ମନୋରଞ୍ଜନ ରାଜ୍ୟ ସ୍ପେଶାଲ ରିପୋର୍ଟ

କପି ପାଇଁ ବୁଡ଼ିଗଲାଣି ଓଡ଼ିଆ ଚଳଚ୍ଚିତ୍ର, ଆଉ ସେ ସରାଗ ନାହିଁ: କେବଳ ନାଁକୁ ଓଡ଼ିଆ ବାକି ସବୁ ଅଣଓଡ଼ିଆ

ଭୁବନେଶ୍ୱର ୨୩/୦୫ : ପ୍ରେମ, ପରିବାର ଆଉ ରୋମାନ୍ସ । ଟିକେ କମେଡି । ୨ଟା ଫାଇଟ୍‌ ସିନ୍‌ ସାଙ୍ଗକୁ ୩ଟା ଗୀତ । ବାସ୍‌ ସେତିକି ଦରକାର । କାହାଣୀ ରୋମାଞ୍ଚିତ କରୁ କି ନ କରୁ ରହସ୍ୟ ରହିଲେ ଭଲ ନ ରହିଲେ ଚଳିବ । ଅଧା ତେଲୁଗୁ, ଅଧା ବଙ୍ଗଳା, ମରାଠୀ ଆଉ ମାଲାୟାଲମ୍‌ । ଏମିତି ସିନେମା ହେବା ଦରକାର ।

ପ୍ରଯୋଜକଙ୍କଠୁ ଏକଥା ଶୁଣିଲା ପରେ ସଙ୍ଗେ ସଙ୍ଗେ ପେନ୍‌ଡ୍ରାଇଭ୍‌ରେ ୩/୪ ଟି ଭାଷାର ଚଳଚ୍ଚିତ୍ର ଧରି ନିର୍ମାତାଙ୍କ ପାଖରେ ହାଜର କାହାଣୀକାର ଆଉ ନିର୍ଦ୍ଦେଶକ । ହୋଟେଲ୍‌ରେ କଥାବାର୍ତ୍ତା, ଚା’ ପିଆ ଭିତରେ ଅଧଘଣ୍ଟାରେ ଫିଲ୍ମ ଫାଇନାଲ୍‌ । ତା’ପରେ ନାଁ, ପୋଷ୍ଟର୍‌ ରିଲିଜ୍‌, ମହୁରତ୍‌ ଆଉ ବଡ଼ ବଡ଼ ଘୋଷଣା । ଓଡ଼ିଆ ମାଟି, ପାଣି ଆଉ ପବନକୁ ନେଇ ତିଆରି ହେବ ସିନେମା । ଯେଉଁଥିରେ ଦର୍ଶକ ଓଡ଼ିଆ ବାସ୍ନା ପାଇବେ । ନିଚ୍ଛକ କାହାଣୀ ।

କୋଉଠୁ କପି ନୁହେଁ । ଦେଖିଲା ବେଳକୁ ତେଲୁଗୁ, ବଙ୍ଗଳା, ମରାଠୀ, ମଲାୟାଲମ୍‌ ଚଳଚ୍ଚିତ୍ରର କପି । ଯାହାକୁ ପୂର୍ବରୁ ଥରେ ନୁହେଁ, ଏକାଧିକ ବାର ବିଭିନ୍ନ ଭାଷାରେ ଦେଖି ସାରିଥିବେ ଦର୍ଶକ । ଯେତେବେଳେ ତୁଳନା କରୁଛନ୍ତି ସେତେବେଳେ ମାଡ଼ ଖାଉଛି ଓଡ଼ିଆ ସିନେମା । ଖାଲି ଫିଲ୍ମ ନୁହେଁ ଏବେ ପୋଷ୍ଟର୍‌କୁ ବି କପି କରିବାକୁ ଛାଡ଼ୁନାହାନ୍ତି ।

