ଭିଏନା ୨୨/୧୨: ୟୁରୋପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ବରିଷ୍ଠ ଅଧିକାରୀ ମଙ୍ଗଳବାର ଓମିକ୍ରନ୍ ଭାରିଆଣ୍ଟ ନେଇ ଚେତାଇ ଦେଇଛନ୍ତି । ସମଗ୍ର ମହାଦ୍ୱୀପରେ କରୋନାଭାଇରସ୍ ସୁନାମୀ ନେଇ ଆଲର୍ଟ କରାଯାଇଛି । ଏହା ସହିତ, କରୋନାର ଓମିକ୍ରନ୍ ଭାରିଆଣ୍ଟକୁ ଏଡାଇବା ପାଇଁ ଟିକାକରଣର ବୁଷ୍ଟର ଡୋଜ ପାଇଁ ବିସ୍ତୃତ ବ୍ୟବସ୍ଥା କରିବାକୁ WHO ପରାମର୍ଶ ଦେଇଛି ।
କରୋନାର ଓମିକ୍ରନ୍ ଭାରିଆଣ୍ଟ ପୃଥିବୀର ବିଭିନ୍ନ ଦେଶରେ ଲୋକଙ୍କୁ ଶୀଘ୍ର ସଂକ୍ରମିତ କରୁଛି । ଭାରତରେ ଓମିକ୍ରନର ଦୁଇଶହରୁ ଅଧିକ ମାମଲା ରୁଜୁ ହୋଇଛି। WHO ର ସ୍ଥାନୀୟ ନିର୍ଦ୍ଦେଶକ ଡକ୍ଟର ହାନ୍ସ କ୍ଲୁଗ ଭିଏନାରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଆମେ ଆଉ ଏକ ସୁନାମୀ ଆସୁଥିବାର ଆକଳନ କରୁଛୁ । କିଛି ସପ୍ତାହ ମଧ୍ୟରେ, ଓମିକ୍ରନ୍ ୟୁରୋପରେ ଅଧିକ ଦେଶ ଉପରେ ପ୍ରାଧାନ୍ୟ ବିସ୍ତାର କରିବ ବୋଲି କ୍ଲୁଜ୍ କହିଛନ୍ତି ।
ଯାହା ଖରାପ ସମୟ ଦେଇ ଗତି କରୁଥିବା ସ୍ୱାସ୍ଥ୍ୟ ବ୍ୟବସ୍ଥା ଉପରେ ଅଧିକ ପ୍ରଭାବ ପକାଇବ । କ୍ଲୁଜ୍ କହିଛନ୍ତି ଯେ ଏପର୍ଯ୍ୟନ୍ତ ୫୩ ଟି ୟୁରୋପୀୟ ଅଞ୍ଚଳ ମଧ୍ୟରୁ ୩୮ଟିରେ ଓମିକ୍ରନ୍ ମିଳିଛି । ବ୍ରିଟେନ, ଡେନମାର୍କ ଏବଂ ପର୍ତ୍ତୁଗାଲରେ ଏହା ପ୍ରାଧାନ୍ୟ ବିସ୍ତାର କରିସାରିଛି । ସେ କହିଛନ୍ତି ଗତ ସପ୍ତାହରେ କରୋନା ଭାଇରସ୍ କାରଣରୁ ୨୭ ହଜାର ଲୋକଙ୍କ ମୃତ୍ୟୁ ଓ ୨୬ ଲକ୍ଷ ଅତିରିକ୍ତ ମାମଲା ସାମନାକୁ ଆସିଛି ।
ତେବେ ଏହି ମାମଲାରେ ସମସ୍ତ ଭାରିଆଣ୍ଟର ସଂକ୍ରମଣ ମାମଲା ସାମିଲ ରହିଛି । ସେ କହିଛନ୍ତି, ଏହି ସଂଖ୍ୟା ଗତ ବର୍ଷ ଏହାର ସମୟ ସୀମା ତୁଳନାରେ ୪୦ ପ୍ରତିଶତରୁ ଅଧିକ ରହିଛି । କରୋନାର ମାମଲା ବଢିଲେ ହସ୍ପିଟାଲରେ ରୋଗୀଙ୍କ ସଂଖ୍ୟା ମଧ୍ୟ ବଢିବ । ୟୁରୋପୀୟ ଦେଶ ନିଜ ନିଜର ନାଗରିକଙ୍କୁ ଖୁବ୍ ଶୀଘ୍ର ବୁଷ୍ଟାର ଡୋଜ୍ ଦିଅନ୍ତୁ ବୋଲି ହାନ୍ସ କ୍ଲୁଜ୍ ଅପିଲ କରିଛନ୍ତି। ସେ କହିଛନ୍ତି, ଓମିକ୍ରନ୍ରୁ ବଞ୍ଚିବାର ଏବେ ଏକମାତ୍ର ଉପାୟ ରହିଛି, ତାହା ହେଲା ବୁଷ୍ଟର ଡୋଜ୍।