କଟକ: ଶୈଳବାଳା ମହିଳା ସ୍ବୟଂଶାସିତ କଲେଜକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯାଇ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। କଲେଜ ପକ୍ଷରୁ ଅଧ୍ୟକ୍ଷା ଡକ୍ଟର ଗାୟତ୍ରୀ ବିଶ୍ବାଳ ପୁଷ୍ପଗୁଚ୍ଛ ଦେଇ ରାଷ୍ଟ୍ରପତିଙ୍କୁ ସ୍ବାଗତ କରିଥିଲେ। ମଧୁ ବାବୁଙ୍କ ବୈଠକଖାନା (କଲେଜର ୯ ନମ୍ବର ରୁମ)କୁ ରାଷ୍ଟ୍ରପତି ଯାଇଥିଲେ। ସେଠାରେ କଲେଜ ଅଧ୍ୟକ୍ଷା, ଅଧ୍ୟାପକ ଓ ଅଧ୍ୟାପିକାଙ୍କ ସହିତ କଲେଜ ସଂପର୍କରେ ଆଲୋଚନା କରିଥିଲେ।
କଲେଜ ପକ୍ଷରୁ ରାଷ୍ଟ୍ରପତିଙ୍କୁ ମଧୁସୂଦନଙ୍କ ଏକ ତୈଳଚିତ୍ର ସହ କଲେଜ ପକ୍ଷରୁ ପ୍ରକାଶିତ ‘ମଧୁ ବାବୁ, ମହାତ୍ମା ଗାନ୍ଧୀ ଓ ଓଡ଼ିଶା’ ପୁସ୍ତକ, ‘କୁଳବୃଦ୍ଧ ମଧୁସୂଦନ’ ବହି ପ୍ରଦାନ କରାଯାଇଥିଲା। ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ କଲେଜ ଛାତ୍ରୀଙ୍କ ସହିତ ପାଠପଢା ସଂପର୍କରେ ଆଲୋଚନା କରିବା ସହ ଭଲ ପାଠପଢି ଜାତିର ନାଁ ରଖିବାକୁ ପରାମର୍ଶ ଦେଇଥିଲେ।