ଧର୍ମ ରାଜ୍ୟ

ଆସନ୍ତା ୨୭ ତାରିଖରେ ପୁରୀ ଲୋକନାଥ ମନ୍ଦିରରେ ହେବ ପଙ୍କୋଦ୍ଧାର ଏକାଦଶୀ

ପୁରୀ ୨୪/୦୨ : ରାଜ୍ୟର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ପୁରୀର ଶ୍ରୀଲୋକନାଥ ଦେବଙ୍କ ମନ୍ଦିରରେ ଆସନ୍ତା ୨୭ ତାରିଖ ରବିବାର ଦିନ ପଙ୍କଉଦ୍ଧାର ତଥା ପଙ୍କୁଉଜୁଳା ନୀତି ଅନୁଷ୍ଠିତ ହେବ। ଏଥିପାଇଁ ଜିଲ୍ଲା ପ୍ରଶାସନ ଓ ଲୋକନାଥ ମନ୍ଦିର ପରିଚାଳନା ଟ୍ରଷ୍ଟ ବୋର୍ଡ଼ ପକ୍ଷରୁ ନୀତି ନିର୍ଘଣ୍ଟ ଚୁଡାନ୍ତ ହୋଇଛି। ଚଳିତବର୍ଷ କୋଭିଡ କଟକଣା କୋହଳ ହୋଇଥିବାରୁ ପଙ୍କଉଦ୍ଧାର ନୀତିରେ ସମସ୍ତ ସେବାୟତ ସାମିଲ ହୋଇ ଏହି ନୀତି ସମ୍ପାଦନ କରିବେ। ସେହିପରି ସ୍ବତନ୍ତ୍ର ବ୍ୟାରିକେଡ଼ ମାଧ୍ୟମରେ ଦର୍ଶନାର୍ଥୀମାନେ ପ୍ରଭୁ ଶ୍ରୀ ଲୋକନାଥ ଦେବଙ୍କୁ ଦର୍ଶନ କରିପାରିବେ। ତେବେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ମଙ୍ଗଳବାର ଜାଗର ଯାତ୍ରା ପାଇଁ ମଧ୍ୟ ନୀତିକାନ୍ତି ଚୁଡ଼ାନ୍ତ ହୋଇଛି।

ଆସନ୍ତା ୨୭ ତାରିଖରେ ପୁରୀର ପ୍ରସିଦ୍ଧ ପ୍ରଭୁ ଶ୍ରୀ ଲୋକନାଥ ଦେବଙ୍କ ମନ୍ଦିରରେ ପଙ୍କୋଦ୍ଧାର ନୀତି ଅନୁଷ୍ଠିତ ହେବ। ବର୍ଷର ଏହି ଗୋଟିଏ ଦିନ ପ୍ରଭୁ ଲୋକନାଥଙ୍କ ଗମ୍ଭୀରା ଭିତରକୁ ଯାଇ ଭକ୍ତ ଓ ଶ୍ରଦ୍ଧାଳୁ ଦର୍ଶନ କରିଥାନ୍ତି। ତେବେ ଭାରତବର୍ଷର ଅନ୍ୟ କୌଣସି ଶୈବପୀଠ କିମ୍ବା ମନ୍ଦିରରେ ପଙ୍କୋଦ୍ଧାର ସ୍ୱତନ୍ତ୍ର ରୀତି ନୀତି ନାହିଁ। ଶ୍ରୀମନ୍ଦିର ସହ ପ୍ରତ୍ୟକ୍ଷ ସଂପୃକ୍ତ ଥିବା ଶ୍ରୀଲୋକନାଥ ମନ୍ଦିରରେ ମହାଶିବରାତ୍ରିର ଗୋଟିଏ ଦିନ ପୂର୍ବରୁ ପଙ୍କୋଦ୍ଧାରର ସ୍ୱତନ୍ତ୍ର ନୀତି କରାଯାଏ। ବର୍ଷତମାମ ଫୁଲ, ବେଲପତ୍ର, କ୍ଷୀର, କଦଳୀ, ଦହି, ସୁନାରୂପାରେ ଆଛାଦିତ ହୋଇ ରହୁଥିବା ମହାପ୍ରଭୁ ଶ୍ରୀଲୋକନାଥଙ୍କ ଏହି ସମସ୍ତ ସାମଗ୍ରୀକୁ ବାହାର କରାଯିବ। ତେବେ ଚଳିତ ବର୍ଷ ପଙ୍କୋଦ୍ଧାର ଏକାଦଶୀ ଓ ଜାଗର ଦିନ ଭକ୍ତମାନେ ଲୋକନାଥ ମନ୍ଦିରର ଗମ୍ଭୀରା ଭିତରକୁ ଯାଇ ଦର୍ଶନ କରିବାର ସୁଯୋଗ ଭକ୍ତଙ୍କୁ ପ୍ରଶାସନ ଅନୁମତି ଦେଇ ଥିବାରୁ ଉଭୟ ଭକ୍ତ ଓ ସେବାୟତ ବେଶ୍ ଉତ୍ସାହିତ ଥିବା କହିଛନ୍ତି।

