ରାଜ୍ୟ

ମହିଳା-ଶିଶୁ କଲ୍ୟାଣ ବିଭାଗ ଏମିତି କରୁଛି ଅପପୁଷ୍ଟିର ମୁକାବିଲା: ୪୧ ପିଲା, ନାହିଁ ଅଙ୍ଗନବାଡ଼ି କେନ୍ଦ୍ର

ଭୁବନେଶ୍ବର: କରୋନାରେ ଅପପୁଷ୍ଟି ଶିଶୁଙ୍କ ସଂଖ୍ୟା ବୃଦ୍ଧି ପରେ ବି ରାଜ୍ୟ ମହିଳା ଏବଂ ଶିଶୁ କଲ୍ୟାଣ ବିଭାଗ ବୁଦ୍ଧି ଶିଖୁନି। ଅପପୁଷ୍ଟି ମୁକାବିଲା ଦିଗରେ ସରକାର ଯେତେ ଗମ୍ଭୀର ବୋଲି ଦେଖାଉଛନ୍ତି, ବାସ୍ତବତା କିନ୍ତୁ ଅଲଗା କଥା କହୁଛି। ବିଏମ୍‌ସିର ୭ ନମ୍ବର ୱାର୍ଡ ଅନ୍ତର୍ଗତ ମହାବୀର ବସ୍ତିରେ ୨୫୦ରୁ ଊର୍ଦ୍ଧ୍ବ ପରିବାର ଓ ୪୧ରୁ ଊର୍ଦ୍ଧ୍ବ ଶିଶୁ ଥିଲେ ହେଁ ଏଠାରେ ଆଜି ପର୍ଯ୍ୟନ୍ତ ଗୋଟିଏ ଅଙ୍ଗନବାଡ଼ି କିମ୍ବା ମିନି ଅଙ୍ଗନବାଡ଼ି କେନ୍ଦ୍ର ହୋଇପାରିନାହିଁ। ୨୦୨୧ ମସିହାରେ ଏହାକୁ ନେଇ ସ୍ଥାନୀୟ ଅଧିବାସୀମାନେ ଆଇସିଡିଏସ୍‌ ନିର୍ଦ୍ଦେଶକ ଅରବିନ୍ଦ ଅଗ୍ରୱାଲଙ୍କୁ ଚିଠି ଜରିଆରେ ଦୃଷ୍ଟି ଆକର୍ଷଣ କରିଥିଲେ। ପ୍ରତି ଶିଶୁଙ୍କ ନାମ ସହିତ ତାଲିକା ମଧ୍ୟ ଦିଆଯାଇଥିଲା। ଏହା ସତ୍ତ୍ବେ ମଧ୍ୟ କୌଣସି ଲାଭ ହୋଇ ନାହିଁ।

