ମେରଟ: ବିଳମ୍ବିତ ରାତିରେ ଉତ୍ତରପ୍ରଦେଶର ମେରଟରେ ଏକ ଅଭାବନୀୟ ଘଟଣା ଘଟିଯାଇଛି | ମେରଟରେ ବିଦ୍ୟୁତ ଆଘାତରେ ୫ ଜଣ କାଉଡିଆଙ୍କର ମୃତ୍ୟୁ ଘଟିଥିବାବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି | ସୂଚନାନୁସାରେ, ମେରଟର ପରିକ୍ଷିତଗଡ଼ ଅଂଚଳରେ ଥିବା ରାଲିଚୌହାନ ଗ୍ରାମରେ ଏହି ଅଭାବନୀୟ ଘଟଣା ଘଟିଯାଇଛି | କାଉଡିଆଙ୍କ ଶିବିର ଉପର ଦେଇ (୧୧୦୦୦ କେଭି) ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ ତାର ଯାଇଥିବାବେଳେ ଏହା ଛିଡିପଡିଥିଲା ଆଉ ବିଦ୍ୟୁତ ଆଘାତରେ କାଉଡିଆମାନେ ଜଳିଯାଇଥିଲେ |
ତୁରନ୍ତ ଗୁରୁତର ଆହତମାନଙ୍କୁ ଡାକ୍ତରଖାନା ନିଆଯାଇଥିଲେ ବି ସେଠାରେ ୫ ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ | ୪ରୁ ଅଧିକ କାଉଡିଆ ଏବେ ବି ଗୁରୁତର ଥିବାର ଜଣାପଡିଛି | ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ମୁତାବକ କାଉଡିଆଙ୍କ ଡିଜେ ଗାଡି ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ ପୋଲକୁ ଧକ୍କା ଦେବାରୁ ତାର ଛିଡିଯାଇ କାଉଡିଆଙ୍କ ଉପରେ ପଡିଥିଲା | ଆଉ ବିଦ୍ୟୁତ ଆଘାତରେ କାଉଡିଆମାନଙ୍କର ମୃତ୍ୟୁ ହୋଇଛି | ଏହି ଘଟଣା ପରେ ବର୍ତ୍ତମାନ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚିଥିବାବେଳେ କ୍ରୋଧିତ ଗ୍ରାମବାସୀ ଓ କାଉଡିଆମାନେ ରାସ୍ତା ଅବରୋଧ କରିଛନ୍ତି। ଏହି କାଉଡିଆମାନେ ହରିଦ୍ୱାରରୁ ଆସୁଥିବାବେଳେ ୧୧୦୦୦ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲେ, ଆଉ ଏହି ଦୁର୍ଘଟଣା ଘଟିଥିଲା |