ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ମୋଦୀ ଚ୍ୟ‌ାଲେଞ୍ଜ ସତ୍ତ୍ବେ ମମତା-କଂଗ୍ରେସ ଲଢ଼େଇ କାହିଁକି?

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ତୃତୀୟ ପାଳି ଜିତିବାକୁ ସୁଯୋଗ ନ ଦେବା ପାଇଁ ବିରୋଧୀ ଦଳଗୁଡ଼ିକ ଆଉ କିଛିଦିନ ପରେ ବିହାରର ପାଟନାଠାରେ ଏକ ବୈଠକରେ ଏକତ୍ରିତ ହେବାକୁ ଯାଉଛନ୍ତି। କିନ୍ତୁ ତା’ ପୂର୍ବରୁ ଦୁଇ ମୁଖ୍ୟ ବିଜେପି-ବିରୋଧୀ ଦଳ କଂଗ୍ରେସ ଓ ମମତା ବନାର୍ଜୀଙ୍କ ତୃଣମୂଳ କଂଗ୍ରେସ ପରସ୍ପରର ବିରୋଧାଚରଣ କରିବାରେ ଲାଗିଛନ୍ତି। ଏହାର କାରଣ କ’ଣ? ପଶ୍ଚିମବଙ୍ଗର ଏକମାତ୍ର କଂଗ୍ରେସ ବିଧାୟକ ବେରନ ବିଶ୍ବାସ ସୋମବାର ତୃଣମୂଳ କଂଗ୍ରେସରେ ଯୋଗ ଦେଇଛନ୍ତି। କଂଗ୍ରେସ କହିଛି ଯେ ବେରନଙ୍କୁ ପ୍ରଲୋଭିତ କରି ତୃଣମୂଳ କଂଗ୍ରେସ ନିଜ ପକ୍ଷକୁ ନେଇଯାଇଛି, ଏହା ସମ୍ପୂର୍ଣ୍ଣ ବିଶ୍ବାସଘାତ ଏବଂ ଏହା ବିରୋଧୀ ଏକତାକୁ ଦୁର୍ବଳ କରିବ ଓ ବିଜେପିକୁ ଶକ୍ତିଶାଳୀ କରିବ।

୨୦୨୧ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ କଂଗ୍ରେସ ଗୋଟିଏ ବି ଆସନ ପାଇ ନଥିଲା। ତେବେ ଚଳିତ ବର୍ଷ ହୋଇଥିବା ସାଗରିଡିହି ଉପନିର୍ବାଚନରେ କଂଗ୍ରେସ ଟିକେଟରେ ବେରନ ବିଶ୍ବାସ ଜିତିବା ପରେ କଂଗ୍ରେସ ରାଜ୍ୟରେ ଖାତା ଖୋଲିବାକୁ ସକ୍ଷମ ହୋଇଥିଲା। ବେରନ ତୃଣମୂଳର ଦେବାଶିଷ ବାନାର୍ଜୀଙ୍କୁ ପରାଜିତ କରିଥିଲେ। ତାଙ୍କର ବିଜୟ ତୃଣମୂଳ ନେତ୍ରୀ ମମତା ବାନାର୍ଜୀଙ୍କୁ କ୍ଷୁବ୍ଧ କରିଥିଲା। କଂଗ୍ରେସ ଓ ବାମପନ୍ଥୀ ବିଜେପି ସହ ଅନୈତିକ ସମ୍ପର୍କରେ ଲିପ୍ତ ଅଛନ୍ତି ବୋଲି ସେ ଅଭିଯୋଗ କରିଥିଲେ। ଏହି ଉପନିର୍ବାଚନ ପରେ ମମତା ଘୋଷଣା କରିଥିଲେ ଯେ ୨୦୨୪ ସାଧାରଣ ନିର୍ବାଚନରେ ସେ କଂଗ୍ରେସ ସହ ମେଣ୍ଟ କରିବେ ନାହିଁ। ତେବେ ଗତମାସରେ କଂଗ୍ରେସ କର୍ଣ୍ଣାଟକରେ ବିଜୟଲାଭ କରିବା ପରେ ମମତା ଟିକେ ନରମିଥିଲେ। କିନ୍ତୁ ଏହା ପୁଣି ବଦଳିଯିବା ଅସମ୍ଭବ ନୁହେଁ। ତୃଣମୂଳ କଂଗ୍ରେସର ଡେରେକ ଓବ୍ରାଏନ ଟ୍ବିଟ୍ କରିଛନ୍ତି, ମମତାଙ୍କ ସମର୍ଥନ ପାଇଲେ ମଧ୍ୟ ପଶ୍ଚିମବଙ୍ଗରେ କଂଗ୍ରେସ ତାଙ୍କ ବିରୋଧରେ ଲଢ଼େଇ କରିବ ବୋଲି ଦୁଇ ସପ୍ତାହ ତଳେ ଘୋଷଣା କରିଛି। ବିରୋଧୀ ଏକତା ଉପରୁ କଂଗ୍ରେସ ବିଶ୍ବାସ ଭାଙ୍ଗୁଛି ଏବଂ ଗୋଲାପ ତୋଡ଼ା ପାଇବାକୁ ଆଶା କରୁଛି ବୋଲି ସେ କହିଛନ୍ତି।

