ରାଜ୍ୟ ସ୍ପେଶାଲ ରିପୋର୍ଟ

ବିଏସ୍‌କେୱାଇ ସ୍ମାର୍ଟକାର୍ଡ ଥାଇ ବି ଟଙ୍କା ଗଣୁଛନ୍ତି ରୋଗୀ

 

ଭୁବନେଶ୍ବର: ଅର୍ଥ ଅଭାବରୁ କାହାର ଜୀବନ ଯିବ ନାହିଁ। ଚିକିତ୍ସା ପାଇଁ ଜମିବାଡ଼ି, ଗହଣା ବିକିବାକୁ ପଡ଼ିବ ନାହିଁ। ସାଢ଼େ ୪ କୋଟି ଓଡ଼ିଆଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା(ବିଏସ୍‌କେୱାଇ)ର ସ୍ମାର୍ଟ କାର୍ଡ ଭଳି ଐତିହାସିକ ନିଷ୍ପତ୍ତି ନେଇଛନ୍ତି। ସମସ୍ତଙ୍କୁ ମାଗଣାରେ ସବୁ ପ୍ରକାର ଚିକିତ୍ସା ମିଳିବ। ବିଏସ୍‌କେୱାଇକୁ ଏଭଳି ଢଙ୍ଗରେ ପ୍ରଚାର ପ୍ରସାର କରୁଛନ୍ତି ରାଜ୍ୟ ସରକାର।
ହେଲେ ବିଏସ୍‌କେୱାଇ ଅଧୀନରେ ଅନୁବନ୍ଧିତ ହସ୍ପିଟାଲ ଚୟନ ଏବେ ଏହି ଯୋଜନାର ବାଟ ଓଗାଳିଛି। ଯେଉଁ ଘରୋଇ ହସ୍ପିଟାଲକୁ ସ୍ପେସାଲିଷ୍ଟ ଚିକିତ୍ସା ପାଇଁ ରୋଗୀ ଅଧିକ ପସନ୍ଦ କରୁଛନ୍ତି ବିଏସ୍‌କେୱାଇରେ ଏହି ସୁବିଧା ନାହିଁ। ଫଳରେ ଉତ୍ତମ ଚିକିତ୍ସା ପାଇଁ ସଂପୃକ୍ତ ହସ୍ପିଟାଲକୁ ଯାଉଥିବା ରୋଗୀକୁ ଖର୍ଚ୍ଚାନ୍ତ ହେବାକୁ ପଡ଼ୁଛି। ହସ୍ପିଟାଲକୁ ବିଏସ୍‌କେୱାଇରେ ସାମିଲ କରିବା ସମୟରେ ରାଜ୍ୟ ସ୍ବାସ୍ଥ୍ୟ ଅଧିକାରୀ, ସଂପୃକ୍ତ ଜିଲ୍ଲା ସିଡିଏମ୍‌ଓ ଏକଥା ଜାଣିପାରୁ ନାହାନ୍ତି କିପରି ?

ବିଏସ୍‌କେୱାଇରେ ହସ୍ପିଟାଲ ଚୟନରେ ଏଭଳି ତ୍ରୁଟି ରାଜଧାନୀରେ ନଜରକୁ ଆସିଛି। ନିମାପଡ଼ା ଅଞ୍ଚଳ‌ର ଶୁଭାଶିଷ ଦାଶ ରବିବାର ଦୁର୍ଘଟଣାର ଶିକାର ହୋଇ ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଭର୍ତି ହୋଇଥିଲେ। ତାଙ୍କ ମା’ଙ୍କ ନାଁରେ ବିଏସ୍‌କେୱାଇ କାର୍ଡ ରହିଛି। ଆହତଙ୍କ ପରିବାର ଲୋକ ବିଏସ୍‌କେୱାଇ କାର୍ଡରେ ଆଡମିସନ୍ କରିବାକୁ କହିଥିଲେ। ହେଲେ ହସ୍ପିଟାଲ କର୍ତ୍ତୃପକ୍ଷ କହିଥିଲେ ଯେ ଏବେ ବିଏସ୍‌କେୱାଇ କାଉଣ୍ଟର ବନ୍ଦ ଥିବାରୁ ଆଡମିସନ୍ ହୋଇପାରିବ ନାହିଁ। ୩୫ ହଜାର ଟଙ୍କା ଜମା କଲେ ଚିକିତ୍ସା ଆରମ୍ଭ ହେବ।

