ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ଭୁବନେଶ୍ବର: ୨୦୧୪ ମସିହା ଏପ୍ରିଲ ମାସରେ ଓଡ଼ିଆ ଭାଷା ‘ଶାସ୍ତ୍ରୀୟ ମାନ୍ୟତା’ ପାଇଥିଲା। ଏହା ଭିତରେ ୯ବର୍ଷ ବିତି ଗଲାଣି। ହେଲେ ଆଜି କ’ଣ ଓଡ଼ିଆ ଭାଷା ସତରେ ଓଡ଼ିଆଙ୍କଠାରୁ ତା’ର ମର୍ଯ୍ୟାଦା ପାଇଛି? ଓଡ଼ିଆ ଭାଷାକୁ ସରକାରୀ ଭାଷା ରୂପେ ବ୍ୟବହାର କରି ସମସ୍ତ ସରକାରୀ ଦସ୍ତାବିଜ୍ ଓଡ଼ିଆରେ କରାଯିବାକୁ ସରକାର ନିୟମ କରିଛନ୍ତି। ସତରେ କ’ଣ ଏହା ଠିକ୍ ଭାବେ ପାଳନ କରାଯାଉଛି? ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ, ହୋଟେଲ, ସରକାରୀ ଦପ୍ତର ଓ ସମସ୍ତ ନାମଫଳକରେ ଓଡ଼ିଆରେ ଲେଖିବା ବାଧ୍ୟତାମୂଳକ କରାଯାଇଛି। ହେଲେ ସମସ୍ତ ବ୍ୟବସାୟିକ ଅନୁଷ୍ଠାନ କ’ଣ ଏହାକୁ ମାନିଛନ୍ତି, କ’ଣ ନିର୍ଭୁଲ ଓଡ଼ିଆରେ ଆମେ ନାମଫଳକ ଦେଖିବାକୁ ପାଉଛେ? ତାମିଲ, ତେଲୁଗୁ, କନ୍ନଡ଼ ଓ ମାଲାୟାଲମ୍ ଆଦି ଶାସ୍ତ୍ରୀୟ ମାନ୍ୟତାପ୍ରାପ୍ତ ଭାଷା ଭଳି ଆମେ ଆମ ଓଡ଼ିଆ ଭାଷାର ବହୁଳ ବ୍ୟବହାର, ପ୍ରଚାର ପ୍ରସାର ଓ ଭାଷାକୁ ସମ୍ମାନ ଦେଇପାରିଛେ ତ? ଶାସ୍ତ୍ରୀୟ ମାନ୍ୟତା ପାଇବା ପରେ କ’ଣ ଓଡ଼ିଆ ଭାଷା ଯେତିକି ଉନ୍ନତି କରିବା କଥା ସେତିକି କରିଛି? ଆଜି ‘ବିଶ୍ବ ମାତୃଭାଷା ଦିବସ’ ଅବସରରେ ଆମେ ଓଡ଼ିଆମାନେ ଓଡ଼ିଆ ଭାଷାକୁ ନେଇ କେତେ ବ୍ୟସ୍ତ, ଉତ୍ସାହିତ ଓ ଚିନ୍ତିତ… ରାଜଧାନୀର ବିଭିନ୍ନ ବର୍ଗର ବ୍ୟକ୍ତିଙ୍କ ମତାମତକୁ ନେଇ ଏହି ଉପସ୍ଥାପନା।
ସବୁ କାର୍ଯ୍ୟାଳୟର ଫଳକ ଓଡ଼ିଆରେ ଲେଖାଯିବା ବାଧ୍ୟତାମୂଳକ ହେଉ
ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟର ଫଳକ ଓଡ଼ିଆରେ ଲେଖାଯିବା ବାଧ୍ୟତାମୂଳକ ହେଉ। କେବଳ ଆଇନ ପ୍ରଣୟନ କରି ରହିଗଲେ ହେବ ନାହିଁ। ତୃଣମୂଳସ୍ତରରେ ଏହାର କାର୍ଯ୍ୟକାରିତା ଉପରେ ମଧ୍ୟ ସରକାର ଧ୍ୟାନ ଦେବା ଆବଶ୍ୟକ। ସେହିପରି ସରକାରୀ କାଗଜପତ୍ର ଓଡ଼ିଆରେ ଏ ପର୍ଯ୍ୟନ୍ତ ହୋଇପାରିଲା ନାହିଁ। ସରକାର ଯେପର୍ଯ୍ୟନ୍ତ ଭାଷାକୁ ଗୁରୁତ୍ବ ଦେବେ ନାହିଁ, ସେଯାଏ ଲୋକେ ମଧ୍ୟ ଭାଷାର ଗୁରୁତ୍ବକୁ ହୃଦୟଙ୍ଗମ କରିପାରିବେ ନାହିଁ।
