ଭୁବନେଶ୍ବର: ୪୦ଟି ଛୋଟ ବଡ଼ ମେସିନ୍ରେ ଦିନରାତି ଚାଲିଛି ଗଣତି। କାଳେ କୌଣସି ମେସିନ୍ ଖରାପ ହୋଇଯିବ, କାମ ଅଟକିଯିବ; ସେଥିପାଇଁ କର୍ମଚାରୀ ଜଗି ବସିଛନ୍ତି। ବ୍ୟାଙ୍କ ଯାଏ ଟଙ୍କା ପହଞ୍ଚିବାରେ ଯେମିତି କିଛି ସମସ୍ୟା ନ ହୁଏ, ସେଥିଲାଗି ପରିବହନ ବିଭାଗ ଜରିଆରେ ଅଧିକ ଗାଡ଼ି ନିୟୋଜିତ କରାଯାଇଛି। ସେପଟେ ଛୁଟି ସତ୍ତ୍ବେ ୫୦ରୁ ଅଧିକ ବ୍ୟାଙ୍କ କର୍ମଚାରୀ ଦିନରାତି ଏକ କରି ବିଡ଼ା ପରେ ବିଡ଼ା ଗଣା ଜାରି ରଖିଛନ୍ତି। ମଦ ବେପାରୀଙ୍କ ପ୍ରତିନିଧି, ଆୟକର ଅଧିକାରୀ ଏବଂ ବ୍ୟାଙ୍କ କର୍ମକର୍ତ୍ତାଙ୍କ ଉପସ୍ଥିତିରେ ପ୍ରାରମ୍ଭିକ ପର୍ଯ୍ୟାୟରେ ଆସିଥିବା ୧୭୬ ବସ୍ତାରୁ ଗୋଟିଏ ପରେ ଗୋଟିଏ ବିଡ଼ା କଢ଼ାଯାଇ ଏଭଳି ଢଙ୍ଗରେ ଦିନତମାମ ଗଣତି କରାଯାଉଛି। ଏଯାଏ ୨୯୦ କୋଟି ଟଙ୍କା ଗଣତି ହୋଇଥିବା ସୂଚନା ମିଳିଛି।
ଝାଡ଼ଖଣ୍ଡ ସାଂସଦ ଧୀରଜ ସାହୁଙ୍କ ଲିଙ୍କ୍ରେ ମଦ ବେପାରୀଙ୍କ ଘର, କାର୍ଯ୍ୟାଳୟ ଆଦିରେ ବୁଧବାର ଠାରୁ ଚାରିଦିନ ଧରି ଚାଲିଥିବା ଚଢ଼ଉ ଘଟଣା ପୂରା ଦେଶରେ ଏବେ ହଇଚଇ ସୃଷ୍ଟି କରିଛି। ସାରା ଭାରତରେ କୌଣସି ଗୋଟିଏ ଚଢ଼ଉରେ ଏତେ ପରିମାଣର ଅର୍ଥ କେବେ ବି ଜବତ ହୋଇନଥିଲା। ଏହି ଘଟଣାକୁ ନେଇ ପୂରା ଜାତୀୟ ରାଜନୀତି ହଲଚଲ୍ ହେଲାଣି। ବିଶେଷକରି ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟ ପରେ ରାଜନୈତିକ ଦଳମାନଙ୍କ ମଧ୍ୟରେ କାଦୁଅଫିଙ୍ଗା ଜୋର ଧରିଛି। ଏସବୁ ଭିତରେ ଗଣତି ଜାରି ରହିଛି ଓ ଆୟକର ବିଭାଗର ଚଢ଼ଉ ବି। ଆଜି ହାଇଦ୍ରାବାଦ୍ରୁ ଆଉ କିଛି ଆୟକର ଅଧିକାରୀ ଏହି ଚଢ଼ଉରେ ସାମିଲ ହୋଇଛନ୍ତି। ଅତି ବିଶ୍ବସ୍ତ ସୂତ୍ରରୁ ମିଳୁଥିବା ସୂଚନା ମୁତାବକ ଆୟକର ଅଧିକାରୀମାନେ ଏଯାଏ ପାଖାପଖି ୩୩୪ କୋଟି ନଗଦ ଟଙ୍କା ଜବତ କରିସାରିଲେଣି। ଏ ମଧ୍ୟରେ କିଛି ଚିରାଫଟା ଟଙ୍କା ରହିଛି, କିଛି ଅଚଳନ୍ତି ବି। ହେଲେ ଏହା ନଗଣ୍ୟ।
