ଭୁବନେଶ୍ବର : କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଅଧୀନ ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗ ପକ୍ଷରୁ ଦୁଇଦିନ ତଳେ ପ୍ରକାଶିତ ପ୍ରଦର୍ଶନ ମାନକ ସୂଚକାଙ୍କ(ପିଜିଆଇ)ରେ ଓଡ଼ିଶାର ନୈରାଶ୍ୟଜନକ ପ୍ରଦର୍ଶନ ହୋଇଥିଲା। ଗୋଟିଏ ବର୍ଷ ମଧ୍ୟରେ ୧୪ଟି ସ୍ଥାନ ତଳକୁ ଖସିଥିଲା, ଯାହାକୁ ନେଇ ଓଡ଼ିଶାରେ ରାଜନୈତିକ ବାତାବରଣ ଏବେ ବି ଉଷ୍ମ ରହିଛି। କେନ୍ଦ୍ର ନେତୃତ୍ବାଧୀନ ବିଜେପି ଓ ରାଜ୍ୟର ବିଜେଡି ନେତାମାନଙ୍କ ମଧ୍ୟରେ ତୁତୁ ମେଁମେଁ ଚାଲିଛି। ଏଭଳି ସମୟରେ ଆଜି ୨୦୨୦-୨୧ ଏବଂ ୨୦୨୧-୨୦୨୨ ଶିକ୍ଷାବର୍ଷ ନିମନ୍ତେ ଜିଲ୍ଲାମାନଙ୍କର ପ୍ରଦର୍ଶନ ମାନକ ସୂଚକାଙ୍କ(ପିଜିଆଇ-ଡି) ପ୍ରକାଶିତ ହୋଇଛି। ଯେଉଁଥିରେ ଓଡ଼ିଶାର ୨୫ଟି ଜିଲ୍ଲାର ପ୍ରଦର୍ଶନ ହ୍ରାସ ପାଇଥିବା ବେଳେ ଖୋର୍ଦ୍ଧା, ସମ୍ବଲପୁର, ଝାରସୁଗୁଡ଼ା, କଳାହାଣ୍ଡି ଓ କୋରାପୁଟ ଜିଲ୍ଲାର ଶିକ୍ଷା ବ୍ୟବସ୍ଥାରେ ସାମାନ୍ୟ ଉନ୍ନତି ଘଟିଛି। ୨୦୨୦-୨୧ରେ ୬ଟି ଜିଲ୍ଲା ‘ଅତି-ଉତ୍ତମ’ ବର୍ଗରେ ଥିବା ବେଳେ ଏଥର କେବଳ ଖୋର୍ଦ୍ଧା ଜିଲ୍ଲା ନିଜର ସ୍ଥିତି ବଜାୟ ରଖିବାରେ ସମର୍ଥ ହୋଇଛି। କଟକ, ଭଦ୍ରକ, ଜଗତ୍ସିଂହପୁର, ପୁରୀ, ଗଞ୍ଜାମ ଜିଲ୍ଲା ଗତବର୍ଷ ତୁଳନାରେ ଖରାପ ପ୍ରଦର୍ଶନ କରି ‘ଅତି-ଉତ୍ତମ’ରୁ ‘ଉତ୍ତମ’ ଏବଂ କନ୍ଧମାଳ, ନବରଙ୍ଗପୁର, ବୌଦ୍ଧ ଓ ମୟୂରଭଞ୍ଜ ଜିଲ୍ଲା ‘ଉତ୍ତମ’ରୁ ପ୍ରଚେଷ୍ଟା-୧’କୁ ଖସି ଆସିଛନ୍ତି। କୋରାପୁଟ ଜିଲ୍ଲା ଉନ୍ନତ ପ୍ରଦର୍ଶନ କରି ‘ପ୍ରଚେଷ୍ଟା-୧’ରୁ ‘ଉତ୍ତମ’ ବର୍ଗକୁ ବଢ଼ିଛି। ୨୪ଟି ଜିଲ୍ଲା ‘ଉତ୍ତମ’ ବର୍ଗରେ ଥିବା ବେଳେ ୫ଟି ‘ପ୍ରଚେଷ୍ଟା-୧’ରେ ସ୍ଥାନ ପାଇଛନ୍ତି।
