ରାଜ୍ୟ ସ୍ପେଶାଲ ରିପୋର୍ଟ

ପାଣିପାଗରେ ଅସ୍ବାଭାବିକ ପରିବର୍ତ୍ତନ: ବିଳମ୍ବରେ ଆସିଲା, ପ୍ରବଳ ବର୍ଷିଲା

ଭୁବନେଶ୍ବର : ଏକ ଦଶନ୍ଧି ହେଲା ଓଡ଼ିଶାବାସୀଙ୍କ ସହ ମୌସୁମୀ ଲୁଚକାଳି ଖେଳୁଛି। କେବେ ଜୁନ୍‌ ଦ୍ବିତୀୟ ସପ୍ତାହରେ ତ ଆଉ କେତେବେଳେ ତୃତୀୟ ସପ୍ତାହରେ ଓଡ଼ିଶାରେ ପହଞ୍ଚୁଛି। ବେଳେବେଳେ ସମ୍ପୂର୍ଣ୍ଣ ଓଡ଼ିଶାକୁ ଛୁଇଁବା ପାଇଁ ୩ ଦିନ ଲାଗିଯାଉଛି। ଓଡ଼ିଶା ପାଣିପାଗରେ ଏଭଳି ଅସ୍ବାଭାବିକ ପରିବର୍ତ୍ତନ ଏବେ ସମସ୍ତଙ୍କ ଚିନ୍ତା ବଢ଼ାଇଛି। ବିଳମ୍ବିତ ମୌସୁମୀ ଦ୍ବାରା କେବଳ ଯେ ଚାଷୀ ପ୍ରଭାବିତ ହେଉଛନ୍ତି ତାହା ନୁହେଁ, ବରଂ ତାତିରେ ଆଉଟପାଉଟୁ ହେଉଛନ୍ତି ସାଧାରଣ ଜନତା। ଆଉ ଯେବେ ମୌସୁମୀ ପହଞ୍ଚୁଛି ସେତେବେଳେ ଓଡ଼ିଶାର ପାଣିପାଗ ସମ୍ପୂର୍ଣ୍ଣ ବଦଳି ଯାଉଛି। ଯାହାକି ଏବର୍ଷ ମଧ୍ୟ ଦେଖିବାକୁ ମିଳିଛି। ଯେଉଁ ସମୟରେ ବର୍ଷା ହେବା କଥା ସେତେବେଳେ ନ ହେବାରୁ ଚାଷ ପ୍ରଭାବିତ ହୋଇଛି। ହେକ୍ଟର ହେକ୍ଟର ଜମି ପଡ଼ିଆ ପଡ଼ିଛି। ଆଉ ଯେତେବେଳେ କାଗଜପତ୍ରରେ ସ୍ବାଭାବିକ ବର୍ଷା ହେଉଥିବା ଦର୍ଶାଯାଉଛି ସେତେବେଳକୁ ନେଡ଼ିଗୁଡ଼ କହୁଣୀକୁ ବୋହିଯାଉଛି।

ଗୋଟିଏ ଦିନରେ ଛୁଇଁଗଲା ସାରା ଓଡ଼ିଶା
୫ଦିନରେ ୧୪୫% ଅଧିକ ବର୍ଷିଲା, ବୁଡ଼ାଇଲା

ଚଳିତବର୍ଷର ସ୍ଥିତିକୁ ଦେଖିଲେ ସ୍ବାଭାବିକଠାରୁ ୧୨ ଦିନ ବିଳମ୍ବରେ ଅର୍ଥାତ ଜୁନ୍‌ ୨୨ରେ ଦକ୍ଷିଣ-ପଶ୍ଚିମ ମୌସୁମୀ ଓଡ଼ିଶା ଛୁଇଁଥିଲା। ସେତେବେଳକୁ ନିଅଣ୍ଟିଆ ବର୍ଷା ପରିମାଣ ପାଖାପାଖି ୮୦% ରହିଥିଲା। ତେବେ ମୌସୁମୀ ଛୁଇଁବାର ୫ ଦିନରେ ଜୁନ୍‌ ମାସର ନିଅଣ୍ଟିଆ ବର୍ଷା ଭରଣା ହୋଇଛି। ଜୁନ୍‌ ୧ରୁ ୨୭ ମଧ୍ୟରେ ରାଜ୍ୟରେ ସାଧାରଣ ଭାବେ ୧୮୧.୬ ମିମି ବର୍ଷା ହେବା କଥା। ତେବେ ବର୍ତ୍ତମାନ ସୁଦ୍ଧା ସାରା ରାଜ୍ୟରେ ୧୪୬.୯ ମିମି ବର୍ଷା ରେକର୍ଡ କରାଯାଇଛି। ସ୍ବାଭାବିକଠାରୁ ୧୯% କମ୍‌ ହୋଇଥିଲେ ମଧ୍ୟ ତାହା ସ୍ବାଭାବିକ ପରିସରଭୁକ୍ତ ହୋଇଛି। ଜୁନ୍‌ ୨୩ରେ ସାରା ରାଜ୍ୟରେ ମୌସୁମୀ ସକ୍ରିୟ ହେବାଠାରୁ ୨୭ ତାରିଖ ସୁଦ୍ଧା ରାଜ୍ୟରେ ୧୦୯ ମିମି ବର୍ଷା ହୋଇଛି, ଯାହାକି ସ୍ବାଭାବିକଠାରୁ ୧୪୫% ଅଧିକ। ଅର୍ଥାତ୍‌ ମୌସୁମୀ ଓଡ଼ିଶା ଛୁଇଁବା ପରେ ବର୍ଷାର ପ୍ରଭାବ ବଢ଼ିଛି ଏବଂ ଚାଷ ପାଇଁ ଉପଯୋଗୀ ହେବ ବୋଲି ବିଶେଷଜ୍ଞମାନେ ମତପ୍ରକାଶ କରିଛନ୍ତି।

