅନୁରୋଧକ୍ରମେ ଓଏଫ୍‌ଡିସି ପକ୍ଷରୁ ପାହାଡ଼ ଉପରେ ୧୦ ହଜାର ବୃକ୍ଷରୋପଣ ଦିଗରେ ପ୍ରକ୍ରିୟା ଆରମ୍ଭ ହୋଇଛି। ନିଗମର ଅଧିକାରୀମାନେ ନଷ୍ଟ ହୋଇଥିବା ପାହାଡ଼ ଅଞ୍ଚଳ ବୁଲି ଦେଖିବା ସହ କେଉଁଠି ବୃକ୍ଷରୋପଣ ହେବ ସେନେଇ ଆଲୋଚନା କରିଛନ୍ତି। ଖୁବ୍‌ଶୀଘ୍ର ବୃକ୍ଷରୋପଣ କାର୍ଯ୍ୟକ୍ରମ ଆରମ୍ଭ ହେବ ବୋଲି ଅଧିକାରୀମାନେ କହିଛନ୍ତି।

୨୨ରେ ବିରୋଧୀଙ୍କ ସମୂହ ବୃକ୍ଷରୋପଣ
ସହିଦ ସ୍ମୃତିସ୍ତମ୍ଭର ଶିଳାନ୍ୟାସ କରାଇବେ

ସମିତି ଅଭିଯୋଗ ଅନୁଯାୟୀ ଏନ୍‌ଜିଟିରେ ମାମଲାର ବିଚାର ଚାଲିଥିବା ବେଳେ ଜଣେ ତେଲୁଗୁ ଠିକାଦାର ଏନ୍‌ଜିଟିଙ୍କ ଆଦେଶକୁ ଅବମାନନା କରି ପ୍ରକଳ୍ପ କରିବା ପାଇଁ ପାହାଡ଼କୁ ନଷ୍ଟ କରି ଚାଲିଛନ୍ତି। ୩ ଏକର ଜମିରେ ପ୍ରକଳ୍ପ କରିବାକୁ ଯୋଜନା ହୋଇଥିବା ବେଳେ ଇଡ୍‌କୋ ପକ୍ଷରୁ ୱାଟକୋକୁ ୪ ଏକର ପାହାଡ଼ ଜମି ଯୋଗାଇ ଦିଆଯାଇଛି। ଏହାର ଫାଇଦା ନେଇ ସମ୍ପୃକ୍ତ ଠିକାଦାର ପାହାଡ଼ର ୧୦ ଏକର ନଷ୍ଟ କରିଛି। ପାହାଡ଼ରୁ ଶତାଧିକ ଗଛ କଟାଯାଇଥିବାରୁ ଏବେ ଏହା ଲଣ୍ଡା ପାହାଡ଼ରେ ପରିଣତ ହୋଇଛି। ତେଣୁ ପାହାଡ଼ର ସବୁଜିମା ଫେରାଇ ଆଣିବା ପାଇଁ ଆସନ୍ତା ୨୨ ତାରିଖରେ ନିକଟବର୍ତ୍ତୀ ଗ୍ରାମର ଛାତ୍ର, ଯୁବକ, ମହିଳା, ପରିବେଶବିତ୍‌, ସମାଜସେବୀ, ଶିକ୍ଷାବିତ୍‌ ସାମିଲ ହୋଇ ବୃକ୍ଷରୋପଣ କରିବେ।

ଐତିହ୍ୟ ଦୃଷ୍ଟିକୋଣରୁ ଏହି ମନ୍ଦିର ସହ ପାହାଡ଼ର ମାହାତ୍ମ୍ୟ ବହୁତ ରହିଥିବାରୁ ଏହାର ସୁରକ୍ଷା ଓ ସଂରକ୍ଷଣ ନିତାନ୍ତ ଅପରିହାର୍ଯ୍ୟ। ୧୯୬୬-୬୭ ମସିହାରେ ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥା(ଏଏସ୍‌ଆଇ) ପକ୍ଷରୁ ପ୍ରକାଶିତ ରିଭ୍ୟୁ ନିବନ୍ଧରେ ଶିଖରଚଣ୍ଡୀ ପାହାଡ଼ ଉପରେ ଅବସ୍ଥିତ ମନ୍ଦିର ଓ ମା’ ମହିଷାମର୍ଦ୍ଦିନୀ ମୂର୍ତ୍ତି ୭ମ ଶତାବ୍ଦୀର ବୋଲି ଦର୍ଶାଯାଇଛି। ଏହି ଦୁର୍ଗା ମୂର୍ତ୍ତି ପରବର୍ତ୍ତୀ ସମୟରେ ମା’ ଶିଖରଚଣ୍ଡୀ ନାମରେ ପୂଜା ପାଉଛନ୍ତି। ଓଡ଼ିଶାର ଶୈଳଭବ ରାଜବଂଶ ଓ ଭୌମକର ରାଜବଂଶର ଇଷ୍ଟଦେବୀ ହେଉଛନ୍ତି ମା’ ଶିଖରଚଣ୍ଡୀ। ପ୍ରାକୃତିକ ଜଙ୍ଗଲରେ ପରିପୂର୍ଣ୍ଣ ଶିଖରଚଣ୍ଡୀ ପାହାଡ଼ ବନ୍ୟପ୍ରାଣୀଙ୍କ ଚରାଭୂମି ଏବଂ ଏହା ଏକ ଐତିହାସିକ ପୀଠସ୍ଥଳୀ। ଏଠାରେ ପାଇକମାନେ ମା’ ଶିଖରଚଣ୍ଡୀଙ୍କ ଆଶୀର୍ବାଦ ନେଇ ବ୍ରିଟିସ୍‌ମାନଙ୍କ ବିରୋଧରେ ସମରାଭ୍ୟାସ ସହ ଗରିଲା ଯୁଦ୍ଧ କରିଥିଲେ, ଯାହାକି ‘ଖୋର୍ଦ୍ଧା ଦର୍ପଣ’ ପୁସ୍ତକରେ ଲେଖାଯାଇଛି। ବାସ୍ତବରେ ଏହା ଓଡ଼ିଶା ବୀରତ୍ବପୂର୍ଣ୍ଣ ଇତିହାସର ମୂକସାକ୍ଷୀ। ଜୈବ ବିବିଧତାର ପ୍ରାଣକେନ୍ଦ୍ର ଓ ଭୁବନେଶ୍ବରର ଫୁସ୍‌ଫୁସ୍‌। ତେଣୁ ଏହି ପାହାଡ଼ରେ ପାଣି ପ୍ରକଳ୍ପ କରାଇ ଦିଆଯିବ ନାହିଁ ବୋଲି ସମିତିର ଆବାହକ ସଚିନ ମହାପାତ୍ରଙ୍କ ସମେତ ପୂର୍ବତନ ବିଧାୟକ ତଥା ପ୍ରେରଣା ଇଣ୍ଟରନ୍ୟାସନାଲ ଗ୍ରିନ୍‌ ଆର୍ମିର କମାଣ୍ଡାଣ୍ଟ ଇନ୍‌ ଚିଫ୍‌ ଦିଲ୍ଲୀପ ଶ୍ରୀଚନ୍ଦନ, ଦାରୁଠେଙ୍ଗ ସରପଞ୍ଚ ତପନ କୁମାର ଚକ୍ରବର୍ତ୍ତୀ ପ୍ରମୁଖ ଚେତାବନୀ ଦେଇଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।