ନୂଆଦିଲ୍ଲୀ: ମହାକାଶ ଇତିହାସରେ ଭାରତ ଆଜି ଏକ ସ୍ବର୍ଣ୍ଣିମ ଅଧ୍ୟାୟ ଯୋଡ଼ିଛି। ‘ଚନ୍ଦ୍ରଯାନ-୩’ ଚନ୍ଦ୍ରର ଦକ୍ଷିଣ ମେରୁରେ ସଫଳ ଅବତରଣ କରି ଅକଳ୍ପନୀୟ ଗୌରବ ଆଣିଛି। ସମଗ୍ର ବିଶ୍ବ ଭାରତର ଏହି ସଫଳତାକୁ ସ୍ବାଗତ କରିଛି ଏବଂ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ସଫଳତାର ଶିଖର ଛୁଇଁଛି।ଅଗଷ୍ଟ ୨୩ ବୁଧବାର ସନ୍ଧ୍ୟା ୬ଟା ୪ ମିନିଟ୍ରେ ବିକ୍ରମ ଲ୍ୟାଣ୍ଡର ରୋଭର୍ ସହିତ ଚନ୍ଦ୍ରପୃଷ୍ଠରେ ପାଦ ଥାପିବା ସହ ଦକ୍ଷିଣ ମେରୁରେ ସଫଳ ଅବତରଣ କରିବାରେ ବିଶ୍ବର ପ୍ରଥମ ରାଷ୍ଟ୍ର ପାଲଟିଛି। ଭାରତର ସାଂପ୍ରତିକ ଚନ୍ଦ୍ର ଅଭିଯାନର ଇତିହାସ ସାଉଁଟିଲେ ଆମକୁ ୨୦ ବର୍ଷ ତଳକୁ ଫେରିବାକୁ ପଡ଼ିବ। ୨୦୦୩ ମସିହା ସ୍ବାଧୀନତା ଦିବସରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପାୟୀ ‘ଚନ୍ଦ୍ରଯାନ’ କାର୍ଯ୍ୟକ୍ରମ ସଂପର୍କରେ ଘୋଷଣା କରିଥିଲେ। ଆସନ୍ତୁ ସେବେଠାରୁ ଏ ପର୍ଯ୍ୟନ୍ତର ଘଟଣାକ୍ରମ ଉପରେ ନଜର ପକାଇବା।
ଚନ୍ଦ୍ରଯାନ-୧
୨୦୦୩, ଅଗଷ୍ଟ ୧୫: ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଚନ୍ଦ୍ର ଅଭିଯାନ ‘ଚନ୍ଦ୍ରଯାନ’ କାର୍ଯ୍ୟକ୍ରମର ଘୋଷଣା କରିଥିଲେ।
୨୦୦୮, ଅକ୍ଟୋବର ୨୨: ଶ୍ରୀହରିକୋଟାର ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଚନ୍ଦ୍ରଯାନ-୧ ଉତ୍କ୍ଷେପଣ ହୋଇଥିଲା
୨୦୦୮, ନଭେମ୍ବେର ୮: ଚନ୍ଦ୍ରଯାନ-୧ ଏକ ଲୁନାର ଟ୍ରାନ୍ସଫର ଟ୍ରାଜେକ୍ଟୋରିରେ ପ୍ରବେଶ କରିଥିଲା
୨୦୦୮, ନଭେମ୍ବର ୧୪: ଚନ୍ଦ୍ରପୃଷ୍ଠରେ ଜଳ ଥିବା ସ୍ପଷ୍ଟ ହୋଇଥିଲା
୨୦୦୯, ଅଗଷ୍ଟ ୨୮: ଚନ୍ଦ୍ରଯାନ-୧ ମିସନ୍ ଶେଷ ହେଲା
ଚନ୍ଦ୍ରଯାନ-୨
