ରାଜ୍ୟ ସ୍ପେଶାଲ ରିପୋର୍ଟ

ଟାଙ୍ଗୀବ୍ଲକ୍‌ ଅଚ୍ୟୁତପୁର ପଞ୍ଚାୟତରେ ପାନୀୟଜଳ ସଙ୍କଟ, ଲୋକେ ପିଉଛନ୍ତି ପୋଖରୀ ପାଣି

ନିରାକାରପୁର : ଟାଙ୍ଗୀବ୍ଲକ୍‌ ଅଚ୍ୟୁତପୁର ପଞ୍ଚାୟତର ୧୧ ଓ ୧୨ ନମ୍ବର ୱାର୍ଡରେ ପାନୀୟ ଜଳ ସଙ୍କଟ ଦିନକୁ ଦିନ ଉତ୍କଟ ହେବାରେ ଲାଗିଛି। ଟାଙ୍ଗରା ଅଞ୍ଚଳ ସହ ବିଭିନ୍ନ ଜଳଉତ୍ସ ଧୀରେଧୀରେ ଶୁଖି ଚାଲିଥିବାରୁ ଏଠାକାର ୧୨୦୦ରୁ ଊର୍ଦ୍ଧ୍ବ ବାସିନ୍ଦା ଏବେଠୁ ଘୋର ଜଳ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

ଏହି ଦୁଇଟି ୱାର୍ଡରେ ସରକାରଙ୍କ ତରଫରୁ ଖୋଳାଯାଇଥିବା ୮ଟିରୁ ୬ଟି ନୂଳକୂଅ ଏବେ ସଂପୂର୍ଣ୍ଣ ଅଚଳ ହୋଇ ପଡ଼ିରହିଛି। ଫଳରେ ଅଞ୍ଚଳବାସୀ କେବଳ ୨ଟି ସଚଳ ନୂଳକୂଅ ଉପରେ ନିର୍ଭର କରିବାକୁ ବାଧ୍ୟ ହେଉଛନ୍ତି। ମାତ୍ରାଧିକ ବ୍ୟବହାର ଯୋଗୁ ଏହି ୨ ନୂଳକୂଅର ବିଭିନ୍ନ ଯନ୍ତ୍ରାଂଶ ଖରାପ ହେବାରେ ଲାଗିଛି। ଟୋପାଏ ପାଣି ପାଇଁ ୨୦ରୁ ଅଧିକ ଥର ହ୍ୟାଣ୍ଡଲ୍ ବାଡ଼େଇବାକୁ ପଡ଼ୁଛି। ଶେଷରେ ଯେଉଁ ଟୋପାଏ ପାଣି ବାହାରୁଛି, ତାହା ଅନୁପଯୋଗୀ ହୋଇପଡ଼ୁଛି। ତଥାପି ଅଞ୍ଚଳର ମହିଳାମାନେ ପାଣି ନେବା ପାଇଁ ନୂଳକୂଅ ପାଖରେ ଭୋର୍‌ରୁ ଧାଡ଼ି ଦେବାକୁ ବାଧ୍ୟ ‌ହେଉଥିବା କନକ ପାତ୍ର, କୁନି ରାଉତ ପ୍ରମୁଖ ମହିଳା କହିଛନ୍ତି। ଅନ୍ୟ ଉପା‌ୟ ନପାଇ ବହୁ ମହିଳା ଦୂଷିତ ପୋଖରୀ ପାଣି ଘରକୁ ନେଉଛନ୍ତି ବୋଲି କାଳିକା ଭଟ୍ଟ, ସୁଷମା ରାଉତ ପ୍ରମୁଖ ଦୁଃଖର ସହ ଜଣାଇଛନ୍ତି।

ପାନୀୟଜଳ ସମସ୍ୟାକୁ ନେଇ ବାରମ୍ବାର ପ୍ରଶାସନକୁ ଅବଗତ କରାଯିବା ପରେ ଗତ ୨/୩ବର୍ଷତଳେ ସ୍ଥାନୀୟ ଅଙ୍ଗନବାଡ଼ି କେନ୍ଦ୍ର ସନ୍ନିକଟରେ ବୋରିଂ କାର୍ଯ୍ୟ ଆରମ୍ଭ ହୋଇଥିଲା। ଫଳରେ ଏଠାକାର ଜଳସଙ୍କଟ ଦୂର ହେବାର ଆଶା ସଂଚାର ହୋଇଥିଲା। ହେଲେ ଉକ୍ତ ସ୍ଥାନରେ କେବଳ ବୋରିଂ କରି ପ୍ରଶାସନ ତା’ର ଦାୟିତ୍ବ ଶେଷ କରି ଦେଇଛି। ବୋରିଂକୁ ନା ଅଛି ସଂଯୋଗ, ନା’ ଲୋକଙ୍କ ଘରକୁ ପଡ଼ିଛି ପାଇପ୍ ବୋଲି ଅଭିମାନ ଭରା କଣ୍ଠରେ କହିଛନ୍ତି ସ୍ଥାନୀୟ ବାସିନ୍ଦା ମାଧବ ଭଟ୍ଟ, ମନୋଜ ରାଉତ, ସର୍ବେଶ୍ୱର ରାଉତ ପ୍ରମୁଖ। ଏନେଇ ବିଭାଗୀୟ ଖୋର୍ଦ୍ଧା ଏସଡିଓଙ୍କୁ ପଚାରିବାରେ ସଂପୃକ୍ତ ଅଞ୍ଚଳର ଯନ୍ତ୍ରୀ ଟ୍ରେନିଂରେ ଥିଲେ। ଟାଙ୍ଗୀ ଯନ୍ତ୍ରୀଙ୍କ ସହ ଆଲୋଚନା କରି ଯଥାଶୀଘ୍ର ଏଥିପ୍ରତି ଦୃଷ୍ଟି ଦିଆଯିବ ବୋଲି ‘ସମ୍ବାଦ’କୁ କହିଥିଲେ। ତେବେ ପ୍ରବଳ ଗ୍ରୀଷ୍ମ ପ୍ରବାହ ପାଇଁ ବିଭାଗୀୟ ଉଚ୍ଚକର୍ତ୍ତୃପକ୍ଷ ତୁରନ୍ତ ଏଥିପ୍ରତି ଦୃଷ୍ଟିଦେବାକୁ ୯ନମ୍ବର ଜୋନର ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ସୁକାନ୍ତ ମଙ୍ଗରାଜ ଓ ପୂର୍ବତନ ୱର୍ଡସଭ୍ୟ ମଧୁସୂଦନ ପାତ୍ରଙ୍କ ସମେତ ଅଞ୍ଚଳବାସୀ ପ୍ରଶାସନକୁ ନିବେଦନ କରିଛନ୍ତି। ଅନ୍ୟଥା ଏନେଇ ଜଳ ଆନ୍ଦୋଳନକୁ ଏଡ଼ାଇ ଦିଆଯାଇ ନପାରେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।