ରାଜ୍ୟ

ସୁବର୍ଣ୍ଣରେଖାରେ ବନ୍ୟା ପରିସ୍ଥିତି ଗମ୍ଭୀର: ଉତ୍ତର ବାଲେଶ୍ଵରର ୩୨୪ ଗାଁ ଜଳମଗ୍ନ

ଜଳେଶ୍ଵର: ଲଘୁଚାପ ଜନିତ ଲଗାଣ ବର୍ଷା ପରେ ସୁବର୍ଣ୍ଣରେଖାରେ ପ୍ରଳୟଙ୍କରୀ ବନ୍ୟା। ଫଳରେ ଉତ୍ତର ବାଲେଶ୍ଵର ଅଞ୍ଚଳରେ ଗମ୍ଭୀର ହେଉଛି ବନ୍ୟା ପରିସ୍ଥିତି। ଆଜି ସକାଳ ୬ଟା ସୁଦ୍ଧା ରାଜଘାଟ ଠାରେ ସୁବର୍ଣ୍ଣରେଖା ନଦୀର ଜଳପତ୍ତନ ୧୦.୨୦ ମିଟରରେ ପ୍ରବାହିତ ହେଉଛି। ଏଠାରେ ନଦୀର ସତର୍କ ସଙ୍କେତ ୯.୪୫ ଓ ବିପଦ ସଙ୍କେତ ୧୦.୩୬ ମିଟର ରହିଛି। ସୁବର୍ଣ୍ଣରେଖାର ବନ୍ୟା ପାଣି ନଦୀର ବିଭିନ୍ନ ଶାଖା ନାଳ ଦେଇ ଓ ନଦୀବନ୍ଧ ନଥିବା ସ୍ଥାନ ଦେଇ ଗାଁଗୁଡିକୁ ପ୍ରଖର ସ୍ରୋତରେ ପ୍ଳାବିତ କରୁଛି। କୁହାଯାଇଛି ଉତ୍ତର ବାଲେଶ୍ଵର ଅଞ୍ଚଳରେ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଏବେ ପୁଣି ସୁବର୍ଣ୍ଣରେଖାରେ ବନ୍ୟା ଅଞ୍ଚଳବାସୀଙ୍କ ଚିନ୍ତା ବଢାଇ ଦେଇଛି। 