ଆଜି ୪ର୍ଥ ଦିନରେ ମଧ୍ୟ ସୁନ୍ଦରଗଡ଼ର ମଦ ବ୍ୟବସାୟୀ ରାଜକିଶୋର ଜୟସ୍ୱାଲଙ୍କ ଘରେ ଆୟକର ବିଭାଗ ଚଢ଼ଉ କରିଥିଲା। ହାଇଦ୍ରାବାଦ୍ର ଦୁଇଟି ଓ ଓଡ଼ିଶାର ଦୁଇଟି ଏଭଳି ୪ଟି ଟିମ୍ ଝାଡ଼ଖଣ୍ଡ ସାଂସଦ ଧୀରଜ ସାହୁଙ୍କ ନିଜ ଲୋକ କୁହାଯାଉଥିବା ରାଜକିଶୋରଙ୍କ ଘରେ ଦୀର୍ଘ ୬ ଘଣ୍ଟା ତନାଘନା କରିବା ପରେ ତାଙ୍କ ଘର ପଛରେ ଥିବା ଏକ ପରିତ୍ୟକ୍ତ ଘରୁ ୩୦ କୋଟି ଟଙ୍କା ଜବତ କରିଛନ୍ତି। ଘରଟି ରହିବା ଉଦ୍ଦେଶ୍ୟରେ ବ୍ୟବହାର ହେଉନଥିଲେ ମଧ୍ୟ ପ୍ରତ୍ୟେକ ଦିନ ଯିବାଆସିବା କରାଯାଉଥିବା ପାରିପାର୍ଶ୍ବିକ ପରିବେଶରୁ ଜଣାପଡ଼ିଥିଲା। ଆୟକର ଅଧିକାରୀ ସନ୍ଦେହ କରି ଏଠାରେ ଖାନ୍ତଲାସି ପାଇଁ ଚାହିଁଥିଲେ। ଚଢ଼ଉ କରାଯିବା ବେଳେ ଭଙ୍ଗା ଜିନିଷପତ୍ର ରଖା ଯାଇଥିବା କିଛି ଅଖା ପାଖରେ ଥିବା ଅନ୍ୟ ଅଖାମାନଙ୍କରେ ଟଙ୍କା ବସ୍ତା ରହିଥିବା ଦେଖାଗଲା। ଏସବୁ ବସ୍ତା ଏଭଳି ରଖାଯାଇଥିଲା, ଯେମିତି କେହି ସନ୍ଦେହ କରିବେ ନାହିଁ। ଏହି ବସ୍ତା ଭିତରେ ୫ଶହ ଓ ଶହେ ଟଙ୍କିଆ ନୋଟ୍ ବିଡ଼ା ରହିଥିଲା। ଆଜି ସେ ସବୁ ଟଙ୍କା ବ୍ୟାଙ୍କ୍ରେ ଜମା ହୋଇଛି। ସବୁ ଗଣତି ପରେ ଆୟକର ବିଭାଗ ପୂର୍ଣ୍ଣାଙ୍ଗ ତଥ୍ୟ ଦେବ।
ଶୁକ୍ରବାର ଟଙ୍କା ଗଣତି ବେଳେ ମେସିନ୍ ଅଚଳ ହୋଇଯାଇଥିଲା। ପରେ ଏସ୍ବିଆଇ ଭୁବନେଶ୍ବରରୁ ମେସିନ୍ ମଗାଇଥିଲେ। ଆଜି ଆଉ ଏକ ବଡ଼ମେସିନ୍ ପହଞ୍ଚିଥିଲା। ଏହି ମେସିନ୍ ଘଣ୍ଟାକୁ ୮ କୋଟି ଗଣି ପାରୁଛି। ରିପୋର୍ଟ ଲେଖା ହେବା ସୁଦ୍ଧା ମେସିନ୍ ମୋଟ ୧୫୬ କୋଟି ଗଣି ସାରିଛି। ଆଜି