ଏହି କପି ପାଇଁ ବୁଡ଼ିଗଲାଣି ଓଡ଼ିଆ ଚଳଚ୍ଚିତ୍ର । ଆଉ ସେ ସରାଗ ନାହିଁ । କେବଳ ନାଁକୁ ଓଡ଼ିଆ ବାକି ସବୁ ଅଣଓଡ଼ିଆ । ନା’ ଅଛି ଓଡ଼ିଆ ଚାଲିଚଳଣି ନା’ ରୂପ, ରଙ୍ଗ ଆଉ ରସ । ଯେଉଁଥିପାଇଁ ପାଖାପାଖି ଦେଢ଼ ଦଶନ୍ଧିରୁ ଊର୍ଦ୍ଧ୍ୱ କାଳ ହୋଇଯିବ ଓଡ଼ିଆ ଚଳଚ୍ଚିତ୍ରକୁ ମୁହଁ ମୋଡ଼ି ଦେଇଛନ୍ତି ଓଡ଼ିଆ ଦର୍ଶକ । ଯଦି ବି କୌଣସି ଭଲ ଚଳଚ୍ଚିତ୍ର ମୁକ୍ତିଲାଭ କରୁଛି ତାକୁ ଖରାପ କହି ହଲ୍‌ ଦୁଆର ମାଡ଼ୁନାହାନ୍ତି । ଫଳରେ ଭଲ କରିଥିବା ନିର୍ମାତାଙ୍କୁ ଉତ୍ସାହ ମିଳୁନି ଆଉ ଆଗକୁ କିଛି କରିବା ପୂର୍ବରୁ ନିରୁତ୍ସାହିତ ହୋଇଯାଉଛନ୍ତି ।

ତେଣୁ ଶସ୍ତା, ସୁବିଧା ରାସ୍ତାକୁ ଆପଣାଉଛନ୍ତି ନିର୍ମାତା । ଯେଉଁଥିରେ ଖର୍ଚ୍ଚ କମ୍‌ ଆଉ ବିଶେଷ କ୍ଷତି ନାହିଁ । କାହାଣୀ, ସଂଳାପ, ଚିତ୍ରନାଟ୍ୟ ଏବଂ ନିର୍ଦ୍ଦେଶନା ପାଇଁ କାହାକୁ ଖୋଜିବା ବି ଦରକାର ନାହିଁ । ସବୁକିଛି ରେଡିମେଡ୍‌ । ସେଥିପାଇଁ ସବୁବେଳେ ଲୋକ ପ୍ରସ୍ତୁତ । କହିଲା ମାତ୍ରେ ହାଜର । ସପିଂ ମଲ୍‌ ପରି ସବୁ ଧରିକି ବସିଛନ୍ତି । ଖାଲି କଳାକାର ଆଉ ସୁଟିଂ ଜାଗା ଖୋଜ, ୫ଦିନରେ ୩ଟି ଗୀତ କରି ଗାଇଦିଅ । ୬ଦିନରେ ସୁଟିଂ ଶେଷ କର । ଯେତେଶୀଘ୍ର ସିନେମା ସାରିବ ଆଉ ଗୋଟିଏ ସିନେମା ମହୁରତ୍‌ ହେବ । ବଜେଟ୍‌ ବେଶି ନାହିଁ ୧୫ ଲକ୍ଷ । ଇଚ୍ଛା ଥିଲେ ଆସ ନ ହେଲେ ନାହିଁ ।

ଏତେ ବ୍ୟସ୍ତତା ଭିତରେ କଳାକାର ବି ଆଉ ତାଙ୍କ ପସନ୍ଦ ଦେଖୁନାହାନ୍ତି । କାହାଣୀ କ’ଣ ଅଛି ତା’ର ସ୍କ୍ରିପ୍ଟ ପଢ଼ୁନାହାନ୍ତି । ଚଳଚ୍ଚିତ୍ର ନିର୍ମାଣ ପୂର୍ବରୁ ଆଲୋଚନା କି ବୈଠକ ନାହିଁ । ସିଧାସଳଖ ଫୋନ୍‌ରେ କଥାବାର୍ତ୍ତା, ଫୋନ୍‌ ପେ’ରେ ପେମେଣ୍ଟ । ଯିଏ ଅରାଜି ତାଙ୍କୁ କାମ ନାହିଁ । ଘରେ ବସିଲେ । ନଚେତ୍‌ ଧାରାବାହିକରେ ମାତିଲେ ।

ଜଣେ ନିର୍ଦ୍ଦେଶକ କହିଛନ୍ତି, ନିକଟରେ ଏକ ଚ୍ୟାନେଲ୍‌ ପାଇଁ ସିନେମା କଲି । ସିନେମାଟି ଉକ୍ତ ଚ୍ୟାନେଲ୍‌ ପକ୍ଷରୁ ପୁରସ୍କୃତ ହେଲା । ଲୋକେ ପ୍ରଶଂସା କଲେ ମାତ୍ର ଏଥିରେ ଖୁସି ନାହିଁ ବହୁତ କଷ୍ଟ । ସିନେମା ନିର୍ମାଣ ଲାଗି ୧୭ ଲକ୍ଷରେ ଚୁକ୍ତିନାମା କର ଆଉ ୭ଦିନରେ ଶେଷ କର । ରାତି-ଦିନ ୨୪ଘଣ୍ଟା ଲାଗି ସୁଟିଂ ସାର । ଏମିତି ଭିତରେ ସିନେମା କରିବା ଅପେକ୍ଷା ନ କରିବା ଭଲ ।