 ଉତ୍ତର ବାଲେଶ୍ଵରର ୪ଟି ବ୍ଲକ ଯଥା ଜଳେଶ୍ଵର,ଭୋଗରାଇ,ବସ୍ତା ଓ ବାଲିଆପାଳ ବ୍ଲକର ୧୨୩ ଟି ପଞ୍ଚାୟତର ୩୨୪ଟି ଗାଁ ବର୍ତ୍ତମାନ ବନ୍ୟା ଦ୍ବାରା ପ୍ରଭାବିତ ହୋଇଛି। ସୁବର୍ଣ୍ଣରେଖା ବନ୍ୟା ଯୋଗୁଁ ବାଲିଆପାଳ ବ୍ଲକ ର ଜାମକୁଣ୍ଡା ସ୍ଲୁଇସ ଗେଟ୍ ଦବି ଯିବାରୁ ସ୍ଥାନୀୟ ଲୋକେ ଆତଙ୍କିତ ହୋଇ ପଡିଛନ୍ତି। ସେହିପରି ଜଳେଶ୍ଵର ବ୍ଲକର ଶ୍ରୀରାମପୁର ପଞ୍ଚାୟତର ମାଳିପାଳ ପୋଲ ନିକଟରେ ରାସ୍ତାରୁ ଅତଡା ଖସି ପୋଲ ପ୍ରତି ବିପଦକୁ ଡାକି ଆଣିଛି। କମର୍ଦ୍ଦା-ବାଲିଆପାଳ ରାସ୍ତାରେ ଚାଲିଛି ପାଣିର ସୁଅ।ଭୋଗରାଇ ବ୍ଲକ ବଡମନ୍ଦାରୁଣୀ-ନାଚିନ୍ଦା ରାସ୍ତାରେ ପ୍ରଖର ପାଣିର ସୁଅ ଯୋଗୁଁ ଗମନାଗମନ ବାଧାପ୍ରାପ୍ତ ହୋଇଛି। ଜଳେଶ୍ଵର ବ୍ଲକର ସୁଗୋରୁ କମାରଶାଳିଆ ମଧ୍ୟରେ ବି ଯୋଗାଯୋଗ ଅସମ୍ଭବ ହୋଇ ପଡିଛି। ସୁବର୍ଣ୍ଣରେଖାରେ ବନ୍ୟା ପରିସ୍ଥିତିର ଅନୁଧ୍ୟାନ ପାଇଁ ଜଳସମ୍ପଦ ବିଭାଗର ଜଳେଶ୍ଵରସ୍ଥିତ ଉପଖଣ୍ଡ ଯନ୍ତ୍ରୀ ପ୍ରିୟବ୍ରତ ସିଂହଙ୍କ ନେତୃତ୍ବରେ ଏକ ଟିମ ଜଳେଶ୍ଵରର ଗୁରୁଦାସପୁର,ବାଇଗଣବାଡିଆ ଓ କଣ୍ଟାପାଳ ଆଦି ନଦୀ ତଟ ଗାଁକୁ ପରିଦର୍ଶନ କରି ନଦୀବନ୍ଧର ସ୍ଥିତି ପରଖିଛନ୍ତି। ଏହି ପ୍ରତିନିଧି ଦଳରେ କନିଷ୍ଠ ଯନ୍ତ୍ରୀ ବସନ୍ତ ବେହେରା, ଚିତ୍ତରଞ୍ଜନ ଶିଅଳ, ପ୍ରମୋଦ ଦେ ଓ ଡାକ୍ତର ସିଂ ପ୍ରମୁଖ ସାମିଲ ଥିଲେ। ବନ୍ୟା ଯୋଗୁଁ ନଦୀତଟବର୍ତ୍ତୀ ଅଞ୍ଚଳ ଓ ବିଭିନ୍ନ ତଳିଆ ଅଞ୍ଚଳର ହଜାର ହଜାର ହେକ୍ଟର ଚାଷ ଜମି ଆଜକୁ ୪/୫ ଦିନ ହେଲା ପାଣିରେ ବୁଡି ରହିଛି।ଫଳରେ ଧାନ ଓ ପନିପରିବା ଚାଷ ସମ୍ପୁର୍ଣ୍ଣ ଉଜୁଡି ଯିବ ବୋଲି ଚାଷୀମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି।

ସେହିପରି ଜଳକା ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଥିବାରୁ ବସ୍ତା ବ୍ଲକର ୧୦ ଟି ପଞ୍ଚାୟତ ଏବଂ ସଦର ବ୍ଲକର ୩ ଟି ପଞ୍ଚାୟତ ପ୍ରଭାବିତ ହୋଇଛି। ଏସବୁ ପଞ୍ଚାୟତର ହଜାର ହଜାର ହେକ୍ଟର ଚାଷଜମିରେ ବନ୍ୟା ପାଣି ପ୍ରବେଶ କରିବା ସହ ବିଭିନ୍ନ ଗାଁ ଗଣ୍ତା ରେ ବନ୍ୟା ପାଣି ପ୍ରବେଶ କରିଛି। ବସ୍ତା ବ୍ଲକ ଅନ୍ତର୍ଗତ ମଥାନୀ ଠାରେ ବିପଦ ସଙ୍କେତ ୬.୫୦ ମିଟର ଥିବା ବେଳେ ସକାଳା ୬ଟା ସୁଦ୍ଧା ଜଳସ୍ତର ୬.୮୨ ମିଟର ରେ ପ୍ରବାହିତ ହେଉଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।