ଭୁବନେଶ୍ବର: ଅଂଶୁପା; ଦେଶର ଦ୍ବିତୀୟ ବୃହତ୍ ମଧୁରଜଳ ହ୍ରଦ ଭାବେ ପରିଗଣିତ ହୁଏ। ୨୦୨୧ ଅକ୍ଟୋବର ୧୨ରେ ଏହାକୁ ରାମସାର୍ ସ୍ଥଳୀ ମାନ୍ୟତା ମିଳିଛି, ଯାହାକି ଅନ୍ତର୍ଜାତୀୟ ସ୍ତରରେ ଗୁରୁତ୍ବ ବହନ କରେ। ଯେଉଁଥିପାଇଁ ସବୁ ସମୟରେ ଏହା ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥାଏ। ମାତ୍ର ଏହି ହ୍ରଦ ଏବେ ତାହାର ଅସ୍ତିତ୍ବ ବଞ୍ଚାଇବାକୁ ସଂଘର୍ଷ କରୁଛି। ବିକାଶ ନାଁରେ ପ୍ରତିବର୍ଷ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେଉଥିଲେ ମଧ୍ୟ ହ୍ରଦର ପ୍ରାୟ ୯୦ ଏକର ଅଞ୍ଚଳ ଜବରଦଖଲକୁ ଚାଲିଗଲାଣି। ଦଳ ସଫେଇ କରିବାକୁ ପ୍ରତିବର୍ଷ ସ୍ବତନ୍ତ୍ର ବଜେଟ୍ ହେଉଛି। ଅଥଚ କେମିତି ଦଳ ସଫା ହେଉଛି କେଜାଣି, କମିବା ବଦଳରେ ଦଳ ମାଡ଼ିବା ଦ୍ବାରା ହ୍ରଦ ସଙ୍କୁଚିତ ହେବାରେ ଲାଗିଲାଣି। ଏହା ସହିତ ସୌନ୍ଦର୍ଯ୍ୟ ମଧ୍ୟ ନଷ୍ଟ ହେଉଛି। ହ୍ରଦର ସଂରକ୍ଷଣ ଓ ପରିଚାଳନା ଦାୟିତ୍ବ ନେଇଥିବା ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ(ସିଡିଏ) ଏହି ହ୍ରଦର ସୁରକ୍ଷା ନେଇ ଯେତିକି ତତ୍ପରତା ପ୍ରକାଶ କରିବା କଥା, ତାହା ମଧ୍ୟ ପରିଲକ୍ଷିତ ହେଉନାହିଁ। ଏହା ପର୍ଯ୍ୟଟନ ମାନଚିତ୍ରରୁ ହଜିଯିବା ଭଳି ଆଶଙ୍କା ସୃଷ୍ଟି ହେଲାଣି।
ଅଂଶୁପାର ବିକାଶ ପାଇଁ କର୍ତ୍ତୃପକ୍ଷ ଗତ ୧୦ ବର୍ଷ ମଧ୍ୟରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କଠାରୁ ୧୦ କୋଟି ୧୪ ଲକ୍ଷ ୧୮ ହଜାର ଟଙ୍କା ଅନୁଦାନ ପାଇଛନ୍ତି। ଉକ୍ତ ଅନୁଦାନରେ ଅଂଶୁପା ହ୍ରଦର ସଂରକ୍ଷଣ ଓ ପରିଚାଳନା ଲାଗି ପଦକ୍ଷେପ ନିଆଯାଇଥିବା ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରଦୀପ କୁମାର ଅମାତ୍ ବିଧାନସଭାରେ ସୂଚନା ଦେଇଛନ୍ତି। ମନ୍ତ୍ରୀ ଶ୍ରୀ ଅମାତ୍ ସ୍ପଷ୍ଟ କରିଛନ୍ତି ଯେ ହ୍ରଦରୁ ଦଳ ସଫେଇ, ମୃତ୍ତିକା ସଂରକ୍ଷଣ, ବର୍ଷାଜଳ ସଂରକ୍ଷଣ କାର୍ଯ୍ୟ, ଟ୍ରେଞ୍ଚ ଖନନ, ମତ୍ସ୍ୟ ସମ୍ପଦର ବିକାଶ ଓ ଆକଳନ, ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଚେତନତା, ଜଳଜ ଉଦ୍ଭିଦ, ହ୍ରଦର ମାଛ ଓ ପକ୍ଷୀମାନଙ୍କ ଉପରେ ସର୍ବେକ୍ଷଣ କରି ପୁସ୍ତକ ପ୍ରକାଶ କରାଯାଇଛି। ଏହାବ୍ୟତୀତ ପ୍ରକୃତି ଉଦ୍ୟାନର ଉନ୍ନତିକରଣ, ପାର୍କିଂ ବ୍ୟବସ୍ଥା, ପ୍ରାକୃତିକ ଚଲାପଥ ନିର୍ମାଣ, ଛୋଟ ପିଲାଙ୍କ ପାଇଁ ଖେଳିବା ଜାଗାର ବିକାଶ, ପ୍ରସ୍ତର ନିର୍ମିତ ଉଦ୍ୟାନ, ନୌବିହାରର ସୁବିଧା, ୨ଟି ନିରୀକ୍ଷଣ ଗମ୍ବୁଜର ନିର୍ମାଣ, ୩ଟି ଚଳ ଘରରେ ପ୍ରତୀକ୍ଷାଳୟ ନିର୍ମାଣ, ଅଂଶୁପା ହ୍ରଦର ପକ୍ଷୀ ଓ ଜଳଜୀବ ଗଣନା କାର୍ଯ୍ୟକ୍ରମ ହେଉଛି। ଅଂଶୁପା ହ୍ରଦରୁ ଅହେତୁକ ଜଳଜ ଉଦ୍ଭିଦ(ଦଳ)କୁ ଉଭୟ ଲୋକଙ୍କ ଦ୍ବାରା ଓ ଯାନ୍ତ୍ରିକ ଉପାୟରେ ସଫା କରାଯାଇ ଉକ୍ତ ଦଳରୁ ଖତ ତିଆରି କରାଯାଉଛି। ୨୩୧ ହେକ୍ଟର ଅଞ୍ଚଳରେ ଥିବା ଏହି ହ୍ରଦର ଭବିଷ୍ୟତ ଉନ୍ନତିକରଣ ପାଇଁ କେନ୍ଦ୍ର ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟଙ୍କ ‘ଅମୃତ ଧରୋହର’ କାର୍ଯ୍ୟକ୍ରମ ଅନ୍ତର୍ଗତ ୭ କୋଟି ୧୮ ଲକ୍ଷ ଟଙ୍କାର ଅନୁଦାନ ପାଇଁ ପ୍ରସ୍ତାବ ଦିଆଯାଇଛି। ଯେଉଁଥିରେ ପ୍ରଜାତି ଓ ପ୍ରାକୃତିକ ବାସସ୍ଥାନର ସଂରକ୍ଷଣ, ପ୍ରକୃତି ପର୍ଯ୍ୟଟନ, ଆର୍ଦ୍ରଭୂମି ଜୀବିକା, ଆର୍ଦ୍ରଭୂମି ଅଙ୍ଗାରକ ପରି କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି ସେ କହିଛନ୍ତି। ସୂଚନା ଅନୁଯାୟୀ ପ୍ରତିବର୍ଷ ଅଂଶୁପାକୁ ଦଳମୁକ୍ତ କରିବାକୁ ଯୋଜନା ହେଉଥିଲେ ମଧ୍ୟ ଅଧାରେ କାମ ଅଟକି ଯାଉଛି। ଏହା ଦଳମୁକ୍ତ ହେବା ବଦଳରେ ଅଧିକ ମାଡ଼ିଚାଲିଛି। ୨୦୦୫ରେ ଦଶମ ଅର୍ଥ କମିସନ ଅନୁଦାନରେ ୬କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରାଯାଇ ଏଠାରେ ବୋଟିଂ ବ୍ୟବସ୍ଥା ହୋଇଥିଲା। ହେଲେ ଏବେ ନାଁକୁ ମାତ୍ର ବୋଟିଂ ଚାଲିଛି।