ଦେଶ ବିଦେଶ

ପ୍ରଦୂଷିତ ହେଉଛି ବ୍ରାହ୍ମଣୀ ଓ କୋଏଲ: ପାର୍ଶ୍ବବର୍ତ୍ତୀ ଗ୍ରାମବାସୀଙ୍କ ଜୀବନ ପ୍ରତି ବିପଦ

ରାଉରକେଲା: ବର୍ଜ୍ୟଜଳ ପରିଚାଳନା ପାଇଁ ରାଉରକେଲାରେ କାର୍ଯ୍ୟକ୍ଷମ ହୋଇଛି ‌ସ୍ବେରେଜ୍‌ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ। ହେଲେ ବାସ୍ତବ ଚିତ୍ର ଓଲଟା। ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ ନାମକୁ ମାତ୍ର ଚାଲିଛି। ଆଜି ପର୍ଯ୍ୟନ୍ତ ଯେତିକି ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ ଚାଲିବା କଥା, ତା’ ଚାଲିପାରିନାହିଁ। ୨୦୧୭ରୁ ଆଜି ପର୍ଯ୍ୟନ୍ତ ଠିକାସଂସ୍ଥା କାମ କରୁଛି। ୮ ବର୍ଷ ବିତିଯାଇଥିଲେ ହେଁ ସରୁନି। କେବେ ସରିବ ବିଭାଗୀୟ ଅଧିକାରୀ ମଧ୍ୟ କହିପାରୁନାହାନ୍ତି। ଫଳରେ ସହରରୁ ନିର୍ଗତ ବର୍ଜ୍ୟଜଳ ଅଧିକାଂଶ ସ୍ଥାନରେ ସିଧାସଳଖ ବ୍ରାହ୍ମଣୀ ଓ କୋଏଲ ନଦୀରେ ମିଶୁଛି। ବ୍ରାହ୍ମଣୀର ପ୍ରଦୂଷଣ ରୋକିବାକୁ ଥରେ ନୁହେଁ, ଏକାଧିକବାର ପ୍ରଦୂଷଣ ବିଭାଗ ଜିଲ୍ଲା ପ୍ରଶାସନକୁ ଚିଠି ଲେଖିଛି। ଏଥିସହ ବିଭିନ୍ନ ହସ୍ପିଟାଲ ଓ କାରଖାନାକୁ ମଧ୍ୟ ତାଗିଦ୍‌ କରାଯାଇଛି। କିନ୍ତୁ ଫଳ ଶୂନ।

