ରାଜ୍ୟ

ବାଲେଶ୍ବରରେ ସ୍ବାସ୍ଥ୍ୟସେବା ହବ୍‌ ଏବେ ସ୍ବପ୍ନ

ବାଲେଶ୍ବର: ବାଲେଶ୍ବର ସ୍ବାସ୍ଥ୍ୟସେବାର ହବ୍‌ ପାଲଟିବ ବୋଲି ଘୋଷଣା କରାଯାଇଥିବା ବେଳେ ତାହା ଏବେ ସ୍ବପ୍ନ ହୋଇଯାଇଛି। ବାଲେଶ୍ବରରେ ମେଡିକାଲ କଲେଜ ପ୍ରତିଷ୍ଠା ହୋଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରହିଥିବା ବେଳେ ଏମ୍‌ସ ସାଟେଲାଇଟ୍‌ ସେଣ୍ଟର ବି ରହିଛି। ତେବେ, ଡାକ୍ତରଙ୍କ ଅଭାବ ସହିତ ବହୁ ଆନୁଷଙ୍ଗିକ ଦିଗ ପ୍ରତି ଦୃଷ୍ଟି ଦିଆନଯିବା ଯୋଗୁ ଲୋକମା‌ନେ ଉପଯୁକ୍ତ ସ୍ବାସ୍ଥ୍ୟସେବାରୁ ବଞ୍ଚିତ ହୋଇ ଆସୁଛନ୍ତି। ଆଜି ‘ସମ୍ବାଦରେ ଚର୍ଚ୍ଚା’ କାର୍ଯ୍ୟକ୍ରମରେ ଭାଗନେଇ ବହୁ ବୁଦ୍ଧିଜୀବୀ ଏହିଭଳି ମତବ୍ୟକ୍ତ କରିଛନ୍ତି।

ବାଲେଶ୍ବର ମେଡିକାଲ କଲେଜ କ୍ରିୟାନୁଷ୍ଠାନ କମିଟି ସଭାପତି ନିରଞ୍ଜନ ପରିଡ଼ା, ସାମାଜିକ କର୍ମୀ ରଘୁନାଥ ଲେଙ୍କା, ଶତ୍ରୁଘ୍ନ ମଲ୍ଲିକ, ଗୌରାଙ୍ଗ ପାଣିଗ୍ରାହୀ, ଆଇନଜୀବୀ କେଶବ ଆଚାର୍ଯ୍ୟ, ଜିଲ୍ଲା ରକ୍ତଦାତା ସଂଘ ସମ୍ପାଦକ ହୃଷୀକେଶ ସାହୁ ପ୍ରମୁଖ ଏହି ଆଲୋଚନାରେ ଭାଗ ନେଇଥିଲେ। ସେମାନେ ମତ ପ୍ରକାଶ କରିଥିଲେ ଯେ ବାଲେଶ୍ବରରେ ମେଡିକାଲ କଲେଜ ପ୍ରତିଷ୍ଠା ହେଲା; କିନ୍ତୁ ସ୍ବାସ୍ଥ୍ୟସେବା ନିମନ୍ତେ ଆବଶ୍ୟକୀୟ ଭିତ୍ତିଭୂମି ନିର୍ମାଣ ପୂର୍ବରୁ ତରବରିଆ ଭାବେ ଏହାକୁ ଉଦ୍‌ଘାଟନ କରିଦିଆଗଲା। ଫଳରେ ଲୋକମାନେ ଏଠାରୁ ଉତ୍ତମ ଚିକିତ୍ସା ସେବା ପାଇପାରୁ ନାହାନ୍ତି। ଡିଏଚ୍‌ଏଚ୍‌ କର୍ତ୍ତୃପକ୍ଷ ଏଫ୍‌ଏମ୍‌ଏମ୍‌ସିଏଚ୍‌କୁ ରୋଗୀ ରେଫର କରୁଥିବା ବେଳେ ଏଫ୍‌ଏମ୍‌ଏମ୍‌ସିଏଚ୍‌ କର୍ତ୍ତୃପକ୍ଷ ପୁନର୍ବାର ବିଭିନ୍ନ ପ୍ରକାର ପରୀକ୍ଷା ନିମନ୍ତେ ଡିଏଚ୍‌ଏସ୍‌କୁ ରୋଗୀ ରେଫର୍‌ କରୁଛନ୍ତି।   

 ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇନି ମେଡିକାଲ କଲେଜ
ଡାକ୍ତରଙ୍କଠାରୁ ଯନ୍ତ୍ରପାତି ପର୍ଯ୍ୟନ୍ତ ଘୋର ଅଭାବ
ଜିଲ୍ଲାରେ ୬୪୩ ବଦଳରେ ଅଛନ୍ତି ମାତ୍ର ୨୭୭ ଡାକ୍ତର
ପୁଣି ଆନ୍ଦୋଳନକୁ ଓହ୍ଲାଇବ କ୍ରିୟାନୁଷ୍ଠାନ କମିଟି

