ରାଜ୍ୟ

ଝାଡ଼ାବାନ୍ତିରେ ୩ ଦିନରେ ୩ ମୃତ: ଦଣ୍ଡସେନାଗୁଡାରେ ୭ ଜଣିଆ ଡାକ୍ତରୀ ଦଳ

ନବରଙ୍ଗପୁର/ନନ୍ଦାହାଣ୍ଡି: ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ୍‌ ଝାଡ଼ବନ୍ଧଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ଦଣ୍ଡସେନାଗୁଡା ଗାଁରେ ବ୍ୟାପିଲା ଝାଡ଼ାବାନ୍ତି। ୩ଦିନ ମଧ୍ୟରେ ୩ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତକଙ୍କ ମଧ୍ୟରୁ ଦୁଇ ଜଣ ଦଣ୍ଡସେନାଗୁଡ଼ାର ହୋଇଥିବା ବେଳେ ତୃତୀୟ ମୃତକ ପଡ଼ୋଶୀ ଜଗନ୍ନାଥପୁର ଗାଁର ବୋଲି ଜଣାପଡ଼ିଛି। ଆତଙ୍କର ବାତାବରଣ ସୃଷ୍ଟି ହେବାପରେ ଦଣ୍ଡସେନାଗୁଡ଼ା ଯିବାକୁ ପଡ଼ୋଶୀ ଗାଁର ଲୋକ ଭୟ କରୁଛନ୍ତି। ଖବର ପାଇ ନବରଙ୍ଗପୁର ସ୍ୱାସ୍ଥ୍ୟ ବିଭାଗର ଗୋଟିଏ ଟିମ୍‌ ଦଣ୍ଡସେନାଗୁଡ଼ାରେ ଡେରା ପକେଇ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରୁଛି।

ଗତ ୯ତାରିଖ‌ ରାତିରେ ଦଣ୍ଡସେନାଗୁଡ଼ା ଗାଁର ଜାନକୀ ଅମାନାତ୍ୟ (୧୭) ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିଲେ। ୧୦ତାରିଖ ସକାଳେ ତାଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ‌ରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ଦିନକ ପରେ ଅର୍ଥାତ ୧୧ତାରିଖରେ ଗାଁର ନରସିଂହ ନାୟକ (୨୮) ଝାଡ଼ାବାନ୍ତିରେ ଆକ୍ରାନ୍ତ ହେବାରୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ‌ରେ ଭର୍ତ୍ତି ହୋଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ହୋଇଥିବା ଖବର ମିଳିଛି। ଅନ୍ୟପକ୍ଷରେ ଜଗନ୍ନାଥପୁର ଗାଁର ତୁଳସା ଅମାନାତ୍ୟ (୫୫) ସଂପର୍କୀୟ ଜାନକୀଙ୍କ ମୃତ୍ୟୁ ଖବର ପାଇ ଗତ ୧୦ତାରିଖ ଦିନ ଦଣ୍ଡସେନାଗୁଡ଼ା ଗାଁକୁ ଆସିଥିଲେ। ଦୁଇ ଦିନ ରହି ନିଜ ଗାଁକୁ ଫେରିବା ପରେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିଲେ। ଆଜି ସକାଳେ ତାଙ୍କର ମୃତ୍ୟୁ ହୋଇଥିଲା। ଖବର ପାଇ ସ୍ୱାସ୍ଥ୍ୟ ବିଭାଗର ୭ ଜଣିଆ ଟିମ୍‌ ଦଣ୍ଡସେନାଗୁଡ଼ାରେ ପହଞ୍ଚିଛି।

ଝାଡ଼ାବାନ୍ତିରେ ମୃତ୍ୟୁ ଘଟଣାକୁ ସ୍ବାସ୍ଥ୍ୟ ବିଭାଗ ଅସ୍ବୀକାର କରିଛି। କଳାଝାଡ଼ା ହେବାପରେ ଜଣେ ମୃତ୍ୟୁବରଣ କରିଛନ୍ତି। ଯାହା ଡାଇରିଆର ଲକ୍ଷଣ ନୁହେଁ ବୋଲି ସ୍ବାସ୍ଥ୍ୟ ବିଭାଗର ଜଣେ ଅଧିକାରୀ କହିଛନ୍ତି। ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ଡା. ନବକିଶୋର ବେହେରା କହିଛନ୍ତି, ନାବାଳିକା ଜାନକୀଙ୍କ ଆପେଣ୍ଡିକ୍ସ ଫାଟିଯିବାରୁ ମୃତ୍ୟୁ ହୋଇଛି। ଆଜି ଗାଁରେ ପରିସ୍ଥିତି ଅନୁଧ୍ୟାନ ସମୟରେ ଜଣେ ମାତ୍ର ମହିଳା ଆକ୍ରାନ୍ତ ହୋଇଥିଲା ବେଳେ ତାଙ୍କୁ ଚିକିତ୍ସା କରାଯାଉଛି। ଅନ୍ୟ କାହା ନିକଟରେ ଝାଡ଼ାବାନ୍ତିର ଲକ୍ଷଣ ଦେଖିବାକୁ ମିଳିନଥିଲା। ସେହିପରି ଜଣେ ୮ବର୍ଷର ଅସୁସ୍ଥ ଶିଶୁର ଚିକିତ୍ସା ଦିଶାରୀ ଦ୍ବାରା କରାଯାଉଥିଲା। ପରିବାର ଲୋକଙ୍କୁ ବୁଝାସୁଝା କରି ଡାକ୍ତରୀ ଟିମ୍‌ ଚିକିତ୍ସା କରିଥିଲେ। ଗାଁର ସମସ୍ତ କୂଅକୁ ବିଶୋଧନ କରାଯାଇଛି। ତେବେ ବସୁଧା ଯୋଜନାରେ ମାସେ ହେଲା ଗାଁରେ ଜଳ ଯୋଗାଣ ବନ୍ଦ ରହିଛି। ନଳକୂପ ପାଣି ପିଇବା କାରଣରୁ ଝାଡ଼ାବାନ୍ତି ବ୍ୟାପିଥିବା ସନ୍ଦେହ କରାଯାଉଛି। ତେଣୁ ନଳକୂପ ପାଣି ନମୁନା ସଂଗ୍ରହ କରାଯାଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।