ଭୁବନେଶ୍ୱର ୨୨।୧୧: କେବେ ସୁଧୁରିବ ବ୍ୟବସ୍ଥା । ଉପାନ୍ତ ପରେ ଏବେ ଖୋଦ୍ ରାଜଧାନୀରେ ଦାନମାଝୀ ପରି ଘଟଣାର ପୁନରାବୃତ୍ତି । ମାଙ୍କ ମୃତଦେହ ନେବା ପାଇଁ ମିଳିନାଲି ମହାପ୍ରୟାଣ ଗାଡି । ଏପିରିକି ବେସରକାରୀ ଆମ୍ବୁଲାନ୍ସରେ ବି ନେବା ପାଇଁ ପାଖରେ ନଥିଲା ଟଙ୍କା । ଶେଷରେ ବାଧ୍ୟରେ ମାକୁ ଷ୍ଟ୍ରେଟରରେ ଭିଡି ଭିଡି ନେଲେ ପୁଅ ମାନସ ବାହୁବଳେନ୍ଦ୍ର । ରାଜଧାନୀ ମୁଖ୍ୟ ଚିକିତ୍ସା|ଳୟରେ ଏପରି ଘଟଣା ଦେଖିବାକୁ ମିଳିଛି ।
ଖବର ଅନୁଯାୟୀ, ସୋମବାର ମାନସଙ୍କର ମାଙ୍କ ବ୍ରେନ୍ ହାମ୍ରେଜ୍ ହୋଇଥିଲା । ଏହାପରେ ତାଙ୍କୁ ତୁରନ୍ତ ଏମ୍ସକୁ ଅଣାଯାଇଥିଲା । ଆଉ ପରେ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ଗୋଟେ ଦିନ ପରେ ତାଙ୍କ ମାଙ୍କ ମୃତ୍ୟୁ ହୋଇଥିଲା । ତେବେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଅବହେଳା ପାଇଁ ମାଙ୍କ ଜୀବନ ଯାଇଥିବା ପୁଅ ଅଭିଯୋଗ କରିଛନ୍ତି । ଆଉ ଏହାପରେ ତାଙ୍କୁ ମିଳିଲାନି ମହାପ୍ରୟାଣ ଗାଡ଼ି ।
ମେଡ଼ିକାଲ କର୍ତ୍ତୃପକ୍ଷ ତାଙ୍କୁ ବେସରକାରୀ ଆମ୍ବୁଲାନ୍ସ ନେବା ପାଇଁ କହିଥିଲେ । କିନ୍ତୁ ଟଙ୍କା ଅଭାବରୁ ସେଥିରେ ନେବାପାଇଁ ପୁଅ ସକ୍ଷମ ନଥିଲେ । ଏଣୁ କାନ୍ଦି କାନ୍ଦି ତାଙ୍କ ମାଙ୍କ ଶବକୁ ପୁଅ ଷ୍ଟ୍ରେଚରରେ ଟାଣି ଟାଣି ନେଇଛନ୍ତି । ଭୁବନେଶ୍ୱର କ୍ୟାପିଟାଲ ଚିକିତ୍ସାଳୟ ଠାରୁ ଆରମ୍ଭ କରି ଖୋର୍ଦ୍ଧା ଡଙ୍ଗରପଡା ପର୍ଯ୍ୟନ୍ତ ପର୍ଯ୍ୟନ୍ତ ପ୍ରାୟ ୫୦ କିଲୋମିଟର ପର୍ଯ୍ୟନ୍ତ ସେ ତାଙ୍କ ମା ଙ୍କୁ ଭିଡ଼ି ଭିଡ଼ି ନେବା ପାଇଁ ବାହାରିଥିଲେ । ହେଲେ ଅଧାବାଟରେ କିଛି ସଂଗଠନ ପକ୍ଷରୁ ତାଙ୍କୁ ସହଯୋଗର ହାତ ବଢାଯାଇଥିଲା ।