ରାଜ୍ୟ ସ୍ପେଶାଲ ରିପୋର୍ଟ

ମରୁଭୂମି ପାଲଟିଲାଣି ମହାନଦୀ, କିଛିବର୍ଷ ମଧ୍ୟରେ ସ୍ଥିତି ସାଙ୍ଘାତିକ ହେବା ଆଶଙ୍କା

ନୟାଗଡ଼/କଣ୍ଟିଲୋ : ନୟାଗଡ଼ ଜିଲ୍ଲାର ଗଣିଆ ସାତକୋଶିଆ ଗଣ୍ଡଠାରୁ ଭାପୁର ପର୍ଯ୍ୟନ୍ତ ପ୍ରାୟ ୩୫ କିମି ବ୍ୟାପୀ ଜିଲ୍ଲା ପାର୍ଶ୍ବ ଦେଇ ମହାନଦୀ ପ୍ରବାହିତ ହୋଇଛି। ତେବେ କିଛିବର୍ଷ ହେବ ଖରାଦିନେ ମହାନଦୀ ଏକରକମ ମରୁଭୂମିରେ ପରିଣତ ହେଉଥିବା ଦେଖାଯାଇଛି। ମହାନଦୀ ବାଲିଗଦା ସଦୃଶ ଦେଖାଯିବା ସଭିଙ୍କୁ ଚକିତ କରୁଛି। ଏପରିସ୍ଥିତିରେ ଜଳଯୋଗାଣ ପ୍ରକଳ୍ପ ନିକଟରେ ପାଣି ଶୁଖି ଯାଇଥିବା ବେଳେ ମହାନଦୀରେ ଡ୍ରେନ୍‌ ଖୋଳାଯାଇ ପାଣି ଅଣାଯାଉଥିବା ଦେଖିବାକୁ ମିଳିଛି। ଚଳିତବର୍ଷ ଏହିଭଳି ଦୃଶ୍ୟ ଦେଖିବାକୁ ମିଳିଥିବା ବେଳେ ଆଗାମୀ କିଛିବର୍ଷ ମଧ୍ୟରେ ସ୍ଥିତି ଆହୁରି ସାଂଘାତିକ ହେବାନେଇ ଆଶଙ୍କା ପ୍ରକାଶ ପାଇଛି।

କଣ୍ଟିଲୋ ବାଣପୁର ନିକଟ ମହାନଦୀରୁ ନୟାଗଡ଼ ସହର ଓ ଖଣ୍ଡପଡ଼ା ସହରକୁ ଜଳଯୋଗାଣ ହେଉଥିବା ବେ‌‌ଳେ, ଉକ୍ତ ଜଳଯୋଗାଣ ପ୍ରକଳ୍ପ ଇନ୍‌ଟେକ୍‌-ୱେଲ୍‌ ନିକଟରୁ ଚଳିତବର୍ଷ ପାଣି ସଂପୂର୍ଣ୍ଣ ଶୁଖିଯାଇଛି। ଫଳରେ, ଗତ ମାର୍ଚ୍ଚ ମାସରେ ନୟାଗଡ଼ ସହରକୁ ପ୍ରାୟ ସପ୍ତାହେ ଧରି ଜଳଯୋଗାଣ ବାଧାପ୍ରାପ୍ତ ହୋଇଥିଲା। ବର୍ତ୍ତମାନ ସ୍ଥିତି ଆହୁରି ସଙ୍ଗିନ ହୋଇ ପଡ଼ିଥିବାରୁ କଣ୍ଟିଲୋ ବଡ଼ବାଣପୁର ପାନୀୟ ଜଳ ଇନ୍‌ଟେକ୍‌-ୱେଲ୍‌ ଅଞ୍ଚଳରେ ଶୁଷ୍କତା ଦେଖାଦେଇଛି। ଉକ୍ତ ପ୍ରକଳ୍ପ ନିକଟକୁ ପାଣି ଆଣିବାକୁ ଜନସ୍ବାସ୍ଥ୍ୟ ବିଭାଗ ମହାନଦୀରେ ପ୍ରାୟ ଏକ କିମି ଡ୍ରେନ୍‌ କରୁଥିବା ଦେଖିବାକୁ ମିଳିଛି। ଡ୍ରେନ୍‌ କରି ନଦୀରେ ପାଣିଥିବା ଅଞ୍ଚଳରୁ ପ୍ରକଳ୍ପ ନିକଟରେ ପାଣି ମହଜୁଦ୍‌ ରଖାଯିବ, ନଚେତ୍‌ ନୟାଗଡ଼ ସହରବାସୀ ଶୋଷରେ ଆଉଟୁପାଉଟୁ ହେବା ଆଶଙ୍କା ଦେଖାଯାଇଛି।

