ରାଜ୍ୟ

ଶୀତଦିନେ ଶୁଖିଯାଉଛି କୁଲଡିହାର ୩ ଡ୍ୟାମ୍‌: ଆଉ ଶୁଭୁନି ବିଦେଶାଗତ ପକ୍ଷୀଙ୍କ କଳରବ

ନୀଳଗିରି: ବାଲେଶ୍ବର ଜିଲ୍ଲା ନୀଳଗିରି ଉପଖଣ୍ଡରେ ଥିବା ଋଷିଆ, ସାତଘାଟି ଓ ଖୁମକୁଟ୍‌ ଡ୍ୟାମର ବିସ୍ତୀର୍ଣ୍ଣ ଜଳରାଶି ଓ ଏହାର ବାତାବରଣରେ ଆକୃଷ୍ଟ ହୋଇ ପ୍ରତିବର୍ଷ ଶୀତଋତୁରେ ଭଳିକି ଭଳି ବିଦେଶୀ ପକ୍ଷୀ ଏଠାକୁ ଆସୁଥିଲେ। ପକ୍ଷୀମାନଙ୍କ କଳରବ ସହିତ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ ଦୂରଦୂରାନ୍ତରୁ ପର୍ଯ୍ୟଟକମାନେ ଛୁଟି ଆସନ୍ତି। କିନ୍ତୁ ବିଡ଼ମ୍ବନାର ବିଷୟ, ଜଳବାୟୁ ପରିବର୍ତ୍ତନ ପାଇଁ ଗତ ୨ ବର୍ଷ ହେଲା ଡିସେମ୍ବର ମାସ ଆରମ୍ଭରୁ ଏହି ଡ୍ୟାମ୍‌ଗୁଡ଼ିକ ଶୁଖି ଯାଉଛି। ଫଳରେ ପର୍ଯ୍ୟଟକଙ୍କ ସଂଖ୍ୟା କମିବା ସହିତ ଚାଷୀ, ମତ୍ସ୍ୟଜୀବୀ ଓ ଜୀବଜନ୍ତୁ ହଇରାଣର ସମ୍ମୁଖୀନ ହେଉଛନ୍ତି।