ବିଳମ୍ବିତ ରାତି କିମ୍ବା ଆସନ୍ତାକାଲି ସକାଳ ସୁଦ୍ଧା ସମସ୍ତ ଟଙ୍କା ଗଣା ହେଇଯିବ ବୋଲି ସୂଚନା ମିଳିଛି। ପୂର୍ବରୁ ଜୟସ୍ବାଲଙ୍କ ସର୍ଗିପାଲି ସହ ୧୦ରୁ ଅଧିକ ଦେଶୀ ମଦ ପ୍ରସ୍ତୁତି ଭାଟି, ଠିପିବନ୍ଦ ବିଦେଶୀ ମଦ ଦୋକାନ, ବସ ସର୍ଭିସ ଅଫିସ, ବାର୍ ଆଣ୍ଡ ହୋଟେଲ, ରାଣୀବଗିଚାସ୍ଥ ବାସଭବନ ଓ ଅଫିସରେ ଏକକାଳୀନ ଚଢ଼ଉ ହୋଇଥିଲା। ଲଗାତାର ୪ ଦିନ ଧରି ଏହି ସବୁ ସ୍ଥାନରେ ଚଢ଼ଉ ଜାରି ରହିଥିଲା। ଚଢ଼ଉ କରିବା ପାଇଁ ଅଧିକ ଅଧିକାରୀଙ୍କର ଆବଶ୍ୟକତା ପଡ଼ିଥିଲା। ଭୁବନେଶ୍ବର ଓ ହାଇଦ୍ରାବାଦ ଜଣେ ଆୟକର ମହାନିର୍ଦ୍ଦେଶକଙ୍କ ଅଧୀନରେ ରହୁଥିବାରୁ ଦୁଇଟି ସ୍ବତନ୍ତ୍ର ଆଇଟି ଟିମ୍ ମଗା ଯାଇଥିଲା। ସେହି ସବୁ ଦଳ ଚଢ଼ଉ ଜାରି ରଖିଛି।
୨୯୦ କୋଟି ଗଣତି କରାଯାଇଛି !
ସୁନ୍ଦରଗଡ଼ରେ ପରିତ୍ୟକ୍ତ ଘରୁ ମିଳିଲା ପୁଣି ୩୭ କୋଟି
ଜବତ ଟଙ୍କା ୩୩୪ କୋଟି ଛୁଇଁଯିବା ସୂଚନା
ଚିରା ଫଟା ରହିଛି, ଆଉ କିଛି ଅଚଳନ୍ତି ନୋଟ ବି
ବଲାଙ୍ଗୀର/ ସମ୍ବଲପୁର/ ବୌଦ୍ଧ: ଆୟକର ବିଭାଗ ପକ୍ଷରୁ ସାରା ବଲାଙ୍ଗୀର ସହରରେ ତନାଘନା ଜାରି ରହିଛି। ଧଳା ଇନୋଭା କାର ଗୁଡ଼ିକ ଘାଇଁ ଘାଇଁ ହୋଇ ଘୂରି ବୁଲୁଛି। କେତେବେଳେ ସୁଦପଡ଼ା ମଦଭାଟି ପଟକୁ ତ ଆଉ କେତେବେଳେ କ୍ଲବପଡ଼ା ଭାଟି ଅଫିସକୁ ମାଡ଼ି ଯାଉଛି ଇନୋଭା। ବ୍ୟାଙ୍କର ସବୁ କୋଠାରେ ଘେରି ରହିଛନ୍ତି ଆୟକର ଅଧିକାରୀ। ଆଜି ସନ୍ଧ୍ୟାରେ ସୁଦପଡ଼ା ଭାଟି ମଧ୍ୟରେ ଥିବା ଏକ ଆଇରନ ଚେଷ୍ଟକୁ କଟାଯାଇଥିବା ବେଳେ ସେଥିରେ କିଛି ନଥିବା ଆଇରନ ଚେଷ୍ଟ କାଟିଥିବା ୱେଲଡର୍ ଅବଦୁଲ କହିଛନ୍ତି। ସେହିଭଳି ସନ୍ଧ୍ୟାରେ କ୍ଲବପଡ଼ା ଭାଟି ଅଫିସରେ ଆୟକର ବିଭାଗ ଅଧିକାରୀ ପହଞ୍ଚି ସେଠାରେ ଥିବା କାଗଜପତ୍ର ଖେଳାଉଥିବା ଦେଖାଯାଇଥିଲା। ଗଣମାଧ୍ୟମ ପହଞ୍ଚିବା ପରେ କବାଟ ବନ୍ଦ କରି ଦିଆଯାଇଥିଲା।
