ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ଭୁବନେଶ୍ବର: ଦୋକାନରେ ଥିବା ବଳକା ଛେନା ଖରାପ ନ ହେବା ପାଇଁ ସେଥିରେ ଚିନି ମିଶାଇ ଓ ପିମ୍ପୁଡ଼ି ନ ଲାଗିବା ପାଇଁ ତାହାକୁ ଚୁଲି ଆଞ୍ଚ ପାଖରେ ରଖି ମିଠା କାରିଗର ସୁଦର୍ଶନ ସାହୁ ସେଦିନ ଘରକୁ ଚାଲି ଯାଇଥିଲେ। ଏଥିରୁ ଉଦ୍ଭାବନ ହୋଇଥିଲା ନୟାଗଡ଼ ‘ଛେନାପୋଡ଼’। ଏହି ଛେନାପୋଡ଼ ହିଁ ଆମକୁ ସଂରକ୍ଷଣର ଶିକ୍ଷା ଦେଉଛି। କିଛି ବି ଜିନିଷ ଅଦରକାରୀ କିମ୍ବା ଅଲୋଡ଼ା ନୁହେଁ। ଏଣୁ ଫୋପାଡ଼ିବା ଅପେକ୍ଷା ସାମଗ୍ରୀକୁ ସଂରକ୍ଷଣ କରି ଶିଖିବା ଉଚିତ ବୋଲି କହିଛନ୍ତି ‘ସମ୍ବାଦ’ର ସମ୍ପାଦକ ତଥା ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ। ଆଜି ‘ବିଶ୍ବ ଛେନାପୋଡ଼ ଦିବସ’ ଅବସରରେ ‘ନୟାଗଡ଼ ବିକାଶ ମଞ୍ଚ’ ଓ ‘ଓଡ଼ିଆ ମିଡିଆ ପ୍ରାଇଭେଟ୍ ଲିମିଟେଡ୍’ ମିଳିତ ଆନୁକୂଲ୍ୟରେ ଜୟଦେବ ଭବନଠାରେ ଆୟୋଜିତ ଏକ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀ ପଟ୍ଟନାୟକ ଏହା କହିଛନ୍ତି।
ଶ୍ରୀ ପଟ୍ଟନାୟକ ଆହୁରି କହିଥିଲେ, ଆଧୁନିକ ଜ୍ଞାନକୌଶଳ ପ୍ରଭାବରେ ଏବେ ସମଗ୍ର ବିଶ୍ବ ଏକ ଗ୍ଲୋବାଲ୍ ଭିଲେଜରେ ପରିଣତ ହୋଇଛି। ଏଣୁ ଖାଦ୍ୟ, ବସ୍ତ୍ର ଓ ଜୀବନଶୈଳୀରେ ସଂକୀର୍ଣ୍ଣତାର ଅବକାଶ ନାହିଁ। କିନ୍ତୁ ଯେଉଁ ସାମଗ୍ରୀର ମହନୀୟତା ବା ବିଶେଷତ୍ବ ରହିଛି, ତାହାକୁ ଏକ ସ୍ବତନ୍ତ୍ର ମର୍ଯ୍ୟାଦା ଦେବା ଆମ ଦାୟିତ୍ବ। ଏଥିସହ ଛେନାପୋଡ଼ର ଗୁଣବତ୍ତା ଓ ମାନ ଉପରେ ସ୍ବତନ୍ତ୍ର ଗୁରୁତ୍ବ ଦେବାକୁ ଛେନାପୋଡ଼ କାରିଗରମାନଙ୍କୁ ଶ୍ରୀ ପଟ୍ଟନାୟକ ପରାମର୍ଶ ଦେଇଥିଲେ। ନୟାଗଡ଼ ବିକାଶ ମଞ୍ଚର ଆବାହକ ଶୁଭ୍ରାଂଶୁ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନୟାଗଡ଼ ବିଧାୟକ ଅରୁଣ ସାହୁ ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ସେ କହିଲେ, ବିଦ୍ୟାଧର ସାହୁ ହୁଅନ୍ତୁ ବା ସୁଦର୍ଶନ ସାହୁ; ସେମାନେ ବାପ-ପୁଅ। ଅର୍ଥାତ୍ ସେହି ସାହୁ ପରିବାର ହିଁ ଛେନାପୋଡ଼ର ସ୍ରଷ୍ଟା। ଏଣୁ ଛେନାପୋଡ଼କୁ ନେଇ କୌଣସି ବିବାଦ ବା ଦ୍ବିଧା ହିଁ ନାହିଁ।