୨୦୨୦-୨୧ ତୁଳନାରେ ୨୫ ଜିଲ୍ଲାର ପ୍ରଦର୍ଶନ ଖସିଲା
ଗୋଟିଏ ଜିଲ୍ଲା ‘ଅତି-ଉତ୍ତମ’, ୨୪ଟି ‘ଉତ୍ତମ’, ୫ଟି ‘ପ୍ରଚେଷ୍ଟା-୧’ ବର୍ଗରେ

ପିଜିଆଇ-ଡି ସଂରଚନା ୮୩ଟି ସୂଚକ ମଧ୍ୟରେ ମୋଟ ୬୦୦ ସ୍କୋରକୁ ନେଇ ଗଠିତ, ଯାହାକୁ ୬ଟି ବର୍ଗରେ ବିଭକ୍ତ କରାଯାଇଛି। ଫଳାଫଳ ବର୍ଗରେ ୨୯୦ ସ୍କୋର ଥିବା ବେଳେ ପ୍ରଭାବଶାଳୀ ଶ୍ରେଣୀ ଗୃହ ବ୍ୟବସ୍ଥା ପାଇଁ ୯୦, ଭିତ୍ତିଭୂମି ସୁବିଧା ସୁଯୋଗ ଏବଂ ବିଦ୍ୟାର୍ଥୀଙ୍କ ଆବଶ୍ୟକତା ସମୂହ ପାଇଁ ୫୧, ସ୍କୁଲ ନିରାପତ୍ତା ଓ ଶିଶୁ ସୁରକ୍ଷା ଲାଗି ୩୫, ଡିଜିଟାଲ ଶିକ୍ଷା ପାଇଁ ୫୦ ଏବଂ ପରିଚାଳନା ପ୍ରକ୍ରିୟା ପାଇଁ ୮୪ ସ୍କୋର ରହିଥିଲା। ସ୍କୋର ଆଧାରରେ ଜିଲ୍ଲାଗୁଡ଼ିକୁ ୧୦ଟି ବିଭାଗରେ ବିଭକ୍ତ ହୋଇଛି। ସର୍ବାଧିକ ହାସଲ ଯୋଗ୍ୟ ଗ୍ରେଡ୍ ହେଉଛି ‘ଦକ୍ଷ’, ଯାହା ସେହି ବର୍ଗରେ ଥିବା ସାମଗ୍ରିକ ଭାବରେ ମୋଟ ପଏଣ୍ଟର ୯୦ ପ୍ରତିଶତରୁ ଅଧିକ ସ୍କୋର୍ କରୁଥିବା ଜିଲ୍ଲାମାନଙ୍କ ପାଇଁ ଉଦ୍ଦିଷ୍ଟ।
ଏହାବ୍ୟତୀତ ‘ଉତ୍କର୍ଷ’, ‘ଅତି-ଉତ୍ତମ’, ‘ଉତ୍ତମ’, ‘ପ୍ରଚେଷ୍ଟା-୧’, ‘ପ୍ରଚେଷ୍ଟା-୨’, ‘ପ୍ରଚେଷ୍ଟା-୩’, ‘ଆଙ୍କାକ୍ଷୀ-୧’, ‘ଆଙ୍କାକ୍ଷୀ-୨’ ଓ ‘ଆଙ୍କାକ୍ଷୀ-୩’ ଗ୍ରେଡ୍ ରହିଛି। କେବଳ ଖୋର୍ଦ୍ଧା ଜିଲ୍ଲା ୪୨୫ ସ୍କୋର ସହ ଅତି-ଉତ୍ତମ ବର୍ଗରେ ରହିଛି।
ଫଳାଫଳ ବର୍ଗରେ ୧୮ଟି ଜିଲ୍ଲା ୧୫୦ରୁ ଅଧିକ ସ୍କୋର କରିବାରେ ସକ୍ଷମ ହୋଇଛନ୍ତି। ଓଡ଼ିଶାରେ ଶ୍ରେଣୀ ଗୃହ ବ୍ୟବସ୍ଥା ଅନ୍ୟ ରାଜ୍ୟ ତୁଳନାରେ ଭଲ ରହିଥିବାରୁ କେବଳ ରାୟଗଡ଼ା ବ୍ୟତୀତ ଅନ୍ୟ ସମସ୍ତ ଜିଲ୍ଲା ୯୦ରୁ ୮୦ରୁ ଅଧିକ ସ୍କୋର ରଖିଛନ୍ତି। ଅନୁରୂପ ଭାବେ ଭିତ୍ତିଭୂମି