କଟକ : ପ୍ରଖ୍ୟାତ ସାହିତ୍ୟିକ ପଦ୍ମଶ୍ରୀ ଡ. ଜୟନ୍ତ ମହାପାତ୍ର ଗତ ୩ ଦିନ ହେଲା ଅସୁସ୍ଥ ଅଛନ୍ତି। ଜ୍ବରରେ ପଡ଼ିବା ସହ ତାଙ୍କ ହୃତ୍ସ୍ପନ୍ଦନରେ ସମସ୍ୟା ଦେଖାଦେଇଛି। ଘରେ ରହି ସେ ଚିକିତ୍ସିତ ହେଉଛନ୍ତି। ଖବର ପାଇ ମେୟର୍ ସୁବାସ ସିଂହ ଆଜି ରାତି ୧୦ଟା ବେଳେ ଏସ୍ସିବିରୁ ଡାକ୍ତରୀ ଟିମ୍ ନେଇ ଡ. ମହାପାତ୍ରଙ୍କ ଘରେ ପହଞ୍ଚିଥିଲେ। ହୃଦ୍ରୋଗ ବିଶେଷଜ୍ଞ ପ୍ରଫେସର୍ ଡାକ୍ତର ବିଶ୍ୱଜିତ ଦାସଙ୍କ ନେତୃତ୍ବରେ ଏହି ଟିମ୍ ଡ. ମହାପାତ୍ରଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ। ଦରକାର ପଡ଼ିଲେ, ଚିକିତ୍ସା ପାଇଁ ବଡ଼ ଡାକ୍ତରଖାନା ନେବାକୁ ହେବ ବୋଲି ଡାକ୍ତରୀ ଟିମ୍ ପରାମର୍ଶ ଦେଇଛି।
ଆଜି ସକାଳେ ମଧ୍ୟ ତାଙ୍କର ସମସ୍ତ ପରୀକ୍ଷା କରାଯିବାକୁ ଏହି ଟିମ ପରାମର୍ଶ ଦେଇଛି। ମେୟର୍ଙ୍କ ସହ ଏହି ଅବସରରେ କଟକ ପୌର ନିଗମ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ଏ. ଶ୍ରୀଦେବୀ, କର୍ପୋରେଟର୍ ଚନ୍ଦନ ଜେନା, ସାହିତ୍ୟିକ ଡ. ବିଜୟାନନ୍ଦ ସିଂହ, ଜଗନ୍ନାଥ ସ୍ୱାଇଁ, ଅର୍ଦ୍ଧେନ୍ଦୁ ଶେଖର ମାଝୀ, ଜନ ଆଶିଷ ବରାଳ, ଶେଖ୍ ଫୟାଜ ପ୍ରମୁଖ ଉପସ୍ଥିତ ଥିଲେ।