ବାଚସ୍ପତି ଚୌକି… ପ୍ରଶାସନ…ମିସନ ଶକ୍ତି ଆନ୍ଦୋଳନ…ବିରୋଧୀଙ୍କ ସ୍ବର, ବିଜ୍ଞାନ, ଖେଳ…। ଏମିତି ତାଲିକା ଦେଉଥିଲେ ଲମ୍ବି ଚାଲିବ। ‘ପୁରୁଷଙ୍କ ସହ ମହିଳାଙ୍କୁ ସମାନ ଅଧିକାର’ ଏବେ ଆଉ ପ୍ରସଙ୍ଗ ହୋଇ ରହିିନାହିଁ। ବରଂ ଏସବୁ କ୍ଷେତ୍ରରେ ଓଡ଼ିଶାର ମହିଳାମାନେ ଆଗକୁ ଯାଇଛନ୍ତି। ଢେର୍ ଆଗକୁ। ପ୍ରତିଦିନ ପ୍ରତି କ୍ଷେତ୍ରରେ ନୂଆ ନୂଆ ଉଦାହରଣ ସୃଷ୍ଟି କରୁଛନ୍ତି ଓଡ଼ିଆ ଝିଅ, ବୋହୂ। ଅନ୍ୟମାନଙ୍କ ପାଇଁ ପାଲଟିଛନ୍ତି ପ୍ରେରଣାର ଉତ୍ସ। ୨୦୨୩ ଓଡ଼ିଶାରେ ମହିଳା ସଶକ୍ତୀକରଣର ବର୍ଷ କହିଲେ ଅତ୍ୟୁକ୍ତି ହେବ ନାହିଁ। ଗୁରୁତ୍ବପୂର୍ଣ୍ଣ କଥାଟି ହେଲା, କେନ୍ଦ୍ର ସରକାର ବିଧାନସଭା ଓ ଲୋକସଭା ନିର୍ବାଚନରେ ମହିଳାଙ୍କ ପାଇଁ ୩୩% ସ୍ଥାନ ସଂରକ୍ଷଣ କରିଛନ୍ତି। ଓଡ଼ିଶାର ମହିଳା ଏଥିପାଇଁ ପ୍ରସ୍ତୁତ, ଏ ସଙ୍କେତ ଏବେଠୁ ଦେଇସାରିଲେଣି। ଓଡ଼ିଶାରେ ମହିଳା ସଶକ୍ତୀକରଣ ଝଲକ୍ ସବୁଠି, ସବୁ କ୍ଷେତ୍ରରେ ପ୍ରତିଫଳିତ ହେଲାଣି।
ବାଚସ୍ପତି ମହୋଦୟା!
୨୦୨୩ ଓଡ଼ିଶା ବିଧାନସଭାର ପ୍ରଥମ ମହିଳା ବାଚସ୍ପତିଙ୍କୁ ପାଇଛି। ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ ବାଚସ୍ପତି ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି। ତାଙ୍କ ଅଧ୍ୟକ୍ଷତାରେ ବିଧାନସଭାର ଦୁଇଟି ଅଧିବେଶନ ବସିସାରିଛି। ରାଜ୍ୟରେ ମହିଳା ସଶକ୍ତୀକରଣ କ୍ଷେତ୍ରରେ ଏହା ଏକ ବଡ଼ ଉଦାହରଣ ଭାବେ ଗଣାଯାଉଛି। ଶ୍ରୀମତୀ ମଲ୍ଲିକ ୬ ଥର ବିଧାନସଭାକୁ ନିର୍ବାଚିତ ହୋଇସାରିଲେଣି। ବିଭିନ୍ନ ବିଭାଗର ମନ୍ତ୍ରୀ ଭାବେ ତାଙ୍କର କାର୍ଯ୍ୟଦକ୍ଷତା ରହିଛି।
ବିଶ୍ବରେ ପ୍ରଭାବଶାଳୀ ସୋମା