ସୁବିଧା ସୁଯୋଗ ଏବଂ ବିଦ୍ୟାର୍ଥୀଙ୍କ ଆବଶ୍ୟକତା ସମୂହରେ ସମସ୍ତ ଜିଲ୍ଲାର ପ୍ରଦର୍ଶନ ଉନ୍ନତମାନର ହୋଇଛି। ସ୍କୁଲ ନିରାପତ୍ତା ଓ ଶିଶୁ ସୁରକ୍ଷା କ୍ଷେତ୍ରରେ କଟକ, ସୁନ୍ଦରଗଡ଼, ସମ୍ବଲପୁର, ଢେଙ୍କାନାଳ, ମାଲକାନଗିରି, ବଲାଙ୍ଗୀର, ସୁବର୍ଣ୍ଣପୁର ଜିଲ୍ଲା ଶତ ପ୍ରତିଶତ ସ୍କୋର ପାଇବାରେ ସକ୍ଷମ ହୋଇଛନ୍ତି। ଗଞ୍ଜାମ, କଳାହାଣ୍ଡି, କୋରାପୁଟ, ଗଜପତି ଓ ମୟୂରଭଞ୍ଜ ଜିଲ୍ଲାର ସ୍କୁଲଗୁଡ଼ିକରେ ନିରାପତ୍ତା ଓ ଶିଶୁଙ୍କ ସୁରକ୍ଷା ଏତେଟା ସୁଦୃଢ଼ ନ ଥିବା ରିପୋର୍ଟରେ ଉଲ୍ଲେଖ ହୋଇଛି।

ଡିଜିଟାଲ ଶିକ୍ଷା କ୍ଷେତ୍ରରେ ଓଡ଼ିଶା ଏବେ ବହୁ ପଛରେ। ଏକ୍ଷେତ୍ରରେ ମିଳିଥିବା ମୋଟ ୫୦ ମାର୍କ ମଧ୍ୟରୁ ମାତ୍ର ୧୧ଟି ଜିଲ୍ଲା ଦୁଇ ଅଙ୍କ ଛୁଇଁବାରେ ସକ୍ଷମ ହୋଇଛନ୍ତି। ଖୋର୍ଦ୍ଧା(୧୫), କଟକ(୧୫), ନୟାଗଡ଼(୧୪), ଭଦ୍ରକ(୧୩), ଯାଜପୁର(୧୪), ସୁନ୍ଦରଗଡ଼(୧୫), ସମ୍ବଲପୁର(୧୦), ବରଗଡ଼(୧୨), ଝାରସୁଗୁଡ଼ା(୧୧), କେନ୍ଦ୍ରାପଡ଼ା(୧୩), ଗଞ୍ଜାମ(୧୪) ବ୍ୟତୀତ ଅନ୍ୟ ସମସ୍ତ ଜିଲ୍ଲା ପଛରେ ପଡ଼ିଛନ୍ତି। ପରିଚାଳନା ପ୍ରକ୍ରିୟା ପାଇଁ ସମସ୍ତ ଜିଲ୍ଲାକୁ ୫୦ରୁ ଅଧିକ ସ୍କୋର ମିଳିଛି।
ସୂଚନାଯୋଗ୍ୟ ଯେ ପିଜିଆଇ-ଡି ମାଧ୍ୟମରେ ଜିଲ୍ଲାସ୍ତରରେ ବିସ୍ତୃତ ବିଶ୍ଳେଷଣ ପାଇଁ ଏକ ସୂଚକାଙ୍କ ସୃଷ୍ଟି କରି ବିଦ୍ୟାଳୟ ଶିକ୍ଷା ବ୍ୟବସ୍ଥାର ପ୍ରଦର୍ଶନକୁ ଆକଳନ କରିଥାଏ। ୧୪.୯ ଲକ୍ଷ ବିଦ୍ୟାଳୟ, ୯୫ ଲକ୍ଷ ଶିକ୍ଷକ ଏବଂ ବିଭିନ୍ନ ସାମାଜିକ-ଅର୍ଥନୈତିକ ପୃଷ୍ଠଭୂମିରୁ ଆସିଥିବା ପ୍ରାୟ ୨୬.୫ କୋଟି ଛାତ୍ରଛାତ୍ରୀଙ୍କୁ ନେଇ ଚାଲିଥିବା ଭାରତୀୟ ଶିକ୍ଷା ବ୍ୟବସ୍ଥା ବିଶ୍ୱର ବୃହତମ ଶିକ୍ଷା ବ୍ୟବସ୍ଥା।