କେନ୍ଦୁଝର : ଚାରିମାସ ହେବ ବନ ବିଭାଗର ନିଦ ହଜେଇ ଦେଇଥିବା ମହାବଳ ବାଘ କେନ୍ଦୁଝର ଜିଲ୍ଲା ଅଟେଇ ସଂରକ୍ଷିତ ଜଙ୍ଗଲରୁ ଗାଏବ ହୋଇଯାଇଛି। ୨୦ ଦିନରୁ ଊର୍ଦ୍ଧ୍ବ ହେବ ଜଙ୍ଗଲରେ ଲାଗିଥିବା ଟ୍ରାପ୍ କ୍ୟାମେରାରେ ବାଘ ଧରାପଡ଼ୁ ନଥିବାରୁ ବନ ବିଭାଗ ଏଭଳି ଆଶଙ୍କା କରିଛି। ମହାବଳଟି ଶିମିଳିପାଳ ନଚେତ ସାତକୋଶିଆ ଜଙ୍ଗଲକୁ ଚାଲିଯାଇଥିବା ସନ୍ଦେହ କରାଯାଉଛି।
କିଛିମାସ ତଳେ ଅଟେଇ ଜଙ୍ଗଲର ବାରମ୍ବାର ମଇଁଷି ଓ ଗାଈକୁ ଆକ୍ରମଣ ହେବା ପରେ ଏଠାରେ ମହାବଳ ବାଘ ଥିବା ନେଇ ବନ ବିଭାଗ ସନ୍ଦେହ କରିଥିଲା। ବାଘର ଗତିବିଧି ଉପରେ ନଜର ରଖିବା ପାଇଁ ଅଟେଇ ସଂରକ୍ଷିତ ଜଙ୍ଗଲରେ ୫୪ଟି ଟ୍ରାପ୍ କ୍ୟାମେରା ଲଗାଯାଇଥିଲା। ଟ୍ରାପ୍ କ୍ୟାମେରାରେ ମହାବଳ ବାଘର ଫଟୋ କଏଦ ହେବା ପରେ ବନ ବିଭାଗ ଏ ସମ୍ପର୍କରେ ସ୍ପଷ୍ଟ କରିଥିଲା। ଏବେ ୨୦ ଦିନ ହେବ ଟ୍ରାପ କ୍ୟାମେରାରେ ବାଘର ଫଟୋ ଆଉ କଏଦ ହେଉନି। ତେଣୁ ବାଘଟି ଏଠାରେ ଆଉ ନାହିଁ ବୋଲି ସନ୍ଦେହ କରାଯାଉଛି। ଏ ସମ୍ପର୍କରେ ଡିଏଫ୍ଓ ଏଚ୍ଡି ଧନରାଜଙ୍କୁ ପଚାରିବାରୁ, ୨୦ ଦିନରୁ ଊର୍ଦ୍ଧ୍ବ ହେବ ମହାବଳ ବାଘର ଫଟୋ ଟ୍ରାପ କ୍ୟାମେରାରେ କଏଦ ହୋଇନାହିଁ। ବାଘଟି ଅଟେଇ ସଂରକ୍ଷିତ ଜଙ୍ଗଲରୁ କେଉଁଆଡ଼େ ଚାଲି ଯାଇଥାଇପାରେ ବୋଲି ସେ କହିଛନ୍ତି।