ନୂଆଦିଲ୍ଲୀ ୧୩/୧୨: ପାକିସ୍ତାନୀ ଗାୟକ ଅତିଫ ଅସଲମ ସାରା ଦୁନିଆରେ ପ୍ରସିଦ୍ଧ। ଲୋକ ତାଙ୍କ ସ୍ୱରର ଦିୱାନା। ବର୍ତ୍ତମାନ ଅତିଫଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯାହା ଦେଖି ଆପଣ ବି ତାଙ୍କୁ ସଲାମ କରିବାକୁ ବାଧ୍ୟ ହେବେ।
ସୂଚନା ଅନୁଯାୟୀ, ଶନିବାର ରାତିରେ ଅତିଫ କରାଚି ଇଟ୍ ୨୦୧୭ ରେ ପରଫର୍ମାନ୍ସ କରୁଥିଲେ। ଏହି ଇଭେଣ୍ଟ ପ୍ରତିବର୍ଷ କରାଚିରେ ହୁଏ। ରାତି ପ୍ରାୟ ଗୋଟାଏ ସମୟରେ ପରଫର୍ମାନ୍ସ ପାଇଁ ଅତିଫ ଷ୍ଟେଜରେ ପହଞ୍ଚିଥିଲେ। ଗୀତ ଗାଉଥିବା ସମୟରେ ଅତିଫ ଦେଖିଥିଲେ ଯେ ପ୍ରଥମ ଲାଇନରେ ଛିଡା ହୋଇଥିବା କିଛି ଯୁବକ ଜଣେ ଯୁବତୀଙ୍କୁ ହଇରାଣ କରୁଛନ୍ତି। ଏ ସବୁ ଦେଖି ଅତିଫ ମଝିରୁ ଗୀତ ଗାଇବା ବନ୍ଦ କରିଦେଇଥିଲେ। ଯୁବତୀଙ୍କୁ ହଇରାଣ କରୁଥିବା ଦେଖି ଗାୟକ ମଝିରେ ଶୋ’ ବନ୍ଦ କରି ସେମାନଙ୍କୁ ପାଟି କରିଥିଲେ।
ଅତିଫ ସେମାନଙ୍କ ପାଖକୁ ଯାଇ ତାଙ୍କୁ କହିଥିଲେ- ‘ତୁମେ ପୂର୍ବରୁ କେବେ ଝିଅ ଦେଖିନାହଁ। ଇଏ ତୁମର ମା କିମ୍ବା ଭଉଣୀ ବି ହୋଇପାରନ୍ତି।’ ଏହା ପରେ ଗାୟକ ସିକ୍ୟୁରିଟିକୁ ଡାକି ଯୁବତୀଙ୍କୁ ସୁରକ୍ଷିତ ସ୍ଥାନକୁ ନେବାପାଇଁ କହିଥିଲେ। ଏହା ଦେଖି ଅତିଫଙ୍କ ଫ୍ୟାନ୍ସ ତାଙ୍କୁ ପ୍ରଶଂସା କରି ଖୁବ୍ ତାଳି ବଜାଇଥିଲେ।

