ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ରାଉରକେଲା: ଦିନ ଥିଲା, ଉଚ୍ଚ ଶିକ୍ଷା ଗ୍ରହଣଠାରୁ ଆରମ୍ଭକରି ବିଭିନ୍ନ ପ୍ରତିଦ୍ବନ୍ଦ୍ବୀତାମୂଳକ ପରୀକ୍ଷା ପ୍ରସ୍ତୁତି ପାଇଁ ରାଉରକେଲାକୁ ଧାଇଁ ଆସୁଥିଲେ ଯୁବକଯୁବତୀ। ଖାସ୍ ଏଥିପାଇଁ ରାଉରକେଲା କେବଳ ଇସ୍ପାତ ନଗରୀ ନୁହେଁ, ବରଂ ଶିକ୍ଷାନଗରୀଭାବେ ବେଶ୍ ପରିଚିତ ଥିଲା। ଏବେ କିନ୍ତୁ ଏହା ଆଉ ଦେଖିବାକୁ ମିଳୁନି। ଏ କ୍ଷେତ୍ରରେ ରାଉରକେଲା ଯେ କ୍ରମଶଃ ଚମକ ହରାଇବାରେ ଲାଗିଛି; ତାହା ସ୍ପଷ୍ଟ ଅନୁଭୂତ ହୁଏ। ଆଉ ଏହାର ଏକମାତ୍ର କାରଣ ହେଉଛି ସରକାରଙ୍କ ଅବହେଳା। ଏଠାରେ ନୂତନ ଉଚ୍ଚ ଶିକ୍ଷାନୁଷ୍ଠାନ ସ୍ଥାପନ କରାଯାଉନି କିମ୍ବା ଯେଉଁ ଶିକ୍ଷାବ୍ୟବସ୍ଥା ରହିଛି; ତା’ର ବିକାଶ ହେଉନି। ସହରରେ ଦ୍ବିତୀୟ ଇଣ୍ଡିଆନ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ୍(ଆଇଆଇଏମ୍), ଜାଭିୟର ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମ୍ୟାଜେନମେଣ୍ଟ୍(ଏକ୍ସଆଇଏମ୍) ସ୍ଥାପନ, ସରକାରୀ ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟ ମାନ୍ୟତା, ବିପିୟୁଟିର ନବକଳେବର, କେନ୍ଦ୍ରୀୟ ଆଦିବାସୀ ବିଶ୍ବବିଦ୍ୟାଳୟ ସ୍ଥାପନ ଆଦି ଦାବିର ଲମ୍ବା ତାଲିକା ରହିଛି। ଏସବୁ ଦାବି ପୂରଣ ହେଲେ ଉଚ୍ଚ ଶିକ୍ଷାର ବିକାଶ ସମ୍ଭବ, ଅନ୍ୟଥା ମେଧାବୀ ଯୁବକଯୁବତୀ ସହର ଛାଡ଼ିବା ପ୍ରଥା ବଳବତ୍ତର ରହିବ।
ଆଇଆଇଏମ୍: ବାସ୍ତବରେ ରାଉରକେଲାକୁ ଅବହେଳାର ପ୍ରଥମ ୨୦୧୫ ମସିହାରୁ ଆରମ୍ଭ ହୋଇଥିଲା। ସେତେବେଳେ ରାଜ୍ୟରେ ଦ୍ବିତୀୟ ଇଣ୍ଡିଆନ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ୍ (ଆଇଆଇଏମ୍) ସ୍ଥାପନ ପାଇଁ କେନ୍ଦ୍ର ସରକାର ଘୋଷଣା କରିଥିଲେ। ଆଇଆଇଏମ୍ ହାସଲ କରିବାକୁ ସମ୍ବଲପୁର ଓ ରାଉରକେଲା ଦୁଇ ପ୍ରମୁଖ ଦାବିଦାରଭାବେ ଉଭା ହୋଇଥିଲେ। ଉଭୟ ସହରରେ ଜନ ଆନ୍ଦୋଳନ ଦେଖିବାକୁ ମିଳିଥିଲା। ତେବେ ରାଉରକେଲାରେ ଆନ୍ଦୋଳନ ବ୍ୟାପକ ଓ ସୁଦୂରପ୍ରସାରୀ ହୋଇଥିଲା। ବିଭିନ୍ନ ଶ୍ରମିକ ସଂଗଠନ, ସ୍ବେଚ୍ଛାସେବୀ-ସାମାଜିକ ସଂଗଠନ ଏକତ୍ରିତ ହୋଇ ଲଢ଼େଇ କରିଥିଲେ। ଏମିତିକି ପ୍ରାୟ ସବୁ ସ୍କୁଲ, କଲେଜର ଛାତ୍ରଛାତ୍ରୀ ରାଜରାସ୍ତାକୁ ଓହ୍ଲାଇଥିଲେ। ଫଳରେ ଚାପର ବଶବର୍ତ୍ତୀ ହୋଇ କେନ୍ଦ୍ର ସରକାର ସ୍ଥାନ ନିରୂପଣ କରିବାକୁ ରାଜ୍ୟ ସରକାରଙ୍କୁ ଦାୟିତ୍ବ ନ୍ୟସ୍ତ କରିଥିଲେ। ଏହାପରେ ରାଜ୍ୟ ସରକାର ରାଜନୈତିକ ଗୋଟିଚାଳନା କରି ସମ୍ବଲପୁର ନାଁରେ ଆନୁଷ୍ଠାନିକ ମୋହର ମାରିଥିଲେ। ଖୋଲାଖୋଲିଭାବେ ରାଉରକେଲାର ନ୍ୟାଯ୍ୟ ଦାବିକୁ ଅଣଦେଖା କରି ସମ୍ବଲପୁରକୁ ଚୟନ କରାଯିବାରୁ ଏହି ଉଚ୍ଚ ଶିକ୍ଷାନୁଷ୍ଠାନ ହାତଛଡ଼ା ହୋଇଥିଲା।
ନୂଆ ଶିକ୍ଷାନୁଷ୍ଠାନ ନାହିଁ, ପୁରୁଣାକୁ ଅଣଦେଖା
ଆଇଆଇଏମ୍ ହାତଛଡ଼ା, ଏକ୍ସଆଇମ୍ ଆସିବ ତ?
ରାଉରକେଲା କଲେଜକୁ ବିଶ୍ବବିଦ୍ୟାଳୟ ମାନ୍ୟତା
ଆଦିବାସୀ ବିଶ୍ବବିଦ୍ୟାଳୟ ସ୍ବପ୍ନ ପୂରଣ ହେବ ତ?
ଏକ୍ସଆଇଏମ୍: ୨୦୧୫ ମାର୍ଚ୍ଚ ୪ ତାରିଖ। ଆଇଆଇଏମ୍କୁ ସମ୍ବଲପୁରକୁ ଟେକି ଦେବାପରେ ରାଉରକେଲାବାସୀଙ୍କ ଅସନ୍ତୋଷକୁ ଶାନ୍ତ କରିବାକୁ ଜାଭିୟର ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ୍(ଏକ୍ସଆଇଏମ୍)ର ଦ୍ବିତୀୟ ଶାଖା ସ୍ଥାପନ ପାଇଁ ରାଜ୍ୟ ସରକାର ଘୋଷଣା କରିଥିଲେ। ଘୋଷଣାକୁ ୮ ବର୍ଷ ବିତିଲାଣି; କିନ୍ତୁ ଏଯାଏଁ ପ୍ରକଳ୍ପର ନାଁ ଗନ୍ଧ ଦେଖିବାକୁ ମିଳୁନି। ଅବଶ୍ୟ, ଅତିତରେ ଏନେଇ ପ୍ରୟାସ କରାଯାଇଥିଲା, କିନ୍ତୁ କୌଣସି ଅଦୃଶ୍ୟ କାରଣରୁ ଏହା ଆଗେଇ ପାରୁନି। ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ରାଜ୍ୟ ସରକାର-ଆର୍ଏସ୍ପି-ଜାଭିୟର କର୍ତ୍ତୃପକ୍ଷଙ୍କ ମଧ୍ୟରେ ଉଚ୍ଚସ୍ତରୀୟ ତ୍ରୈପାକ୍ଷିକ ଆଲୋଚନା କରାଯାଇଥିଲା। ଉକ୍ତ ବର୍ଷ ଜୁଲାଇ ୨୨ ତାରିଖରେ ଆର୍ଏସ୍ପି କର୍ତ୍ତୃପକ୍ଷ ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗ ସଚିବଙ୍କୁ ପତ୍ର ମାଧ୍ୟମରେ ପ୍ରକଳ୍ପ ପାଇଁ ସମ୍ମତି ପ୍ରକାଶ କରିଥିଲେ। ଏହାସହ ପୂର୍ବ ଆଲୋଚନା ଅନୁଯାୟୀ ଆବଶ୍ୟକ ୩୦ ଏକର ଜମି ଓ ୧୨୦ କୋଟି ଦେବାକୁ ରାଜି ହୋଇଥିଲେ। ଏଥିପାଇଁ କିନ୍ତୁ ଆର୍ଏସ୍ପି ବିଭିନ୍ନ ସର୍ତ୍ତ, ଯଥା-ଏକ୍ସଆଇଏମ୍ ରାଉରକେଲା ପରିଚାଳନା ବୋର୍ଡରେ ଆର୍ଏସ୍ପିର ପ୍ରତିନିଧିତ୍ବ, ଆର୍ଏଏସ୍ପି କର୍ମଚାରୀଙ୍କ ପୁଅ-ଝିଅ ପାଇଁ ୨୫ ପ୍ରତିଶତ ସିଟ୍ ସଂରକ୍ଷଣ ଓ ଆବଶ୍ୟକୀୟ ୧୨୦ କୋଟି ଟଙ୍କା ପର୍ଯ୍ୟାୟକ୍ରମେ ପୈଠ କରିବାକୁ ସର୍ତ୍ତ ରଖିଥିଲା। ଏସବୁ ସର୍ତ୍ତକୁ କିନ୍ତୁ ରାଜ୍ୟ ସରକାର ଓ ଏକ୍ସଆଇଏମ୍ କର୍ତ୍ତୃପକ୍ଷ ଗ୍ରହଣ କରିନଥିଲେ। କ’ଣ ପାଇଁ ଅଗ୍ରାହ୍ୟ ହେଲା, ତାହା ଏବେ ବି ଅସ୍ପଷ୍ଟ। ସେବେଠାରୁ ଏହି ପ୍ରସ୍ତାବ ଶୀତଳ ଭଣ୍ଡାରକୁ ଠେଲି ହୋଇଯାଇଛି।
ରାଉରକେଲା ବିଶ୍ବବିଦ୍ୟାଳୟ: ରାଉରକେଲା ସରକାରୀ ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟରେ ପରିଣତ କରିବା ଦାବି ଢ଼େର୍ ପୁରୁଣା। ପାଖାପାଖ ଦୁଇ ଦଶନ୍ଧି ହେଲା ଏହି ଦାବି ହେଉଛି। କିନ୍ତୁ କ୍ରମାଗତଭାବେ ଦାବିକୁ ଅବହେଳା କରାଯାଉଛି। ୧୯୬୧ ମସିହାରେ ସ୍ଥାପିତ ଏହି ମହାବିଦ୍ୟାଳୟରେ ସଂପ୍ରତି ୫,୭୦୦ ଛାତ୍ରଛାତ୍ରୀ ଅଧ୍ୟୟନରତ। ଏଠାରେ ୩୧ଟି ଡିଗ୍ରୀ କୋର୍ସ ଓ ୨୭ଟି ପୋଷ୍ଟ୍ଗ୍ରାଜୁଏଟ୍ କୋର୍ସ୍ ରହିଛି। ବର୍ତ୍ତମାନ ଏହି କଲେଜ ସମ୍ବଲପୁର ବିଶ୍ବବିଦ୍ୟାଳୟ ଅଧିନସ୍ଥ ଓ ରାଉରକେଲାରୁ ଏହାର ଦୂରତା ପାଖାପାଖି ୧୮୦ କିଲୋମିଟର ହେବ। ସମ୍ବଲପୁର ବିଶ୍ବବିଦ୍ୟାଳୟରେ ପାଖାପାଖି ୨ ଶହଟି କଲେଜ ସହବନ୍ଧିତ ଥିବାବେଳେ ଏଠାକାର ଛାତ୍ରଛାତ୍ରୀଙ୍କୁ ତ୍ବରିତ ସେବା ଦିବାସ୍ବପ୍ନ ପାଲଟିଛି। ସାର୍ଟିଫିକେଟ୍ ମିଳିବାଠାରୁ ଅନ୍ୟାନ୍ୟ ଛୋଟମୋଟ ସମସ୍ୟା ପାଇଁ ଏତେଦୂର ଯିବାକୁ ବାଧ୍ୟ ହେଉଛନ୍ତି। ଏସବୁ ଦୃଷ୍ଟିରେ ରଖି ଏହି କଲେଜକୁ ବିଶ୍ବବିଦ୍ୟାଳୟ ମାନ୍ୟତା ନିତାନ୍ତ ଆବଶ୍ୟକ ହୋଇପଡ଼ିଛି। ବର୍ତ୍ତମାନ ଏହି କଲେଜର ନିଜସ୍ବ ପ୍ରାୟ ୩୫ ଏକର ଜମି ରହିଥିବାବେଳେ ବିଶ୍ବବିଦ୍ୟାଳୟ ହେଲେ ଅଧିକ ଜମିର ଆବଶ୍ୟକତା ପଡ଼ିପାରେ। ତେବେ ଆବଶ୍ୟକତା ଓ ଛାତ୍ରଛାତ୍ରୀଙ୍କ ବୃହତ୍ତର ସ୍ବାର୍ଥକୁ ଦେଖି ଏଠାରେ ବିଶ୍ବବିଦ୍ୟାଳୟ ସ୍ଥାପନ ହିଁ ଏକମାତ୍ର ବିକଳ୍ପ।
ଆଦିବାସୀ ବିଶ୍ବବିଦ୍ୟାଳୟ: ସୁନ୍ଦରଗଡ଼ ହେଉଛି ଆଦିବାସୀ ଅଧ୍ୟୁଷିତ ଜିଲ୍ଲା। ଏଠାକାର ଆଦିବାସୀ ଛାତ୍ରଛାତ୍ରୀଙ୍କୁ ଉଚ୍ଚ ଶିକ୍ଷା, ଦକ୍ଷତା ବିକାଶ ପାଇଁ କୌଣସି ସ୍ବତନ୍ତ୍ର ବ୍ୟବସ୍ଥା ନାହିଁ। ଅମରକଣ୍ଟକ(ମଧ୍ୟପ୍ରଦେଶ)ସ୍ଥ ଆଦିବାସୀ ବିଶ୍ବବିଦ୍ୟାଳୟରେ ଉପଲବ୍ଧ ବିଭିନ୍ନ ବିଷୟ, ଯଥା-ଆଦିବାସୀ କଳା, ଦର୍ଶନ ଏବଂ ମ୍ୟୁଜିଓଲୋଜି, ବାଣିଜ୍ୟ, ପ୍ରତ୍ନତତ୍ତ୍ୱ, ବିଜିନେସ ମ୍ୟାନେଜମେଣ୍ଟ୍ ଭଳି ଶିକ୍ଷାକୁ ଗ୍ରହଣ କରିପାରୁନାହାନ୍ତି ଏଠାକାର ଆଦିବାସୀ ଛାତ୍ରଛାତ୍ରୀ। ଏହି ବିଶ୍ବବିଦ୍ୟାଳୟ ସ୍ଥାପନ ହେଲେ କେବଳ ଓଡ଼ିଶାର ଆଦିବାସୀ ଛାତ୍ରଛାତ୍ରୀ ନୁହେଁ, ବରଂ ପଡ଼ୋଶୀ ଛତିଶଗଡ଼ର ରାୟଗଡ଼ ଓ ଯଶପୁର ଏବଂ ଝାଡ଼ଖଣ୍ଡର ସିମଡେଗା ଜିଲ୍ଲାର ବହୁ ଆଦିବାସୀ ଛାତ୍ରତାଛାତ୍ରୀ ଉପକୃତ ହେବେ। ଏଣୁ ସୁନ୍ଦରଗଡ଼ ସରକାରୀ ମହାବିଦ୍ୟାଳୟକୁ ଆଦିବାସୀ ବିଶ୍ବବିଦ୍ୟାଳୟ ମାନ୍ୟତା ଦେବାକୁ ଦାବି ହେଉଛି। ଏହି ଦାବିକୁ ସାଂସଦ ଜୁଏଲ ଓରାମ, ବିଧାୟିକା କୁସୁମ ଟେଟେ ସମର୍ଥନ ଜଣାଇ ପତ୍ର ଲେଖିଥିବାବେଳେ ମହାବିଦ୍ୟାଳୟ ପରିଚାଳନା କମିଟି ମଧ୍ୟ ନିୟମିତ ବ୍ୟବଧାନରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରୁଛି। ଏନେଇ ରାଜ୍ୟ ସରକାର ବିଧିବଦ୍ଧଭାବେ କେନ୍ଦ୍ର ଉଚ୍ଚ ଶିକ୍ଷାମନ୍ତ୍ରାଳୟକୁ ପ୍ରସ୍ତାବ ଦେବାର ଆବଶ୍ୟକତା ରହିଛି। ଏହାପରେ ହିଁ ଏହି ଉଚ୍ଚ ଶିକ୍ଷାନୁଷ୍ଠାନ ସ୍ଥାପନ ସ୍ବପ୍ନ ପୂରଣ ହେବ। କିନ୍ତୁ ଏନେଇ କିନ୍ତୁ ରାଜ୍ୟ ସରକାର ପକ୍ଷ ସ୍ପଷ୍ଟ କରୁନାହାନ୍ତି।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l