ରାଜ୍ୟ

ଆଉ ଏକ କାଳ ଅପରାହ୍‌ଣ

ଭୁବନେଶ୍ବର: ସେଦିନ ଥିଲା ମେ’ ୨୭ ତାରିଖ। ହଠାତ୍ ଅପରାହ୍ଣ ୫ଟା ବେଳେ ସତ୍ୟଭାମାପୁର ଇନ୍ଦ୍ରପାଳ ନିକଟରେ ଘଟିଯାଇଥିଲା ଏକ ଛାତିଥରା ଅଘଟଣ। ଦୁଇ ଯୁବ ଇଂଜିନିୟର କୁଆଖାଇ ଗଣ୍ଡରେ ବୁଡ଼ି ପ୍ରାଣ ହରାଇଥିଲେ। ଦୁଇ ଜଣ ସାଥୀ ବଞ୍ଚିଯାଇଥିଲେ ବି ଦୁଇଜଣଙ୍କ ମୃତଦେହ ଉଦ୍ଧାର ହେବା ପରେ ନଦୀ କୂଳରେ କାନ୍ଦବୋବାଳିରେ ଫାଟି ପଡ଼ିଥିଲା। ଦୁଇ ମୃତକ ଥିଲେ ବାପାମା’ଙ୍କର ଗୋଟିଏ ଗୋଟିଏ ସଦ୍ୟ ରୋଜଗାରିଆ ପୁଅ। ଠିକ ସେମିତି ଆଜି ଆଉ ଏକ କାଳ ଅପରାହ୍ଣ ପହଞ୍ଚିଥିଲା କୁଆଖାଇ ନଦୀର ଧବଳାହାର ଘାଟରେ। ଏକ ଘରୋଇ ଶିକ୍ଷାନୁଷ୍ଠାନର ୪ ଏମ୍‌ବିଏ ଛାତ୍ର ଗଭୀର ଜଳରେ ବୁଡ଼ିଯାଇଥିଲେ। ୨ ଜଣଙ୍କ ମୃତଦେହ ଜଳରୁ ଉଦ୍ଧାର ହୋଇଥିବା ବେଳେ ୨ ଜଣ ନିଖୋଜ ହୋଇଯାଇଥିଲେ। ବହୁ ଖୋଜାଖୋଜି ପରେ ବି ରାତି ୧୦ଟା ପର୍ଯ୍ୟନ୍ତ ଅଗ୍ନିଶମ ବାହିନୀ ନିଖୋଜ ଦୁଇ ଛାତ୍ରଙ୍କୁ ପାଇନଥିଲା। ଅପରାହ୍ଣ ୫ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ନଦୀ କୂଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା।

ବାଲିଅନ୍ତା ଥାନାଠୁ ରଙ୍ଗବଜାର ଡେଥ୍‌ ଜୋନ୍‌
କିଛି ଘଟଣା ଏବେ ବି ରହସ୍ୟରେ

ବାଲିଅନ୍ତା ଥାନା ପାଖରୁ ନଦୀ କୂଳେ କୂଳେ ରଙ୍ଗବଜାର ପର୍ଯ୍ୟନ୍ତ ପ୍ରାୟ ଅଢ଼େଇ କିମି ଦୂର ଡେଥ୍‌ ଜୋନ୍‌ ଭାବେ ଜଣାଶୁଣା ହୋଇଗଲାଣି। ଏହି ଅଂଶରେ ପ୍ରଶସ୍ତ ନଦୀ ପଠାରେ ବନୀକରଣ କରାଯାଇଛି। ଏହାବାଦ୍‌ ବହୁ ଅଂଶ ବି ପୂର୍ବରୁ ଜଙ୍ଗଲିଆ ଅଛି। ତେବେ ବନୀକରଣ ହୋଇଥିବା ଅଞ୍ଚଳ ବଣଭୋଜି ପାଇଁ ଖୁବ୍ ମନୋରମ ସ୍ଥାନ ହୋଇଛି। ଶୀତ ଦିନରୁ ଆରମ୍ଭ କରି ଖରା ଦିନ ଶେଷ ହେବା ପର୍ଯ୍ୟନ୍ତ ରାଜଧାନୀର ବହୁ ଲୋକ ଏଠାରେ ବଣଭୋଜି କରୁଛନ୍ତି। ନଦୀପଠାକୁ ଲାଗି ରହିଛି ଘନ ଜଳରାଶି। ବାଲି ଖୋଳା ହୋଇହୋଇ ଗଭୀର ଗଣ୍ଡ ବି ସୃଷ୍ଟି ହୋଇଛି। ତେବେ ସ୍ଥାନୀୟ ଲୋକଙ୍କ କହିବା କଥା, ଉକ୍ତ ଅଂଶରେ କୌଣସି ଗାଧୁଆ ତୁଠ ନାହିଁ। ତେଣୁ ସ୍ଥାନୀୟ ଲୋକେ ଗଭୀର ଗଣ୍ଡ ବାବଦରେ ଜାଣିଥିବାରୁ ଏଭଳି ଅଣତୁଠରେ ଗାଧୁଆପାଧୁଆ କରନ୍ତି ନାହିଁ। କିନ୍ତୁ ବାହାରୁ ଆସିଥିବା ଲୋକେ ତୁଠ ଅଣତୁଠ ଜାଣିନପାରି ଜଳକ୍ରୀଡ଼ା ପାଇଁ ପାଣି ଭିତରକୁ ପଶି ମୃତ୍ୟୁବରଣ କରୁଛନ୍ତି। ତେଣୁ ପ୍ରଶାସନ ଏଠାରେ ଗାଧୋଇବା ନିଷେଧ ବୋଲି ସତର୍କ ଫଳକ ଲଗାଇବା ଉଚିତ। ଏହାକୁ ‌ବ୍ଲାକ୍‌ସ୍ପଟ୍‌ ବୋଲି ଘୋଷଣା କରିବା ଜରୁରୀ।

କେବଳ ଏହି ଅଂଶ ନୁହେଁ, ଗତ କିଛି ମାସ ହେଲା କୁଆଖାଇରେ ସତେ ଯେମିତି କାଳ ଜଗି ବସିଛି। ତା ଆଁ’ରେ ଯିଏ ପଡ଼ୁଛି, ଆଉ ଫେରୁନି। କିଏ ଗାଧୋଇବାକୁ ଯାଇ ସଲିଳ ସମାଧି ନେଲାଣି ତ କାହାର ଜଳକ୍ରୀଡ଼ା କରିବାକୁ ଯାଇ ପ୍ରାଣ ହରାଇଲାଣି। କେତେବେଳେ ଏହି ନଦୀରୁ ଅଜଣା ମୃତଦେହ ମିଳିଲାଣି ତ କେତେବେଳେ କେହି ଏହା ଗର୍ଭକୁ ଡେଇଁ ଆତ୍ମହତ୍ୟା କଲାଣି। ଏମିତିକି କୁଆଖାଇର ମଣିଷଖିଆ ଆଁ’ରୁ ମାଛଧରାଳୀ ବି ମୁକୁଳି ପାରୁନାହାନ୍ତି। ଗତ ୭ମାସ ଭିତରେ ଏହି ନଦୀରେ ୧୦ରୁ ଅଧିକ ଜୀବନ ଗଲାଣି। ପୂର୍ବରୁ ମଧ୍ୟ ଅନେକଙ୍କ ମୃତ୍ୟୁ ଘଟିଛି। ଏମିତିକି କିଛି ଘଟଣା ରହସ୍ୟ ହୋଇରହିଛି।

ମେ’ ୨୭: ଗାଧୋଇବାକୁ ଯାଇ ଏହି ନଦୀରେ ବୁଡ଼ି ଦୁଇ ଯୁବ ଇଞ୍ଜିନିୟର୍‌ଙ୍କ ମୃତ୍ୟୁ ଘଟିଥିଲା। ଏହି ହୃଦୟବିଦାରକ ଅଘଟଣ ଘଟିଥିଲା ସତ୍ୟଭାମାପୁର ଇନ୍ଦ୍ରପାଳସ୍ଥିତ କୁଆଖାଇ ଘାଟରେ। ତମାଣ୍ଡୋ ଅଞ୍ଚଳର ସ୍ମୃତି ସୌରଭ ପ୍ରଧାନ ଓ ଅନୁଗୁଳ ଜିଲ୍ଲା ରେଙ୍ଗାଲି ଥାନା ଅଞ୍ଚଳର ସତ୍ୟଜିତ ଦାସଙ୍କ ମୃତ୍ୟୁ ଘଟିଥିଲା। ଅନ୍ୟ ଦୁଇ ବନ୍ଧୁ ଅଳ୍ପକେ ବର୍ତ୍ତି ଯାଇଥିଲେ।

ମେ’ ୧୬: ବାଲିଅନ୍ତା ଥାନା ନିକଟସ୍ଥ କୁଆଖାଇ ନଦୀ ଘାଟରୁ ମଞ୍ଚେଶ୍ବର ଥାନା ପାଣ୍ଡରା ଗ୍ରାମର ଅପର୍ତ୍ତି ମହାରଣା(୮୫)ଙ୍କ ମୃତଦେହ ମିଳିଥିଲା‌। ସେ ବାଲିଅନ୍ତା ସାପ୍ତାହିକ ହାଟରୁ ପରିବା ବ୍ୟାଗ ଧରି ଘରକୁ ଫେରୁଥିବା ବେଳେ ନଦୀରେ ପାର୍‌ ହେଉଥିଲେ। ଅସାବଧାନତାବଶତଃ ସେ ଗଭୀର ପାଣିକୁ ଖସିଯାଇଥିଲେ ଏବଂ ବୁଡ଼ି ଯାଇଥିଲେ। ପରେ ଦମକଳବାହିନୀ ନଦୀରୁ ତାଙ୍କ ମୃତଦେହକୁ ଜବତ କରିଥିଲା।

