ଭୁବନେଶ୍ବର: ଦୀର୍ଘ ୫ ବର୍ଷ ବ୍ୟବଧାନରେ ଜନଜାତି ଉପଦେଷ୍ଟା ପରିଷଦ ବୈଠକ ଆଜି ଅନୁଷ୍ଠିତ ହୋଇଛି। ଲୋକସେବା ଭବନ ତୃତୀୟ ମହଲା ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ବୈଠକରେ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲେ। ଏଥିରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯିବା ସହ ଜନଜାତିମାନଙ୍କ ବିକାଶ ପାଇଁ ବିଭିନ୍ନ ସୁପାରିସ୍ କରାଯାଇଛି। ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ‘ହୋ’, ‘ସଉରା’ ଓ ‘କୁଇ’ ଭାଷାକୁ ଅନ୍ତର୍ଭୁକ୍ତ କରିବା ନିମନ୍ତେ ପ୍ରସ୍ତାବ ଦେବା ପାଇଁ ସୁପାରିସ କରାଯାଇଛି। ଜନଜାତିଙ୍କ ବିକାଶ ପାଇଁ ଯାଜପୁର ଜିଲ୍ଲାର ବିର୍ହୋର୍ ଓ ଜୁଆଙ୍ଗ ଉନ୍ନୟନ ସଂସ୍ଥା, ଢେଙ୍କାନାଳ ଜିଲ୍ଲାର ଜୁଆଙ୍ଗ ଉନ୍ନୟନ ସଂସ୍ଥା, ପ୍ରାଚୀନ ଜନଜାତି ବସବାସ କରୁଥିବା କେନ୍ଦୁଝର ଜିଲ୍ଲାର ପାଉଡ଼ିଭୂୟାଁ ଉନ୍ନୟନ ସଂସ୍ଥା ଗଠନ କରାଯାଇଛି। ପ୍ରାଚୀନ ଜନଜାତି ବସବାସ କରୁଥିବା ୧୧୩୮ବସତିକୁ ପିଭିଟିଜି ଗାଁ ଭାବେ ଘୋଷଣା କରାଯାଇଛି। ଏଥିରୁ ୮୮୮ଟି ଗାଁକୁ ୧୫ଟି ଅଣୁ ପ୍ରକଳ୍ପରେ ସାମିଲ କରାଯାଇଛି। ଅଣୁପ୍ରକଳ୍ପ ଅଞ୍ଚଳ ବାହାରେ ରହିଥିବା ୨୫୦ଟି ପିଭିଟିଭ୍ ଗ୍ରାମ ଭାବେ ଘୋଷଣା କରାଯାଇଛି ଏବଂ ତିନିଟି ଅଣୁପ୍ରକଳ୍ପ ପ୍ରତିଷ୍ଠା ହୋଇଛି।
୫ ବର୍ଷ ପରେ ବସିଲା ଜନଜାତି ଉପଦେଷ୍ଟା ପରିଷଦ ବୈଠକ
୩ ଜିଲ୍ଲାରେ ଉନ୍ନୟନ ସଂସ୍ଥା ଗଠନ, ୧୧୩୮ ବସତିକୁ ପିଭିଟିଜ ଗାଁ ଘୋଷଣା
ଅଷ୍ଟମ ଅନୁଚ୍ଛେଦରେ ହୋ, ସଉରା, କୁଇ ଭାଷାକୁ ସାମିଲ ପାଇଁ ସୁପାରିସ ନୂଆ ପରିଷଦର ପ୍ରଥମ ବୈଠକ ଆଜି ବସିଥିଲେ। ଏଥିରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା, ୧୫ଜଣ ବିଧାୟକ, ଦୁଇଜଣ ସାଂସଦ ଓ ଅନ୍ୟାନ୍ୟ ବିଶିଷ୍ଟ ସଦସ୍ୟ ଯୋଗଦାନ କରିଥିଲେ। ମୁଖ୍ୟ ଶାସନ ସଚିବ, ଅତିରିକ୍ତ ମୁଖ୍ୟ ଶାସନ ସଚିବ, ବିଭିନ୍ନ ବିଭାଗର ଶାସନ ସଚିବ ଓ ଉଚ୍ଚପଦସ୍ଥ ଅଧିକାରୀ ଉପସ୍ଥିତ ଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟର ଜନଜାତିଙ୍କ ଅର୍ଥନୈତିକ ସଶକ୍ତୀକରଣ, ଜୀବିକା ନିର୍ବାହ ସୁଯୋଗର ଅଭିବୃଦ୍ଧି, ଶିକ୍ଷା ଓ ଦକ୍ଷତା ବିକାଶ ନିମନ୍ତେ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ଗୁରୁତ୍ୱାରୋପ କରିଥିଲେ।
