କଟକ ( କୃଷ୍ଣପ୍ରସାଦ ଦାସ): କଟକର ମଧୁପାଟଣାରେ ରହିଛି ଐତିହାସିକ ସରକାରୀ ପ୍ରେସ୍। ଏହି ସରକାରୀ ପ୍ରେସ୍ର ଇତିହାସ ୧୯୩୬ରେ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ସହିତ ଜଡ଼ିତ। ଆରମ୍ଭରୁ ସରକାରୀ ନିୟନ୍ତ୍ରଣରେ ରହି ଆସିଥିବା ଏହି ପ୍ରେସ୍ର ପରିଚାଳନା ଓ ମାଲିକାନା ଏବେ ଘରୋଇ ନିୟନ୍ତ୍ରଣକୁ ଚାଲିଯିବା ଆଶଙ୍କା ବଢିବାରେ ଲାଗିଛି। ପର୍ଯ୍ୟାପ୍ତ ଭିତ୍ତିଭୂମି ଥାଇ ବି ତାହାର ବିକାଶ କରା ନଯିବା, ବର୍ଷ ବର୍ଷ ଧରି ଖାଲି ପଡ଼ିଥିବା କର୍ମଚାରୀ ପଦ ପୂରଣ ନ କରିବା ଏବଂ ଏବେ ଏହାକୁ ବାଣିଜ୍ୟ ଓ ପରିବହନ ମନ୍ତ୍ରଣାଳୟରୁ ଅଲଗା କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିବା ଭଳି ପଦକ୍ଷେପ ଏହି ବିରାଟ ଆଉ ଐତିହାସିକ ଅନୁଷ୍ଠାନର ଘରୋଇକରଣ ଆଶଙ୍କାକୁ ହାୱା ଦେଉଛି। କଟକ ସହରର ପ୍ରମୁଖ ଅଞ୍ଚଳ ମଧୁପାଟଣାରେ ୮୭ ଏକର ପରିମିତ ଅଞ୍ଚଳରେ ଥିବା ଏହି ସରକାରୀ ପ୍ରେସର ମାଲିକାନା ବଦଳିବା ସହିତ ଏହି ମୂଲ୍ୟବାନ ଜମିର ଭବିଷ୍ୟତକୁ ନେଇ ବି ଆଶଙ୍କା ବଢିବାରେ ଲାଗିଛି।
ଏହି ସରକାରୀ ପ୍ରେସ୍ (ଡାଇରେକ୍ଟୋରେଟ ଅଫ ପ୍ରିଣ୍ଟିଂ, ଷ୍ଟେସନାରି ଓ ପବ୍ଲିକେସନ) ପୂର୍ବରୁ ରାଜ୍ୟ ସରକାରଙ୍କ ବାଣିଜ୍ୟ ବିଭାଗ ଅଧୀନରେ ରହି ଆସିଥିଲା। ୨୦୨୩, ଅଗଷ୍ଟ ୩୧ରେ ବାଣିଜ୍ୟ ଓ ପରିବହନ ବିଭାଗକୁ ମିଶ୍ରଣ କରି ଗୋଟିଏ ବିଭାଗ କରାଯିବା ପରେ ସରକାରୀ ପ୍ରେସ୍ ଏହି ବିଭାଗ ଅଧୀନକୁ ଆସିଛି। କିନ୍ତୁ ଉନ୍ନୟନ କମିସନର ତଥା ଅତିରିକ୍ତ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏକ ୭ ଜଣିଆ କମିଟି ଗଠନ କରାଯାଇ ସରକାରୀ ପ୍ରେସ୍କୁ ବାଣିଜ୍ୟ ଓ ପରିବହନ ବିଭାଗରୁ ଅଲଗା କରିବା ପାଇଁ ରହିଥିବା ଆବଶ୍ୟକତା ଉପରେ ପରାମର୍ଶ ଦେବାକୁ ବିଜ୍ଞପ୍ତି ଜାରି କରାଯାଇଛି। ଏହି ୭ ଜଣିଆ କମିଟିର ଅଧ୍ୟକ୍ଷ ବାଣିଜ୍ୟ ଓ ପରିବହନ ବିଭାଗ ସଚିବ ରହିଥିବା ବେଳେ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ସଚିବ, ଗୃହ ବିଭାଗର ଅତିରିକ୍ତ ସଚିବ, ଅର୍ଥ ବିଭାଗର ଅତିରିକ୍ତ ସଚିବ, ଆଇନ ବିଭାଗର ଅତିରିକ୍ତ ସଚିବ, ବାଣିଜ୍ୟ ଓ ପରିବହନ ବିଭାଗର ଯୁଗ୍ମ ସଚିବ ଏବଂ ସରକାରୀ ପ୍ରେସ୍ (ଡାଇରେକ୍ଟୋରେଟ ଅଫ ପ୍ରିଣ୍ଟିଂ, ଷ୍ଟେସନାରି ଓ ପବ୍ଲିକେସନ)ର ଯୁଗ୍ମ ନିର୍ଦ୍ଦେଶକ ଏହି କାର୍ଯ୍ୟକାରୀ କମିଟିର