ମୁମ୍ବାଇ: ବିଜେପି ନେତା କିରୀଟ ସୋମାୟାଙ୍କ ଭାଇରାଲ ଭିଡିଓକୁ ନେଇ ମହାରାଷ୍ଟ୍ରର ଶାସକ ମେଣ୍ଟକୁ ଟାର୍ଗେଟ କରିଛି କଂଗ୍ରେସ। କଂଗ୍ରେସ ଓ ଉଦ୍ଧବ ଠାକରେଙ୍କ ନେତୃତ୍ବାଧୀନ ଶିବସେନା ସୋମାୟା ତଥା ଶାସକ ମେଣ୍ଟକୁ ଟାର୍ଗେଟ କରି ଏହାଦ୍ବାରା ସେମାନଙ୍କ ଅସଲ ଚେହେରା ଓ ଚରିତ୍ର ପଦାରେ ପଡ଼ିଯାଇଛି ବୋଲି କହିଛନ୍ତି। ଏହିପରି ଅହୁରି ଅଧିକ ଭିଡିଓ କ୍ଲିପ୍ ଅଛି ବୋଲି ସେମାନେ କହିଛନ୍ତି। ଅପରପକ୍ଷେ ସୋମାୟା ଭିଡିଓର ସତ୍ୟତା ଉପରେ ପ୍ରଶ୍ନ ଉଠାଇବା ସହ ଏହା ଉପରେ ତଦନ୍ତ କରିବାକୁ ଦାବି କରିଛନ୍ତି। ମରାଠୀ ଚାନେଲ ଲୋକଶକ୍ତି ଦ୍ବାରା ଛଡ଼ାଯାଇଥିବା ଉକ୍ତ ଭିଡିଓରେ ସୋମାୟାଙ୍କୁ ଏକ ‘କମ୍ପ୍ରମାଇଜିଂ ପୋଜିସନ’ରେ ଥିବା ଦେଖିବାକୁ ମିଳୁଛି।
କଂଗ୍ରେସ ବିଧାୟକ ଯଶୋମତୀ ଠାକୁର କହିଛନ୍ତି, ଏହାଦ୍ବାରା ଶାସକ ମେଣ୍ଟର ଅସଲ ଚେହେରା ଓ ଚରିତ୍ର ପଦାରେ ପଡ଼ିଯାଇଛି। କିରୀଟ ସୋମାୟା ଅନେକ ବିଧାୟକ ଓ ଏମ୍ପିଙ୍କୁ ବ୍ଲାକ୍ମେଲ କରିଛନ୍ତି। ଏବେ ଆମେ ଦେଖୁଛୁ ସେ ଅନେକ ମହିଳାଙ୍କୁ ବି ବ୍ଲାକ୍ମେଲ କରିଛନ୍ତି। ଏକ ୮ ଘଣ୍ଟିଆ କ୍ଲିପ୍ ପଦାକୁ ଆସିଥିବା ମୁଁ ଶୁଣିଛି। ମୁଁ କଳ୍ପନା କରିପାରୁନି କେତେ ମହିଳାଙ୍କୁ ଏହି କ୍ଲିପ୍ ଦ୍ବାରା ହଇରାଣ କରାଯାଇଛି ଓ ନିର୍ଯାତନା ଦିଆଯାଇଛି। ନୈତିକତା ଉପରେ ଭାଷଣ ମାରୁଥିବା ବିଜେପି ନେତାମାନଙ୍କର ଯଦି ସାହସ ଅଛି ସେମାନେ ସୋମାୟାଙ୍କୁ ଉତ୍ତରଦାୟୀ କରି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ସେ ଆହ୍ବାନ ଦେଇଛନ୍ତି। ସୋମାୟାଙ୍କ ନାଁ ନ ନେଇ ଉଦ୍ଧବ ଠାକରେ ଗୋଷ୍ଠୀର ନେତା ସଞ୍ଜୟ ରାଉତ ବାଲା ସାହେବ ଠାକରେଙ୍କ ଏକ ପଂକ୍ତି ଉଦ୍ଧାର କରି କହିଛନ୍ତି,- ‘ଆପଣା କର୍ମରେ ମରୁଥିବା ଲୋକଙ୍କୁ ଆଉ ଧର୍ମରେ ମାରନ୍ତୁ ନାହିଁ’। ଏହାପରେ କିରୀଟ ସୋମାୟା ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସଙ୍କ ପାଖକୁ ଏକ ଚିଠି ଲେଖି କହିଛନ୍ତି ଯେ ଭିଡିଓଟି ମିଛ। ସେ କୌଣସି ମହିଳାଙ୍କୁ ନିର୍ଯାତନା ଦେଇ ନାହାନ୍ତି। ଭିଡ଼ିଓର ସତ୍ୟତା ନେଇ ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ସେ ଦାବି କରି ଟ୍ବିଟ୍ କରିଛନ୍ତି।