ଫୋର୍ବସ୍ ପକ୍ଷରୁ ଜାରି ବିଶ୍ବର ଶ୍ରେଷ୍ଠ ୧୦୦ ପ୍ରଭାବଶାଳୀ ମହିଳାଙ୍କ ମଧ୍ୟରେ ସୋମା ମଣ୍ଡଳଙ୍କ ନାମ ରହିଛି। ସେ ଭୁବନେଶ୍ବରର ଏକ ମଧ୍ୟବିତ୍ତ ପରିବାରରେ ଜନ୍ମ। ବାପା ଡ. ହରି କୁମାର ଦାସଗୁପ୍ତା ଓ ମା’ ଅପର୍ଣ୍ଣା ଦାସଗୁପ୍ତା। ଭୁବନେଶ୍ବରରେ ସ୍କୁଲଶିକ୍ଷା ପରେ ଆର୍ଇସି-ରାଉରକେଲାରୁ ତାଙ୍କର ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂ ଡିଗ୍ରି ହାସଲ ଓ ନାଲ୍କୋରୁ ବୃତ୍ତିଗତ ଜୀବନ ଆରମ୍ଭ। ପରେ ସେଲ୍ ନିର୍ଦ୍ଦେଶିକା (କମର୍ସିଆଲ୍) ଓ ୨୦୨୧ରୁ ସେ କଂପାନିର ଅଧ୍ୟକ୍ଷା ଦାୟିତ୍ବ ଗ୍ରହଣ କରିଥିଲେ। ତାଙ୍କୁ ଇସ୍ପାତ ଜଗତର ରାଣୀ ବିବେଚନା କରାଯାଏ।
![](https://sambad.in/wp-content/uploads/2023/12/hfshfhsfhhhffsh-1.jpg)
ବିରୋଧୀଙ୍କ ସ୍ବର ଅପରାଜିତା
ପ୍ରଶାସିକାରୁ ରାଜନେତା ପାଲଟିଥିବା ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ବର୍ଷସାରା ଚର୍ଚ୍ଚାରେ। ବିଜେପିରେ ନିଆରା ସ୍ବର ଭାବେ ସେ ଉଭା ହୋଇଛନ୍ତି। ବିଶେଷକରି ସରକାର ବିରୋଧୀ ସ୍ବର ପାଲଟିଛନ୍ତି ଅପରାଜିତା। ସରକାରଙ୍କୁ ଶାଣିତ ଆକ୍ରମଣ କରିବାର କୌଣସି ସୁଯୋଗ ହାତଛଡ଼ା କରିନାହାନ୍ତି। ଏହା ହିଁ ଉଭୟ ଜାତୀୟ ଓ ରାଜ୍ୟ ବିଜେପିର ଆଭ୍ୟନ୍ତରୀଣ ରାଜନୀତିରେ ତାଙ୍କୁ ସ୍ବତନ୍ତ୍ର ଭାବେ ପରିଚିତ କରାଇଛି। ଭୁବନେଶ୍ବର ସଂସଦ କ୍ଷେତ୍ରରେ ତାଙ୍କର କାର୍ଯ୍ୟକଳାପ ଶାସକ ଦଳକୁ ବେଶ୍ ଅଡ଼ୁଆରେ ପକାଇଛି। ବାରମ୍ବାର ବିଜେଡି-ବିଜେପି ମୁହାଁମୁହିଁ ହୋଇଛନ୍ତି, ଖାସ୍ ଅପରାଜିତାଙ୍କ ଲାଗି। ୨୦୨୪ ସାଧାରଣ ନିର୍ବାଚନରେ ଅପରାଜିତା ପୁଣି ଥରେ ସାଂସଦ ପ୍ରାର୍ଥୀ ହେବେ ତାହା ଏକ ପ୍ରକାର ସ୍ପଷ୍ଟ।
ଲମ୍ବା ଯାତ୍ରା ପାଇଁ ପ୍ରସ୍ତୁତ