ତେବେ ପଙ୍କୋଦ୍ଧାର ଏକାଦଶୀ ଅବସରରେ ମନ୍ଦିର ପରିଚାଳନା ଟ୍ରଷ୍ଟ ବୋର୍ଡ଼ ପକ୍ଷରୁ ଚୁଡାନ୍ତ ନୀତି ନିର୍ଘଣ୍ଟ ଅନୁସାରେ ରାତି ୨ଟାରୁ ଦ୍ୱାର ଫିଟା ସହ ପରେ ବିଭିନ୍ନ ନୀତିକାନ୍ତି ହୋଇ ସକାଳ ୮ ଟାରୁ ପଙ୍କୋଦ୍ଧାର ଆରମ୍ଭ ହେବ। ଏହାପରେ ଦିନ ୧୨ଟାରୁ ସାଧାରଣ ଭକ୍ତମାନେ ପ୍ରଭୁ ଲୋକନାଥଙ୍କୁ ଦର୍ଶନ କରିପାରିବେ। ତେବେ ପଙ୍କୋଦ୍ଧାର ଓ ଜାଗର ଅବସରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥାରେ ସାମିଲ ହେବାକୁ ଚାହୁଁଥିବା ଭକ୍ତଙ୍କ ପାଇଁ ମନ୍ଦିର ପରିଚାଳନା ଟ୍ରଷ୍ଟ ପକ୍ଷରୁ ଟୋକନ ବ୍ୟବସ୍ଥା କରାଯାଇଛି। ପଙ୍କୋଦ୍ଧାର ଏକାଦଶୀ ଦିନ ୨ହଜାର ଓ ଜାଗର ଯାତ୍ରା ଦିନ ୪ହଜାର ସ୍ବତନ୍ତ୍ର ଦର୍ଶନ ଟିକେଟ ବିକ୍ରି ହେବାକୁ ଥିବାବେଳେ ଟିକେଟ ମୂଲ୍ୟ ୧୦୦ ଟଙ୍କା ରଖାଯାଇଛି।

ଆସନ୍ତା ୧ ତାରିଖ ମଙ୍ଗଳବାର ଜାଗର ଯାତ୍ରା ଅବସରରେ ରାତ୍ର ୧୨.୩୦ରୁ ଦ୍ୱାର ଫିଟା ସହ ପ୍ରଭୁଙ୍କର ବିଭିନ୍ନ ନୀତିକାନ୍ତି ଅନୁଷ୍ଠିତ ହେବା ପରେ ଭୋର ୪ ଟାରେ ସର୍ବସାଧାରଣ ଦର୍ଶନ ଆରମ୍ଭ ହେବ। ଏହି ଦର୍ଶନ ବ୍ୟବସ୍ଥା ବୁଧବାର ମଧ୍ୟରାତ୍ରୀ ପର୍ଯ୍ୟନ୍ତ ଚାଲିବା ପରେ ଭୋର ୪ ଟାରେ ମହାଦୀପ ଉଠିବ। ଜାଗର ଅବସରରେ ଭକ୍ତମାନେ ମନ୍ଦିର ପରିସରରେ ଓ ବାହାରେ ଏକାଠି ବସି ଦୀପ ଜାଳି ଉଜାଗର ରହିପାରିବେ ବୋଲି ଲୋକନାଥ ମନ୍ଦିର ଟ୍ରଷ୍ଟବୋର୍ଡ଼ ପରିଚାଳକ କହିଛନ୍ତି। ସେପଟେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ସ‌ହ ଟ୍ରାଫିକ ବ୍ୟବସ୍ଥା ନିୟନ୍ତ୍ରଣ ଓ ସୁରକ୍ଷା ପାଇଁ ବ୍ୟାପକ ପୋଲିସ ଫୋର୍ସ ସହ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିବେ ବୋଲି ଉପଜିଲ୍ଲାପାଳ କହିଛନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