ମଧୁସୂଦନ ନାୟକ, ଶିକ୍ଷାବିତ୍
ଲୋକେ ସଚେତନ ହେବା ଆବଶ୍ୟକ
ନିଜ ଭାଷା ପ୍ରତି ଓଡ଼ିଆ ହିସାବରେ ଜନସାଧାରଣ ଯେତିକି ସଚେତନ ହେବା କଥା, ସେତେ ସଚେତନ ନୁହନ୍ତି। ନିଜ ଭାଷା ଶିଖିବା କହିବା, ପଢ଼ିବା ସହ ସମ୍ମାନ ଦେବାରେ ସେମାନଙ୍କର ଆଗ୍ରହ ମଧ୍ୟ ନାହିଁ। ସେଥିପାଇଁ ଦିନକୁ ଦିନ ଓଡ଼ିଆ ଭାଷାର ଅବନ୍ନତି ହେବାରେ ଲାଗିଛି। ଲୋକେ ସଚେତନ ହେଲେ ଭାଷାର ଅବସ୍ଥା ସୁଦୃଢ଼ ହେବ।
ଗୀତାରାଣୀ ନାୟକ, ଓଡ଼ିଆ ବିଭାଗ ଅଧ୍ୟାପିକା
ନିୟମ ଅଛି, କାର୍ଯ୍ୟକାରୀ ଆବଶ୍ୟକ
୨୦୧୬ ମସିହାରେ ରାଜ୍ୟ ସରକାର ଓଡ଼ିଶା ସରକାରୀ ଭାଷା ନିୟମ ପ୍ରଣୟନ କଲେ। ୨୦୧୯ ମସିହାରେ ଏହାକୁ ସଂଶୋଧନ କରି ପୁରସ୍କାର ଓ ଦଣ୍ଡବିଧାନ ଯୋଡ଼ିଲେ। ହେଲେ ଆଜି ଯାଏ ଏହାକୁ କାର୍ଯ୍ୟକାରୀ କରାଇପାରିଲେ ନାହିଁ। ରାଜ୍ୟରେ ଥିବା କାର୍ଯ୍ୟାଳୟଗୁଡ଼ିକରେ ଓଡ଼ିଆ ନାମଫଳକ ବାଧ୍ୟତାମୂଳକ କରିବା ସହ ସମସ୍ତ ପରୀକ୍ଷା ଓଡ଼ିଆରେ କରାଯିବା ବର୍ତ୍ତମାନ ଆବଶ୍ୟକ। ସମସ୍ତ ପରୀକ୍ଷାରେ ଓଡ଼ିଆ ଭାଷା ବ୍ୟବହାର କରିବା ସହିତ ପର୍ଯ୍ୟାପ୍ତ ପୁସ୍ତକ ପ୍ରଦାନ, ଓଡ଼ିଆରେ କୋଚିଂ ଦିଆଯିବା ଆବଶ୍ୟକ।
ବିଦ୍ୟାଧର ମହାରଣା ,ବୁଦ୍ଧିଜୀବୀ
ଏକାଧିକ ପୁସ୍ତକ ଓଡ଼ିଆରେ ପ୍ରକାଶିତ କରିବା ଆବଶ୍ୟକ
ଜାତୀୟସ୍ତରରେ ପାଠ୍ୟପୁସ୍ତକ ଓ ପରୀକ୍ଷାଗୁଡ଼ିକ ଇଂରାଜୀ ଭାଷାରେ କରାଯାଉଛି। ତେଣୁ ଛାତ୍ରଛାତ୍ରୀମାନେ ଇଂରାଜୀ ଭାଷାକୁ ଅଧିକ ଗୁରୁତ୍ୱ ଦେଉଛନ୍ତି। ପ୍ରତ୍ୟେକ ପାଠ୍ୟପୁସ୍ତକ ଓଡ଼ିଆରେ ହେବା ପାଇଁ ସମୟ ଲାଗିପାରେ। ହେଲେ ପ୍ରଫେସର୍ମାନଙ୍କ ଦ୍ବାରା ଏକାଧିକ ପୁସ୍ତକ ଓଡ଼ିଆରେ ପ୍ରକାଶିତ କରାଇବା ଆବଶ୍ୟକ।
କଳ୍ପଲତା ନାୟକ, ସମାଜସେବୀ
ଭାଷାର ଗୁରୁତ୍ବ ବୃଦ୍ଧି ପାଇଁ ସରକାର ଉଦ୍ୟମ କରନ୍ତୁ
ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇବା ପରେ ସାଧାରଣ ଲୋକଙ୍କ ଉପରେ ଯେଉଁ ପ୍ରଭାବ ସୃଷ୍ଟି କରିବା କଥା, ତାହା ଏଯାବତ୍ କରିପାରିନାହିଁ। ସମସ୍ତ ସରକାରୀ ନଥିପତ୍ର ଏବଂ ବିଭିନ୍ନ ବିଭାଗର ନାମଫଳକ ଏପର୍ଯ୍ୟନ୍ତ ଓଡ଼ିଆରେ ହୋଇପାରିନାହିଁ। ଏମିତିକି ପ୍ରଶାସନିକ ସେବା ନିଯୁକ୍ତିରେ ଓଡ଼ିଆ ଭାଷାର ବ୍ୟବହାର, ସରକାର କେବଳ ଦୋଷ ଛଡ଼ାଇବା ପାଇଁ ଘୋଷଣା କରି ଦେଇଛନ୍ତି। ଏପର୍ଯ୍ୟନ୍ତ ସେଥିପାଇଁ କୌଣସି ଭିତ୍ତିଭୂମି ସୃଷ୍ଟି କରାଯାଉନି। ଫଳରେ ଅଭିଭାବକମାନେ ନିଜ ପିଲାଙ୍କୁ ଓଡ଼ିଆ ପଢ଼ାଇବା ପରିବର୍ତ୍ତେ ଇଂରାଜୀ ପଢ଼ାଇବାକୁ ବାଧ୍ୟ ହେଉଛନ୍ତି।
ସଞ୍ଜୟ ରଥ, ସମାଜସେବୀ
ଓଡ଼ିଆଙ୍କ ମାନସିକତା ବଦଳୁ
ଓଡ଼ିଆରେ କଥା ହେବା ବେଳେ ହିନ୍ଦୀ, ଇଂରାଜୀ କିମ୍ବା ଅନ୍ୟ ଭାଷାର ବ୍ୟବହାରକୁ ବିଜ୍ଞତାର ନିଦର୍ଶନ ବୋଲି ଶିକ୍ଷିତମାନେ ଭାବୁଛନ୍ତି। ଏହି ଭାବନା ଓଡ଼ିଆ ପାଇଁ ମହଙ୍ଗା ପଡ଼ୁଛି। କଠୋର ଆଇନ ପ୍ରଣୟନ କରାଯାଇ ଓଡ଼ିଆ ଭଷାର ପ୍ରୟୋଗ ସରକାରୀସ୍ତରରେ ଓ ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକରେ କରାଯାଉ। ଏଥିସହ ସମସ୍ତ ଶିକ୍ଷାନୁଷ୍ଠାନରେ ଓଡ଼ିଆ, ହିନ୍ଦୀ ଓ ଇଂରାଜୀ ତିନୋଟି ଯାକ ଭାଷାକୁ ସମାନ ଗୁରୁତ୍ବ ଦିଆଯିବା ଆବଶ୍ୟକ। ଶିକ୍ଷିତ ଓଡ଼ିଆଙ୍କ ମାନସିକତା ବଦଳିଲେ, ଓଡ଼ିଆର ପ୍ରୟୋଗ ଓ ମହତ୍ତ୍ବ ବୃଦ୍ଧି ପାଇବ।
ସୁଧାଂଶୁ ଶେଖର ଧଡ଼ା, ସ୍ତମ୍ଭକାର
ପିଲାଙ୍କୁ ଓଡ଼ିଆ ପଢ଼ିବାର ଅଭ୍ୟାସ କରାନ୍ତୁ ଅଭିଭାବକ
ମାତୃଭାଷାର ବିକାଶ ପାଇଁ ସରକାରଙ୍କଠାରୁ ଆରମ୍ଭ କରି ସାଧାରଣ ଜନତା ସମସ୍ତେ ତତ୍ପରତା ପ୍ରକାଶ କରିବା ଆବଶ୍ୟକ। ଓଡ଼ିଆ ଭାଷାର ବ୍ୟାପକ ବ୍ୟବହାର ପାଇଁ ପର୍ଯ୍ୟାୟକ୍ରମେ ଶିକ୍ଷାନୁଷ୍ଠାନଗୁଡ଼ିକରେ ଆଲୋଚନା ହେବାର ଆବଶ୍ୟକତା ରହିଛି। ଦୋକାନ, ଘର ଆଗରେ ଲେଖାଯାଉଥିବା ନାମଫଳକ, ନିମନ୍ତ୍ରଣପତ୍ର ଆଦି ସବୁ ଓଡ଼ିଆରେ ଲେଖା ହେବା ଜରୁରି। ସେହିଭଳି ସ୍କୁଲ ଶିକ୍ଷା ବେଳୁ ପିଲାମାନଙ୍କୁ ଅଭିଭାବକମାନେ ମୋବାଇଲ ଦେବା ପରିବର୍ତ୍ତେ ଓଡ଼ିଆ ଖବରକାଗଜ, ପତ୍ରପତ୍ରିକା ଆଦି ପଢ଼ିବାକୁ ପ୍ରେରିତ କରିବା ଦରକାର।
ନରୋତ୍ତମ ଷଡ଼ଙ୍ଗୀ, ଶିକ୍ଷାବିତ୍
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l