ବାଲେଶ୍ବରରେ ହୃଦ୍‌ରୋଗୀ, ମସ୍ତିଷ୍କ, କିଡ୍‌ନି ଆଦି ରୋଗୀ ବଢୁଥିବା ବେଳେ ମେଡିକାଲ କଲେଜ ଓ ହସ୍‌ପିଟାଲରେ ସଂପୃକ୍ତ ବିଭାଗ ନାହିଁ। ଏଠାରେ କୌଣସି ରୋଗର ପରୀକ୍ଷା ପାଇଁ ମେସିନ୍‌ ନାହିଁ। ତେଣୁ ବାଲେଶ୍ବରରେ ମେଡିକାଲ କଲେଜ ଓ ହସ୍ପିଟାଲ ଖୋଲାଯାଇ ବି ଏହାର ଫାଇଦା ମିଳିପାରୁ ନାହିଁ। କ୍ୟାପିଟାଲ ହସ୍ପିଟାଲରେ ଯେଭଳି ପିଜି ଶ୍ରେଣୀ ଖୋଲାଯାଇଛି, ବାଲେଶ୍ବର ଫକୀରମୋହନ ମେଡିକାଲ କଲେଜ ହସ୍ପିଟାଲରେ ସେଭଳି ପିଜି ଶ୍ରେଣୀ ଖୋଲିଲେ ପ୍ରକୃତ ଲାଭ ମିଳିପାରନ୍ତା। ବାଲେଶ୍ବରରେ ବହୁ ବାଧାବିଘ୍ନ ସତ୍ତ୍ବେ ଏମ୍‌ସ ସାଟେଲାଇଟ୍‌ ସେଣ୍ଟର ଖୋଲିଛି। କିନ୍ତୁ ଉଦ୍‌ଘାଟନକୁ ୨ ବର୍ଷରୁ ଅଧିକ ସମୟ ବିତିଥିଲେ ମଧ୍ୟ ଏହା ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇପାରିନାହିଁ। ସପ୍ତାହକୁ ମାତ୍ର ୨ ଦିନ କିଛି ଘଣ୍ଟା ପାଇଁ ଓପିଡି ସେବା ମିଳୁଛି। ଏମ୍‌ସ ସେବା ଆରମ୍ଭ ବେଳେ ୧୫୦ ରୁ ୨୦୦ ରୋଗୀ ଆସୁଥିବା ବେଳେ ଏବେ ୧୫ରୁ ୨୦ ମଧ୍ୟରେ ରୋଗୀ ସୀମିତ। ବାଲେଶ୍ବରରେ ଆୟୁଷ ହସ୍ପିଟାଲ ବାସ୍ତବ ରୂପ ନେଇପାରି ନଥିବା ବେଳେ ସବୁକିଛି ଅଧପନ୍ତରିଆ ଭାବେ ପଡ଼ିଛି।

ବାଲେଶ୍ବରକୁ ସ୍ବାସ୍ଥ୍ୟସେବାର ହବ୍‌ର ପରିଣତ କରିବା ଲାଗି ନେତା,ମନ୍ତ୍ରୀ ଯେଉଁ ସ୍ବପ୍ନ ଦେଖାଇଥିଲେ, ତାହା ବାସ୍ତବରେ ପରିଣତ ହୋଇପାରିଲା ନାହିଁ। ଜିଲ୍ଲା ନିମନ୍ତେ ୬୪୩ ଟି ମଞ୍ଜୁରୀପ୍ରାପ୍ତ ଡାକ୍ତର ପଦବି ରହିଥିବା ବେଳେ ମାତ୍ର ୨୭୭ ଜଣ ଡାକ୍ତର ଅଛନ୍ତି।  ଇକୋ ଟେଷ୍ଟ୍‌ଠାରୁ ଆରମ୍ଭ କରି ଟ୍ରମା ଭ୍ୟାନ୍‌ ଡିଏଚ୍‌ଏଚ୍‌ରେ ନାହିଁ। ଏପରିକି ଖୋଦ୍‌ ଡିଏଚ୍‌ଏଚ୍‌ରେ ୯୦ରୁ ଅଧିକ ଡାକ୍ତର ପଦବି ଖାଲି।  ମୋ ହସ୍ପିଟାଲ ଯୋଜନାରେ ସରକାର କୋଠବାଡ଼ି ନିର୍ମାଣ କରିଦେଇଥିବା ବେଳେ ଡାକ୍ତର ନିଯୁକ୍ତି, ଆବଶ୍ୟକ ଯନ୍ତ୍ରପାତି କିଣିବାକୁ ଅଣଦେଖା କରିଛନ୍ତି ବୋଲି ଏହି ଆଲୋଚନାରେ ମତପ୍ରକାଶ ପାଇଛି। ଏଭଳି ସ୍ଥିତିରେ ବାଲେଶ୍ବର ମେଡିକାଲ କଲେଜ କ୍ରିୟାନୁଷ୍ଠାନ କମିଟି ପୁଣିଥରେ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଇଛି। ସୂଚନାଯୋଗ୍ୟ ଯେ ସ୍ବାସ୍ଥ୍ୟସେବା ପାଇଁ ବାଲେଶ୍ବର ଉପରେ ଉତ୍ତର ଓଡ଼ିଶାର ମୟୂରଭଞ୍ଜ, ଭଦ୍ରକ ଜିଲ୍ଲା ସମେତ ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ଛତିଶଗଡ଼ର କିଛି ବାସିନ୍ଦା ମଧ୍ୟ ନିର୍ଭର କରୁଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।