ଅନ୍ୟପକ୍ଷରେ ଷ୍ଟେଟ୍ ବ୍ୟାଙ୍କ ବଲାଙ୍ଗୀର ଆଞ୍ଚଳିକ ଅଧିକାରୀ ଭଗତ ବେହେରା କହିଛନ୍ତି ଯେ ଆଜି ଓ କାଲି ବ୍ୟାଙ୍କ ଛୁଟି ଥିଲେ ମଧ୍ୟ ଟଙ୍କା ଗଣାଯିବା ପାଇଁ ବ୍ୟବସ୍ଥା କରାଯାଇଛି। ଜିଲ୍ଲାର ବିଭିନ୍ନ ଶାଖାର ବ୍ୟାଙ୍କ କର୍ମଚାରୀ ଏଥିରେ ସଂପୂର୍ଣ୍ଣ ସହଯୋଗ କରୁଥିବା ବେଳେ ପ୍ରାୟ ୫୦ ଜଣ କର୍ମଚାରୀଙ୍କୁ ଛୁଟି ଦିନରେ ମଧ୍ୟ ନିୟୋଜିତ କରାଯାଇଛି। ବ୍ୟାଙ୍କକୁ ଆୟକର ବିଭାଗ ଆଣିଥିବା ୧୭୬ ବ୍ୟାଗ ଟଙ୍କା ମଧ୍ୟରୁ ଅପରାହ୍ନ ସୁଦ୍ଧା ୧୦୨ଟି ବ୍ୟାଗରେ ଥିବା ଟଙ୍କା ଗଣାଯାଇ ସାରିଛି। ବାକି ଥିବା ୭୪ଟି ବ୍ୟାଗରୁ ୨୦ଟି ବ୍ୟାଗ୍ର ଟଙ୍କାକୁ ଆଜି ରାତିରେ ଗଣାଯିବାକୁ ଥିବା ବେଳେ ଆସନ୍ତାକାଲି ରବିବାର ଦିନ ସୁଦ୍ଧା ଟଙ୍କା ଗଣା କାମ ସଂପୂର୍ଣ୍ଣ କରାଯିବାର ବ୍ୟବସ୍ଥା ହୋଇଛି। ବ୍ୟାଙ୍କର ଉପର ମହଲା ଓ ସମ୍ମିଳନୀ କକ୍ଷରେ ଏହି ଟଙ୍କା ଜମା କରାଯାଇ ଗଣାଯାଉଛି। ଏଥିପାଇଁ ୨୫ଟି ମେସିନ ବ୍ୟବହାର କରାଯାଉଥିବା ବେଳେ କାଳେ କେଉଁ ମେସିନ ଖରାପ ହେବ ସେଥିପାଇଁ ଅଧିକ ମେସିନ ରଖାଯାଇଛି। ଅପରପକ୍ଷରେ ଆଜି ସକାଳେ ଅବକାରୀ ଅଧିକାରୀ, ଭାଟି ପରିଚାଳକଙ୍କୁ ସାଥୀରେ ରଖାଯାଇ ଆୟକର ବିଭାଗ ଅଧିକାରୀ ବିଭିନ୍ନ ପ୍ରଶ୍ନ ପଚରାଉଚରା କରିଥିଲେ।
ଶନିବାର ରାତିରେ ମଦ ବ୍ୟବସାୟୀ ବଳଦେବ ସାହୁ ଆଣ୍ଡ ସନ୍ସର ସମ୍ବଲପୁରସ୍ଥିତ କାର୍ଯ୍ୟାଳୟ ଓ ମଦଭାଟିରେ ଆୟକର ବିଭାଗ ପକ୍ଷରୁ ଜବତ ଟଙ୍କା ଗଣତି ଶେଷ ହୋଇଛି। ସର୍ବମୋଟ ୩୭. ୫୦ କୋଟି ଟଙ୍କା ମିଳିଛି। ଏଥିରେ ୧୦ ଟଙ୍କିଆ ନୋଟ ଠାରୁ ଆରମ୍ଭ କରି ୨୦, ୫୦, ୧୦୦, ୨୦୦, ୫୦୦ ଆଦି