ଫେବ୍ରୁଆରି ୨୪: କୁଆଖାଇରେ ବୁଡ଼ି ଚାରିମାଣିଆ ଗ୍ରାମର ନାବାଳକ ଆକାଶ ସାହୁ ଓରଫ୍‌ ଚିକୁଙ୍କ ମୃତ୍ୟୁ ଘଟିଥିଲା। ମା’ଙ୍କୁ ହରାଇବା ପରେ ଚିକୁ ପିଲାଟି ବେଳୁ ଚାରିମାଣିଆରେ ଥିବା ମାମୁଙ୍କ ଘରେ ରହୁଥିଲା। ଗାଧୋଇବା ପାଇଁ ନଦୀକୁ ଯାଇଥିବା ବେଳେ ସେ ଗଭୀର ପାଣି ଭିତରକୁ ଚାଲିଯାଇ ବୁଡ଼ି ଯାଇଥିଲା। ମା’ ଛେଉଣ୍ଡ ଚିକୁ ମାମୁ ଘରେ ମଣିଷ ହେବାକୁ ଆସି ଅକାଳରେ କୁଆଖାଇ ଗର୍ଭରେ ହଜିଗଲା।

ଜାନୁଆରି ୧୫: ଏହି ନଦୀରେ ବୁଡ଼ି ହନୁମନ୍ତପାଟଣା ଗ୍ରାମର ଲକ୍ଷ୍ମୀଧର ବେହେରା ଓରଫ୍‌ ବଟିଆଙ୍କ ମୃତ୍ୟୁ ଘଟିଥିଲା। ‌ସେ ବାଳକାଟି ଫାଣ୍ଡି ଅଧୀନ ରଥିଜେମା ଗ୍ରାମ ଶ୍ମଶାନ ନିକଟ କୁଆଖାଇ ଘାଟକୁ ମାଛ ଧରିବା ପାଇଁ ଯାଇଥିଲେ। ଜଣେ ପୋଖତ ମାଛ ଧରାଳୀ ହୋଇଥିବା ବେଳେ କୁଆଖାଇ ନଦୀ ସହ ସେ ବେଶ୍ ପରିଚିତ ଥିଲେ। କିନ୍ତୁ କୁଆଖାଇର ମୁଣ୍ଡଖିଆ ଆଁ’ ରୁ ସେ ମୁକୁଳିପାରିନଥିଲେ। ପରେ ବାଲିଅନ୍ତା ଦମକଳ ବାହିନୀ ମୃତଦେହକୁ ଜବତ କରିଥିଲା।

ଜାନୁଆରି ୨୭: ସନ୍ଦେହଜନକ ଅବସ୍ଥାରେ କୁଆଖାଇ ନଦୀରେ ଭାସୁଥିବା ଖାରବେଳନଗର ଥାନା ଏନ୍‌ଏସି କଲୋନି ଅଞ୍ଚଳର ସେକ୍‌ ଆସିଫ୍‌ଙ୍କ ରକ୍ତାକ୍ତ ମୃତଦେହକୁ ମଞ୍ଚେଶ୍ବର ଥାନା ପୁଲିସ ଜବତ କରିଥିଲା। ଏନେଇ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁକରିବା ସହ ବ୍ୟବଚ୍ଛେଦ ପାଇଁ ମୃତଦେହକୁ କ୍ୟାପିଟାଲ୍‌ ହସ୍ପିଟାଲ୍‌ ପଠାଇଥିଲା। ତେବେ ଆସିଫ୍‌ ନଦୀକୁ ଡେଇଁ ଆତ୍ମହତ୍ୟା କରିଛନ୍ତି କି କେହି ତାଙ୍କୁ ନଦୀକୁ ଠେଲି ହତ୍ୟା କରିଥିଲା, ତାହା ଏବେ ବି ରହସ୍ୟରେ।

ଜାନୁଆରି ୧୩: ମଞ୍ଚେଶ୍ୱର ଥାନା ବରିମୁଣ୍ଡ ନିକଟ କୁଆଖାଇ ନଦରୁ ଜଣେ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ସେ ନଦୀରେ ଭାସୁଥିବା ଦେଖି ସ୍ଥାନୀୟ ଲୋକେ ମଞ୍ଚେଶ୍ୱର ଥାନାକୁ ସୂଚନା ଦେଇଥିଲେ। ଖବର ପାଇବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ଲାଗି କ୍ୟାପିଟାଲ ହସ୍ପିଟାଲ ପଠାଇଥିଲା। ତେବେ ଯୁବକକୁ କେହି ମାରି ନଦୀରେ ଫିଙ୍ଗି ଦେଇଥିଲେ ନା କି ସେ ଆତ୍ମହତ୍ୟା କରିଥିଲେ, ତାହା ଏବେ ବି ଅସ୍ପଷ୍ଟ ରହିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।