ସେଥିପାଇଁ ପରେ ଏହିଭଳି ଏକ ସିନେମା ପାଇଁ ଅଫର୍‌ ମିଳିଲା କିନ୍ତୁ ମନା କଲି । ବେଳେବେଳେ ଆଶ୍ଚର୍ଯ୍ୟ ଲାଗେ ବଲିଉଡ ଏବଂ ଅନ୍ୟ ଭାଷାରେ ସବୁ ଜ୍ଞାନକୌଶଳ ଏବଂ ସୁବିଧା ଥାଇ ଗୋଟିଏ ଚଳଚ୍ଚିତ୍ର ନିର୍ମାଣ କରିବାକୁ ବର୍ଷ ବର୍ଷ ଲାଗୁଥିଲା ବେଳେ ଆମର ମାସେ କିମ୍ବା ଦେଢ଼ ମାସରେ ସିନେମା ରିଲିଜ୍‌ ହେଇଯାଉଛି । ଏମିତିକି କିଛି ଦୁଃସାହସିକ ନିର୍ଦ୍ଦେଶକ ବି ଅଛନ୍ତି ଯିଏ ୫ରୁ ୭ଦିନରେ ସିନେମା ସାରି ଦେଉଛନ୍ତି ।

ଏନେଇ ଜଣେ ସଙ୍ଗୀତ ନିର୍ଦ୍ଦେଶକ କହିଛନ୍ତି, ମନା କଲେ କାମ ନାହିଁ । ଆଗରୁ ଗୋଟିଏ ଗୀତ କରିବାକୁ ଯେତିକି ଖର୍ଚ୍ଚ ହେଉଥିଲା ଏବେ ତା’ର ଅଧା ଖର୍ଚ୍ଚରେ ୩ଟି ଗୀତ ହେଉଛି । ଉପାୟ ନାହିଁ ବାଧ୍ୟରେ କରୁଛୁ । ବର୍ତ୍ତମାନ ହଲ୍‌ରେ ଓଡ଼ିଆ ଚଳଚ୍ଚିତ୍ର ନାହିଁ, ଯାହା ହେଉଛି ଟିଭିରେ । ଆଗକୁ ପ୍ରଯୋଜକଙ୍କ କଥାରେ କରୁଥିଲୁ, ଏବେ ଚ୍ୟାନେଲ୍‌ ଅନୁସାରେ କାମ କରୁଛୁ ।

ଆଜି ଯଦି ଓଡ଼ିଆ ଚଳଚ୍ଚିତ୍ର ଚାଲିଛି ତେବେ ଟିଭି ଚ୍ୟାନେଲ୍‌ମାନଙ୍କ ପାଇଁ । ସେମାନେ ଚାହିଁଲେ ଅନେକ କିଛି ପରିବର୍ତ୍ତନ ହୋଇପାରିବ । କିନ୍ତୁ ସେଠି ଗୋଟିଏ ଭଲ ସିନେମା ହେଲା ବେଳକୁ ୧୦ଟି ଚାଲୁ ଏବଂ କପି ସିନେମା ହେଉଛି । ସେମାନେ ବି ଅଧିକ ଖର୍ଚ୍ଚ ଚାହୁନାହାନ୍ତି । ଯେଉଁ ଧାରା ଚାଲିଛି ସେଥିରେ ଚାଲିଛନ୍ତି । ଏତେ ଗବେଷଣା କାହିଁକି କରିବେ ।

ଏହାର ସଦ୍ୟ ଉଦାହରଣ ବି ଅଛି । ନିକଟରେ ମୁକ୍ତିଲାଭ କରିଥିବା ଗୋଟିଏ ଓଡ଼ିଆ ଚଳଚ୍ଚିତ୍ର ସହ ଏମିତି କିଛି ଘଟିଥିଲା । ଜଣେ ପ୍ରଯୋଜକ ପ୍ରଥମ କରି ଚଳଚ୍ଚିତ୍ର ନିର୍ମାଣ କରିବାକୁ ଇଚ୍ଛା କରି ଅର୍ଥ ପାଇଁ ବହୁ ପ୍ରଯୋଜକଙ୍କୁ ନିବେଦନ କଲେ । କେହି ରାଜି ହେଲେନି । ଶେଷରେ ବିଭିନ୍ନ ଠାରୁ ଋଣ କରି ଚଳଚ୍ଚିତ୍ରଟି ସମ୍ପୂର୍ଣ୍ଣ କଲେ । ପାଖାପାଖି ୨୮ ଲକ୍ଷ ଖର୍ଚ୍ଚ ହେଲା ।

