ଭୁବନେଶ୍ୱର : ଶ୍ରୀ କୃଷ୍ଣ ଜନ୍ମାଷ୍ଟମୀ ହିନ୍ଦୁ ଧର୍ମର ଏକ ପ୍ରମୁଖ ପର୍ବ | ଜନ୍ମାଷ୍ଟମୀରେ ଶ୍ରୀକୃଷ୍ଣ ଭକ୍ତ ବ୍ରତ ପାଳନ କରନ୍ତି | ଘରେ ବିଭିନ୍ନ ପ୍ରକାର ପ୍ରସାଦ ତିଆରି କରାଯାଇଥାଏ | ସାରା ଦେଶରେ ବହୁତ ଧୂମଧାମରେ ଏହି ପର୍ବ ପାଳନ କରାଯାଇଥାଏ | ଘର ଓ ମନ୍ଦିରକୁ ବହୁତ ସୁନ୍ଦର ଓ ଆକର୍ଷଣୀୟ ଭାବେ ସଜା ଯାଇଥାଏ | ଜନ୍ମାଷ୍ଟମୀରେ ଶ୍ରୀକୃଷ୍ଣଙ୍କୁ ୫୬ ପ୍ରକାର ଭୋଗ ଅର୍ପଣ କରିବାର ପରମ୍ପରା ରହିଛି | ଏହି ପରମ୍ପରା କେବେ ଠାରୁ ଆରମ୍ଭ ହୋଇଛି ତାହା ସ୍ପଷ୍ଟ ହୋଇନାହିଁ | କିନ୍ତୁ ଯୁଗ ଯୁଗ ଧରି ଏହି ପରମ୍ପରା ଚାଲି ଆସୁଛି | ୫୬ ଭୋଗ ଦ୍ୱାରା ଶ୍ରୀକୃଷ୍ଣ ପ୍ରସନ୍ନ ହୋଇଥାନ୍ତି ଏବଂ ଶ୍ରଦ୍ଧାଳୁଙ୍କ ମନୋସ୍କାମନା ପୁର୍ଣ କରିଥାନ୍ତି ବୋଲି ଧାର୍ମିକ ବିଶ୍ୱାସ ରହିଛି |

୫୬ ଭୋଗକୁ ନେଇ ଅନେକ କଥା ପ୍ରଚଳିତ | ପ୍ରଚଳିତ କଥା ଅନୁସାରେ ଭଗବାନ ଶ୍ରୀକୃଷ୍ଣଙ୍କ ମା ଯଶୋଦା ଦିନକୁ ୮ ଥର ଅର୍ଥାତ ଶ୍ରୀକୃଷ୍ଣଙ୍କୁ ଭୋଜନ କରାଉଥିଲେ | ଥରେ ବୃନ୍ଦାବନବାସୀଙ୍କ ଠାରୁ ରାଗି ଇନ୍ଦ୍ର ଭଗବାନ ଭୀଷଣ ବର୍ଷା କରାଇଥିଲେ | ଭଗବାନ ଶ୍ରୀକୃଷ୍ଣ ବୃନ୍ଦାବନବାସୀଙ୍କୁ ରକ୍ଷା କରିବାକୁ ନିଜ ଆଙ୍ଗୁଠିରେ ଗୋବର୍ଧନ ପର୍ବତକୁ ଉଠାଇ ରଖିଥିଲେ | ଶ୍ରୀକୃଷ୍ଣ ୭ ଦିନ ଯାଏଁ ପର୍ବତ ଉଠାଇ ରଖିଥିଲେ | ଏହି ସମୟରେ ବୃନ୍ଦାବନବାସୀ, ପଶୁପକ୍ଷୀ ଗୋବର୍ଧନ ପର୍ବତ ତଳେ ଶରଣ ନେଇଥିଲେ | ୭ ଦିନ ପରେ ବର୍ଷା ଛାଡିବା ପରେ ସମସ୍ତେ ବାହାରକୁ ବାହାରିଥିଲେ |

୭ ଦିନ ଯାଏଁ ଶ୍ରୀକୃଷ୍ଣ କିଛି ଖାଇନଥିଲେ କି ପିଇନଥିଲେ | ନ ଖାଇ ନ ପିଇ ନିଜ ଆଙ୍ଗୁଠିରେ ଗୋବର୍ଧନ ପର୍ବତକୁ ଉଠାଇ ରଖିଥିଲେ | ଏହାପରେ ମାତା ଯଶୋଦା ଓ ସମସ୍ତେ ମିଶି ୮ ପ୍ରହାର ହିସାବରେ ଶ୍ରୀକୃଷ୍ଣଙ୍କ ପାଇଁ ୫୬ ଭୋଗ ତିଆରି କରିଥିଲେ | ସେହିଦିନ ଠାରୁ ୫୬ ଭୋଗ ପରମ୍ପରା ଆରମ୍ଭ ହୋଇଛି ବୋଲି ବିଶ୍ୱାସ ରହିଛି |

ଭଗବାନଙ୍କ ୫୬ ଭୋଗ ଭକ୍ତ ନିଜ ହିସାବରେ ଚୟନ କରନ୍ତି | ଏଥିରେ ଲହୁଣୀ, ଖିରି, ବାଦାମ କ୍ଷୀର, କାଜୁ ବରଫି, ପିସ୍ତା ବାଦାମ, ଲଡୁ, ପେଡ, ଜିଲାପି, ମାଲପୁଆ, ମୁଗ ଡାଲି ହାଲବା, ଖେଚେଡ଼ି, ପୁରି, ତରକାରୀ, ଅନ୍ନ, ଶାଗ, ଦହି ଆଦି ଅନେକ ବ୍ୟଞ୍ଜନ ସାମିଲ କରାଯାଇଥାଏ |
ଜନ୍ମାଷ୍ଟମୀରେ ଶ୍ରୀକୃଷ୍ଣଙ୍କ ପାଖରେ ଲାଗି ହୁଏ ୫୬ ପ୍ରକାର ଭୋଗ : ଜାଣନ୍ତୁ ଏହା ପଛର କାରଣ

