କିଶୋରନଗର/ରେଢ଼ାଖୋଲ/ହିନ୍ଦୋଳ/କାମାକ୍ଷାନଗର: ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାରେ ୩ଟି ପୃଥକ୍ ସଡ଼କ ଦୁର୍ଘଟଣାରେ ୬ ଜଣଙ୍କ ମୃତ୍ୟୁ ହୋଇଛି। ଏଥିରେ ଜଣେ ଆହତ ହୋଇଛନ୍ତି। ସୂଚନା ଅନୁସାରେ, ସୁନ୍ଦରଗଡ଼ରୁ ଯାତ୍ରୀଙ୍କୁ ନେଇ ଘରୋଇ ବସ୍ ପ୍ରାଚୀ(ଓଡି-୨୩-ଇ-୬୬୯୬) ଗୁରୁବାର ରାତିରେ ଭୁବନେଶ୍ବର ଯାଉଥିବା ସମୟରେ ୫୫ ନମ୍ବର ଜାତୀୟ ରାଜପଥର ବୈରାଗୀପାଲି ନିକଟରେ ବିଳମ୍ବିତ ରାତିରେ ଖରାପ୍ ହୋଇଥିଲା। ଗାଡ଼ି ମରାମତି କରିବା ପାଇଁ ଡ୍ରାଇଭର୍ ଓ ହେଲପର୍ ଓହ୍ଲାଇଥିଲାବେଳେ କିଛି ଯାତ୍ରୀ ଶୌଚ ପାଇଁ ବାହାରକୁ ବାହାରିଥିଲେ। ଏହି ସମୟରେ ଏକ ଅଜଣା ଗାଡ଼ି ରାସ୍ତା ଉପରେ ସେମାନଙ୍କୁ ଧକ୍କା ଦେଇ ଫେରାର ହୋଇଯାଇଥିଲା। ଏହା ଦେଖି ବସ୍ରୁ ଅନ୍ୟ ଯାତ୍ରୀ ବାହାରି ଆହତଙ୍କୁ ଉଦ୍ଧାର କରି ଜଣଙ୍କୁ କିଶୋରନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଅନ୍ୟ ୩ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ରେଢ଼ାଖୋଲ ଡାକ୍ତରଖାନା ପଠାଇ ଦିଆଯାଇଥିଲା। କିଶୋରନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିବା ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବାବେଳେ ରେଢ଼ାଖୋଲ ଡାକ୍ତରଖାନା ଯାଇଥିବା ୩ ଜଣଙ୍କ ମଧ୍ୟରୁ ୨ ଜଣଙ୍କ ମୃତ୍ୟୁ ହୋଇଥିଲା। ମୃତକମାନେ ହେଲେ ଗାଡ଼ି ଚାଳକ ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗରର ଘନଶ୍ୟାମ ବାରିକ, ସୁନ୍ଦରଗଡ଼ର ଆନନ୍ଦ ପ୍ରଧାନ ଓ ଝାରସୁଗୁଡ଼ା ଲଇକେରାର ନୟନ ନାଏକ। କଟକ ଜିଲ୍ଲା ବଡ଼ମ୍ବା ଅଞ୍ଚଳର ତ୍ରିଲୋଚନ ନାଏକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ବୁର୍ଲା ଡାକ୍ତରଖାନାକୁ ପଠାଯାଇଛି। କିଶୋରନଗର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
ଅନ୍ୟପଟେ ଅନୁଗୁଳ ଉପକଣ୍ଠ ତୁରଙ୍ଗ ଗାମର ସୁଶାନ୍ତ ବେହେରା(୧୯) ଓ ମାନସ ଭୋଇ(୨୦) ଗୁରୁବାର ରାତିରେ ବାଇକ୍ରେ ହିନ୍ଦୋଳ ବ୍ଲକ୍ ରାସୋଳରୁ ଅନୁଗୁଳ ଫେରିବା ସମୟରେ ପଡ଼ା ଛକ ନିକଟରେ ଏକ ଗଛରେ ପିଟି ହୋଇଯାଇଥିଲେ। ସୁଶାନ୍ତ ଓ ମାନସଙ୍କୁ ପୁଲିସ ଉଦ୍ଧାର କରି ହିନ୍ଦୋଳ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ହିନ୍ଦୋଳ ଡାକ୍ତରଖାନାରେ ସୁଶାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ଗୁରୁତର ମାନସଙ୍କୁ ଢେଙ୍କାନାଳ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା। ସେଠାରେ ମାନସଙ୍କ ମଧ୍ୟ ମୃତ୍ୟୁ ହୋଇଥିଲା। ଏ ଦୁର୍ଘଟଣା ନେଇ ସାତମାଇଲ ଫାଣ୍ଡିରେ ଏକ ମାମଲା ରୁଜୁ କରି ଫାଣ୍ଡି ଅଧିକାରୀ ଦିଲୀପ କୁମାର ସାହୁ ତଦନ୍ତ ଆରମ୍ଭ କରିଛନ୍ତି। ସେହିପରି କାମାକ୍ଷାନଗର ଥାନା ଜିରିଡ଼ାମାଳି-ମାଳପୁରା ୫୩ ନମ୍ବର ଜାତୀୟ ରାଜପଥର ବାଇପାସ୍ ନିକଟରେ ଶୁକ୍ରବାର ମଧ୍ୟାହ୍ନରେ ଏକ ଟିପର୍ ଧକ୍କାରେ ବାଇକ୍ରେ ଯାଉଥିବା ପର୍ଜଙ୍ଗ ଥାନା ଅନ୍ତର୍ଗତ ବଡ଼ଝରା ଗ୍ରାମର ସଂବିତ ଜେନା (୨୩)ଙ୍କ ମୃତ୍ୟୁ ହୋଇଛି।