ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ଭୁବନେଶ୍ବର : ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡକୁ ନେଇ ଗୁରୁବାର ଦିନ ବିରୋଧୀ ଶାସକ ଦଳକୁ ଘେରିଛନ୍ତି। ସରକାରଙ୍କୁ ପ୍ରଶ୍ନ ବାଣରେ ଘେରିବା ସହ କ୍ରାଇମବ୍ରାଞ୍ଚ ତଦନ୍ତ ସନ୍ଦେହଜନକ ବୋଲି କହିଛନ୍ତି। ପ୍ରଶ୍ନ କରିଛନ୍ତି, ହତ୍ୟାକାଣ୍ଡକୁ ୨୫ଦିନ ବିତିଥିଲେ ବି ଏପର୍ଯ୍ୟନ୍ତ ହତ୍ୟା ପଛର କାରଣ କାହିଁକି ଜଣାପଡ଼ୁନି?
ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଓ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ଦ୍ବାରା ଆଗତ ପ୍ରସ୍ତାବ ‘ଜଣେ କ୍ୟାବିନେଟ ମନ୍ତ୍ରୀଙ୍କୁ ଜାନୁଆରି୨୯ରେ ଅମାନୁଷିକ ହତ୍ୟା ଏବଂ ଗଭୀର ଷଡ଼ଯନ୍ତ୍ର ଏବଂ ଦୋଷୀଙ୍କୁ ଚିହ୍ନଟ, ଷଡଯନ୍ତ୍ର ଏବଂ ହତ୍ୟାର ଉଦ୍ଦେଶ୍ୟ ଚିହ୍ନଟ କରିବାରେ ପୁଲିସର ବିଫଳତା’ ଉପରେ ଗୃହରେ ପାଖାପାଖି ତିନି ଘଣ୍ଟା ଆଲୋଚନା ହୋଇଥିଲା।
ଶ୍ରୀ ମିଶ୍ର କହିଥିଲେ ଯେ, ଜାନୁଆରି ୨୯ରେ ଜଣେ ପୁଲିସ ଏଏସ୍ଆଇ ନବ ଦାସଙ୍କୁ ହତ୍ୟା କଲେ ବୋଲି ସରକାରୀ ସୂତ୍ରରୁ ଜାଣିଲୁ। କିନ୍ତୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା ବୋଲି କୁହାଯାଉଛି। ଇସିଜି ରିପୋର୍ଟ କହୁଛି ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି। ତାଙ୍କର ମୃତ୍ୟୁ ପରେ କାହିଁକି ଭୁବନେଶ୍ବରକୁ ଏୟାରଲିଫ୍ଟ କରାଗଲା? ଅପରପକ୍ଷେ ଗୁଳିକାଣ୍ଡ ପରେ ଝାରସୁଗୁଡ଼ା ଏସ୍ପି କାହା ସହ ଫୋନ୍ରେ କଥା ହେଉଥିଲେ? ଯଦି ନବ ଦାସ ବଞ୍ଚିଥିଲେ ତେବେ କ’ଣ ପାଇଁ ତାଙ୍କୁ ରକ୍ତ ଦିଆଗଲାନି, ଅକ୍ସିଜେନ୍, ସାଲାଇନ୍ ଦିଆଗଲାନି? ଝାରସୁଗୁଡ଼ା ବିମାନବନ୍ଦରରେ କାହିଁକି ବିନା ଚିକିତ୍ସାରେ ଏକ ଘଣ୍ଟା ରଖାଗଲା? କାହା ନିର୍ଦ୍ଦେଶରେ ନବଙ୍କୁ ଭୁବନେଶ୍ବର ଅଣାଗଲା ତାହା ତଦନ୍ତ ହେବା ଦରକାର। ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରିବା ସମୟରେ ମୁଖ୍ୟମନ୍ତ୍ରୀ ହାତଯୋଡ଼ି ନମସ୍କାର କାହିଁକି କଲେ? ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯିବା ପରେ ସେଠାରେ ହୋଇଥିବା ଇସିଜିକୁ ସାର୍ବଜନୀନ କରାଯାଉ।
ଯଦି ମୁଁ ଷଡଯନ୍ତ୍ର କରିଛି, ତଦନ୍ତ ପରିସରଭୁକ୍ତ କର: ଜୟନାରାୟଣ