ସ୍ଥାନୀୟ ଅଞ୍ଚଳର ବରିଷ୍ଠ ଲୋକମାନଙ୍କ କହିବା ଅନୁଯାୟୀ, ଦିନ ଥିଲା ଖରାଦିନେ ବି ଏହି ଅଞ୍ଚଳରେ ପର୍ଯ୍ୟାପ୍ତ ଜଳ ରହୁଥିଲା। ୨୦୦୦ ମସିହାଠାରୁ ଏଥିରେ ଧୀରେ ଧୀରେ ବ୍ୟତିକ୍ରମ ଦେଖାଦେଉଥିବା ବେଳେ କିଛିବର୍ଷ ହେବ ସ୍ଥିତି ସଂପୂର୍ଣ୍ଣ ବିଗିଡ଼ି ଯାଇଛି। ଯେଉଁଥିପାଇଁ କଂଗ୍ରେସ ସରକାର ସମୟରେ ପଦ୍ମାବତୀ, ବାଣପୁର, ଗଣିଆ ବ୍ଲକ୍‌ର ରାଉତପଡ଼ାରେ ନିର୍ମାଣ ହୋଇଥିବା ମେଗା ଜଳସେଚନ ପ୍ରକଳ୍ପ ୨୦୦୨ ମସିହାରୁ ଅଚଳ ହୋଇପଡ଼ିଛି। ମହାନଦୀରେ ପାଣି ଅଭାବ ପାଇଁ ବର୍ତ୍ତମାନ ଭାପୁରର କରବର ନିକଟସ୍ଥ ମହାନଦୀରେ ନୟାଗଡ଼, ଖଣ୍ଡପଡ଼ା, ଭାପୁର, ନୂଆଗାଁ ନିମନ୍ତେ ନିର୍ମାଣାଧୀନ ମେଗାପାନୀୟ ଜଳ ପ୍ରକଳ୍ପ ପାଣି ଯୋଗାଇବା ନେଇ ଆଶଙ୍କା ଦେଖାଦେଇଛି। ଉକ୍ତ ପ୍ରକଳ୍ପରେ ପ୍ରାୟ ଏକ ହଜାର କୋଟି ଟଙ୍କା ଖର୍ଚ୍ଚ ହେଉଛି। ସେହିଭଳି ଗତ ଅକ୍ଟୋବର ମାସରେ ରଣପୁର ଓ ଓଡ଼ଗାଁ ବ୍ଲକ୍‌ ନିମନ୍ତେ ଦୁଇଟି ବୃହତ୍‌ ପାନୀୟ ଜଳ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଥିଲେ। ଏଥିନିମନ୍ତେ ୩୯୫ କୋଟି ୪୪ ଲକ୍ଷ ଟଙ୍କା ବ୍ୟୟବରାଦ କରାଯାଇଛି।

ସେହିଭଳି ଗତ ଜାନୁଆରି ମାସରେ ୩୯୩ କୋଟି ୯୪ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ଦଶପଲ୍ଲା ନିର୍ବାଚନମଣ୍ଡଳୀ ନିମନ୍ତେ ମେଗା ପାନୀୟ ଜଳପ୍ରକଳ୍ପ ମଞ୍ଜୁର କରାଯାଇଛି। ମହନଦୀରେ ପାଣି ରହୁନଥିବାରୁ ଏହିସବୁ ପ୍ରକଳ୍ପ ସବୁର ସଫଳତା ନେଇ ମଧ୍ୟ ଆଶଙ୍କା ଦେଖାଦେଇଛି। ମହାନଦୀ ଓଡ଼ିଶାର ଜୀବନରେଖା ହୋଇଥିବା ବେଳେ, ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଏହା ଉପରେ ଲକ୍ଷ ଲକ୍ଷ ଲୋକ ନିର୍ଭର କରନ୍ତି। ମହାନଦୀ ଶୁଖିଲା ପଡ଼ିବା ଫଳରେ କଣ୍ଟିଲୋ ଅଞ୍ଚଳର ମତ୍ସ୍ୟଜୀବୀ ମଧ୍ୟ କୌଳିକ ବୃତ୍ତି ହରାଉଛନ୍ତି। ଏଭଳି ଜଟିଳ ସମସ୍ୟାର ସମାଧାନ ଦିଗରେ ସରକାର ଦୃଷ୍ଟି ଦେବାକୁ ମତପ୍ରକାଶ ପାଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।