ଭୁବନେଶ୍ବର : ଆସନ୍ତା ୫ଦିନ ପର୍ଯ୍ୟନ୍ତ ଓଡ଼ିଶାର ପାଗ ମେଘୁଆ ରହିବା ସହ ସ୍ଥାନେ ସ୍ଥାନେ ହାଲୁକାରୁ ମଧ୍ୟମଧରଣର ବର୍ଷା ହୋଇପାରେ। ଗୁରୁବାର ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ପାଣିପାଗ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାସଙ୍କ ସୂଚନା ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ରେକର୍ଡ କରାଯାଇଛି। ଓଡ଼ିଶାରେ ହାରାହାରି ୧୦.୫ ମିମି ବର୍ଷା ରେକର୍ଡ ହୋଇଛି, ଯେତେବେଳେ କି ସ୍ବାଭାବିକ ବର୍ଷା ୧୦.୭ ମିମି ହେବା କଥା। ଆଗାମୀ ୨୪ ଘଣ୍ଟା ମଧ୍ୟରେ ଆଭ୍ୟନ୍ତରୀଣ ଓଡ଼ିଶାରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହୋଇପାରେ। ବାକି ସ୍ଥାନଗୁଡ଼ିକରେ ମେଘୁଆ ପାଗ ରହିବା ସହ କେତେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା ୨ରୁ ୩ ଦିନ ଯାଏ ବର୍ଷା କମ୍ ରହିବ। ଏହାପରେ ଉପକୂଳ ଓଡ଼ିଶରେ ବର୍ଷା ପରିମାଣ ପୁଣିଥରେ ବଢ଼ିବାର ସମ୍ଭାବନା ରହିଛି।
ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି. ପୂର୍ବାନୁମାନ ଅନୁଯାୟୀ ବର୍ଷା ହୋଇଛି। ଆସନ୍ତା ୬ଦିନ ପର୍ଯ୍ୟନ୍ତ ରାଜ୍ୟରେ ମୌସୁମୀ ସକ୍ରିୟ ରହିବ ନାହିଁ ଏବଂ ବିକ୍ଷିପ୍ତ ବର୍ଷା ହେବ। ୨୯ ତାରିଖଠାରୁ ତାପମାତ୍ରା ବଢ଼ିବ। ପାଗ ଆଂଶିକ ମେଘୁଆ ରହିପାରେ। ଜୁଲାଇ ଦ୍ବିତୀୟ ସପ୍ତାହରେ ଆଉ ଏକ ଲଘୁଚାପ ବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ପ୍ରଭାବରେ ପୁଣି ମୌସୁମୀ ସକ୍ରିୟ ହୋଇପାରେ।