ନୂଆପଡା ୪।୮: ନୂଆପଡାରେ ଚିକିତ୍ସାଧିନ ଅବସ୍ଥାରେ ସେବାଶ୍ରମର ପ୍ରଥମ ଶ୍ରେଣୀ ଛାତ୍ରୀଙ୍କ ହସ୍ପିଟାଲରେ ମୃତ୍ୟୁ । ମୃତକ ଖଡିଆଳ ଥାନା ମହୁଲକୋଟ ଗ୍ରାମର ଶିବାନୀ ଭୋଇ । ନିକଟସ୍ଥ ନେହେନା ସେବାଶ୍ରମରେ ରହି ପ୍ରଥମ ଶ୍ରେଣୀରେ ପଢୁଥିଲେ ।
ସୂଚନାଯୋଗ୍ୟ ଯେ, ଛାତ୍ରୀ ଜଣଙ୍କ ତିନି ଦିନ ପୂର୍ବେ ଜ୍ବର ଲାଗି ରହିଥିବା ବେଳେ ସେବାଶ୍ରମ କର୍ମଚାରୀ ବୁଧବାର ଖଡିଆଳ ହସ୍ପିଟାଲକୁ ନେଇଥିଲେ । ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ଚିକିତ୍ସାରେ ବିଳମ୍ବ ପାଇଁ ଛାତ୍ରୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ଆଣିଲେ ପରିବାର ଲୋକେ । ବୁଧବାର ସନ୍ଧ୍ୟାରେ ଚିକିତ୍ସାଧିନ ଅବସ୍ଥାରେ ଖଡିଆଳ ହସ୍ପିଟାଲରେ ଛାତ୍ରୀଙ୍କ ମୃତ୍ୟୁ ହୋଇଥିଲା । ସେବାଶ୍ରମର ପ୍ରଧାନ ଶିକ୍ଷକ, ସ୍ବାସ୍ଥ୍ୟକର୍ମୀ ଏବଂ ୱାର୍ଡେନଙ୍କୁ ଦାୟୀ କରିଥିବା ବେଳେ ଉଚିତ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଖଡିଆଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଛାତ୍ରୀଙ୍କ ବାପା ।
ଦୁଇ ଭଉଣୀ ଗୋଟିଏ ସେବାଶ୍ରମରେ ରହି ପଢୁଥିବା ବେଳେ ଚିକିତ୍ସା ଅଭାବରୁ ମୃତ୍ୟୁ ଅଭିଯୋଗ ଆଣିଲେ ସପ୍ତମ ଶ୍ରେଣୀରେ ପଢୁଥିବା ବଡ ଭଉଣୀ ତିଲେଶ୍ବରୀ ଭୋଇ । ଘଟଣାର ତଦନ୍ତ ପାଇଁ ADM, DWO ସହ ଜଣେ ଡାକ୍ତରଙ୍କୁ ନେଇ ଏକ ଟିମ୍ ଗଠନ ହୋଇଛି । ସେବାଶ୍ରମକୁ ଯାଇ ତଦନ୍ତ କରିବେ ଏହି ଟିମ୍ ।