ପୋଲସରା: ଗଞ୍ଜାମ ଜିଲ୍ଲା ପୋଲସରା ସହରରେ ଆଜି ସଂଧ୍ୟାରେ ଫୁଟିଛି ଗୁଳି। ଗୁଳିମାଡ଼ରେ ବାପାଙ୍କ ମୃତ୍ୟୁ ଘଟିଥିବା ବେଳେ ଝିଅ ଆହତ ହୋଇଛନ୍ତି। ମୃତକ ହେଲେ ଖଲ୍ଲିକୋଟ ଥାନା ଅନ୍ତର୍ଗତ କୋମଣ୍ଡ ଗ୍ରାମର ବିଜୟ କୁମାର ବେହେରା (୬୨ବର୍ଷ)। ବିଜୟଙ୍କ ଝିଅ ଗାୟତ୍ରୀ ବେହେରା ଆହତ ହୋଇଛନ୍ତି। ପୋଲସରା ଥାନା ପୁଲିସ ଡାକ୍ତରଖାନାରେ ପହଞ୍ଚି ମୃତଦେହ ଜବତ କରିବା ସହିତ ତଦନ୍ତ ଆରମ୍ଭ କରିଛି। ଅଭିଯୁକ୍ତ ପ୍ରଶାନ୍ତ ବେହେରାକୁ ପୁଲିସ ଆଜି ରାତିରେ ହିଞ୍ଜିଳିକାଟୁରେ କାବୁ କରିଥିବା ସୂଚନା ମିଳିଛି। ସେ ମୃତକ ବିଜୟଙ୍କ ସଂପର୍କୀୟ ଓ ଏହା ପଛରେ ଜମିଜମା ବିବାଦ ଅଛି ବୋଲି ପୁଲିସ କହିଛି।
ମିଳିଥିବା ସୂଚନା ଅନୁସାରେ ବିଜୟଙ୍କ ଝିଅ ଗାୟତ୍ରୀ ସୋଡ଼କ ଗ୍ରାମରେ ବାହାହୋଇଛନ୍ତି। ଗାୟତ୍ରୀଙ୍କ ଶ୍ବଶୁର ଘର ପୋଲସରା ବ୍ଲକ୍ ଛକରେ ଘରଭଡ଼ା ନେଇ ରହୁଛନ୍ତି। ଆଜି ବାପା ବିଜୟ ଝିଅ ଘରକୁ ଆସିଥିଲେ। ସଂଧ୍ୟା ପ୍ରାୟ ୬ଟା ୫୦ମିନିଟ୍ରେ ପ୍ରଶାନ୍ତ ଘରର ଝରକା ଗ୍ରିଲ୍ ଦେଇ ତାଙ୍କୁ ଉପରକୁ ଗୁଳି ଫୁଟାଇଥିଲେ। ବିଜୟଙ୍କ ଛାତିରେ ଗୋଟିଏ ରାଉଣ୍ଡ୍ ଗୁଳି ବାଜିଥିଲା। ଏହାପରେ ବିଜୟ ସେଠାରେ ଟଳି ପଡ଼ିଥିଲେ। ଏହା ଦେଖି ବାପାଙ୍କୁ ବଞ୍ଚାଇବାକୁ ଯାଇଥିବା ଝିଅ ମଧ୍ୟ ଗୁଳିମାଡ଼ର ଶିକାର ହୋଇଥିଲେ। ତାଙ୍କ ହାତରେ ଗୁଳି ବାଜିଥିଲା। ଘଟଣା ପରେ ଗୁଳିମାଡ଼ କରି ପ୍ରଶାନ୍ତ ସେଠାରୁ ଚମ୍ପଟ୍ ମାରିଥିଲା। ପରିବାରବର୍ଗ ତୁରନ୍ତ ଆମ୍ବୁଲାନ୍ସ ସହାୟତାରେ ବିଜୟଙ୍କୁ ପୋଲସରା ଡାକ୍ତରଖାନାରେ ଭର୍ତ୍ତି କରିଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ଡାକ୍ତରଖାନାରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ଘଟଣାସ୍ଥଳରେ ଉପସ୍ଥିତ ଥିବା ଝିଅ ଓ ଅନ୍ୟମାନଙ୍କ ବୟାନ୍ ରେକର୍ଡ଼ କରିଛି। ସମ୍ପତ୍ତି ବିବାଦକୁ କେନ୍ଦ୍ର କରି ଏଭଳି ଗୁଳିମାଡ଼ ଘଟିଥିବା ପୁଲିସ ଅନୁମାନ କରୁଛି। ପ୍ରଶାନ୍ତ ବୁଗୁଡ଼ା ଥାନା ବାଲିପଦର ନିକଟସ୍ଥ ଝୋଲରି ଗ୍ରାମର ବିଜୟଙ୍କ ସଂପର୍କୀୟ ବୋଲି ସୂଚନା ମିଳିଛି।