ପର୍ଯ୍ୟଟନ

ପରିବେଶ ପର୍ଯ୍ୟଟନରୁ ବଢିଛି ଆୟ, ଏହାର ଅଭିବୃଦ୍ଧି ପାଇଁ ଚଳିତବର୍ଷ ବଜେଟରେ 19 କୋଟି ଟଙ୍କା ବ୍ୟବସ୍ଥା

ପରିବେଶ ପର୍ଯ୍ୟଟନରୁ ବଢିଛି ଆୟ। 2019-20 ଆର୍ଥିକ ବର୍ଷରେ 46 ହଜାରରୁ ଅଧିକ ପର୍ଯ୍ୟଟକ ପରିବେଶ ପର୍ଯ୍ୟଟନର ସୁଯୋଗ ନେଇଥିଲେ। ଏଥିରୁ 6 କୋଟି 85 ଲକ୍ଷ ଟଙ୍କାର ରାଜସ୍ଵ ମିଳିଥିଲା। 5 ବର୍ଷିଆ ଯୋଜନା ମାଧ୍ୟମରେ 18ଟି ଜିଲ୍ଲାରେ 47ଟି ପରିବେଶ ପର୍ଯ୍ୟଟନ ସ୍ଥଳୀକୁ ବିକଶିତ କରାଯାଇଛି। କେବଳ ଶିମିଳିପାଳ ଓ ସାତକୋଶିଆ ପରିବେଶ ପର୍ଯ୍ୟଟନ କ୍ଷେତ୍ରରୁ ସ୍ଥାନୀୟ ଅଧିବାସୀମାନେ ଗତ ଦୁଇ ବର୍ଷରେ 2 କୋଟି ଟଙ୍କା ଉପାର୍ଜନ କରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ପରିବେଶ ପର୍ଯ୍ୟଟନର ଅଭିବୃଦ୍ଧି ପାଇଁ ଚଳିତବର୍ଷ ବଜେଟରେ 19 କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି। ଏନେଇ ବିଧାନସଭାରେ ବିବୃତ୍ତି ରଖିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ।

ବନ୍ୟପ୍ରାଣୀ ସପ୍ତାହ ଅବସରରେ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁଯାୟୀ, ପରିବେଶ ପର୍ଯ୍ୟଟନ ସ୍ଥଳୀରୁ ବର୍ଷକୁ ବର୍ଷ ରାଜସ୍ଵ ବଢିବାରେ ଲାଗିଛି। 2016-17 ଆର୍ଥିକ ବର୍ଷରେ 11 ହଜାର ପର୍ଯ୍ୟଟକ ପରିବେଶ ପର୍ଯ୍ୟଟନ ସ୍ଥଳୀରେ ରହିଥିବା ବେଳେ 1.57 କୋଟି ଟଙ୍କା ଆୟ ହୋଇଥିଲା। ସେହିପରି 2017-18ରେ 17 ହଜାର 148 ପର୍ଯ୍ୟଟକଙ୍କ ଠାରୁ 3.40 କୋଟି, 2018-19ରେ 29 ହଜାର ପର୍ଯ୍ୟଟକଙ୍କ ଠାରୁ 5.61 କୋଟି ଓ 2019-20ରେ ସର୍ବାଧିକ 46 ହଜାର ପର୍ଯ୍ୟଟକଙ୍କ ଠାରୁ 6.85 କୋଟି ଟଙ୍କା ରାଜସ୍ଵ ଆୟ ହୋଇଥିଲା।

