ଜୟପୁର: ଔଷଧୀୟ ଗୁଣରେ ଭରପୂର ଅଳସୀ। ଯେଉଁଥି ପାଇଁ ବିଶ୍ବ ବଜାରରେ ଏହାର ଚାହିଦା ଢ଼େର୍ ରହିଛି। କିନ୍ତୁ ବଜାରୀକରଣ ପାଇଁ ସରକାରୀ ସ୍ତରରେ ନାହିଁ କୌଣସି ବ୍ୟବସ୍ଥା। ଯେଉଁଥି ପାଇଁ ଚାଷରୁ ମୁହଁ ଫେରାଇ ନେଉଛନ୍ତି ଚାଷୀ। ଅଳସୀ ଚାଷ ପାଇଁ ପ୍ରସିଦ୍ଧ କୋରାପୁଟ ଜିଲ୍ଲା। ଏକଦା ଏହି ଜିଲ୍ଲାରୁ ବାର୍ଷିକ ୧୬.୫୫ ମେଟ୍ରିକ୍ ଟନ୍ ଅଳସୀ ଉତ୍ପାଦନ ହେଉଥିଲା। ହଳଦିଆ ରଙ୍ଗର ଫୁଲରେ କ୍ଷେତ ହସିବା ସହ ପ୍ରାକୃତିକ ସୌନ୍ଦର୍ଯ୍ୟ ବୃଦ୍ଧିରେ ମଧ୍ୟ ସହାୟକ ହେଉଥିଲା। ଉତ୍ପାଦିତ ଅଳସୀକୁ ବିକ୍ରି ପାଇଁ ଉଚିତ୍ ବଜାର କିମ୍ବା ମଣ୍ଡିର ସୁବିଧା ନଥିବାରୁ ଚାଷୀ କିଲୋ ପିଛା ୪୦ ରୁ ୫୦ ଟଙ୍କାରେ ବିକ୍ରି କରି କ୍ଷତି ସହିଲେ। ସେପଟେ ଆନ୍ଧ୍ର ବ୍ୟବସାୟୀ ଖୋଲା ବଜାରରେ ଅଳସୀକୁ ଦୁଇ ଗୁଣା ଅଧିକ ଦର କିଲୋ ପିଛା ୧୦୦ ରୁ ୧୧୦ ଟଙ୍କାରେ ବିକ୍ରି କରି ବେଶ୍ ଲାଭବାନ୍ ହେଲେ। ଅଭାବୀ ବିକ୍ରିର ଶିକାର ଚାଷୀ ଉଚିତ୍ ଲାଭ ମିଳୁନଥିବା କାରଣରୁ ଧୀରେଧୀରେ ଏହି ଚାଷ କରିବାକୁ ଆଉ ଇଛା ପ୍ରକାଶ କଲେ ନାହିଁ। ଯେଉଁଥି ପାଇଁ ଗତ ୧୧ ବର୍ଷ ମଧ୍ୟରେ ଉତ୍ପାଦନ ଖସି ଏବେ ୪.୯୮ ମେଟ୍ରିକ୍ ଟନରେ ପହଞ୍ଚିଲାଣି।
୨୦୧୮ ମସିହାରେ ୨୩ ହଜାର ୨୨୫ ହେକ୍ଟର ଜମିରେ ଅଳସୀ ଚାଷ ପାଇଁ ବିଭାଗ ଲକ୍ଷ୍ୟ ରଖିଥିଲା। କିନ୍ତୁ ୧୫ ହଜାର ୧୧୩ ହେକ୍ଟର ଜମିରେ ଚାଷ କରିବାରେ ସଫଳ ହୋଇଥିଲା। ୨୦୨୩ରେ ପୂର୍ବ ସ୍ଥିତିକୁ ଫେରିବା ପାଇଁ ବିଭାଗ ୨୨ ହଜାର ୬୯୦ ହେକ୍ଟରରେ ଚାଷ ପାଇଁ ଳକ୍ଷ୍ୟ ରଖିଥିଲା। ହେଲେ ୧୫ ହଜାର ୫୨୪ ହେକ୍ଟରରେ ହିଁ ଚାଷ ସମ୍ଭବ ହୋଇଥିଲା। ଯାହାର ପ୍ରଭାବ ଉତ୍ପାଦନ ଉପରେ ପଡ଼ିଥିଲା। ଚାଷ ପ୍ରତି ଚାଷୀ ବିମ୍ମୁଖ ହେଉଥିବା ଗତ ଖରିଫରେ ୧୨ଶହ ଚାଷୀଙ୍କୁ ଏକ କିଲୋ ଲେଖାଏଁ ବିହନ ମିନିକିଟ୍ ଦେଇ ପ୍ରୋତ୍ସାହିତ କରିଥିଲା ବିଭାଗ।