ପ୍ରତି ୪୦୦ରୁ ୫୦୦ ଜନସଂଖ୍ୟାରେ ଅଙ୍ଗନବାଡି କିମ୍ବା ଏହାଠାରୁ କମ୍‌ ଜନସଂଖ୍ୟା ଥିଲେ, ମିନି ଅଙ୍ଗନବାଡି କେନ୍ଦ୍ର ସ୍ଥାପନ ପାଇଁ ନିର୍ଦ୍ଦେଶ ରହିଛି। ଏହା ଜରିଆରେ ୬ ବର୍ଷ ପର୍ଯ୍ୟନ୍ତ ଶିଶୁଙ୍କୁ ବିଭିନ୍ନ ପ୍ରକାର ପୋଷଣଯୁକ୍ତ ଖାଦ୍ୟ ଦିଆଯିବା ସହିତ ପିଲାଙ୍କୁ ପାଠ ପଢ଼ାଯାଏ। ମମତା ଯୋଜନା ଅନ୍ତର୍ଗତରେ ଗର୍ଭବତୀ ଏବଂ ପ୍ରସୂତିଙ୍କୁ ପୋଷଣଯୁକ୍ତ ଖାଦ୍ୟ ଏହି ଯୋଜନା ଅନ୍ତର୍ଗତରେ ଦିଆଯାଏ। ଗର୍ଭବତୀ ଏବଂ ପିଲାଙ୍କୁ ଅପପୁଷ୍ଟି ମୁକାବିଲା ଦିଗରେ ଅଙ୍ଗନବାଡି କେନ୍ଦ୍ରର ଭୂମିକା କେତେ ଯେ ଗୁରୁତ୍ବପୂର୍ଣ୍ଣ ତାହା କରୋନା କାଳରେ ସ୍ପଷ୍ଟ ଥିଲା। ଏହି ସମୟରେ ଅଙ୍ଗନବାଡି କେନ୍ଦ୍ରଗୁଡ଼ିକ ବନ୍ଦ ରହିବାରୁ ରକ୍ତହୀନତା ବୃଦ୍ଧି ପାଇଥିବା ନେଇ ସ୍ପଷ୍ଟ ହୋଇଛି।
ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ଭେ ଅନୁସାରେ, ୨୦୧୪ ତୁଳନାରେ ୨୦୧୯-୨୧ ରିପୋର୍ଟ ରେ ୬ରୁ ୫୯ ମାସର ଶିଶୁ ରକ୍ତହୀନତା ୯ ପ୍ରତିଶତ, ୧୫ରୁ ୧୯ବର୍ଷୀୟା କିଶୋରୀ ରକ୍ତହୀନତା ୧୪ପ୍ରତିଶତ ବୃଦ୍ଧି ପାଇଥିବା ଜଣାପଡ଼ିଥିଲା। ମହାବୀର ବସ୍ତିରେ ଏତେସଂଖ୍ୟକ ପିଲା ଥାଇ ମଧ୍ୟ ସ୍ବତନ୍ତ୍ର ଅଙ୍ଗନବାଡି କରା ନଯିବାରୁ ବସ୍ତିର ୬୦ ପିଲା ପ୍ରାକ୍‌-ଶିକ୍ଷାରୁ ବଞ୍ଚିତ ହେଉଥିବା ନେଇ ମହାବୀର ଉନ୍ନୟନ କମିଟି ପକ୍ଷରୁ ଅଭିଯୋଗ ହୋଇଛି। ଏପରିକି ଟିକା, ପୋଷଣଯୁକ୍ତ ଖାଦ୍ୟ ମଧ୍ୟ ପାଉନାହାନ୍ତି।

ସାମାଜିକ କର୍ମକର୍ତ୍ତା ସୁଜାତା ବଳବନ୍ତରାୟ କହିଛନ୍ତି, ପୂର୍ବରୁ ଏହି ଅଞ୍ଚଳର ଶିଶୁ ଏବଂ ଗର୍ଭବତୀମାନେ ଆଇସିଡିଏସ ଯୋଜନାରୁ ବାଦ୍‌ ପଡ଼ିଥିଲେ। ମାତ୍ର ବିଏମସି ନିର୍ବାଚନ ପରେ ଏହି ଅଞ୍ଚଳର ଅନ୍ୟ ଅଙ୍ଗନବାଡି କର୍ମୀଙ୍କ ଅନ୍ତର୍ଗତରେ ମମତା ଯୋଜନାରେ କିଛି ଗର୍ଭବତୀଙ୍କୁ ସାମିଲ କରାଯାଇଛି। କିନ୍ତୁ ସମସ୍ତେ ନାହାନ୍ତି। ସବୁ ଶିଶୁ ନୁହେଁ କିନ୍ତୁ କିଛି ହାତଗଣତି ଶିଶୁ ନିକଟସ୍ଥ ଅଙ୍ଗନବାଡି କେନ୍ଦ୍ରରୁ ଖାଦ୍ୟ ପାଉଛନ୍ତି କିନ୍ତୁ ପ୍ରାକ ଶିକ୍ଷାରୁ ସେମାନେ ବଞ୍ଚିତ ଅଛନ୍ତି। ମହାବୀର ବସ୍ତି ରାଜଧାନୀର ଗରିବ ଅଞ୍ଚଳ। ଏଠାରେ ଅଧିକାଂଶ ପରିବାର ଶ୍ରମିକ ଏବଂ ପିଲାଙ୍କ ଅବସ୍ଥା ମଧ୍ୟ ଠିକ ନାହିଁ। ସରକାରଙ୍କ ପକ୍ଷରୁ ଏଠାରେ ଅଙ୍ଗନବାଡି କେନ୍ଦ୍ର ସ୍ଥାପନ ନିହାତି ଆବଶ୍ୟକତା ରହିଛି। ଖୋର୍ଧା ଡିଏସଡବ୍ଲୁଓଙ୍କୁ ଏ ସଂପର୍କରେ ପଚରାଯିବାରୁ ସେ ଜାଣି ନଥିବା କହିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।