କାଲିମେଳା: ନିଜ ପୁଅକୁ ବାଇକରେ ସ୍କୁଲରେ ଛାଡ଼ିବାକୁ ଯିବା ବେଳେ ବାଟରେ ଛକି ରହିଥିଲା ଯମ। ସଡ଼କ ଦୁର୍ଘଟଣାରେ ଚାଲିଗଲା ବାପାଙ୍କ ଜୀବନ। ଗୁରୁତର ଅବସ୍ଥାରେ ମେଡିକାଲରେ ଜୀବନ ମରଣ ସହ ସଂଘର୍ଷ କରୁଛି ପୁଅ। ଏପରି ଏକ ଦୁର୍ଘଟଣା ଆଜି ସକାଳୁ କାଲିମେଳା ସହର ଠାରୁ ମାତ୍ର ୧ କିମି ଦୂର ରାଇସ ମିଲ ନିକଟରେ ଘଟିଛି। ମୃତ୍ୟୁବରଣ କରିଥିବା ବ୍ୟକ୍ତି ଜଣକ ହେଉଛନ୍ତି ଏମଭି ୭୦ ସ୍କୁଲର ଶିକ୍ଷକ ଅଜୟ କୁମାର ମହାନ୍ତି।
![](https://sambad.in/wp-content/uploads/2023/12/547de6f2-9c57-4081-8fdb-036156edf594.jpeg)
ସେ କାଲିମେଳା ହନୁମାନ ସାହିରେ ରହୁଥିବା ବେଳେ ନିଜ ପୁଅକୁ ବାଇକ ଯୋଗେ ମାଲକାନଗିରିର ଏକ ସ୍କୁଲରେ ଛାଡ଼ିବାକୁ ଯାଉଥିବା ବେଳେ ମାଲକାନଗିରିରୁ କାଲିମେଳା ଅଭିମୁଖେ ଆସୁଥିବା ଓଡି୩୦ଇ ୭୦୦୪ ନମ୍ବର ଥିବା ପିକ ଅପ ଭ୍ୟାନ ସିଧାସଳଖ ବାଇକକୁ ଧକ୍କା ଦେଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ବାଇକ ଚଳାଉଥିବା ଅଜୟ ମହାନ୍ତିଙ୍କ ଗୋଟିଏ ହାତ, ଗୋଟିଏ ଗୋଡ଼ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବା ବେଳେ ମୁଣ୍ଡରେ ପିନ୍ଧିଥିବା ହେଲମେଟ ଭାଙ୍ଗି ଚୁରମାର ହୋଇଯାଇଛି। ସେହିପରି ପଛପଟେ ବସିଥିବା ୧୦ ବର୍ଷର ପୁଅର ଗୋଟିଏ ଗୋଡ଼ ଭାଙ୍ଗିଯିବା ସହିତ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ଆମ୍ବୁଲାନ୍ସ ଯୋଗେ ନାବାଳକକୁ ମାଲକାନଗିରି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।
ଘଟଣା କାଲିମେଳାରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି। ତେବେ ଦୁର୍ଘଟଣା ଘଟାଇବା ପରେ ପିକ ଅପ ଡ୍ରାଇଭର ଘଟଣାସ୍ଥଳରୁ ଗାଡ଼ିଛାଡ଼ି ଫେରାର ହୋଇଯାଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ପିକ ଅପ ଓ ବାଇକକୁ ଜବତ କରି ତଦନ୍ତ ଆରମ୍ଭ କରିଛି।