କୁଲ୍‌ଡିହା ଅଭୟାରଣ୍ୟ ମଧ୍ୟରେ ଥିବା ଋଷିଆ ଜଳଭଣ୍ଡାର ଲମ୍ବ ୪ ହଜାର ୩୫୦ ଫୁଟ୍। ଜଳଧାରଣ କ୍ଷମତା ୨୧ ବର୍ଗ ମାଇଲ୍। ନୀଳଗିରି ଅଞ୍ଚଳର କେସିପୁର, ଛତ୍ରପୁର, ତେଲିପାଳ ଆଦି ପଞ୍ଚାୟତର ୧୦ ହଜାରରୁ ଅଧିକ ଚାଷୀ ଜମିକୁ ଜଳ ପାଇଁ ଏହି  ଡ୍ୟାମ୍ ଉପରେ ନିର୍ଭର କରନ୍ତି। ଖରିଫ ଋତୁରେ ୪ ହଜାର ୫୦୦ ଏକର, ରବି ଫସଲ ସମୟରେ ୧ ହଜାର ୮୦୦ ଏକର ଜମିକୁ ଜଳ ଏହି ଡ୍ୟାମ୍‌ ଯୋଗାଇଥାଏ। ଏବେ ଜଳବାୟୁର ପରିବର୍ତ୍ତନ ପାଇଁ ଡ୍ୟାମ୍‌ରେ ପାଣି ଶୁଖି ଯାଉଛି। ଫଳରେ ଏହା ଚାଷ କାର୍ଯ୍ୟରେ ବିଶେଷ ସହାୟକ ହୋଇ ପାରୁନି। ଜୀବଜନ୍ତୁମାନଙ୍କ ତୃଷ୍ଣା ମେଣ୍ଟୁନି କି ଆଗଭଳି ଏଠାରେ ଆଉ ବିଦେଶୀ ପକ୍ଷୀଙ୍କ କଳରବ ଶୁଭୁନି। ଯେଉଁଠି ଶୀତଦିନେ ବଣଭୋଜି ପାଇଁ ଗହଳି ଲାଗୁଥିଲା, ଏବେ ସେଠି ଖାଁ ଖାଁ ପରିବେଶ। ଶ୍ୟାମସୁନ୍ଦର ପଞ୍ଚାୟତ ଅଧୀନ ଖୁମକୁଟ୍‌ ଡ୍ୟାମ୍‌ର ମଧ୍ୟ ସମାନ ଅବସ୍ଥା। ଏହି ଡ୍ୟାମ୍‌ ଉପରେ ଆଖପାଖ ୧୫ଟି ଗାଁର ଚାଷୀମାନେ ନିର୍ଭର କରନ୍ତି। କିନ୍ତୁ ଶୁଖିଲା ଡ୍ୟାମ୍‌ ଏବେ ଚାଷୀଙ୍କୁ ନିରାଶ କରୁଛି। ବିଶେଷକରି, ଉକ୍ତ ଅଞ୍ଚଳରରେ ଚଳପ୍ରଚଳ କରୁଥିବା ହାତୀପଲ ଡ୍ୟାମ୍‌ ପାଣିରେ ଶୋଷ ମେଣ୍ଟାଉଥିଲେ। ଡ୍ୟାମ୍‌ ଶୁଖିଲା ପଡ଼ିବାରୁ ହାତୀପଲ ପାଣି ନ ପାଇ ଗାଁମୁହାଁ ହେଉଛନ୍ତି। ସେହିପରି, ସଜନାଗଡ଼ ପଞ୍ଚାୟତ ତେଣ୍ଡା ଗାଁ ନିକଟରେ ଥିବା ସାତଘାଟି ଡ୍ୟାମ୍‌ ଶୀତଦିନେ ଶୁଖି ଯାଉଛି। ଡ୍ୟାମ୍‌ ଶୁଖିଯିବାରୁ ପଶୁପକ୍ଷୀଙ୍କଠାରୁ ଆରମ୍ଭକରି ଲୋକଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ପାଣି ସମସ୍ୟା ଦେଖାଦେଇଛି।

ଡ୍ୟାମ୍‌ଗୁଡ଼ିକର ପୁନରୁଦ୍ଧାର ପାଇଁ ଦାବି କରିଛନ୍ତି ନୀଳଗିରି ରାଜା ଜୟନ୍ତଚନ୍ଦ୍ର ମର୍ଦ୍ଦରାଜ ହରିଚନ୍ଦନ। ଅବାଧରେ ବୃକ୍ଷ ଛେଦନ ଜଳବାୟୁକୁ ବିଗାଡ଼ି ଦେଉଛି। ଜଳାଶୟଗୁଡିକ ଶୁଷ୍କ ହୋଇଯାଉଛି। ଏଥିପ୍ରତି ସାଧାରଣ ଜନତା ବି ସଚେତନ ହେବା ଉଚିତ ବୋଲି ସେ କହିଛନ୍ତି। ସେହିପରି ପକ୍ଷୀ ଗବେଷକ ମନୋରଞ୍ଜନ ଦାସଙ୍କ କହିବା ଅନୁସାରେ, ଅନିୟମିତ ବର୍ଷା ପାଇଁ ଶୁଖିଲା ପଡୁଛି ଡ୍ୟାମ୍‌। ପଙ୍କ ଉଦ୍ଧାର ସହିତ ବର୍ଷା ଜଳକୁ ଡ୍ୟାମରେ ସଂରକ୍ଷିତ କରିବା ଦିଗରେ ଦୃଷ୍ଟି ଦେବାକୁ ଦାବି କରିଛନ୍ତି ଶ୍ରୀ ଦାସ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।