Skymet Weather

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁଯାୟୀ ୨୦୧୧ରୁ ୨୦୨୩ ମଧ୍ୟରେ ମୌସୁମୀ ଓଡ଼ିଶା ଛୁଇଁବା‌ରେ କେବେ ଏଭଳି ବିଳମ୍ବ ହେଇ ନ ଥିଲା। ଶେଷଥର ପାଇଁ ୨୦୧୯ ଜୁନ୍‌ ୨୧ରେ ଓଡ଼ିଶା ଛୁଇଁଥିବା ବେଳେ ଅବଶିଷ୍ଟ ବର୍ଷଗୁଡ଼ିକରେ ଜୁନ୍‌ ୬ରୁ ୧୮ ତାରିଖ ମଧ୍ୟରେ ଓଡ଼ିଶାରେ ମୌସୁମୀ ବର୍ଷା ଆରମ୍ଭ ହୋଇଯାଇଥିଲା। ୨୦୧୧ ଜୁନ୍‌ ୧୩ରେ ‌ଓଡ଼ିଶା ଛୁଇଁଥିବା ମୌସୁମୀ ସାରା ରାଜ୍ୟରେ ପହଞ୍ଚିବାକୁ ୪ଦିନ ସମୟ ଲଗାଇ ଦେଇଥିଲା। ୨୦୧୪, ୨୦୧୬, ୨୦୧୯ରେ ଓଡ଼ିଶାରେ ମୌସୁମୀ ପହଞ୍ଚିବା ପରଦିନ ହିଁ ସାରା ରାଜ୍ୟକୁ ଅଗ୍ରସର ହୋଇଥିଲା। ୨୦୧୫ରେ ସାରା ରାଜ୍ୟରେ ମୌସୁମୀ ପ୍ରବାହରେ ଅହେତୁକ ବିଳମ୍ବ ଦେଖିବାକୁ ମିଳିଥିଲା। ଜୁନ୍‌ ୧୩ରେ ମୌସୁମୀ ଓଡ଼ିଶାକୁ ସ୍ପର୍ଶ କରିଥିଲେ ବି ସମ୍ପୂର୍ଣ୍ଣ ରାଜ୍ୟରେ ସକ୍ରିୟ ହେବାକୁ ୮ ଦିନ ସମୟ ଲାଗିଯାଇଥିଲା। ଅର୍ଥାତ ଜୁନ୍‌ ୨୧ରେ ସାରା ଓଡ଼ିଶାରେ ମୌସୁମୀ ପହଞ୍ଚିଥିଲା। ୨୦୨୨ ଜୁନ୍‌ରେ ନିଅଣ୍ଟିଆ ସ୍ଥିତି ଲାଗିରହିଥିଲା ଏବଂ ପାଖାପାଖି ୩୯% କମ୍‌ ବର୍ଷା ହୋଇଥିଲା।

Skymet Weather

ଚଳିତବର୍ଷ ବିଳମ୍ବରେ ମୌସୁମୀ ଆସିଥିଲେ ମଧ୍ୟ ୨୪ ଘଣ୍ଟା ମଧ୍ୟରେ ସାରା ରାଜ୍ୟକୁ ଅଗ୍ରସର ହୋଇଯାଇଛି। ଜୁନ୍‌ ୨୨ରେ ଦକ୍ଷିଣ ଓଡ଼ିଶାର ୪ଟି ଜିଲ୍ଲାରେ ପହଞ୍ଚିଥିବା ମୌସୁମୀ ୨୩ ତାରିଖ ପୂର୍ବାହ୍ନ ବେଳକୁ ସାରା ରାଜ୍ୟରେ ସକ୍ରିୟ ହୋଇଥିଲା। ଶକ୍ତିଶାଳୀ ମୌସୁମୀ ପ୍ରବାହ ସହ ସକ୍ରିୟ ଲଘୁଚାପ ଯୋଗୁଁ ୫ ଦିନରେ ରାଜ୍ୟରେ ୧୪୫% ଅଧିକ ବର୍ଷା ହୋଇଛି, ଯାହାକି ଚାଷ କାର୍ଯ୍ୟ ପାଇଁ ଉପଯୋଗୀ ବୋଲି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି। ତାଙ୍କ କହିବାନୁଯାୟୀ ବର୍ତ୍ତମାନ ଧାନ ତଳି ପକାନ୍ତୁ। ଯେହେତୁ ଜୁଲାଇ ୩ ପୂର୍ବରୁ ରାଜ୍ୟରେ ମୌସୁମୀ ସକ୍ରିୟ ହେବାର ସମ୍ଭାବନା କମ୍‌; ତେଣୁ ଯେଉଁଠାରେ ବର୍ଷା କମ୍‌ ହେଉଛି, ଅଧିକ ବର୍ଷା ପାଇଁ ଅପେକ୍ଷା କରନ୍ତୁ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।