ସଦସ୍ୟ ରହିଛନ୍ତି। ଏହି ଉଚ୍ଚସ୍ତରୀୟ କାର୍ଯ୍ୟକାରୀ କମିଟିର ପରବର୍ତ୍ତୀ ବୈଠକ ଖୁବଶୀଘ୍ର ବସୁଥିବା ବେଳେ ଏହାର ସୁପାରିସ ସରକାରୀ ପ୍ରେସର ଭବିଷ୍ୟତ ନିର୍ଦ୍ଧାରଣ କରିବାକୁ ଯାଉଛି। କିନ୍ତୁ ବାଣିଜ୍ୟ ଓ ପରିବହନ ବିଭାଗରୁ ଏହାକୁ ଅଲଗା କରି ବର୍ତ୍ତମାନ ସ୍ଥିତିରେ ସ୍ବୟଂଶାସିତ ଅନୁଷ୍ଠାନରେ ପରିଣତ କରିବା ଆଶା କ୍ଷୀଣ ଥିବାରୁ ଏଭଳି ପଦକ୍ଷେପ ଏହାର ଘରୋଇ କରଣ ପ୍ରକ୍ରିୟାର ପ୍ରଥମ ପାହଚ ବୋଲି ସନ୍ଦେହ କରାଯାଉଛି।
ସରକାରୀ ପ୍ରେସ୍ ଗଠନର ଇତିହାସ ଅନୁଯାୟୀ ୧୯୩୬ରେ ସ୍ବତନ୍ତ୍ର ଓଡ଼ିଶା ଗଠନ ହେବା ପରେ ପାଟନାରୁ ସରକାରୀ ପ୍ରେସର ଉପକରଣ ଆସି ପ୍ରଥମେ କଟକର ଚୌଧୁରୀ ବଜାରରେ ଏକ ଛୋଟ ସରକାରୀ ପ୍ରେସ୍ ତିଆରି ହୋଇଥିଲା। କିନ୍ତୁ ଆବଶ୍ୟକତା ବଢିବାରୁ ତାହାକୁ ବକ୍ସିବଜାର ସ୍ଥାନାନ୍ତର କରାଯାଇ ସେଠାରେ ଏକ ବଡ଼ ସରକାରୀ ପ୍ରେସ୍ ତିଆରି କରାଗଲା। କିନ୍ତୁ ସେଠାରେ ବି ଆବଶ୍ୟକତା ପୂରଣ ନ ହେବାରୁ ୧୯୭୭ରେ ବର୍ତ୍ତମାନର ମଧୁପାଟଣା ଅଞ୍ଚଳକୁ ସରକାରୀ ପ୍ରେସକୁ ଅଣାଗଲା ଏବଂ ୧୯୮୧ରୁ ବର୍ତ୍ତମାନର କୋଠାରେ ସରକାରୀ ପ୍ରେସ୍ କାର୍ଯ୍ୟ କରି ଆସୁଛି। ସରକାରୀ ପ୍ରେସ୍ (ଡାଇରେକ୍ଟୋରେଟ ଅଫ ପ୍ରିଣ୍ଟିଂ, ଷ୍ଟେସନାରି ଓ ପବ୍ଲିକେସନ) ଅଧୀନରେ ବର୍ତ୍ତମାନ ପ୍ରେସ୍ ପ୍ରପର୍, ଫର୍ମସ ପ୍ରେସ୍ ୟୁନିଟ୍, ପବ୍ଲିକେସନ୍ ଆଣ୍ଡ୍ ସେଲ୍ସ ୟୁନିଟ, ସ୍କୁଲ ଅଫ ପ୍ରିଣ୍ଟିଂ ଆଣ୍ଡ ଆଲାଏଡ୍ ଟ୍ରେଡସ ୟୁନିଟ୍ ଭଳି ୪ଟି ୟୁନିଟ୍ କାର୍ଯ୍ୟ କରୁଛି। ଏହା ସହିତ ବଲାଙ୍ଗୀର, କେନ୍ଦୁଝର, ଦେବଗଡ, ଭବାନିପାଟଣା, ଛତ୍ରପୁର, ଖଣ୍ଡପଡ଼ା, ଭୁବନେଶ୍ବରସ୍ଥିତ ସଚିବାଳୟ ଶାଖା ଓ ରାଜଭବନ ଶାଖା ଭଳି ୮ଟି ସ୍ଥାନରେ ଏହାର ଶାଖା କାର୍ଯ୍ୟାଳୟ ରହିଛି। ମଧୁପାଟଣାସ୍ଥିତ ମୁଖ୍ୟାଳୟ ପରିସରରେ ଏକ ପ୍ରେସ୍ ସଂଗ୍ରହାଳୟ ବି ରହିଛି। ସର୍ବୋଚ୍ଚ ନିର୍ଦ୍ଦେଶକ ପାହ୍ୟାରୁ ଆରମ୍ଭ କରି ତଳ ପାହ୍ୟା ପର୍ଯ୍ୟନ୍ତ ଏହାର ମୋଟ ସ୍ବୀକୃତିପ୍ରାପ୍ତ ପଦବି ସଂଖ୍ୟା ୧୬୪୩ ରହିଥିବା ବେଳେ ସେଥିରୁ ଏବେ ୭୨୦ ପଦବି ଫାଙ୍କା ପଡ଼ିଛି। କର୍ମଚାରୀଙ୍କ ଅବସର ପରେ ଆଉ ନୂଆ ନିଯୁକ୍ତି ଦିଆଯାଉ ନାହିଁ। ଐତିହାସିକ ସରକାରୀ ପ୍ରେସ୍ର ଭିତ୍ତିଭୂମିକୁ ଅତ୍ୟାଧୁନିକ କରିବା ପାଇଁ ସବୁ ପ୍ରକାର ସୁବିଧା ସୁଯୋଗ ରହିଥିଲେ ବି ଏଭଳି ପ୍ରକ୍ରିୟା ଏବେ ଏହାକୁ ଘରୋଇକରଣ ମୁହଁକୁ ଠେଲି ଦେଇଥିବା ଆଶଙ୍କା କରାଯାଉଛି।