କିନ୍ତୁ ଏହାକୁ କେମିତି, କୋଉଠି ମୁକ୍ତିଲାଭ କରିବେ ଏବଂ ଖର୍ଚ୍ଚ ଟଙ୍କା କିପରି ଫେରି ପାଇବେ ସେ ଚିନ୍ତାରେ ରହିଲେ । ରିଲିଜ୍‌ ପାଇଁ ହଲ୍‌ ବି ରାଜି ହେଲନି । ପରେ ବିଭିନ୍ନ ଟିଭି ସହିତ ଆଲୋଚନା କଲେ । ଶେଷରେ ସିନେମାଟି ଗୋଟିଏ ଟିଭି ଚ୍ୟାନେଲ୍‌ରେ ମୁକ୍ତିଲାଭ କଲା । କିନ୍ତୁ ଦୁଃଖର ବିଷୟ ସିନେମା ବାବଦରେ ଟିଭି ଚ୍ୟାନେଲ୍‌ଠାରୁ ପ୍ରଯୋଜକ ପାଇଲେ ମାତ୍ର ୧୮ ଲକ୍ଷ ।

ଏହାଠାରୁ ଆଉ ଟଙ୍କାଟିଏ ଦେଇ ହେବ ନାହିଁ କହି ଆରମ୍ଭରୁ ଚୁକ୍ତି କଲେ ଏବଂ କିସ୍ତି ଅନୁସାରେ ଟଙ୍କା ଦେଲେ । ଏହା ଗୋଟିଏ ଘଟଣା, ଏମିତି ଅନେକ କାହାଣୀ ଅଛି । ଏତେସବୁ ପରେ ନିରାଶ ଓଡ଼ିଆ ଦର୍ଶକ ପାଉଁଶ ତଳୁ ନିଆଁ ଖୋଜିଲା ଭଳି ଓଡ଼ିଆ ସିନେମାରେ ନିଚ୍ଛକ ଓଡ଼ିଆ କାହାଣୀ ଖୋଜୁଛନ୍ତି । ଅତୀତକୁ ଝୁରି ହୋଇ ପୁରୁଣା ଗୀତ ଆଉ ସିନେମା ଦେଖିବାକୁ ବେଶି ପସନ୍ଦ କରୁଛନ୍ତି ।

ଗତ ଏପ୍ରିଲ୍‌ ୨୪ ତାରିଖରେ ଜୟଦେବ ଭବନରେ ପ୍ରଦର୍ଶିତ ହୋଇଥିବା ୧୯୮୦ ମସିହାର ‘ଅପରିଚିତା’ ଦେଖିବାକୁ ଦର୍ଶକଙ୍କ ମଧ୍ୟରେ ଯେଉଁ ଆଗ୍ରହ ଏହାର ତା’ର ପ୍ରମାଣ ।କିନ୍ତୁ ଏବେକାର ସିନେମା ଦେଖିବାକୁ ଇଚ୍ଛା କରୁନାହାନ୍ତି । ଦେଖିବାକୁ ଇଚ୍ଛା ଥିଲେ ବି କେତେବେଳେ କେଉଁ ସିନେମା ହଲ୍‌କୁ ଆସୁଛି ଆଉ ଯାଉଛି ଜାଣିପାରୁନାହାନ୍ତି । କାରଣ ହଲ୍‌ରେ ଲଗାତର ସିନେମା ପଡ଼ିଲେ ବା ଅଧିକ ଦିନ ଚାଲିଲେ ଜଣାପଡ଼ନ୍ତା । ଏଠି କିନ୍ତୁ ପ୍ରିମିୟର ଶୋ’ପରେ ଫିଲ୍ମ ଛାଡ଼ନ୍ତୁ, ହଲ୍‌ ଆଗରେ ପୋଷ୍ଟର୍‌ ରହୁନି । ଦର୍ଶକ ଜାଣିବେ କ’ଣ ଆଉ ଯିବେ କେମିତ? ଆଜି ଏଭଳି ଏକ ସ୍ଥିତିରେ ଛିଡ଼ା ହୋଇଛି ଓଡ଼ିଆ ଚଳଚ୍ଚିତ୍ର ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