ଇସ୍ପାତ ସହରରେ ରହିଥିବା ବିଭିନ୍ନ ହସ୍ପିଟାଲ, କଳକାରଖାନା ଓ ଅନ୍ୟ ଅନୁଷ୍ଠାନଗୁଡ଼ିକରୁ ନିର୍ଗତ ବର୍ଜ୍ୟଜଳ ସିଧାସଳଖ ପ୍ରମୁଖ ନାଳକୁ ଛାଡ଼ି ଦିଆଯାଉଛି। ନାଳ ମଧ୍ୟ ଦେଇ ବର୍ଜ୍ୟଜଳ ବ୍ରାହ୍ମଣୀ ଓ କୋଏଲ ନଦୀରେ ଯାଇ ମିଶୁଛି। ଏହା ସତ୍ତ୍ବେ ଆଜି ପର୍ଯ୍ୟନ୍ତ ବର୍ଜ୍ୟଜଳର ସଠିକ୍‌ ପରିଚାଳନା ଦିଗରେ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ଠୋସ୍‌ ପଦକ୍ଷେପ ନିଆଯାଇପାରିନି। ରାଉରକେଲା ମହାନଗର ନିଗମ (ଆର୍‌ଏମ୍‌ସି) ଓ କଲୁଙ୍ଗାର ବିଭିନ୍ନ କଳକାରଖାନାରୁ ନିର୍ଗତ ବର୍ଜ୍ୟଜଳ ବ୍ରାହ୍ମଣୀ ଓ ଇସ୍ପାତ ସହରାଞ୍ଚଳ ଓ କିଛି କଳକାରଖାନାରୁ ବର୍ଜ୍ୟଜଳ କୋଏଲ ନଦୀରେ ସିଧାସଳଖ ମିଶୁଛି। ବେଳେବେଳେ ବ୍ରାହ୍ମଣୀ ଜଳ ଏତେ ପ୍ରଦୂଷିତ ହେଉଛି ଯେ, ତାହା ସ୍ଥାନୀୟ ଅଞ୍ଚଳବାସୀଙ୍କ ଜୀବନ ପ୍ରତି ବିପଦ ଆଣୁଛି। ବେଦବ୍ୟାସରୁ ଲାଠିକଟା ପର୍ଯ୍ୟନ୍ତ ବ୍ରାହ୍ମଣୀ ନଦୀର ଉଭୟପାର୍ଶ୍ବରେ ବସବାସ କରୁଥିବା ପ୍ରାୟ ୫୦ରୁ ଅଧିକ ଗାଁ ଓ ବସ୍ତି ନଦୀଜଳ ଉପରେ ନିର୍ଭରଶୀଳ। ଗାଧୋଇବାଠୁ ଆରମ୍ଭ କରି ଅନ୍ୟାନ୍ୟ କାର୍ଯ୍ୟରେ ବସ୍ତିବାସିନ୍ଦା ନଦୀପାଣିକୁ ବର୍ଷବର୍ଷ ଧରି ବ୍ୟବହାର କରି ଆସୁଛନ୍ତି। ଖରାଦିନେ ପାଣି ଅଭାବରୁ ଅଧିକାଂଶ ବସ୍ତିବାସିନ୍ଦା ନଦୀଜଳକୁ ରୋଷେଇ ଓ ଅନ୍ୟ କାମରେ ବ୍ୟବହାର କରୁଛନ୍ତି। ୫୦ ବସ୍ତିର ପ୍ରାୟ ୩୦ ପ୍ରତିଶତ ଲୋକ ନଦୀପାଣିରେ ସ୍ନାନଶୌଚଠାରୁ ଆରମ୍ଭକରି ଅନ୍ୟାନ୍ୟ ଆବଶ୍ୟକତା ମେଣ୍ଟାଉଛନ୍ତି। ପାଳିତ ପଶୁମାନେ ବି ନଦୀପାଣି ପିଉଛନ୍ତି। ବିଗତଦିନରେ ବ୍ରାହ୍ମଣୀର ଦୂଷିତ ପାଣିକୁ ବ୍ୟବହାର କରି ଅନେକ ବସ୍ତିବାସିନ୍ଦା ଚର୍ମରୋଗରେ ଆକ୍ରାନ୍ତ ହୋଇଛନ୍ତି।

ନଦୀପାଣିକୁ ପ୍ରଦୂଷଣ ମୁକ୍ତ ରଖିବାକୁ ଅନେକବାର ବିଭିନ୍ନ ସଙ୍ଗଠନ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। କିନ୍ତୁ ଆଜି ପର୍ଯ୍ୟନ୍ତ ଏହାର ପ୍ରତିକାର ହୋଇପାରିନି। ବ୍ରାହ୍ମଣୀ ପରି କୋଏଲ ନଦୀରେ ମଧ୍ୟ ସମାନ ସ୍ଥିତି। କୋଏଲ ଉପରେ ନିର୍ଭରଶୀଳ ୬୦ରୁ ଅଧିକ ବସ୍ତି ଓ ଗାଁ ଦୂଷିତ ନଦୀପାଣିକୁ ବ୍ୟବହାର କରୁଛନ୍ତି। ସେପଟେ ପ୍ରଦୂଷିତ ନଦୀଜଳକୁ ନେଇ ପ୍ରତିବର୍ଷ ବିଧାନସଭାରେ ତମ୍ବିତୋଫାନ ହେଉଛି। ଏ ନେଇ ପଦକ୍ଷେପ ନେବାକୁ ସରକାର ବିଭିନ୍ନ ବିଭାଗକୁ ନିର୍ଦେଶ ଦେଉଛନ୍ତି। ହେଲେ ଜିଲ୍ଲା ପ୍ରଶାସନ ଓ ଅନ୍ୟ ବିଭାଗ ଯେମିତି କାମ କରିବା କଥା, ତାହା କରୁନଥିବାରୁ ବିଷମ ସ୍ଥିତି ଉପୁଜୁଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