ବ୍ରହ୍ମପୁର: ଗତକାଲି ରାତିରେ ବନ୍ଧୁକ ମୁନରେ ୨ ବ୍ୟବସାୟୀ ଭାଇଙ୍କୁ ଅପହରଣ ଘଟଣାରେ ନୂଆ ମୋଡ ସାମ୍ନାକୁ ଆସିଛି | ଅପହୃତ ହୋଇଥିବା ଦୁଇ ଭାଇଙ୍କୁ କେହି ଅପହରଣକାରୀ ଅପହୃତ କରିନଥିଲେ ବରଂ କର୍ଣ୍ଣାଟକ ପୁଲିସର ଏକ ଟିମ ଉଠାଇ ନେଇଥିଲେ | ଏବେ ଗଞ୍ଜାମ ପୁଲିସ ବିଶାଖାପାଟଣାର ଏକ ହୋଟେଲରୁ ଉଦ୍ଧାର କରିଛି | ପୁଲିସ ଏବେ ଏହି ଘଟଣାର ଅଧିକ ତଦନ୍ତ କରୁଛି | ଉଲ୍ଲେଖ ଆଉ କି ଗତକାଲି ଗଞ୍ଜାମ ଥାନା ଅଧୀନ ପୁଇଁତୋଳ ଗ୍ରାମର କୃଷ୍ଣଚନ୍ଦ୍ର ସାହୁ(୫୫) ଓ ପଞ୍ଚାନନ ସାହୁ(୫୨)ଙ୍କୁ ଅପହରଣ କରାଯାଇଥିଲା ବୋଲି ପ୍ରାଥମିକ ଭାବେ କୁହାଯାଉଥିଲା | ତେବେ କର୍ଣ୍ଣାଟକ ପୁଲିସ ସ୍ଥାନୀୟ ପୁଲିସକୁ ନ ଜଣାଇ ସେମାନଙ୍କୁ ଉଠାଇନେଇଥିବାରୁ ପ୍ରଥମେ ଏହାକୁ ଅପହରଣ ବୋଲି ସମସ୍ତେ ଭାବିନେଇଥିଲେ | ତେବେ ଗଞ୍ଜାମ ପୁଲିସ ପକ୍ଷରୁ ଏନେଇ ତଦନ୍ତ ସହ ଚଢ଼ାଉ କରାଯିବା ପରେ ବିଶାଖାପାଟଣାରେ ଦୁଇ ଭାଇଙ୍କୁ ଠାବ କରିଥିଲା |
ଉଲ୍ଲେଖ ଥାଉ କି ଦୁଇ ଭାଇ ମିଶି ପୁଇଁତୋଳା ଛକରେ ଭେରାଇଟ୍ ଷ୍ଟୋର କରିଛନ୍ତି। ସବୁଦିନ ପରି ଉଭୟ ଗତକାଲି ଦୋକାନରେ ଥିଲେ। ରାତି ପ୍ରାୟ ୧୦. ୧୫ ବେଳକୁ ହଠାତ ଧଳା ଓ ନାଲି କାରରେ କିଛି ଲୋକ ତାଙ୍କ ଦୋକାନରେ ପହଞ୍ଚି ଉଭୟଙ୍କୁ ନେଇଯାଇଥିଲେ | ସୂଚନା ପାଇ ସ୍ଥାନୀୟ ଅନ୍ୟ ଦୋକାନୀ ମାନେ ପୁଲିସକୁ ଖବର ଦେଇଥିଲେ। ତେବେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା | ଆଉ ତାଜା ସୂଚନା ମୁତାବକ ଦୁଇ ଭାଇଙ୍କୁ ଅପହରଣକାରୀ ନୁହେଁ କର୍ଣ୍ଣାଟକ ପୁଲିସ ଉଠାଇନେଇଥିବାର ଏବେ ଜଣାପଡିଛି | ତେବେ କେଉଁ ମାମଲାରେ ଦୁହିଁଙ୍କୁ ପୁଲିସ ଉଠାଇନେଇଥିଲା ସେ ବାବଦରେ ଜଣାପଡିନାହିଁ |