2019ରେ ନୂଆକରି 7ଟି ସ୍ଥାନକୁ ପରିବେଶ ପର୍ଯ୍ୟଟନ ସ୍ଥଳୀରେ ସାମିଲ କରାଯିବା ପରେ ଓଡ଼ିଶାରେ ପରିବେଶ ପର୍ଯ୍ୟଟନ ସ୍ଥଳୀ ସଂଖ୍ୟା 47ରେ ପହଞ୍ଚିଛି। ଏଠାରେ 333ଟି ରୁମ୍ ରହିଛି। ଯେଉଁଠାରେ ପ୍ରତିଦିନ 1010 ପର୍ଯ୍ୟଟକ ରହିପାରିବେ। ଇକୋ ଟୁରିଜିମ୍ ନେଚର କ୍ୟାମ୍ପରେ ଏବେ 600ରୁ ଅଧିକ କମ୍ୟୁନିଟି ସଦସ୍ୟ ସାମିଲ ହୋଇଛନ୍ତି। ପର୍ଯ୍ୟଟକଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ବିଚିତ୍ରାପୁର, କୁମାରୀ, ଶିମିଳିପାଳର ଗୁରଗୁରିଆ, କନ୍ଧମାଳର ମଣ୍ଡାସୁର ପରିବେଶ ପର୍ଯ୍ୟଟନ ସ୍ଥଳିରେ 19ଟି ନୂଆ ରୁମ୍ ସାମିଲ ହୋଇଛି।

ଆହୁରି ମଧ୍ୟ 2016ରୁ ଏବେ ସୁଦ୍ଧା ରାଜ୍ୟର 20ଟି ନେଚର କ୍ୟାମ୍ପରେ ବୋଟିଂ ସୁବିଧା ହୋଇଛି। ଦେବ୍ରିଗଡ଼-ହୀରାକୁଦ ରିଜର୍ଭର, ଭିତରକନିକା, ସାତକୋଶିଆ, ରିସିଆ, ବାଲେଶ୍ଵରର ବିଚିତ୍ରାପୁର, ଚିଲିକା ଆଦି ସ୍ଥାନରେ ଭାସମାନ ଜେଟ, ଜୀବନ ସୁରକ୍ଷା ଜାକେଟ ଆଦିର ବ୍ୟବସ୍ଥା କରାଯାଇଛି। ଚନ୍ଦକା ଅଭୟାରଣ୍ୟର ଡେରାସ ଡ୍ୟାମରେ ବୋଟିଂ ସୁବିଧା ଉପଲବ୍ଧ ହୋଇଛି। ଏହି ସ୍ଥାନ କଟକ ଓ ଭୁବନେଶ୍ଵରକୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ଉପଯୋଗୀ ହେବ।

ଚନ୍ଦକାରେ ଆରମ୍ଭ ହୋଇଥିବା ଜଙ୍ଗଲ ସଫାରି ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଚନ୍ଦକା ଓ ଦେବ୍ରିଗଡ଼ ଜଙ୍ଗଲରେ ବୁଲିବା ଲାଗି 2017-18ରୁ ଆଜି ପର୍ଯ୍ୟନ୍ତ 18ଟି ଜଙ୍ଗଲ ସଫାରି ଗାଡ଼ି ରହିଛି। ଏଥିରେ 172 ଜଣ ପର୍ଯ୍ୟଟକ ବୁଲିପାରିବେ। ଏଥିସହ କ୍ରୀଡା, ସାଇକେଲିଂ, ସାଂସ୍କୃତିକ କାର୍ଯ୍ୟକ୍ରମ, ଲାଇବ୍ରେରୀ, ବନ୍ୟପ୍ରାଣୀ ସମ୍ପର୍କିତ ଚଳଚ୍ଚିତ୍ର ବିଭିନ୍ନ ପରିବେଶ ପର୍ଯ୍ୟଟନ ସ୍ଥଳୀରେ ପ୍ରଦର୍ଶିତ ହେଉଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

ପର୍ଯ୍ୟଟନ

ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ

ଦୀର୍ଘଦିନ ପରେ କରୋନା କଟକଣା ମଧ୍ୟରେ ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ବିଶ୍ୱ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ। କୋଭିଡ କଟକଣା ମାନି ଜାତୀୟ ଉଦ୍ୟାନରେ ବୁଲି