ରାଜ୍ୟ

ଦଶପଲ୍ଲାର ଭିନ୍ନ ଏକ ନଗଡ଼ା: ଅପପୁଷ୍ଟିରେ ଶଢ଼ୁଛନ୍ତି, ଚିକିତ୍ସା ପାଇଁ ମୁହଁ ମୋଡ଼ୁଛନ୍ତି

ଦଶପଲ୍ଲା: ଫୁଙ୍ଗୁଳା ଦେହ ସାଙ୍ଗକୁ ନୁଖୁରା ମୁଣ୍ତ। ଆଖି କୋରଡ଼କୁ ପଶି ଯାଇଛି। କିଏ ବଣପାହାଡ଼ ବୁଲି ପାଚିଲା ତାଳ ଖାଉଛି ତ କାହା ହାତରେ ଲୁଣ ସାଙ୍ଗକୁ ବାସି ତୋରାଣି। ଅପପୁଷ୍ଟିର ଶିକାର ହୋଇଥିବା ଗାଁର ଏମିତି ମାଳମାଳ ପିଲା ଘୂରି ବୁଲୁଛନ୍ତି। ହେଲେ ଡାକ୍ତରଖାନା ନାଁ ଧରିଲେ ସେମାନଙ୍କ ପରିବାର ମୁହଁ ମୋଡ଼ୁଛନ୍ତି। ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ୍‌ କୁଲୁରୁକୁମ୍ପା ପଞ୍ଚାୟତର ବଣପାହାଡ଼ ଘେରା କୋହ୍ଲସାହିରେ ନଗଡ଼ାର ଏଭଳି ଭିନ୍ନ ଏକ ଚିତ୍ର ପ୍ରାଶାସନିକ ବ୍ୟବସ୍ଥା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି।

କୋହ୍ଲସାହି କହିଲେ ଦଶପଲ୍ଲା ସମେତ ଆଖପାଖ ଗ୍ରାମର ଲୋକ ବେଶ୍ ଜାଣନ୍ତି। ସ୍ଥାନୀୟ ଅଧିବାସୀଙ୍କ କହିବା ଅନୁଯାୟୀ, ସେମାନେ ହେଉଛନ୍ତି ଶବର ବା ଶବର ସମାଜ। ଗାଁରେ ୪୦ ପରିବାର ଦୀର୍ଘବର୍ଷ ସ୍ଥାୟୀ ଭାବେ ବସବାସ କରି ଆସୁଛନ୍ତି। ପ୍ରତି ପରିବାରରେ ୫ରୁ ୭ଟି ଛୁଆ ରହିଛନ୍ତି। ବିଦ୍ୟାଳୟରେ ନାଁ ଲେଖା ହୋଇଛି ସତ, ହେଲେ କେହି ବିଦ୍ୟାଳୟ ବାରଣ୍ତା ମାଡ଼ନ୍ତି ନାହିଁ। ଗାଁରେ କେହି ସାର୍ଟ-ପ୍ୟାଣ୍ଟ ପିନ୍ଧା ଲୋକ ପହଞ୍ଚିଲେ, ବାବୁ ଆସିଛନ୍ତି କହି କିଏ ଘରକୁ ଦୌଡ଼ି ପଳାଉଛି ତ ପୁଣି କିଏ ବାବୁ ଚକୋଲେଟ୍ ଦେବେ କହି ଧାଇଁ ଆସିଥାନ୍ତି। ଗାଁରେ ଏକ ଅଙ୍ଗନବାଡ଼ି କେନ୍ଦ୍ର ରହିଛି। ଦିଦି କେବେ ଆସନ୍ତି ଓ ଯାଆନ୍ତି କେହି ଜାଣନ୍ତି ନାହିଁ। ବିଭିନ୍ନ ସମୟରେ ଅଙ୍ଗନବାଡ଼ିକୁ ସ୍ବାସ୍ଥ୍ୟ ପରୀକ୍ଷା କରିବା ପାଇଁ ଆର୍‌ବିଏସ୍‌କେ ଟିମ୍ ପହଞ୍ଚୁଛି। ମାତ୍ର ସ୍ବାସ୍ଥ୍ୟ ପରୀକ୍ଷା କରାଇଲେ ୩ରୁ ୪ଟି ପିଲା ନିଶ୍ଚୟ ଅପପୁଷ୍ଟିର ଶିକାର ଥିବା ଚିହ୍ନଟ ହେଉଛନ୍ତି। କିନ୍ତୁ ଚିକିତ୍ସା ପାଇଁ ସ୍ବାସ୍ଥ୍ୟକେନ୍ଦ୍ର ଯିବାକୁ କେହି ରାଜି ହେଉନାହାନ୍ତି। ଗାଁର ଅଧିକାଂଶ ଶିଶୁ ଚର୍ମରୋଗରେ ଆକ୍ରାନ୍ତ। ବିଦ୍ୟାଳୟରେ ନାମ ଲେଖା ଯାଉଥିଲେ ବି ଏଯାଏଁ ଗ୍ରାମର କେହି ଦଶମ ଡେଇଁ ନାହାନ୍ତି। ଗାଁ ଲୋକେ ଜଙ୍ଗଲରୁ ମହୁଲ, ଲାଖ, ଝୁଣା ଆଦି ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ପରିବାର ଚଳାନ୍ତି।

ବଡ଼କଥା ହେଉଛି, ଅନେକ ପରିବାରକୁ ଆବାସ ଯୋଜନାରେ ଘର ମିଳିଛି। ମାତ୍ର ଘର ନିର୍ମାଣ ନ ହୋଇ ଲକ୍ଷଲକ୍ଷ ଟଙ୍କା ହଡ଼ପ କରାଯାଇଛି। ଯେଉଁଥିରେ ଠିକାଦାରଙ୍କଠାରୁ ଆରମ୍ଭ କରି ପଞ୍ଚାୟତ ଓ ବ୍ଲକ୍‌ ପ୍ରଶାସନର ପ୍ରଚ୍ଛନ୍ନ ଭୂମିକା ରହିଛି। ଫଳରେ ବହୁ ପରିବାର ଏବେ ଝାଟିମାଟି ଘେରା ଭଙ୍ଗାକୁଡ଼ିଆରେ ପଡ଼ି ରହିଛନ୍ତି। ଅନେକ ପରିବାର ମଧ୍ୟ ଆଧାର କାର୍ଡ ନଥିବାରୁ ରାସନ୍‌ ପାଇବାରୁ ବଞ୍ଚିତ। ଏ ସମ୍ପର୍କରେ ସରପଞ୍ଚ ଅଶୋକ ନାୟକଙ୍କୁ ପଚାରିବାରୁ ସେ କହିଥିଲେ, ଆଧାରକାର୍ଡ ନଥିବାରୁ ଅନେକ ରାସନ୍‌ ପାଇବାରୁ ବଞ୍ଚିତ ହେଉଛନ୍ତି। ଆଧାରକାର୍ଡ କରିବାକୁ ଯେତେ କହିଲେ ମଧ୍ୟ କେହି ଶୁଣୁନାହାନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।