୨୦୧୯, ଜୁଲାଇ ୨୨: ସତୀଶ ଧାୱନ ସ୍ପେସ୍ ସେଣ୍ଟରରୁ ଚନ୍ଦ୍ରଯାନ-୨ ଲଞ୍ଚ୍ ହେଲା
୨୦୧୯, ଅଗଷ୍ଟ ୨୦: ଚନ୍ଦ୍ରଯାନ-୨ ମହାକାଶ ଯାନକୁ ଲୁନାର ଅର୍ବିଟ୍ରେ ଇନସର୍ଟ କରାଗଲା
୨୦୧୯ ସେପ୍ଟେମ୍ବର ୨: ଚନ୍ଦ୍ରଯାନ-୨ ଚନ୍ଦ୍ରପୃଷ୍ଠରେ ଅବତରଣ କରିବାରେ ବିଫଳ ହୋଇଥିଲା। ଚନ୍ଦ୍ରପୃଷ୍ଠରେ ୧୦୦ କିମି ଲୁନାର ପୋଲାର ଅର୍ବିଟ୍ରେ ଚନ୍ଦ୍ରପୃଷ୍ଠରେ ପରିକ୍ରମଣ କରିବା ସମୟରେ ଲ୍ୟାଣ୍ଡର ଅଲଗା ହୋଇଥିଲା। କିନ୍ତୁ ଲ୍ୟାଣ୍ଡରରୁ ଗ୍ରାଉଣ୍ଡ୍ ଷ୍ଟେସନ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା।
ଚନ୍ଦ୍ରଯାନ-୩
୨୦୨୩, ଜୁଲାଇ ୬: ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ଦ୍ବିତୀୟ ଲଞ୍ଚ ପ୍ୟାଡରୁ ଜୁଲାଇ ୧୪ରେ ଇସ୍ରୋ ଚନ୍ଦ୍ରଯାନ-୩ ପ୍ରେରଣ କରିବ ବୋଲି ଘୋଷଣା କରିଥିଲା।
ଜୁଲାଇ ୭: ଚନ୍ଦ୍ରଯାନ-୩ର ସମସ୍ତ ବୈଦ୍ୟୁତିକ ପରୀକ୍ଷା ସଫଳତାର ସହିତ ସମାପ୍ତ ହେଲା।
ଜୁଲାଇ ୧୧: ଏକ ୨୪ ଘଣ୍ଟିଆ ‘ଲଞ୍ଚ ରିହର୍ସାଲ୍’ ସଫଳତାର ସହିତ କରାଯାଇଥିଲା।
ଜୁଲାଇ ୧୪: ଇସ୍ରୋର ଏଲ୍ଭିଏମ୍୩ ଏମ୍୪ ଚନ୍ଦ୍ରଯାନ-୩କୁ ଏହାର ଉଦ୍ଦିଷ୍ଟ କକ୍ଷପଥରେ ସ୍ଥାପନ କଲା।
ଜୁଲାଇ ୧୫: ବେଙ୍ଗାଲୁରୁରେ ମିସନର ପ୍ରଥମ କକ୍ଷପଥ ବୃଦ୍ଧି କାର୍ଯ୍ୟ ସଫଳ ହେଲା। ଏହି ମହାକାଶଯାନ ୪୧,୭୬୨ କିମି x ୧୭୩ କିମି କକ୍ଷପଥରେ ପହଞ୍ଚିଲା।
ଜୁଲାଇ ୧୭: ଦ୍ୱିତୀୟ କକ୍ଷପଥ ବୃଦ୍ଧି ମାନିଉଭର୍ ଚନ୍ଦ୍ରଯାନ-୩କୁ ୪୧,୬୦୩ କିମି x ୨୨୬ କିମି ପୃଥିବୀ-ବନ୍ଧିତ କକ୍ଷପଥରେ ରଖିଲା।
ଜୁଲାଇ ୨୨: ଚତୁର୍ଥ କକ୍ଷପଥ ବୃଦ୍ଧି ମାନିଉଭର୍ ବା ପୃଥିବୀ ବନ୍ଧିତ ପେରିଜି ଫାୟାରିଂ ଦ୍ବାରା ମହାକାଶଯାନକୁ ୭୧,୩୫୧ କିମି x ୨୩୩ କିମି କକ୍ଷପଥରେ ସଫଳତାର ସହ ସ୍ଥାନିତ ।