ଟଙ୍କାର ନୋଟ୍ ମିଳିଥିବା ବ୍ୟାଙ୍କ ସୂତ୍ରରୁ ପ୍ରକାଶ। ୭ ତାରିଖ ଦିନ ସମ୍ବଲପୁର ବଡ଼ବଜାରସ୍ଥିତ ବଳଦେବ ସାହୁ ଆଣ୍ଡ ସନ୍ସ କାର୍ଯ୍ୟାଳୟରେ ଓ ମହାବୀର ପଡ଼ା ପାଖ ଭାଟିରେ ଚଢ଼ଉ ହୋଇଥିଲା। ମହାବୀରପଡ଼ା ମୁଖ୍ୟ ମଦଭାଟିରୁ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ମୁଖ୍ୟ ଶାଖାକୁ ୩ଟି ବ୍ୟାଗ୍ରେ ଟଙ୍କା ଆସିଥିଲା। ସେହିପରି ବଡ଼ବଜାରସ୍ଥିତ କାର୍ଯ୍ୟାଳୟରୁ ପ୍ରଥମ ପର୍ଯ୍ୟାୟରେ ୧୧ଟି ବ୍ୟାଗ୍ ଏବଂ ଦ୍ବିତୀୟ ପର୍ଯ୍ୟାୟରେ ପୁଣି ୧୪ଟି ବ୍ୟାଗରେ ଟଙ୍କା ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ମୁଖ୍ୟ ଶାଖାକୁ ନିଆଯାଇଥିଲା। ୮ ତାରିଖ ଦିନ ପୁଣି କିଛି ଟଙ୍କା ଓ କାଗଜପତ୍ର, କମ୍ପ୍ୟୁଟର ଆଦି ଜବତ କରାଯାଇଥିଲା। ୭ ତାରିଖ ଅପରାହ୍ଣ ୪ଟାରୁ ଟଙ୍କା ଗଣତି ଆରମ୍ଭ ହୋଇଥିଲା।
ସେପଟେ ବୌଦ୍ଧ ଡିଷ୍ଟିଲାରି ଓ ରାଣୀସତୀ ରାଇସ୍ ମିଲ୍ରେ ଚାଲିଥିବା ଚଢ଼ଉ ଶେଷ ହୋଇଛି। ଅଧିକ ତଦନ୍ତ ପାଇଁ ଡିଷ୍ଟିଲାରିର ୩ ଜଣ ପଦସ୍ଥ କର୍ମଚାରୀଙ୍କୁ ଆୟକର ଅଧିକାରୀ ସାଙ୍ଗରେ ନେଇଛନ୍ତି। ଶୁକ୍ରବାର ଡିଷ୍ଟିଲାରିର ପାଚେରି ପଛପଟେ ବସ୍ତା ବସ୍ତା ୫ଶହ ଟଙ୍କିଆ ଦି’ଫାଳ ହୋଇଥିବା ନୋଟ୍ ସହ କିଛି ଜରୁରୀ କାଗଜପତ୍ର ପଡ଼ିଥିବା ଦେଖାଯାଇଥିଲା। ହେଲେ ଟଙ୍କା ଚିରି ଫିଙ୍ଗିବାକୁ ନେଇ କୌଣସି ତଦନ୍ତ ହୋଇନାହିଁ। ସେହିପରି ଡିଷ୍ଟିଲାରି ମାଲିକଙ୍କ ବୌଦ୍ଧ ସହର ରାଜନପାଲିରେ ମଦଭାଟି ରହିଛି। ସେଠାରେ ସ୍ବତନ୍ତ୍ର ଅତିଥି ଭବନ ସହ ଅଫିସ ରହିଛି। ଏହି ମଦଭାଟିକୁ ଆୟକର ବିଭାଗ ତଦନ୍ତ ପରିସରକୁ ନେଇ ନଥିବାରୁ ସହରରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।