ସିବିଆଇ ଉପରେ ଭରସା ନାହିଁ, ଏସ୍ଆଇଟି ତଦନ୍ତ ହେଉ: ନରସିଂହ
ବିରୋଧୀଙ୍କ ଆଲୋଚନାରେ ତଥ୍ୟ ନାହିଁ କି ସତ୍ୟତା ନାହିଁ: ଅରୁଣ
ବିରୋଧୀ ଦଳ ନେତା ଆହୁରି କହିଲେ, ହତ୍ୟାକାଣ୍ଡ ଦିନଠାରୁ ସରକାରୀ କଳ ଗୋପାଳକୁ ପାଗଳ ବୋଲି ପ୍ରମାଣିତ କରିବାକୁ ଲାଗିପଡ଼ିଛି। ହେଲେ ଏହା ପଛରେ ଥିବା ଷଡଯନ୍ତ୍ରର କାରଣ ଖୋଜାଯାଉନି। ମୁଖ୍ୟମନ୍ତ୍ରୀ କହିଲେ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଜୁଡିସିଆରି ତଦନ୍ତ ହେଉଛି। ଯଦି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ତେବେ ତା’ର କାଗଜ ଗୃହରେ ଉପସ୍ଥାପନ କରନ୍ତୁ। ସିବିଆଇକୁ ତଦନ୍ତ ଭାର ଦିଆଯାଉ। ସରକାରଙ୍କ ଜଣେ ମନ୍ତ୍ରୀ କହିଲେ ବିରୋଧୀ ଦଳ ନେତା ଏବଂ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଷଡଯନ୍ତ୍ର କରିଛନ୍ତି। ଯଦି ଆମେ ଷଡଯନ୍ତ୍ର କରିଛୁ ବୋଲି ଭାବୁଛନ୍ତି ତେବେ ଆମକୁ ବି ତଦନ୍ତ ପରିସରଭୁକ୍ତ କରାଯାଉ। ମୁଁ ଯାଜପୁର ବିଧାୟକଙ୍କ ସମେତ ଯେଉଁମାନଙ୍କ କଲ୍ ରେକର୍ଡ ଯାଞ୍ଚ କରିବାକୁ କହିଛି ତାହାକୁ ବି କରାଯାଉ। ମୋ ସୂତ୍ର କହୁଛି ନବ ଦାସଙ୍କ ହତ୍ୟାକାଣ୍ଡ ଦିନ ନବୀନ ନିବାସରେ ନବ ଦାସ, ବବି ଦାସ, ସୁଶାନ୍ତ ସିଂହଙ୍କୁ ନେଇ ବୈଠକ ହୋଇଥିଲା। ସେଇଠୁ ହିଁ ଷଡଯନ୍ତ୍ର ହୋଇଛି ବୋଲି ସନ୍ଦେହ କରୁଛୁ। ଏହି ସମୟରେ ଜୟନାରାୟଣଙ୍କୁ ଶାସକ ଦଳର ମନ୍ତ୍ରୀ ଓ ବିଧାୟକମାନେ ବିରୋଧ କରିଥିଲେ।

ସେହିପରି କଂଗ୍ରେସ ନେତା ନରସିଂହ ମିଶ୍ର କହିଥିଲେ, ଶବ ବ୍ୟବଚ୍ଛେଦ ରିପୋର୍ଟ କହୁଛି ଯେ, ନବ ଦାସଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଛି। ତେଣୁ ମୁଖ୍ୟମନ୍ତ୍ରୀ ଗୃହକୁ ଭୁଲ୍ ତଥ୍ୟ ଦେଇଛନ୍ତି। କ୍ରାଇମବ୍ରାଞ୍ଚ ଏବେ ବିବାଦ ଘେରକୁ ଆସିଲାଣି। କଣ୍ଟାବାଞ୍ଝି େଜଲ୍ରେ ଗୋବିନ୍ଦ ସାହୁର ମୃତ୍ୟୁ ହେଲା। ଏତେ ଦିନ ପରେ ବି କ୍ରାଇମବ୍ରାଞ୍ଚ ଗୋବିନ୍ଦ ସାହୁ ଆତ୍ମହତ୍ୟା କଲା କି ତାକୁ ହତ୍ୟା କରାଗଲା ତାହା ଆଜି ପର୍ଯ୍ୟନ୍ତ ଜାଣିପାରିଲାନି। ମୋ ଦଳର ସିବିଆଇ ତଦନ୍ତ ଉପରେ ବିଶ୍ବାସ ନାହିଁ। ବିଜେପି କହୁଛି ସିବିଆଇ ମୁଖ୍ୟମନ୍ତ୍ରୀଙ୍କ ଗେଟ୍ ପାଖରୁ ଫେରିଆସୁଛି। ତେଣୁ ସିବିଆଇ କ’ଣ ତଦନ୍ତ କରିବ। ହାଇକୋର୍ଟ ଅବସରପ୍ରାପ୍ତ ବିଚାରପତିଙ୍କୁ ପ୍ରଶାସନିକ ଦୃଷ୍ଟିରୁ ନିଯୁକ୍ତି ଦେଇଛନ୍ତି କିନ୍ତୁ ବିଚାରବିଭାଗୀୟ ଦୃଷ୍ଟିରୁ ଦେଇନାହାନ୍ତି। ତେଣୁ ଆମେ ଏସ୍ଆଇଟି ତଦନ୍ତ ଦାବି କରୁଛୁ।
କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା ଆଲୋଚନାରେ ଭାଗ ନେଇ କହିଥିଲେ ଯେ, ନବ ଦାସ ବିଜେଡିକୁ ଯାଇନଥିଲେ ବୋଧେ ତାଙ୍କର ମୃତ୍ୟୁ ହୋଇନଥାନ୍ତା।ସେ ବ୍ରଜରାଜନଗର ଉପନିର୍ବାଚନ ବେଳେ କହୁଥିଲେ ଯେ, ଆମର ଗୋଟିଏ ବିଧାୟକ ମୋ ପଛରେ ଲାଗିଛି। ପଦ୍ମପୁର ଉପନିର୍ବାଚନବେଳେ ବେଳେ ସୁଶାନ୍ତ ସିଂହ ପାଇକମାଳରେ ବିଜେଡି ଭୋଟ୍ କମାଇବାକୁ ଲାଗିଥିବା ନେଇ କହୁଥିଲେ। ଝାରସୁଗୁଡ଼ାରେ ନବ ଗୋଷ୍ଠୀ ଓ ସୁଶାନ୍ତ ସିଂହ ଗୋଷ୍ଠୀ ମଧ୍ୟରେ ବିବାଦ ଲାଗିଥିଲା। ଏନେଇ ଥାନାରେ ବି ଅଭିଯୋଗ ହୋଇଛି। ନବଙ୍କ କକା ଏବଂ ସରକାରଙ୍କ ମନ୍ତ୍ରୀ ଏହି ହତ୍ୟାକାଣ୍ଡରେ ଷଡଯନ୍ତ୍ର ଥିବା କଥା କହିଛନ୍ତି। ବିଜେପି ବିଧାୟକ ଦଳ ମୁଖ୍ୟ ସଚେତକ ମୋହନ ମାଝୀ, ନାଉରୀ ନାୟକ, ସନାତନ ବିଜୁଳି ଓ ମୁକେଶ ମହାଲିଙ୍ଗ ପ୍ରମୁଖ ସରକାରଙ୍କୁ ସମାଲୋଚନା କରିଥିଲେ।

ବିରୋଧୀ ଦଳଙ୍କ ଅଭିଯୋଗର ଜବାବ୍ ଦେଇ ବିଜେଡି ବିଧାୟକ ଅରୁଣ ସାହୁ କହିଥିଲେ, ନବ ଦାସଙ୍କ ଏଭଳି ହୃଦୟ ବିଦାରକ ମୃତ୍ୟୁ ସମସ୍ତଙ୍କୁ ଦୁଃଖ ଦେଇଛି। ଗୃହ ଭିତରେ ଏବଂ ବାହାରେ ଯେପରି ଆଲୋଚନା ହେଉଛି ସେଥିରେ କିଛି ତଥ୍ୟ ନାହିଁ କି ସତ୍ୟତା ନାହିଁ।ଆପୋଲୋ ହସ୍ପିଟାଲରେ ନବ ଦାସଙ୍କ ପାଖରେ ଯିଏ ଥିଲା, ସେ ହିଁ ଜାଣିଥିଲା ସେଠାର ପରିସ୍ଥିତି ଏବଂ ମୁଣ୍ଡିଆ ମାରିବା ଅର୍ଥ ହେଉଛି ସମସ୍ତେ ଠାକୁରଙ୍କୁ ଡାକୁଥିଲେ ଜୀବନ ବଞ୍ଚାଇବା ପାଇଁ। ନବ ଦାସଙ୍କ ଶୁଦ୍ଧିକ୍ରିୟା ଶେଷ ହୋଇନଥିବାବେଳେ ଯେଉଁଭଳି ବୟନବାଜି କରାଗଲା ତାହା ସମସ୍ତଙ୍କୁ ବ୍ୟଥିତ କରୁଛି। ବିରୋଧୀ ନେତା ଆକ୍ଷେପ କରିବାକୁ ନିଜ ସୀମା ପାର କରି ଡାକ୍ତର ଭଳି ମନ୍ତବ୍ୟ ଦେଉଛନ୍ତି। ଜଣେ ମାନସିକ ସନ୍ତୁଳନ ହରାଇ ବସିଥିବା ବ୍ୟକ୍ତି ହିଁ ଏଭଳି କହିପାରେ। ସିବିଆଇ ଯେଉଁ ପ୍ରକ୍ରିୟାରେ ତଦନ୍ତ କରେ, କ୍ରାଇମବ୍ରାଞ୍ଚ ମଧ୍ୟ ସେହି ପ୍ରକ୍ରିୟା ଆପଣାଉଛି। ବିରୋଧୀଙ୍କ ପାଖରେ ଯାହା ତଥ୍ୟ ଏବଂ ସତ୍ୟ ଅଛି ତାକୁ କ୍ରାଇମବ୍ରାଞ୍ଚକୁ ଦିଅନ୍ତୁ। ଶାସକ ଦଳ ପକ୍ଷରୁ ବିଧାୟକ ଶଶୀଭୂଷଣ ବେହେରା, ପଦ୍ମନାଭ ବେହେରା, ସୁଦାମ ମାରାଣ୍ଡି ଓ ଲତିକା ପ୍ରଧାନ ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l