ଏହାପରେ ଆହତଙ୍କ ପରିବାରଲୋକ ଧାର ଉଧାର କରି ଏହି ଟଙ୍କା ଜମା କରିବା ପରେ ଶୁଭାଶିଷଙ୍କର ଚିକିତ୍ସା ଆରମ୍ଭ ହୋଇଥିଲା। କେବଳ ସେତିକି ନୁହେଁ, ପରେ କୁହାଗଲା ଯେ ଅର୍ଥୋପେଡିକ୍‌ ବିଏସ୍‌କେୱାଇରେ ଏଠାରେ ସାମିଲ ନାହିଁ, ତେଣୁ ତାଙ୍କର ଚିକିତ୍ସା ହୋଇପାରିବ ନାହିଁ। ଏବଂ ତାଙ୍କର ଦୁର୍ଘଟଣା ଜନିତ ଅନ୍ୟ ଚିକିତ୍ସା ପାଇଁ ହସ୍ପିଟାଲ କର୍ତ୍ତୃପକ୍ଷ ବିଏସ୍‌କେୱାଇ କାର୍ଡକୁ ଗ୍ରହଣ କଲେ, ହେଲେ ଏସବୁ ପାଇଁ ୮ ଘଣ୍ଟା ଲାଗିଗଲା। ଏହି ସମୟ ମଧ୍ୟରେ ଆହତଙ୍କ ପରିବାରଲୋକଙ୍କୁ ଆଉ ପ୍ରାୟ ୨୦ ହଜାର ଟଙ୍କାର ଔଷଧ କିଣିବାକୁ କୁହାଯାଇଥିଲା।

ଘଟଣା ସଂପର୍କରେ ବିଏସ୍‌କେୱାଇ ଅଧିକାରୀଙ୍କୁ ସୂଚନା ଦିଆଯାଇଥିଲା। ସୋମବାର ଏହି ଘଟଣାର ଯାଞ୍ଚ କରାଯିବ ବୋଲି ଅଧିକାରୀମାନେ ପ୍ରତିଶ୍ରୁତି ଦେଲେ। ହେଲେ ପରିଣାମ ହେଲା, ବିଏସ୍‌କେୱାଇ ଅଧିକାରୀ ମଧ୍ୟ ଘରୋଇ ହସ୍ପିଟାଲ କର୍ତୃପକ୍ଷଙ୍କ କଥା ଦୋହରାଇଥିଲେ ଓ ଜିଲ୍ଲା ସିଡିଏମ୍‌ଓଙ୍କ କାର୍ଯ୍ୟାଳୟ ଉପରେ ଦୋଷ ଝାଡ଼ିଥିଲେ। ତେବେ ଆହତ ଶୁଭାଶିଷ ଏବେ ନିଜସ୍ବ ଖର୍ଚ୍ଚରେ ସଂପୃକ୍ତ ହସ୍ପିଟାଲରେ ଚିକିତ୍ସା କରିବା ଏକପ୍ରକାର ସ୍ପଷ୍ଟ ହୋଇଯାଇଛି। ଘଟଣା ସଂପର୍କରେ ଅଧିକ ଖୋଳତାଡ଼ ହେବା ପରେ ହସ୍ପିଟାଲ କର୍ତୃପକ୍ଷ ପ୍ରଥମେ ନେଇଥିବା ୩୫ହଜାର ଟଙ୍କାରୁ ୪ହଜାର ଟଙ୍କା ଆହତଙ୍କ ପରିବାରକୁ ଫେରାଇ ଦେଇଛନ୍ତି। ତଥାପି ୩୧ହଜାର ଟଙ୍କା ହସ୍ପିଟାଲ ପାଖରେ ରହିଛି।