୨୦୨୨ ଶେଷ ଭାଗକୁ ବର୍ଷା ସିଂହ ବରିହା ପଦ୍ମପୁର ଉପନିର୍ବାଚନରେ ଜିତି ବିଧାନସଭାକୁ ଆସିଥିଲେ। ୨୦୨୩ରେ ଆଉ ଜଣେ ବିଧାୟିକା ବିଧାନସଭାକୁ ପ୍ରବେଶ କଲେ। ସେ ହେଉଛନ୍ତି ଦୀପାଳି ଦାସ। ତତ୍କାଳୀନ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ହତ୍ୟା ପରେ ଝାରସୁଗୁଡ଼ା ଉପନିର୍ବାଚନରେ ଦୀପାଳି ବହୁ ଭୋଟ୍ରେ ବିଜୟ ଲାଭ କରିଥିଲେ। ଏହା ପରେ ବିଧାନସଭାରେ ମହିଳା ପ୍ରତିନିଧିଙ୍କ ସଂଖ୍ୟା ୧୮ରେ ପହଞ୍ଚିଛି। ହେଲେ ଭିନ୍ନ କାରଣରୁ ଦୀପାଳି ଏବେ ଚର୍ଚ୍ଚାରେ। ବିଧାନସଭାରେ ଅନ୍ୟ ମହିଳା ବିଧାୟିକାଙ୍କ ତୁଳନାରେ ତାଙ୍କର ସକ୍ରିୟତା ଅଧିକ। ସେତିକି ନୁହେଁ, ଜଣେ ଦକ୍ଷ ନାରୀ ନେତ୍ରୀ ଭାବେ ସେ ପଶ୍ଚିମରୁ ଉପକୂଳ ଓଡ଼ିଶା ଯାଏ ସବୁଠି ଛାପ ଛାଡ଼ିବାକୁ ପ୍ରୟାସରତ ଅଛନ୍ତି।
![](https://sambad.in/wp-content/uploads/2023/12/sfhsffhhffh.jpg)
ସୁଜାତା ଭରସା
ସରକାରଙ୍କ ମହିଳା କାର୍ଡର ଅସଲ ଅସ୍ତ୍ର ହେଉଛି ‘ମିସନ ଶକ୍ତି’। ଆଉ ଏହାର ମଙ୍ଗ ଧରିଛନ୍ତି ସୁଜାତା କାର୍ତ୍ତିକେୟନ୍। ମିସନ ଶକ୍ତି ଆନ୍ଦୋଳନକୁ ଘରେ ଘରେ ପହଞ୍ଚାଇବା ଲାଗି ତାଙ୍କ ପଦକ୍ଷେପ ହିଁ ବର୍ଷ ସାରା ସୁଜାତାଙ୍କୁ ଚର୍ଚ୍ଚାରେ ରଖିଛି। ରାଜ୍ୟର ଅନ୍ୟତମ କ୍ଷମତାଶାଳୀ ଅଧିକାରୀ ଭାବେ ମଧ୍ୟ ସେ ଜଣାଶୁଣା। ମିସନ ଶକ୍ତି ସ୍ବତନ୍ତ୍ର ବିଭାଗ ହେବା ଦିନ ଠାରୁ ଶ୍ରୀମତୀ କାର୍ତ୍ତିକେୟନ୍ ଏହାର ସଚିବ ଭାବେ ଦାୟିତ୍ବ ତୁଲାଉଛନ୍ତି।
୨୦୨୪ ନିର୍ବାଚନ ଲାଗି ବର୍ଷ ତମାମ ମିସନ ଶକ୍ତିକୁ ସରକାର ପ୍ରାଥମିକତା ଦେଇ ଆସିଛନ୍ତି। ସ୍ବାଭାବିକ ଭାବେ ସମସ୍ତଙ୍କ ନଜର ତାଙ୍କ ଉପରେ ରହିଛି। ମହିଳା ଏସ୍ଏଚ୍ଜିମାନେ ଗତବର୍ଷ ୧୧ ହଜାର କୋଟି ଟଙ୍କା ଋଣ ନେଇଥିଲେ। ଏବର୍ଷ ଏହା ୧୫ ହଜାର କୋଟି ଟଙ୍କା ଛୁଇଁବ। ମିସନ ଶକ୍ତି ମହିଳାଙ୍କୁ ସ୍କୁଟି ପ୍ରଦାନ ଗୋଟିଏ ବଡ଼ ପ୍ରସଙ୍ଗ ପାଲଟିଥିଲା। ହଁ, ନିର୍ବାଚନ ବର୍ଷରେ ରାଜ୍ୟ ସରକାରଙ୍କର ଅନ୍ୟତମ କାର୍ଡ ହେଉଛି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି। ଏହି ବିଭାଗର ସଚିବ ଭାବେ ମଧ୍ୟ ସୁଜାତାଙ୍କୁ ସରକାର ନିଯୁକ୍ତି ଦେଇଛନ୍ତି। ଆଗକୁ ବିଶ୍ବ ଓଡ଼ିଆ ସମ୍ମିଳନୀ। ଏହାକୁ ସଫଳତାର ସହ ସାରିବା ମଧ୍ୟ ସଚିବଙ୍କର ଅନ୍ୟତମ ଗୁରୁ ଦାୟିତ୍ବ।
ଚମକିଲେ ‘ବିହନ ଦିଦି’
![](https://sambad.in/wp-content/uploads/2023/12/sfhhffff-3.jpg)
‘ବିହନା ଦିଦି’ ନାମରେ ପରିଚିତ ଭାରତୀୟ କୃଷି ବୈଜ୍ଞାନିକ ସ୍ୱାତୀ ନାୟକ ସମ୍ମାନଜନକ ନର୍ମାନ ବୋର୍ଲାଗ ଫିଲ୍ଡ ଆୱାର୍ଡ ୨୦୨୩ ହାସଲ କରିଛନ୍ତି। ଓଡ଼ିଶାର ପ୍ରଥମ ଓ ତୃତୀୟ ଭାରତୀୟ କୃଷି ବୈଜ୍ଞାନିକ ଭାବେ ସେ ଏହି ପୁରସ୍କାର ପାଇଛନ୍ତି। ଅନ୍ତର୍ଜାତୀୟ କୃଷି ଓ ଖାଦ୍ୟ ଉତ୍ପାଦନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ନୋବେଲ୍ ପୁରସ୍କାର ପ୍ରାପ୍ତ ଡକ୍ଟର ନର୍ମାନ ବୋର୍ଲାଗଙ୍କ ସ୍ମୃତିରେ ୱାର୍ଲ୍ଡ ଫୁଡ୍ ପ୍ରାଇଜ୍ ଫାଉଣ୍ଡେସନ୍ ପକ୍ଷରୁ ନର୍ମାନ ବୋର୍ଲାଗ ଫିଲ୍ଡ ଆୱାର୍ଡ ୨୦୨୩ ପ୍ରଦାନ କରାଯାଇଥାଏ। ବର୍ତ୍ତମାନ ଫିଲିପାଇନ୍ସର ମାନିଲାସ୍ଥିତ ସିଜିଆଇଏଆର- ଅନ୍ତର୍ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନ (ଆଇଆରଆରଆଇ) ଦକ୍ଷିଣ ଏସିଆ ଆଞ୍ଚଳିକ ମୁଖ୍ୟ ବିହନ ପ୍ରଣାଳୀ ଏବଂ ଉତ୍ପାଦ ପରିଚାଳନା ପାଇଁ କାର୍ଯ୍ୟ କରୁଥିବା ସ୍ବାତୀ ସମଗ୍ର କୃଷି ସମ୍ପ୍ରସାରଣ ଓ ପ୍ରଯୁକ୍ତି ବିଦ୍ୟା ହସ୍ତାନ୍ତର ଚାମ୍ପିଅନ୍ ଭାବେ କାର୍ଯ୍ୟ କରୁଛନ୍ତି। ସ୍ବାତୀ ଏପର୍ଯ୍ୟନ୍ତ ଏସିଆ ଓ ଆଫ୍ରିକାର ବିଭିନ୍ନ ପରିବେଶରେ ହଜାର ହଜାର କ୍ଷୁଦ୍ର ଚାଷୀଙ୍କ ସହ କାମ କରି ୫୦୦ରୁ ଅଧିକ ଧାନ ପ୍ରଜାତି ପାଇଁ ୧୦,୦୦୦ରୁ ଅଧିକ ବ୍ୟାପକ କୃଷି ପରୀକ୍ଷଣ କରିଛନ୍ତି। ଓଡ଼ିଶାରେ ମରୁଡ଼ି ସହନଶୀଳ ଧାନ ପ୍ରଜାତି ‘ସହଭାଗୀ ଧାନ’ କିସମ ପ୍ରଚଳନ କରିଥିବାରୁ ତାଙ୍କୁ ‘ବିହନ ଦିଦି’ କୁହାଯାଉଛି।
ନୂଆ ଭୂମିକାରେ ସନ୍ଲିସା, ନୈନା
ପଶ୍ଚିମ ଓଡି଼ଶାର ଝିଅ ସନ୍ଲିସା ପଟେଲ ଫେସନ୍ ଡିଡାଇନିଂରୁ ମୁହଁବୁଲାଇ ପ୍ରଯୋଜିକା ଭାବେ ଉଭା ହୋଇଛନ୍ତି। ତାଙ୍କ ଫିଲ୍ମ ‘ପ୍ରଥା’ ଭିନ୍ନ କାରଣରୁ ଚର୍ଚ୍ଚାରେ। ହଁ, ବିଧାନସଭା ଆଗରେ ତାଙ୍କ ଧାରଣା ପରେ ନୂଆ ସିନେମା ନୀତି ପାଇଁ ସରକାର ପ୍ରତିଶ୍ରୁତି ଦେଇଛନ୍ତି। ଠିକ୍ ସେମିତି ଦୁଇ ଦଶନ୍ଧି ସିନେ ପରଦାର ଚିହ୍ନା ମୁହଁ ନୈନା ଦାସ ପ୍ରଯୋଜିକା ଭାବେ ନୂଆ ଯାତ୍ରା ଆରମ୍ଭ କରିଛନ୍ତି। ପୃଥ୍ବୀରାଜଙ୍କ ସହ ମିଶି ସେ ପ୍ରସ୍ତୁତ କରିଥିବା ଫିଲ୍ମ ‘ମାଇଁ ସୁଇଟ୍ ହାଉସ୍ ୱାଇଫ୍’ଏବେ ପ୍ରଶଂସା ସାଉଁଟୁଛି।
ଉଦିତ ପ୍ରତିଭା ସ୍ବସ୍ତି
ଓଡ଼ିଶା ସାଇକ୍ଲିଂ ଦୁନିଆର ଉଦିତ ପ୍ରତିଭା ହେଲେ ସ୍ବସ୍ତି ସିଂହ। ୨୦୨୩ ବର୍ଷସାରା ଚର୍ଚ୍ଚାରେ ରହିଥିଲେ ରାଉରକେଲା ଝିଅ ସ୍ବସ୍ତି। ତିନୋଟି ପ୍ରମୁଖ ପ୍ରତିଯୋଗିତାରେ ସ୍ବର୍ଣ୍ଣ ପଦକ ଜିତିଥିଲେ। ଜାତୀୟ ସାଇକ୍ଲିଂ ପ୍ରତିଯୋଗିତା, ଖେଲୋ ଇଣ୍ଡିଆ ସାଇକ୍ଲିଂ ଲିଗ୍, ଅନ୍ତଃବିଶ୍ବବିଦ୍ୟାଳୟ ସାଇକ୍ଲିଂ ପ୍ରତିଯୋଗିତାରେ ପ୍ରଥମ ସ୍ଥାନରେ ରହି ହ୍ୟାଟ୍ରିକ୍ ସ୍ବର୍ଣ୍ଣ ପଦକ ଅର୍ଜନ କରିଥିଲେ। ଏକଲବ୍ୟ ପୁରସ୍କାର ପରେ ସେ ମଧ୍ୟ ବିଦାୟୀ ବର୍ଷରେ ଜିତିଥିଲେ ରାଜ୍ୟ ସରକାରଙ୍କ ସମ୍ମାନଜନକ ବିଜୁ ପଟ୍ଟନାୟକ ପୁରସ୍କାର ଏବଂ ‘ଓସ୍ଜା’ର ବାର୍ଷିକ ପୁରସ୍କାର।