ଜୁଲାଇ ୨୫: ଅନ୍ୟ ଏକ କକ୍ଷପଥ ବୃଦ୍ଧି କାର୍ଯ୍ୟ ସଫଳତାର ସହିତ କରାଯାଇଥିଲା।
ଅଗଷ୍ଟ ୧: ଏକ ଗୁରୁତ୍ୱପୂର୍ଣ୍ଣ ମାଇଲସ୍ତମ୍ଭ ହାସଲ ସ୍ବରୂପ, ଚନ୍ଦ୍ରଯାନ-୩ ଏକ ୨୮୮ କିମି x ୩,୬୯,୩୨୮ କିମି ଟ୍ରାନ୍ସଲୁନାର୍ କକ୍ଷପଥରେ ପ୍ରବେଶ କଲା।
ଅଗଷ୍ଟ ୫: ମହାକାଶଯାନ ୧୬୪ କିମି x ୧୮,୦୭୪ କିମି ଚନ୍ଦ୍ର କକ୍ଷପଥରେ ପ୍ରବେଶ କଲା।
ଅଗଷ୍ଟ ୬: ମହାକାଶଯାନର ଚନ୍ଦ୍ର-ବନ୍ଧିତ କକ୍ଷପଥକୁ ୧୭୦ କିମି x ୪,୩୧୩ କିମିକୁ ହ୍ରାସ କରାଗଲା।
ଅଗଷ୍ଟ ୯: ଅନ୍ୟ ଏକ ମାନିଉଭର୍ କରାଯାଇଥିଲା ଯାହାଦ୍ବାରା ମହାକାଶଯାନ ୧୭୪ କିମି x ୧୪୩୭ କିମି କକ୍ଷପଥକୁ ଖସି ଆସିଥିଲା।
ଅଗଷ୍ଟ ୧୪: ପ୍ରାୟ ବୃତ୍ତାକାର ୧୫୧ କିମି x ୧୭୯ କିମି କକ୍ଷପଥରେ ଚନ୍ଦ୍ରଯାନ-୩ ପ୍ରବେଶ କଲା।
ଅଗଷ୍ଟ ୧୬: ଫାୟାରିଂ ପରେ ମହାକାଶଯାନ ୧୫୩ କିମି x ୧୬୩ କିମି କକ୍ଷପଥରେ ପ୍ରବେଶ କଲା।
ଅଗଷ୍ଟ ୧୭: ବିକ୍ରମ ଲ୍ୟାଣ୍ଡର୍ ଏବଂ ପ୍ରଜ୍ଞା ରୋଭରକୁ ନେଇ ଲ୍ୟାଣ୍ଡିଂ ମଡ୍ୟୁଲ୍ ଏହାର ପ୍ରବୃତ୍ତି ପ୍ରଣାଳୀ (ପ୍ରପଲ୍ସନ ସିଷ୍ଟମ୍)ରୁ ଅଲଗା ହୋଇଥିଲା।
ଅଗଷ୍ଟ ୧୮: ମହାକାଶଯାନ ସଫଳତାର ସହିତ ଏକ ଡିବୁଷ୍ଟିଂ ଅପରେସନ୍ (ଗତିବେଗ ହ୍ରାସ ପ୍ରକ୍ରିୟା) ସମାପ୍ତ କଲା ଯାହାଦ୍ବାରା ଏହାର କକ୍ଷପଥ ୧୧୩ କିମି x ୧୫୭ କିମିକୁ ହ୍ରାସ ପାଇଲା। ଡିବୁଷ୍ଟିଂ ହେଉଛି ଗତି ମନ୍ଥର କରିବାର ଏକ ପ୍ରକ୍ରିୟା ଯେଉଁଥିରେ ଏହାର ଚନ୍ଦ୍ରଠାରୁ ନିକଟତମ ଦୂରତା ୩୦ କିମି ଏବଂ ଦୂରତମ ଦୂରତା ୧୦୦ କିମି ରହିବ।
ଅଗଷ୍ଟ ୨୦: ଚନ୍ଦ୍ରଯାନ-୩ର ଦ୍ୱିତୀୟ ତଥା ଅନ୍ତିମ ଡିବୁଷ୍ଟିଂ ଅପରେସନ୍ କରାଯାଇ ଏହାର ଏଲ୍ଏମ୍ କକ୍ଷପଥକୁ ୨୫ କିମି x ୧୩୪ କିମିକୁ ହ୍ରାସ କରାଗଲା।
ଅଗଷ୍ଟ ୨୩: ଚନ୍ଦ୍ରଯାନ-୩ ଚନ୍ଦ୍ରପୃଷ୍ଠରେ ଦକ୍ଷିଣ ମେରୁରେ ସଫଳ ଅବତରଣ କଲା