Government Of Odisha

ରାଜ୍ୟ ସରକାର ବିଏସ୍‌କେୱାଇ ଯୋଜନାକୁ ସର୍ବାଧିକ ପ୍ରାଧାନ୍ୟ ଦେଉଛନ୍ତି। ପ୍ରତିବର୍ଷ ରୋଗୀମାନଙ୍କ ପିଛା କେତେ ଟଙ୍କା ଖର୍ଚ୍ଚ କରୁଛନ୍ତି ତାହାର ହିସାବ ମଧ୍ୟ ଦେଉଛନ୍ତି। ହେଲେ ତୃଣମୂଳସ୍ତରରେ ଏଭଳି ତ୍ରୁଟିପୂର୍ଣ୍ଣ ବ୍ୟବସ୍ଥା ପାଇଁ ଗରିବ ରୋଗୀଟିଏ ବିଏସ୍‌କେୱାଇ କାର୍ଡ ଥାଇ ବି ଉପଯୁକ୍ତ ଚିକିତ୍ସା ପାଇପାରୁନାହିଁ।

ଜଣେ ଦୁର୍ଘଟଣାରେ ଆହତଙ୍କୁ ଟ୍ରମା ସହ ସର୍ଜରି, ଅସ୍ଥିଶଲ୍ୟ ଭଳି କ୍ରିଟିକାଲ ଚିକିତ୍ସାର ଆବଶ୍ୟକତା ପଡ଼ିଥାଏ। ଯଦି ବିଏସ୍‌କେୱାଇ ଅନୁବନ୍ଧିତ ଘରୋଇ ହସ୍ପିଟାଲରେ ଆହତଙ୍କୁ ଏହି ଚିକିତ୍ସ‌ା ମିଳିବନି ତେବେ ରାଜ୍ୟ ସରକାର କାହିଁକି ସେସବୁ ହସ୍ପିଟାଲକୁ ବିଏସ୍‌କେୱାଇରେ ସାମିଲ୍ କରୁଛନ୍ତି? ରାଜ୍ୟ ତଥା ରାଜ୍ୟ ବାହାରେ ବିଏସ୍‌କେୱାଇ ଅଧୀନରେ ଅନୁବନ୍ଧିତ ହୋଇଥିବା ଏଭଳି ହସ୍ପିଟାଲ ଓ ସୁପର ସ୍ପେଶାଲିଷ୍ଟ ହସ୍ପିଟାଲରେ ଏଭଳି କେଉଁ କେଉଁ ଚିକିତ୍ସା ସୁବିଧା ବିଏସ୍‌କେୱାଇରେ ଉପଲବ୍ଧ ନାହିଁ ତାହା ରାଜ୍ୟ ସରକାର ସୂଚନା ଦିଅନ୍ତୁ ବୋଲି ଦାବି ହୋଇଛି।

ବିଏସ୍‌କେୱାଇର ଜନୈକ ଅଧିକାରୀ କହିଛନ୍ତି, ସଂପୃକ୍ତ ହସ୍ପିଟାଲରେ ଆଇସିୟୁ, କ୍ୟାନସର କେୟାର ଚିକିତ୍ସା ପାଇଁ ବିଏସ୍‌କେୱାଇରେ ସୁବିଧା ମିଳିବ। ମାତ୍ର ଅସ୍ଥିଶଲ୍ୟ ପାଇଁ ଅନୁବନ୍ଧିତ ହୋଇନାହିଁ। ତଥାପି ସଂପୃକ୍ତ ହସ୍ପିଟାଲ ସହିତ ଆଲୋଚନା କରାଯାଇଛି ଓ ସେମାନେ ଚେକ୍ ଜରିଆରେ ଟଙ୍କା ଫେରାଇବେ। ଏହାସହ ଅସ୍ଥିଶଲ୍ୟ ଚିକିତ୍ସା କରିବା ପାଇଁ ହସ୍ପିଟାଲ କର୍ତୃପକ୍ଷ ରାଜି ହୋଇଥିବା ଅଧିକାରୀ ଜଣକ କହିଛନ୍ତି। ରାଜ୍ୟ ସ୍ବାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ କହିଛନ୍ତି, ବିଏସ୍‌କେୱାଇ ଅଧିକାରୀଏହି ଘଟଣାର ଅନୁଧ୍ୟାନ ଜାରି ରଖିଛନ୍ତି।

 

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।