ବୈଠକରେ ଅନୁମୋଦିତ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ମଧ୍ୟରେ ରହିଛି, ଜଙ୍ଗଲ ଅଧିକାର ଆଇନ ମାଧ୍ୟମରେ ଚଳିତ ବର୍ଷ ଏପ୍ରିଲ ଶେଷ ସୁଦ୍ଧା ୬.୪୭ ଲକ୍ଷ ଆବେଦନକାରୀଙ୍କୁ ସମୁଦାୟ ୧୦.୪୨ ଲକ୍ଷ ଏକର ଜଙ୍ଗଲ ଜମି ପାଇଁ ପ୍ରାୟ ୪.୬୪ ଲକ୍ଷର ଜମିପଟ୍ଟା ବଣ୍ଟନ କରାଯାଇଛି। ରାଜ୍ୟସ୍ତରୀୟ ଯୋଜନା ‘ମୋ ଜଙ୍ଗଲ ଜମି’କୁ ଅନୁମୋଦିତ କରାଯାଇଛି। ୨୦୨୩-୨୪ ଆର୍ଥିକ ବର୍ଷରେ ଜଙ୍ଗଲ ଅଧିକାର ଆଇନ-୨୦୦୬କୁ କାର୍ଯ୍ୟକାରୀ କରିବା ନିମନ୍ତେ ଏକ ସ୍ୱତନ୍ତ୍ର ବଜେଟ୍ ଆବଣ୍ଟନ କରାଯାଇଛି। ଦୁଇ ବର୍ଷ ମଧ୍ୟରେ ଜଙ୍ଗଲ ଜମି ଚିହ୍ନଟ ଓ ପ୍ରଦାନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ନିମନ୍ତେ ଜିଲ୍ଲାସ୍ତରରେ କାର୍ଯ୍ୟରତ ଗ୍ରାମସ୍ତରୀୟ ସ୍ବେଚ୍ଛାସେବୀମାନଙ୍କୁ ସହାୟତା ଯୋଗାଇ ଦିଆଯିବ। ଭାରତ ସରକାରଙ୍କର ଅନୁସୂଚିତ ଜନଜାତି ତାଲିକାରେ ଓଡ଼ିଶାର ରଣା ବା ରୋଣା, ବୋଣ୍ଡୋ ପିଭିଟିଜି, ମାଲି ବା କୁଲି ସମୁଦାୟଙ୍କୁ ଅନ୍ତର୍ଭୁକ୍ତ ପାଇଁ ପ୍ରସ୍ତାବ ଦେବା ନିମନ୍ତେ ଜନଜାତି ଉପଦେଷ୍ଟା ପରିଷଦ ସୁପାରିସ କରିଥିଲେ। ଝାରସୁଗୁଡ଼ା ଜିଲ୍ଲାର ଲାଇକେରା ଓ କିରିମେରା ବ୍ଲକ୍କୁ ନେଇ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ଗଠନ କରାଯିବା ସଂପର୍କରେ ଟିଏସିକୁ ମଧ୍ୟ ଅବଗତ କରାଯାଇଥିଲା। ଅନୁସୂଚିତ ଜନଜାତି ତାଲିକାରେ ‘ମିର୍ଦ୍ଧାସ’ ସହ ‘ମିର୍ଦ୍ଧା’ଙ୍କୁ ଅନ୍ତର୍ଭୁକ୍ତ କରିବାକୁ ବୈଠକରେ ସୁପାରିସ କରାଗଲା।ଜନଜାତି ଉପଦେଷ୍ଟା ପରିଷଦ ରାଜ୍ୟରେ ବସବାସ କରୁଥିବା ଜନଜାତିଙ୍କ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ୧୯୫୬ରେ ରେଗୁଲେସନ୍ ୨ର ଧାରା ୩ର ଉପବିଭାଗ (୧)କୁ ନିମ୍ନମତେ ବଦଳାଇବା ନିମନ୍ତେ ପ୍ରସ୍ତାବକୁ ସୁପାରିସ କରାଯାଇଛି। ଅନୁସୂଚିତ ଅଞ୍ଚଳରେ କୃଷି, ଆବାସିକ ଗୃହ ନିର୍ମାଣ, ପିଲାମାନଙ୍କର ଉଚ୍ଚ ଅଧ୍ୟୟନ, ସ୍ୱନିଯୁକ୍ତି, ବ୍ୟବସାୟ କିମ୍ବା କ୍ଷୁଦ୍ର ଶିଳ୍ପ ପ୍ରତିଷ୍ଠା ପାଇଁ ସରକାରୀ ଆର୍ଥିକ ପ୍ରତିଷ୍ଠାନ ଦ୍ୱାରା ପ୍ରଦାନ କରାଯାଇଥିବା ଋଣ ନିମନ୍ତେ ବନ୍ଧକ କିମ୍ବା ଲିଜ୍ ଅଥବା ଅନୁସୂଚିତ ଜନଜାତିର ବ୍ୟକ୍ତିଙ୍କଠୁ ଅନୁସୂଚିତ ଜନଜାତିର ବ୍ୟକ୍ତିଙ୍କୁ ଅସ୍ଥାବର ସମ୍ପତ୍ତିର ହସ୍ତାନ୍ତରଣ ବ୍ୟତୀତ ଅନ୍ୟ ସମସ୍ତ ଅସ୍ଥାବର ସମ୍ପତ୍ତିର ହସ୍ତାନ୍ତର ଉପଜିଲ୍ଲାପାଳଙ୍କ ଲିଖିତ ଅନୁମତି ଦ୍ୱାରା ହିଁ ଆଇନସମ୍ମତ ହେବ। ସର୍ତ୍ତ ଅନୁଯାୟୀ ଅନୁସୂଚିତ ଜନଜାତିର ସଦସ୍ୟ ସମ୍ପତ୍ତି ହସ୍ତାନ୍ତର କରିବେ ନାହିଁ ଯଦି ଏହିପରି ଜମି ହସ୍ତାନ୍ତର ପରେ ସେ ଭୂମିହୀନ କିମ୍ବା ଗୃହହୀନ ହୋଇଯାଆନ୍ତି। ଯଦି ଉପଜିଲ୍ଲାପାଳ ଅନୁମତି ଦେବାକୁ ମନା କରନ୍ତି, ତେବେ ଅସନ୍ତୁଷ୍ଟ ଥିବା ବ୍ୟକ୍ତି ଛଅ ମାସ ମଧ୍ୟରେ ଜିଲ୍ଲାପାଳଙ୍କ ନିକଟରେ ଏକ ଆବେଦନ କରିପାରନ୍ତି ଯାହାର ନିଷ୍ପତ୍ତି ଚୂଡ଼ାନ୍ତ ହେବ।