କଂଗ୍ରେସ ନେତା ଜୟରାମ ରମେଶ ଟ୍ବିଟ୍ କରିଛନ୍ତି, ମାତ୍ର ତିନିମାସ ତଳେ ଜିତିଥିବା କଂଗ୍ରେସ ବିଧାୟକ ବେରନ ବିଶ୍ବାସଙ୍କୁ ପ୍ରଲୋଭିତ କରି ତୃଣମୂଳ କଂଗ୍ରେସ ନିଜ ଦଳକୁ ନେଇଯାଇଛି। ଏହା ସାଗରଡିହି ଜନସାଧାରଣଙ୍କ ପ୍ରତି ସମ୍ପୂର୍ଣ୍ଣ ବିଶ୍ବାସଘାତକତା। ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପରାଜିତ କରିବା ଉଭୟ ଦଳର ସାଧାରଣ ଲକ୍ଷ୍ୟ ହୋଇଥିଲେ ମଧ୍ୟ କଂଗ୍ରେସରୁ ବିଧାୟକଙ୍କୁ ତୃଣମୂଳ ନିଜ ଆଡ଼କୁ ଟାଣିବା ଏହା ପ୍ରଥମ ନୁହେଁ। ଗୋଆ, ମେଘାଳୟ, ତ୍ରିପୁରା ଓ ଅନ୍ୟ ରାଜ୍ୟର ଉଦାହରଣ ଦେଇ କଂଗ୍ରେସ କହିଛି ଯେ ସର୍ବ ପୁରାତନ ଦଳକୁ ଶେଷ କରିଦେବା ପାଇଁ ଚାହୁଛି ତୃଣମୂଳ କଂଗ୍ରେସ। ତୃଣମୂଳ କଂଗ୍ରେସ ବି ସମାନ ଅଭିଯୋଗ ଆଣିଛି। ବିଭିନ୍ନ ରାଜ୍ୟରେ ଦୁଇ ଦଳ ମଧ୍ୟରେ ତିକ୍ତତା ଜାତୀୟ ରାଜନୀତିରେ ପରିଦୃଶ୍ୟ ହେଉଛି। ବିରୋଧୀଙ୍କୁ ନିଶାଣ କରିବା ପାଇଁ ବିଜେପି କେନ୍ଦ୍ରୀୟ ସଂସ୍ଥା ସିବିଆଇ ଓ ଇଡିର ଦୁରୁପଯୋଗ କରୁଛି ବୋଲି ଅଧିକାଂଶ ବିରୋଧୀ ଦଳ ଅଭିଯୋଗ କରନ୍ତି। କିନ୍ତୁ ଏହା ବିରୋଧରେ ତୃଣମୂଳ କଂଗ୍ରେସ ନେତୃତ୍ବାଧୀନ ଗୋଷ୍ଠୀ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ। ଏହି ଚିଠିରେ ଆପ୍‌ର ଅରବିନ୍ଦ କେଜ୍ରିୱାଲ, ଏନ୍‌ସିପିର ଶରଦ ପାୱାର ପ୍ରମୁଖ ସ୍ବାକ୍ଷର କରିଥିବା ବେଳେ କଂଗ୍ରେସ ଏଥିରୁ ଦୂରେଇ ରହିଥିଲା। ଯେତେବେଳେ ଆଦାନି ଗ୍ରୁପ୍ ବିରୋଧରେ କଂଗ୍ରେସ ଇଡି କାର୍ଯ୍ୟାଳୟକୁ ଯାଇଥିଲା, ଏଥିରୁ ତୃଣମୂଳ କଂଗ୍ରେସ ଦୂରେଇ ରହିଥିଲା। ଏଥିରୁ ସ୍ପଷ୍ଟ ଯେ ତୃଣମୂଳ କଂଗ୍ରେସର ସର୍ବଦା କଂଗ୍ରେସ-ବିରୋଧୀ ମନୋଭାବ ରହିଆସିଛି। ଏଣୁ ଏହି ଦୁଇ ଦଳ ଏକାଠି ବିଜେପି ବିରୋଧରେ କିଭଳି ଲଢ଼ିବେ ସେ ନେଇ ବିତର୍କ ଚାଲିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