ସମସ୍ତଙ୍କର ନିଜ ମାଟି ପ୍ରତି ମମତା ବା ଆପଣାପଣ ରହିଛି। କେବଳ ଏହି ଆପଣାପଣକୁ ବେଳେବେଳେ ତେଜିବାର ଅବଶ୍ୟକତା ରହିଛି। ବହୁ ସଂଗଠନ ଏଥିପାଇଁ କାମ ବି କରୁଛନ୍ତି। ଏହି ତେଜିବା କାମ କରୁଥିବା କିଛି ଅନୁଷ୍ଠାନର ପ୍ରଚେଷ୍ଟାରେ ଏକ ଖିଆଲି ମନୋବୃତ୍ତିରୁ ଆରମ୍ଭ ହୋଇଥିବା ଛେନାପୋଡ଼ ଦିବସ ଆଜି ଏକ ବଡ଼ ଅଭିଯାନରେ ପରିଣତ ହୋଇପାରିଛି ବୋଲି ଡ. ସାହୁ କହିଛନ୍ତି। ସମ୍ମାନିତ ଅତିଥି ସମାଜସେବୀ ସାବରମତୀ କହିଥିଲେ, ଅନେକ ସମୟରେ ଛେନାପୋଡ଼ର ମାନକୁ ନେଇ ଅଭିଯୋଗ ଉଠେ। ଏଣୁ ଯଦି ନୟାଗଡ଼ରେ ଥିବା ମହିଳା ସଂଗଠନଗୁଡ଼ିକୁ ଗାଈ ରଖି ଦୁଗ୍ଧ ଉତ୍ପାଦନ କରିବାକୁ ପ୍ରୋତ୍ସାହିତ କରାଯାଆନ୍ତା, ଅଧିକ ମାତ୍ରାରେ ଛେନା ଉତ୍ପାଦନ ହୋଇପାରନ୍ତା ଓ ଉଚ୍ଚମାନର ଛେନାପୋଡ଼ ପ୍ରସ୍ତୁତ ହୋଇପାରନ୍ତା। ଅନ୍ୟ ଅତିଥିମାନଙ୍କ ମଧ୍ୟରେ ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ, ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ବିଧାୟକ ସୁର ରାଉତରାୟ, ସାହିତ୍ୟିକ ଦାଶ ବେନହୁର ଓ ପ୍ରସିଦ୍ଧ କଣ୍ଠଶିଳ୍ପୀ ତାନସେନ୍ ସିଂହ ଯୋଗ ଦେଇଥିଲେ। ତେବେ ରସଗୋଲା ଭଳି ଛେନାପୋଡ଼ ପାଇଁ ମଧ୍ୟ ଏକ କ୍ଲଷ୍ଟର୍ ନିର୍ମାଣ ଦିଗରେ ସରକାର ଚେଷ୍ଟା କଲେ ନୟାଗଡ଼ବାସୀ ଓ ଛେନାପୋଡ଼ କାରିଗରମାନେ ଉପକୃତ ହେବେ ବୋଲି ଆବାହକ ଶ୍ରୀ ପଣ୍ଡା ଅନୁରୋଧ କରିଥିଲେ।
‘ଛେନାପୋଡ଼ ତୁଣ୍ଡେ ଦେଲେ ସବୁ ଦୁଃଖ ଯାଏ ଦୂରେ’
‘ବିଶ୍ବ ଛେନାପୋଡ଼ ଦିବସ’ ଅବସରରେ ଛେନାପୋଡ଼କୁ ନେଇ ଏକ ମନଛୁଆଁ ଗୀତ ‘ହରେକୃଷ୍ଣ ହରେକୃଷ୍ଣ କୃଷ୍ଣକୃଷ୍ଣ ହରେହରେ…। ‘ଛେନାପୋଡ଼ ତୁଣ୍ଡେ ଦେଲେ ସବୁ ଦୁଃଖ ଯାଏ ଦୂରେ…’ ଶ୍ରୋତାର୍ପିତ ହୋଇଯାଇଛି। ଗୀତକୁ କଥାକାର ଶୁଭ୍ରାଂଶୁ ପଣ୍ଡା ଲେଖିଥିବା ବେଳେ ସଙ୍ଗୀତ ନିର୍ଦ୍ଦେଶନା ସହ କଣ୍ଠଦାନ କରିଛନ୍ତି ଅଭିଜିତ ମିଶ୍ର। ଗୀତରେ ଛେନାପୋଡ଼ର ମହିମାମଣ୍ଡନ ସାଙ୍ଗକୁ ନୟାଗଡ଼ ଜିଲ୍ଲାର ଐତିହ୍ୟ, ପରମ୍ପରା, ସଂସ୍କୃତି, ପର୍ବପର୍ବାଣୀ ଓ ମହାପୁରୁଷଙ୍କ ସଂପର୍କରେ ବର୍ଣ୍ଣନା କରାଯାଇଛି। କାର୍ଯ୍ୟକ୍ରମରେ ସୁବ୍ରତ ନାୟକ ସ୍ବାଗତ ଭାଷଣ ଓ ଅମରେଶ ଦାସ ଧନ୍ୟବାଦ ଦେଇଥିଲେ। ଏହି ଅବସରରେ ନୟାଗଡ଼ରୁ ସ୍ବତନ୍ତ୍ର ଭାବେ ପ୍ରସ୍ତୁତ ହୋଇ ଆସିଥିବା ଛେନାପୋଡ଼, ମୁଗପୋଡ଼, ମୁଗମଣ୍ଡା ଓ ମୁଗପକୁଡ଼ି ଆଦି ଖାଦ୍ୟର ପ୍ରଦର୍ଶନ କରାଯାଇଥିଲା। ସଭା ଶେଷରେ ପାଲା, ଦାସକାଠିଆ, ବାଘନାଚ, ଠକରା, ଖଞ୍ଜଣି, ପାରମ୍ପରିକ ସଙ୍ଗୀତ ଓ ଆଧୁନିକ ସଙ୍ଗୀତ ପରିବେଷଣ କରାଯାଇଥିଲା।ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l