![](https://sambad.in/wp-content/uploads/2023/12/hsfhsfsfff.jpg)
ଶ୍ରୀୟଙ୍କାଙ୍କ ବନ୍ଧୁକ
ବନ୍ଧୁକଚାଳିକା ଶ୍ରୀୟଙ୍କା ଷଡ଼ଙ୍ଗୀଙ୍କ ପାଇଁ ଓଡ଼ିଶା କ୍ରୀଡ଼ା ଦୁନିଆ ବି ଗର୍ବିତ ଓ ଗୌରବାନ୍ବିତ ହୋଇଛି। ପ୍ରଥମ ଓଡ଼ିଆ ମହିଳା ଭାବେ ୨୦୨୪ ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି ଶ୍ରୀୟଙ୍କା। କର୍ଣ୍ଣେଲ୍ କ୍ରିକେଟର୍ ସୀତାଂଶୁ ଷଡ଼ଙ୍ଗୀଙ୍କ ଝିଅ ଶ୍ରୀୟଙ୍କା ୨୦୨୩ରେ ଏସୀୟ ଦଳଗତ ବନ୍ଧୁକଚାଳନା ସ୍ବର୍ଣ୍ଣ ବିଜୟୀ ଭାରତୀୟ ଦଳର ସଦସ୍ୟ ଥିଲେ। କୋରିଆର ଚାଙ୍ଗୱନରେ ଅନୁଷ୍ଠିତ ଏହି ଏସୀୟ ପ୍ରତିଯୋଗିତାର ମହିଳା ରାଇଫଲ୍ ୩ ପୋଜିସନ୍ ଇଭେଣ୍ଟ୍ରେ ପ୍ରଭାବୀ ପ୍ରଦର୍ଶନ କରି ପ୍ୟାରିସ୍ ଟିକେଟ୍ ପାଇବା ସବୁଠାରୁ ଉଲ୍ଲେଖନୀୟ ଥିଲା। ୨୦୨୨ରେ ଏହି ଇଭେଣ୍ଟରେ ଶ୍ରୀୟଙ୍କା ଇଜିପ୍ଟର କାଏରୋରେ ଅନୁଷ୍ଠିତ ବିଶ୍ବକପ୍ରେ ମଧ୍ୟ କାଂସ୍ୟ ପଦକ ଜିତିଥିଲେ।
ଜ୍ୟୋତ୍ସ୍ନାଙ୍କ ହାତରେ ସ୍ବର୍ଣ୍ଣ
୨୦୨୩ରେ କ୍ରୀଡ଼ା କ୍ଷେତ୍ରରେ ନିଜ ଚମକ ଛାଡ଼ିଥିଲେ ଯୁବ ଭାରୋତ୍ତୋଳିକା ଜ୍ୟୋତ୍ସ୍ନା ଶବର। ଏକାଧିକ ପ୍ରତିଯୋଗିତାରେ ପଦକ ଜିତିଥିଲେ ଏହି ଯୁବ ପ୍ରତିଭା। ଆଲବାନିଆର ଡୁରେସ୍ରେ ଅନୁଷ୍ଠିତ ବିଶ୍ବ ଯୁବ ଭାରୋତ୍ତୋଳନ ପ୍ରତିଯୋଗିତା ପଦାର୍ପଣରେ ମହିଳା ୪୦ କିଲୋଗ୍ରାମ ଶ୍ରେଣୀରେ କାଂସ୍ୟ ପଦକ ହାସଲ କରି ବଡ଼ ସଫଳତା ଆଣିଥିଲେ। ସ୍ନାଚ୍ରେ ୫୩ ଓ କ୍ଲିନ୍ ଆଣ୍ଡ୍ ଜର୍କରେ ୬୨ କିଲୋଗ୍ରାମ ଉଠାଇ ସେ ମୋଟ ୧୧୫ କିଲୋଗ୍ରାମ ଉତ୍ତୋଳନ କରିଥିଲେ। ଗଜପତି ଜିଲ୍ଲା ରାୟଗଡ଼ା ବ୍ଲକ ପେକଟା ଗାଁର ଏହି ଆଦିବାସୀ ଝିଅ ଜାତୀୟ ଓ ରାଜ୍ୟଗୋଷ୍ଠୀ ଭାରୋତ୍ତୋଳନରୁ ସ୍ବର୍ଣ୍ଣ ପଦକ ଜିତିଛନ୍ତି ଏଇ ବର୍ଷ।